ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ମଧୁମେହ ରୋଗୀ, ଜାଣନ୍ତୁ କ’ଣ ଖାଇବେ ଏବଂ କ’ଣ ନାହିଁ

ଭୁବନେଶ୍ବର : ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ସକାଳ ଜଳଖିଆଠୁ ଆରମ୍ଭ କରି ମଧ୍ୟାହ୍ନ ତଥା ରାତ୍ରୀଭୋଜନରେ କ’ଣ ସବୁ ଖାଇବା ଉଚିତ ସେସବୁ ଦିଗରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଖାଦ୍ୟପେୟରେ ଟିକେ ବି ଅବହେଳା ବା ଅସାବଧାନତା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ। ମଧୁମେହ ରୋଗୀ ସବୁ ପ୍ରକାର ଖାଦ୍ୟପଦାର୍ଥ ଖାଇପାରି ନ ଥାନ୍ତି। ସେମାନେ ଖାଉଥିବା ଖାଦ୍ୟପଦାର୍ଥ ଯେଭଳି ରକ୍ତ ଶର୍କରା ପରିମାଣକୁ ନ ବଢ଼ାଇବ, […]

ଭୁବନେଶ୍ବର : ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ସକାଳ ଜଳଖିଆଠୁ ଆରମ୍ଭ କରି ମଧ୍ୟାହ୍ନ ତଥା ରାତ୍ରୀଭୋଜନରେ କ’ଣ ସବୁ ଖାଇବା ଉଚିତ ସେସବୁ ଦିଗରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଖାଦ୍ୟପେୟରେ ଟିକେ ବି ଅବହେଳା ବା ଅସାବଧାନତା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ। ମଧୁମେହ ରୋଗୀ ସବୁ ପ୍ରକାର ଖାଦ୍ୟପଦାର୍ଥ ଖାଇପାରି ନ ଥାନ୍ତି। ସେମାନେ ଖାଉଥିବା ଖାଦ୍ୟପଦାର୍ଥ ଯେଭଳି ରକ୍ତ ଶର୍କରା ପରିମାଣକୁ ନ ବଢ଼ାଇବ, ସେ ଦିଗରେ ସେମାନଙ୍କୁ ଯତ୍ନବାନ ହେବା ଆବଶ୍ୟକ। ତେବେ ମଧୁମେହ ରୋଗୀ ଖାଦ୍ୟପାନୀୟ ପ୍ରତି କିଭଳି ସଚେତନ ରହିବା ଦରକାର, ତାହାକୁ ନେଇ ଏହି ଉପସ୍ଥାପନା।

ଜୀବନଶୈଳୀରେ ପରିବର୍ତ୍ତନ: ଅନିୟମିତ ଜୀବନଶୈଳୀ ମଧୁମେହ ରୋଗର ପ୍ରମୁଖ କାରଣ। ଜୀବନଶୈଳୀରେ ପରିବର୍ତ୍ତନ ଆସିବା ଯୋଗୁଁ ଖାଦ୍ୟପାନୀୟ ଏପଟସେପଟ ହୋଇଥାଏ। ସେଥିପାଇଁ ମଧୁମେହକୁ ଲାଇଫଷ୍ଟାଇଲ ଡିଜଅର୍ଡର୍ ହିସାବରେ ଗ୍ରହଣ କରିଥାଉ। ଏହା ବଂଶାନୁଗତ ମଧ୍ୟ। ପରିବାରରେ ଯଦି କେହି ମଧୁମେହରେ ପୀଡ଼ିତ ଥାନ୍ତି, ସେମାନଙ୍କୁ ମଧ୍ୟ ମଧୁମେହ ହେବାର ଆଶଙ୍କା ବେଶି।

ଡାଏଟ୍ ଉପରେ ଗୁରୁତ୍ବ: ମଧୁମେହ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ସେଥିପାଇଁ ଖାଦ୍ୟପାନୀୟ ଉପରେ ରୋଗୀଙ୍କୁ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ। ଖାଦ୍ୟପେୟ, ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ତେବେ ରକ୍ତଶର୍କରା ପରିମାଣ ବେଶି ରହୁଥିଲେ, ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଉଚିତ। ସେହିପରି ରୋଗୀଙ୍କୁ ଆଦୌ ଔଷଧ ଖାଇବା ବନ୍ଦ କରିବା କଥା ନୁହେଁ। ଅନ୍ୟପଟେ ପ୍ରାରମ୍ଭିକ ପର୍ୟ୍ୟାୟରେ ଏଥିରେ ଯେଉଁମାନେ ପୀଡ଼ିତ, ତାହାକୁ ଖାଦ୍ୟ ମାଧ୍ୟମରେ ନିୟନ୍ତ୍ରଣ କରିବା ସମ୍ଭବ।

ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ: ରୋଗୀଙ୍କୁ ସବୁବେଳେ ଖାଦ୍ୟପଦାର୍ଥ ଉପରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ସେମାନେ ଖାଉଥିବା ଖାଦ୍ୟ ଯେମିତି ଶରୀରରେ ସୁଗାର୍ ପରିମାଣକୁ ବୃଦ୍ଧି ନ କରିବ, ସେ ପ୍ରତି ସଚେତନ ଓ ସତର୍କ ରୁହନ୍ତୁ। ତନ୍ତୁଜାତୀୟ ଖାଦ୍ୟ ଖାଇବା ଦିଗରେ ଗୁରୁତ୍ବ ଦେବା ଉଚିତ। ସେହିପରି କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇପାରିବେ। ଡାଏଟ୍ରେ ମିଲେଟ୍ ସାମିଲ କରନ୍ତୁ। ବାଜରାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ପରିମାଣ କମ୍। ଏଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ହିତକର।

ସାଇଟ୍ରସ୍ ଖାଦ୍ୟ ପଦାର୍ଥ ଖାଆନ୍ତୁ: ସବୁଜ ପନିପରିବା ସମେତ ଫଳ ଖାଇପାରିବେ। ଫଳରେ ସେଓ, କମଳା, ନାସପାତି, ମୌସମ୍ବି ଆଦିକୁ ସାମିଲ କରନ୍ତୁ। ମୁଖ୍ୟତଃ ମଧୁମେହ ରୋଗୀଙ୍କୁ ସାଇଟ୍ରସ୍ ଖାଦ୍ୟପଦାର୍ଥ ଖାଇବା ଉଚିତ। ସେହିପରି ଯେଉଁ ସବୁ ଖାଦ୍ୟପଦାର୍ଥରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ରହୁଛି, ସେସବୁ ସେମାନଙ୍କୁ ଖାଇବା ଦରକାର।

ପ୍ରତି ଦୁଇ ଘଣ୍ଟାରେ ଖାଇବା ଉଚିତ: ମଧୁମେହ ରୋଗୀ ଏକକାଳୀନ ବେଶି ପରିମାଣରେ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ। ସେମାନଙ୍କୁ ପ୍ରତି ଦୁଇ ଘଣ୍ଟାରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଦରକାର। ଅଳ୍ପ ଅଳ୍ପ ଖାଦ୍ୟ ବହୁତ ଥର ଖାଆନ୍ତୁ। ଖାଦ୍ୟ ସହ ମଧୁମେହ ରୋଗୀଙ୍କୁ ପାଣି ବି ଠିକ୍ ଭାବେ ପିଇବା ଆବଶ୍ୟକ।

ଉପବାସ କରନ୍ତୁ ନାହିଁ: ଅନେକ ସମୟରେ ମଧୁମେହ ରୋଗୀଙ୍କର ସୁଗାର୍ କମି ଯାଏ। ଫଳରେ ମୁଣ୍ଡ ବୁଲାଏ, ଦେହ ହାତ ଥରେ ଓ ଶରୀରରୁ ଝାଳ ବୁହେ। ଏହି ସବୁ ଲକ୍ଷଣକୁ ଲୋ-ସୁଗାର୍ ଲେବଲ୍ ବୋଲି କହିଥାଉ। ଏଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଉଚିତ। ତେବେ ଏସବୁ ସମସ୍ୟା ଦେଖାଦେଲେ, ସେମାନଙ୍କୁ ସଙ୍ଗେ ସଙ୍ଗେ ସୁଗାର୍ ନେବାକୁ ପଡ଼ିବ। ତା’ସହ ଗ୍ଲୁକୋଜ୍ ବି ନେଇପାରିବେ। ଏହି ସବୁ ପରେ ଅଳ୍ପ ଖାଦ୍ୟ ବହୁତ ଥର ଖାଆନ୍ତୁ। କେବେ ବି ଉପବାସ କରନ୍ତୁ ନାହିଁ।

ନିହାରିକା ଦାସ (ଡାଏଟିସିଆନ୍ ଓ ଡାଏବେଟିକ୍ ଏଡୁକେଟର୍, ଭୁବନେଶ୍ବର)

About The Author: The Sakala