(ପ୍ରସ୍ତୁତି: ଐଶ୍ୱର୍ଯ୍ୟା) ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା ପାଇଁ…। ଆମ ଓଡ଼ିଆ ଘରେ କଂସା ଓ ପିତ୍ତଳ ବାସନର ପ୍ରଚଳନ ଖୁବ୍ ପୁରୁଣା। କାହିଁ କେଉଁ ପୁରାତନ କାଳରୁ କଂସା ପିତ୍ତଳର ବାସନ ଆମ କଳା, ସଂସ୍କୃତି, ଐତିହ୍ୟ ଓ ଆଭିଜାତ୍ୟ ସହିତ ଜଡ଼ିତ। ଝିଅ ଶାଶୂଘର ଗଲାବେଳେ ବାସନ ସଜରେ କଂସା ଓ ପିତ୍ତଳ ସାମଗ୍ରୀର ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ବାସନ ଦେଖିବାକୁ ଯେଉଁଭଳି ଆକର୍ଷଣୀୟ, ଏହାର ଔଷଧୀୟ ଗୁଣ ବି ସେଭଳି। କିନ୍ତୁ କାଳକ୍ରମେ ଷ୍ଟିଲ ଓ ଚାଇନା ବାସନର ବ୍ୟବହାର ଭିତରେ ଏହି ଭାରି ଓ ପାରମ୍ପରିକ କଂସା ପିତ୍ତଳର ବ୍ୟବହାର କମିଯାଇଥିଲା। କିନ୍ତୁ ଏବେ ରାଜଧାନୀର ବିଭିନ୍ନ ରେସ୍ତୋରାଁ, ଧନୀକ ଶ୍ରେଣୀୟ ପରିବାରର ଏହି କଂସା ପିତ୍ତଳର ବ୍ୟବହାର ବୃଦ୍ଧି ପାଇବାର ଲକ୍ଷ୍ୟ କରାଯାଉଛି। ସହରୀ ସଭ୍ୟତାରେ ମଧ୍ୟ ଧୀରେ ଧୀରେ କଂସା ଓ ପିତ୍ତଳ ସାମଗ୍ରୀ ଫେରିବା ଆରମ୍ଭ କରିଛି। ଏସବୁ ଦେଖି ଲାଗୁଛି ଯେମିତି ପୁଣି ଫେରୁଛି କାଂସ୍ୟ ଯୁଗ।
ଡ. ଜ୍ୟୋତିରଞ୍ଜନ ପରିଡ଼ା (ଇମ୍ୟୁନୋଲୋଜିଷ୍ଟ)
କଂସା ବାସନରେ ଖାଦ୍ୟ ରାନ୍ଧିଲେ ଓ ଖାଦ୍ୟ ଖାଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ପିତ୍ତଳରେ ଅଧିକ ଏସିଡିକ୍ ଖାଦ୍ୟ ଯେମିତିକି ଲେମ୍ବୁ, ଦହି ଆଦି ଖାଦ୍ୟ ସାମଗ୍ରୀ ରହିଲେ, ତାହା ଶରୀର ପାଇଁ କ୍ଷତିକାରକ। ମାତ୍ର କଂସାରେ ଆଣ୍ଟିବ୍ୟାକ୍ଟେରିଆଲ୍ ପ୍ରୋପର୍ଟି ଥିବାରୁ ଖାଦ୍ୟ ଅଧିକ ସମୟ ରହିଲେ ବି ତାହା ଶରୀର ଉପରେ କୁପ୍ରଭାବ ପକାଏ ନାହିଁ। ଏଥିପାଇଁ ପିତ୍ତଳ ସାମଗ୍ରୀକୁ ଉପହାରଭାବେ ପ୍ରଦାନ କରାଯାଉଥିବାବେଳେ କଂସା ବାସନରେ ଖାଇବା ଶରୀର ପକ୍ଷେ ହିତକର ହୋଇଥାଏ। ବିଶେଷକରି ପଖାଳ ଖାଇବା ସମୟରେ ପିତ୍ତଳ ପରିବର୍ତ୍ତେ କଂସାରେ ଖାଇଲେ ଭଲ। କାରଣ ଏହା ମାଇକ୍ରୋଅର୍ଗାନିଜିମ୍କୁ ମଧ୍ୟ କଣ୍ଟ୍ରୋଲ କରି ରଖିବା ସହ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼଼ିଇଥାଏ। ଏମିତି ଆୟୁର୍ବେଦିକ ବିଦ୍ୟାରେ ମଧ୍ୟ କଂସା ବାସନରେ ଖାଇବାର ଉପକାରିତା ସମ୍ପର୍କରେ ରହିଛି।
