ବସନ୍ତର ଆଗମନରେ ପର୍ଯ୍ୟଟକଙ୍କ ମନରେ ନୂଆ ଉନ୍ମାଦନା ଭରିଦିଏ ବଲାଙ୍ଗୀରର ‘ଭୀମ ପାହାଡ’

(ମାନସ ରଞ୍ଜନ ପ୍ରଧାନ): ବଲାଙ୍ଗୀର ସହର ଠାରୁ ୧୮ କିଲୋମିଟର ଦୂରରେ ପ୍ରାକୃତିକ ସୋନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଏଭଳି ଏକ ପାହାଡ ରହିଛି, ଯାହା ପର୍ଯ୍ୟଟକଙ୍କୁ ଚୁମ୍ୱକ ପରି ଟାଣିଥାଏ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପରିଚିତ ଏହି ପାହାଡର ନାଁ ହେଉଛି “ଭୀମ ପାହାଡ ବା ଭୀମ ଡୁଙ୍ଗୁରୀ’। ଭଗବାନ ଶିବ ଓ ପର୍ଶୁରାମ ଏଠି ପୂଜା ପାଆନ୍ତି। ବଲାଙ୍ଗୀର ପର୍ଯ୍ୟଟନ କ୍ଷେତ୍ରରେ ‘ଭୀମ ପାହାଡ’ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଘଞ୍ଚ […]

(ମାନସ ରଞ୍ଜନ ପ୍ରଧାନ): ବଲାଙ୍ଗୀର ସହର ଠାରୁ ୧୮ କିଲୋମିଟର ଦୂରରେ ପ୍ରାକୃତିକ ସୋନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଏଭଳି ଏକ ପାହାଡ ରହିଛି, ଯାହା ପର୍ଯ୍ୟଟକଙ୍କୁ ଚୁମ୍ୱକ ପରି ଟାଣିଥାଏ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପରିଚିତ ଏହି ପାହାଡର ନାଁ ହେଉଛି “ଭୀମ ପାହାଡ ବା ଭୀମ ଡୁଙ୍ଗୁରୀ’। ଭଗବାନ ଶିବ ଓ ପର୍ଶୁରାମ ଏଠି ପୂଜା ପାଆନ୍ତି।

ବଲାଙ୍ଗୀର ପର୍ଯ୍ୟଟନ କ୍ଷେତ୍ରରେ ‘ଭୀମ ପାହାଡ’ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଘଞ୍ଚ ଅରଣ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ପାଖ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଛି। ବସନ୍ତର ଆଗମନରେ ପର୍ଯ୍ୟଟକଙ୍କ ମନରେ ନୂଆ ଉନ୍ମାଦନା ଭରି ଦିଏ ଏହି ପାହାଡ। ପାଖ ଅଞ୍ଚଳବାସୀ କାର୍ତ୍ତିକ ମାସରେ ଏଠାରେ ଗିରି ଗୋବର୍ଦ୍ଧନ ପୂଜା ଖୁବ୍‌ ଉତ୍ସୁକତାର ସହ ମନାନ୍ତି। ତାହା ସହିତ ମେଳା ଓ ସଂକୀର୍ତ୍ତନର ମଧ୍ୟ ଆସର ଜମିଥାଏ। ପର୍ଯ୍ୟଟକ ‘ଭୀମ ଡୁଙ୍ଗୁରୀ’କୁ ପିକନିକ କରିବାକୁ ମଧ୍ୟ ଆସି ଥାଆନ୍ତି। ବର୍ତ୍ତମାନ ପ୍ରତିଦିନ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସି ବୋଟିଂର ବି ମଜା ନେଉଛନ୍ତି।

