୧୨ ବର୍ଷ ପରେ ବଦଳିବ ପିଏଫ୍ ନିୟମ: ୨୫,୦୦୦ ଟଙ୍କା ହେବ ବେତନ ସୀମା

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ସହିତ ଜଡ଼ିତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାଧ୍ୟତାମୂଳକ ଇପିଏଫ୍ (EPF) ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ତେବେ ଏହି ନୂତନ ନିୟମ ସମ୍ପୂର୍ଣ୍ଣ ରୂପେ ଲାଗୁ ହେବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଚୂଡ଼ାନ୍ତ ମୋହର ବାକି ରହିଛି। କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ଏହାକୁ ସରକାରୀ ଭାବେ ଲାଗୁ କରାଯିବ।

୧୨ ବର୍ଷ ପରେ ବଦଳିବ ନିୟମ

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ଇପିଏଫ୍ ବେତନ ସୀମା ୧୫,୦୦୦ ଟଙ୍କା ରହିଛି, ଯାହାକି ଶେଷ ଥର ପାଇଁ ସେପ୍ଟେମ୍ବର ୨୦୧୪ରେ ଧାର୍ଯ୍ୟ କରାଯାଇଥିଲା। ପ୍ରାୟ ୧୨ ବର୍ଷ ପରେ ସରକାର ଏହି ସୀମାକୁ ବଢ଼ାଇବାକୁ ଯାଉଛନ୍ତି। ଯଦି କ୍ୟାବିନେଟ୍ ଦ୍ୱାରା ଏହାକୁ ସବୁଜ ସଙ୍କେତ ମିଳେ, ତେବେ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଅନେକ କର୍ମଚାରୀ ବାଧ୍ୟତାମୂଳକ ପିଏଫ୍ ଏବଂ ପେନସନ ଯୋଜନା ଅଧୀନକୁ ଆସିବେ। ଆଶା କରାଯାଉଛି ଯେ ଏପ୍ରିଲ୍ ୨୦୨୭ ସୁଦ୍ଧା ଏହି ନୂତନ ବେତନ ସୀମାକୁ ଲାଗୁ କରାଯାଇପାରେ।

ହାତକୁ ଆସୁଥିବା ଦରମା ଉପରେ କ'ଣ ପ୍ରଭାବ ପଡ଼ିବ?

ନୂଆ ନିୟମ ଲାଗୁ ହେଲେ କର୍ମଚାରୀଙ୍କ ଟେକ୍-ହୋମ୍ ଦରମା ବା ହାତକୁ ଆସୁଥିବା ଦରମା ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ବର୍ତ୍ତମାନର ନିୟମ ଅନୁସାରେ, ଯେଉଁମାନଙ୍କର ମୂଳ ଦରମା (Basic Salary) ଓ ମହଙ୍ଗା ଭତ୍ତା (DA) ମିଶି ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି, ସେମାନଙ୍କ ପାଇଁ ଇପିଏଫ୍ ଆକାଉଣ୍ଟରେ ଯୋଗଦାନ କରିବା ବାଧ୍ୟତାମୂଳକ। ଏଥିରେ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟଙ୍କ ପକ୍ଷରୁ ମୂଳ ଦରମାର ୧୨% ଅର୍ଥ ଜମା କରାଯାଇଥାଏ। ଯଦି ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଏ, ତେବେ ଉଭୟ କର୍ମଚାରୀ ଏବଂ କମ୍ପାନୀକୁ ଅଧିକ ଅର୍ଥ ପିଏଫ୍ ବାବଦରେ ଜମା କରିବାକୁ ପଡ଼ିବ। ଫଳରେ କର୍ମଚାରୀଙ୍କ ମାସିକ ଦରମାରୁ ଅଧିକ ଟଙ୍କା କଟିବ ଏବଂ ହାତକୁ ଆସୁଥିବା ଦରମା ସାମାନ୍ୟ କମିଯିବ।

ଅବସର ପାଣ୍ଠି ଏବଂ ପେନସନରେ ବୃଦ୍ଧି

ଯଦିଓ ନୂଆ ନିୟମ ଯୋଗୁଁ ମାସିକ ଦରମା କମିବାର ସମ୍ଭାବନା ଅଛି, ତଥାପି କର୍ମଚାରୀମାନଙ୍କ ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଉଚ୍ଚ ବେତନ ସୀମା ଲାଗୁ ହେଲେ ଅବସର ନେବା ସମୟରେ କର୍ମଚାରୀଙ୍କୁ ଏକ ବଡ଼ ଧରଣର ଅବସର ପାଣ୍ଠି (Retirement Corpus) ମିଳିପାରିବ। ଏହା ସହିତ କର୍ମଚାରୀ ପେନସନ ଯୋଜନା (EPS) ଅଧୀନରେ ପ୍ରତି ମାସରେ ମିଳୁଥିବା ପେନସନ ରାଶି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ। ଏକ ସରକାରୀ ଆକଳନ ଅନୁଯାୟୀ, ଏହି ପରିବର୍ତ୍ତନ ଦ୍ୱାରା ଦେଶର ଲକ୍ଷ ଲକ୍ଷ ଅତିରିକ୍ତ କର୍ମଚାରୀ ବାଧ୍ୟତାମୂଳକ ପିଏଫ୍ ଏବଂ ପେନସନ ଯୋଜନାର ସୁବିଧା ପାଇପାରିବେ।

About The Author: Suryakanta