ହୋଟେଲରେ କଂସା ଓ ପିତ୍ତଳ
ଗତ କିଛିବର୍ଷ ହେବ କଂସା ପିତ୍ତଳ ବାସନ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଗତ ତିନିବର୍ଷରୁ ଊର୍ଦ୍ଧ୍ବ ହେବ ବଜାରକୁ ପୁଣିଥରେ କଂସା ପିତ୍ତଳର ଯୁଗ ଫେରିଛି। ଓଡ଼ିଆର ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ରାଜଧାନୀ ଓ ରାଜ୍ୟର ଅନ୍ୟ କିଛି ସହରରେ ଥିବା ଛୋଟବଡ଼ ରେସ୍ତୋରାଁଠାରୁ ଆରମ୍ଭ କରି ହୋଟେଲରେ କଂସା ପିତ୍ତଳ ବାସନରେ ଗ୍ରାହକଙ୍କୁ ପରଷାଯାଉଛି ଖାଦ୍ୟ। ଏଥିପ୍ରତି ଲୋକଙ୍କ ଆଗ୍ରହ ମଧ୍ୟ ବଢ଼଼ିଥିବା ଲକ୍ଷ୍ୟ କରାଯାଉଛି। ହୋଟେଲରେ କଂସା ଓ ପିତ୍ତଳ ଥାଳି, ତାଟିଆ, କଂସାରେ ଆମିଷ ଠାରୁ ନିରାମିଷ ଖାଦ୍ୟ ପରଷିଦିଆଯାଉଛି। ଯାହା ଲୋକଙ୍କୁ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ଦେଉଛି। ଏମିତିକି କଂସାରେ ତିଆରି ବୋତଲ, ଜଗ୍ ଓ ଗ୍ଲାସ୍ ମଧ୍ୟ ବ୍ୟବହାର କରାଯାଉଛି। ଚାହିଦାକୁ ଦୃଷ୍ଟିରେ ରଖି କଂସା ସାମଗ୍ରୀର ଦାମ୍ ମଧ୍ୟ କ୍ରମେ ପୂର୍ବାପେକ୍ଷା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ଉପହାରରେ ପିତ୍ତଳ
ସମୟ ବଦଳିବା ସହ ଲୋକଙ୍କ ରୁଚିରେ ମଧ୍ୟ ପରିବର୍ତ୍ତନ ହେଉଛି। ଏବେ ପିତ୍ତଳରେ ତିଆରି ସାମଗ୍ରୀକୁ ଉପହାର ଦେବା ଏକ ଧାରା ପାଲଟିଛି। ବାହାଘର, ବ୍ରତଘର ହେଉ ଅବା କୌଣସି କାର୍ଯ୍ୟାଳୟ ଅଧିକାରୀଙ୍କୁ ଉପହାର ଦେବା ପାଇଁ ପିତ୍ତଳରୁ ପ୍ରସ୍ତୁତ ଦେବାଦେବୀଙ୍କ ମୂର୍ତ୍ତି, ଡିଜାଇନ ଢାଳ, ମାଛ ଆଦି ରହିଛି। ଲୋକଙ୍କ ପାଖରେ କିଛି ନୂଆ କରି ପହଞ୍ଚାଇବା ଉଦ୍ଦେଶ୍ୟରେ କାରିଗରମାନେ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ଅଦରକାରୀଭାବେ ଫିଙ୍ଗିଦିଆଯାଉଥିବା ଓ ବଦଳାଇଦିଆଯାଉଥିବା ପିତ୍ତଳକୁ ସଂଗ୍ରହ କରି ସେସବୁରୁ ମୂର୍ତ୍ତି, ମାଛ ଆଦି ଭଳି ସାମଗ୍ରୀକୁ ପ୍ରସ୍ତୁତ କରାଯାଉଛି। କଟକ, ଭୁବନେଶ୍ୱରରେ ଥିବା କବାଡ଼ିଆଙ୍କଠାରୁ ପିତ୍ତଳ ଟ୍ୟାପ୍, ପିତ୍ତଳ ବାସନ, ପିତ୍ତଳ ଫ୍ୟାନକୁ ସଂଗ୍ରହ କରାଯାଇ ତାହାକୁ ତରଳାଯାଇ ଛାଞ୍ଚ ମାଧ୍ୟମରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ କରାଯାଉଛି। ଗାଁର ପୁରୁଷମାନେ କଂସା ପିତ୍ତଳ ବାସନ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ମହିଳାମାନେ ଏହି ସୌଖିନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମୂର୍ତ୍ତି ତିଆରି ହେବାପରେ ସେଥିରେ ଭଳିକିଭଳି ରଙ୍ଗଦେଇ ଆକର୍ଷଣୀୟ କରୁଛନ୍ତି। ଏହିସବୁ ସାମଗ୍ରୀର ଦାମ୍ ୫ଶହ ଟଙ୍କାରୁ ଆରମ୍ଭ କରି ୩୦-୪୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ମହିଳା କାରିଗର ମିଲିମା ସାହୁ ଓ ଜୟନ୍ତୀ ସାହୁ କହିଛନ୍ତି।
ଶହେ ଶାଳରେ ଚାଲିଛି କୌଳିକ ବୃତ୍ତି
ରାଜ୍ୟର ଅନ୍ୟତମ କଂସା ପିତ୍ତଳର ଗାଁଭାବେ ବେଶ୍ ପରିଚିତ ଭୁବନେଶ୍ୱର ଉପକଣ୍ଠ ବାଳକାଟିର ରଥିଜେମା। କଂସା ପିତ୍ତଳ ବ୍ୟବହାରର ଉତ୍ଥାନ ପତନ ଭିତରେ ବି ରଥିଜେମା ଗାଁର କାରିଗରମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ପୂର୍ବରୁ ୪ଶହ ଘରେ କଂସା ପିତ୍ତଳ କାମ ପ୍ରସ୍ତୁତି ପାଇଁ ଖନ୍ଦାଶାଳ ଥିବାବେଳେ ଏବେ ମାତ୍ର ୧ଶହ ଖନ୍ଦା ଶାଳରେ ପ୍ରସ୍ତୁତ ହେଉଛି କଂସା ପିତ୍ତଳ ବାସନଠାରୁ ଆରମ୍ଭ କରି ଘରସଜ୍ଜା ଓ ମୂର୍ତ୍ତି ଆଦି ସାମଗ୍ରୀ। ରଥିଜେମାର ୪ ଗ୍ରାମ୍ ୩୦ ସାହି, ୮୦ ସାହି, ନୂଆ ସାହି ଓ ପମଣିଆରେ ଏବେ ବି କାରିଗରମାନେ କଂସା ଓ ପିତ୍ତଳରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ଲାଗିଛନ୍ତି। କିଛି ପୁରୁଣାକାଳିଆ ଲୋକେ ଏହି କୌଳିକ ବୃତ୍ତିକୁ ଧରି ରଖିଥିବାବେଳେ ପେଟପାଟଣା ଆଶାରେ ଗାଁର ଯୁବପିଢ଼ିମାନେ ବୃତ୍ତିକୁ ଦୂରେଇ ଦେଇସାରିଲେଣି। ଏବେ ବି