ଖରାଦିନେ ନିଆଁ ଲାଗିବା ଆଶଙ୍କା ଅଧିକ ବଢିଯାଇଥାଏ। ଏହି ଦିନଗୁଡ଼ିକରେ ଜଙ୍ଗଲରେ, ଫସଲ ଜମିରେ ଓ ଚାଳଘରଗୁଡ଼ିକରେ ଅଧିକ ନିଆଁ ଲାଗିଥାଏ। ବେଳେବେଳେ ବିଦ୍ୟୁତ୍ ଉପକରଣରେ ହେଉଥିବା ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଏ। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅନେକ ସମୟରେ ଫାୟାର୍ ଏଷ୍ଟିଙ୍ଗୁଇସର୍ରେ(ଅଗ୍ନି ନିର୍ବାପକ ଯନ୍ତ୍ର) ନିଆଁ ଲିଭାଉଥିବାର ଦେଖାଯାଏ। କେଉଁ ଅଗ୍ନି ନିର୍ବାପକ ଯନ୍ତ୍ରରେ କିପରି ନିଆଁକୁ ଆୟତ୍ତ କରାଯିବ ତାହା ଜାଣିବା ସମସ୍ତେ ନିହାତି ଜରୁରୀ। କାଗଜ, କପଡ଼ା ଓ କାଠରେ ଲାଗିଥିବା ନିଆଁ ପାଇଁ ଯେଉଁ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରାଯାଇ ଥାଏ ଗ୍ୟାସ୍ ସିଲିଣ୍ଡରରୁ ଲାଗିଥିବା ନିଆଁ ପାଇଁ ତାର ପ୍ରୟୋଗ ହୋଇନଥାଏ।
ଫେଣଯୁକ୍ତ
ପେଟ୍ରୋଲ୍ ଡିଜେଲ୍ ଭଳି ଜ୍ବଳନଶୀଳ ପଦାର୍ଥର ନିଆଁକୁ ଲିଭାଇବା ପାଇଁ ଫେଣଯୁକ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରାଯାଇଥାଏ। ଏଥିରେ କପଡା ଓ କାଗଜରେ ଲାଗୁଥିବା ନିଆଁ ଲିଭା ଯାଇଥାଏ। ଏଥିରେ କ୍ରିମ୍ କଲର୍୍ର ଲେବଲ୍ ବ୍ୟବହାର କରାଯାଇଥାଏ।
ଜଳ
ଜଳଯୁକ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସବୁଠୁ ଅଧିକ ନିଆଁ ଲିଭାଇବା ପାଇଁ କରାଯାଇଥାଏ। ସବୁଠୁ ବଡ଼ କଥା ହେଉଛି ଏଥିରେ ବହୁତ କମ୍ ଖର୍ଚ୍ଚ ହୋଇଥାଏ।
ପାଉଡର
ଏହି ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଅନେକ କ୍ଷେତ୍ରରେ କରାଯାଏ। ଏଭଳି ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକର ବ୍ୟବହାର ସୁଉଚ୍ଚ ଅଟ୍ଟାଳିକାଗୁଡ଼ିକରେ କରାଯାଏ। ଏଥିରେ ନୀଳ ରଙ୍ଗର ଲେବଲର ପ୍ରୟୋଗ କରାଯାଇଥାଏ।
ଅଙ୍ଗାରକାମ୍ଳ
ଯେଉଁ ସ୍ଥାନରେ ବିଦ୍ୟୁତ୍ ଉପକରଣ ଅଧିକ ଥାଏ ସେଠାରେ ଅଙ୍ଗାରକାମ୍ଳଯୁକ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରାଯାଏ। ଏଥିରେ କଳାରଙ୍ଗର ଲେବଲର ପ୍ରୟୋଗ କରାଯାଇଥାଏ। ଏହି ଅଗ୍ନି ନିର୍ବାପକ ଯନ୍ତ୍ର ଅନ୍ୟ ଅଗ୍ନି ନିର୍ବାପକ ଯନ୍ତ୍ର ଅପେକ୍ଷା ବେଶ୍ ମହଙ୍ଗା ହୋଇଥାଏ।
ଆଦ୍ର ରାସାୟନିକ
ଖାଇବା ତେଲରେ ଲାଗୁଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଆଦ୍ର ରାସାୟନିକ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରାଯାଏ। ଏଥିରେ ହଳଦି ରଙ୍ଗର ଲେବଲର ପ୍ରୟୋଗ କରାଯାଇଥାଏ।