ଏ ବେଉସା ଉପରେ କିଛି ପରିବାର ନିର୍ଭରଶୀଳ। ତଥାପି ଗାଁ ଭିତରକୁ ପ୍ରବେଶ କଲେ ଖନ୍ଦାଶାଳରେ କାରିଗରଙ୍କ ନିଖୁଣ କାରିଗରର ଚିତ୍ର ସାଙ୍ଗକୁ ଶାଳରେ ହାତୁଡ଼ି, ଛେଣିର ଶବ୍ଦରେ କମ୍ପିତ ହେଉଥାଏ ଗାଁ। କିଏ ଠାକୁରଙ୍କ ପାଇଁ ଘଣ୍ଟଘଣ୍ଟା ପ୍ରସ୍ତୁତିରେ ତ ଆଉ କିଏ କଂସା, ଗିନା, ଥାଳି, ଥାଳିଆ, ଲୋଟା ଆଦି ତିଆରିରେ ଲାଗିପଡ଼ିଥାନ୍ତି। ଆଉ ସେସବୁକୁ ଆକର୍ଷଣୀୟ ରୂପ ଦେଇ ବଜାରରେ ବିକ୍ରି କରାଯାଉଛି।
ଫ୍ୟାନ୍ସି କଂସା ପିତ୍ତଳ ବାସନ
ପରିବର୍ତ୍ତନଶୀଳ ସମୟ ସହିତ ତାଳ ଦେଇ କାରିଗରମାନେ ଏବେ କଂସା ପିତ୍ତଳରେ ବାସନ କୁସନରେ ବିଭିନ୍ନ ଚିତ୍ର ଖୋଦେଇ କରି ବଜାରକୁ ଛାଡ଼ୁଛନ୍ତି। ପୂଜା ହେଉ ଅବା ବାହାଘର, ବ୍ରତଘର ସମୟରେ ବ୍ୟବହାର କରାଯାଉଥିବା ପିତ୍ତଳ ଥାଳି, ଦୀପରେ ଓଡ଼ିଶା କଳା, ସଂସ୍କୃତି, ଶ୍ରୀଜଗନ୍ନାଥଙ୍କ ଚିତ୍ର କରାଯାଇ ଆକର୍ଷଣୀୟ କରାଯାଉଛି। ଏହି ଥାଳି ସବୁ ତିଆରି ହୋଇ ସାରିବାପରେ କାରିଗରମାନେ ସେଥିରେ ହାତରେ ଖୋଦେଇ କରି ରଙ୍ଗ ମଧ୍ୟ ଦେଉଛନ୍ତି। ବିଭିନ୍ନ ସମୟରେ ଫ୍ୟାନ୍ସି ପିତ୍ତଳ ସାମଗ୍ରୀ ଅଧିକ ବିକ୍ରି ହେଉଥିବା ବ୍ରାସ୍ ଷ୍ଟୋର ବ୍ୟବସାୟୀ ଲିଙ୍ଗରାଜ ମହାରଣା କହିଛନ୍ତି। କଂସା ଥାଳି, ଗିନା, ଛୋଟ ପ୍ଲେଟ୍ ଓ ଗ୍ଲାସ୍ ଥିବା ଗୋଟିଏ ସେଟ୍ ମଧ୍ୟ ବିକ୍ରି କରାଯାଉଛି।
ବିଦେଶ ଯାଉଛି ସୁସଜ୍ଜିତ କଳସ ଓ କଂସା
ପୁରୁଣା ଗରାର ଢାଞ୍ଚାକୁ ଉଜ୍ଜିବୀତ ରଖିବା ସହ ଲୋକଙ୍କ ପାଖରେ ନୂଆ ଢଙ୍ଗରେ ପିତ୍ତଳ ସାମଗ୍ରୀ ପହଞ୍ଚାଇବା ପାଇଁ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଛନ୍ତି କାରିଗର। ସୁନ୍ଦର ଓ ନିଖୁଣଭାବେ ତିଆରି କରାଯାଇଛି ଡେକୋରେଟିଭ୍ କଳସ। ବହୁ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ବହୁ ଅଧିକାରୀଙ୍କୁ ଉପହାରରେ ଦିଆଯାଉଛି ଏହି କଳସ। ପୂର୍ବରୁ ଗାଁ ଗହଳିରେ ମହିଳାମାନେ ବ୍ୟବହାର କରୁଥିବା ‘ଗରା’ ବା ‘କଳସ’କୁ ଦିଆଯାଉଛି ଭିନ୍ନ ରୂପ। ୧୯୭୭ ମସିହାରୁ ଏଭଳି ଭିନ୍ନ ଢଙ୍ଗରେ ପିତ୍ତଳ କଳସ ତିଆରି କରୁଛନ୍ତି ଉତ୍କଳିକା ବୋର୍ଡ ଅଫ୍ ଡାଇରେକ୍ଟର ବୈଷ୍ଣବ ମହାରଣା। କଳସ ତିଆରି କରି ସେଥିରେ ହାତରେ ଖୋଦେଇ କରି ବିଭିନ୍ନ କଳାସଂସ୍କୃତିକୁ ସ୍ଥାନ ଦେଇଛନ୍ତି। ଏସବୁର ଦାମ୍ ୭ହଜାର ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କେବଳ ସେତିକି ନୁହେଁ, ଆମେରିକା, ଇଂଲଣ୍ଡ ଆଦି ଦେଶକୁ ଯାଉଛି ଏହି ପିତ୍ତଳ କଳସ। ସେହିପରି ବିଦେଶ ଯାଉଛି ସ୍ୱତନ୍ତ୍ର କଂସା। ଖନ୍ଦା ଶାଳରେ କଂସା ପ୍ରସ୍ତୁତ ହୋଇ ଆସିବାପରେ ତାକୁ ପଲିସିଂ କରାଯାଇ ବିକ୍ରି କରାଯାଉଛି। ଏହି କଂସା ସବୁ ଇଣ୍ଡୋନେସିଆ, ନେପାଳ, ସିଙ୍ଗାପୁର ଆଦି ଦେଶକୁ ରପ୍ତାନି ହେଉଛି ବୋଲି ସେ କହିଛନ୍ତି।
ଆକର୍ଷଣରେ ଘରକରଣା ସାମଗ୍ରୀ
ପିତ୍ତଳର ଘରସଜ୍ଜାଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପାଇଁ ଏବେ ଲୋକେ ପସନ୍ଦ କରୁଛନ୍ତି। ଆକର୍ଷଣୀୟ ସାଙ୍ଗକୁ ଅଧିକ ମୂଲ୍ୟ ହୋଇଥିଲେ ବି ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀରେ ଏବେ କଂସା ପିତ୍ତଳର ବିଭିନ୍ନ ସାମଗ୍ରୀ ଯୋଡ଼ି ହୋଇଯାଇଛି। ଏହାର ଗ୍ରହଣୀୟତା ବେଶ୍ ବଢ଼଼ିଯାଇଛି। କେବଳ ଚିରାଚରିତ ବାସନ କୁସନ ବ୍ୟତୀତ ଲୋକେ ଏବେ ପିତ୍ତଳରେ ତିଆରି ଚାଉଳ ଡ୍ରମ୍, କବାଟ, ଠାକୁରଙ୍କ ଖଟୁଲି, ଝୁଲଣା ଆଦି ବରାଦ୍ ଦେଉଛନ୍ତି। ସେଗୁଡ଼ିକ ଘରେ ସାଇତି ରଖୁଛନ୍ତି। ଆଉ ବଡ଼ ବଡ଼ ପିତ୍ତଳ ହଣ୍ଡାକୁ ବି ହୋଟେଲଗୁଡ଼ିକରେ ବ୍ୟବହାର କରାଯାଉଛି। ପୁରୁଣାଜିନିଷକୁ କିଛି ନୂଆ ରୂପ ଦିଆଯାଇ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି କାରିଗର। ଏବେ କଂସାର ମୂଲ୍ୟ କେଜିକୁ ୧୮୫୦ରୁ ୩ହଜାର ଟଙ୍କା ରହିଥିବାବେଳେ ପିତ୍ତଳ କିଲୋପ୍ରତି ଦର ରହିଛି ୮୫୦ରୁ ୨ହଜାର ଟଙ୍କା। ଏମିତିକି ବାହାର ରାଜ୍ୟ ତଥା ବିଦେଶରୁ ମଧ୍ୟ ଏଥିପାଇଁ ଅର୍ଡର ଆସୁଥିବା କହିଛନ୍ତି ଓଡ଼ିଶାର କଂସା ପିତ୍ତଳ କାରିଗର।