ପାଖରେ ଥିବା ପାର୍କ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିଥାଏ। ତାହା ସହ ଏଠାରେ ଥିବା “ମିଶନ ଶକ୍ତି କ୍ୟାଫେ’ ମହିଳାଙ୍କୁ ରୋଜଗାର ଦେଉଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କ୍ୟାଫେର ବି ମଜା ନେଇ ପାରିବେ। ସଂସ୍କୃତି ଗବେଷକଙ୍କ ମତରେ ବାବା ମଠରେ କନ୍ଧ, ଗଣ୍ଡା ଆଦି ଆଦିବାସୀଙ୍କ ଲୋକ ଦେବତା ପୂଜା ପାଆନ୍ତି। ଗାଥା କହେ, ଏହାର ସଂସ୍କୃତି ବେଶ ପ୍ରାଚୀନ ଯାହାର ସଠିକ ପ୍ରମାଣ ଏବେ ଯାଏଁ ଜଣା ପଡି ନାହିଁ। ଗବେଷକମାନ ଭୀମ ପାହାଡ ଉପରେ ଗବେଷଣା ଜାରି ରଖିଛନ୍ତି। ବଡ ଭୀମ ପାହାଡ ଓ ସାନ ଭୀମ ପାହାଡ ସହିତ ଅନେକ ଗୁଡିଏ ଗୁମ୍ଫା ଏଠାରେ ରହିଛି। ଭୀମ ଡୁଙ୍ଗୁରୀର ପୂର୍ବ ଦିଗରେ ରହିଛି “ଶୂଲିଆ ପୀଠ’। ଶୂଲିଆ ଯାତ୍ରା ଆସିଲେ ରକ୍ତ ରଞ୍ଜିତ ହୋଇ ଉଠେ ଏହି ପୀଠ। କନ୍ଧମାନଙ୍କ ବଳି ପ୍ରଥା ଆଜିବି ଏଠାରେ ଦେଖିବାକୁ ମିଳିଥାଏ। ମଠ, ମନ୍ଦିର, ପାହାଡର ମନୋରମ ଦୃଶ୍ୟକୁ ନେଇ ସମୃଦ୍ଧ ହୋଇ ଉଠୁଛି “ଭୀମ ପାହାଡ’। ଆପଣମାନେ ବି ଛୁଟି ତଥା ଅବସରରେ ସମୟରେ ଏଠାକୁ ବୁଲିବା ପାଇଁ ଯାଇପାରିବେ। ରାଜ୍ୟସରକାରଙ୍କ ବିକାଶର ନବୀନ ନକ୍ସାରେ ଆଜି ଭୀମପାହାଡ ନୂଆ ରୂପ ପାଇପାରିଛି। ପର୍ଯ୍ୟଟନଠୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ଏହା ବିକଶିତ ହୋଇ ଗଢି ଉଠିଛି। ପୂର୍ବରୁ ଏଠାକୁ ବହୁତ କମ୍‌ ପର୍ଯ୍ୟଟକ ଆସୁଥିଲେ। ମାତ୍ର ବିକାଶର ନୂଆ ନକ୍ସା ପରେ ଆଜି ଏହା ବେଶ୍‌ ପ୍ରସିଦ୍ଧି ଲାଭ କରି ପାରିଛି। ନବ ରୂପରେ ଝଲସୁଛି ଭୀମ ପାହାଡ ବା ଭୀମ ଡୁଙ୍ଗୁରୀ। ସମସ୍ତଙ୍କୁ ଏହି ପାହାଡ ଡାକୁଛି ମତେ ଦେଖିବୁ ଆ…।

କେମିତି ଯିବେ ଭୀମ ପାହାଡ଼କୁ
ବଲାଙ୍ଗୀରକୁ ଆସି ସାରିଲା ପରେ ବସ୍‌ ତଥା ନିଜର ଗାଡିରେ ଆପଣ ମହିମୁଣ୍ଡା ଦେଇ ଅର୍ଜୁନପୁରକୁ ଯିବେ। ପରେ ଆପଣ ମୁକୁନ୍ଦପୁର ଗ୍ରାମରେ ପହଞ୍ଚି ଦକ୍ଷିଣ ଦିଗରେ ୨ ରୁ ୩ କିଲୋମିଟର ଗଲେ ଭୀମ ପାହାଡରେ ପହଞ୍ଚିଯିବେ। ଏଥି ପାଇଁ ଆପଣଙ୍କୁ ୧୮ କିଲୋମିଟରର ଯାତ୍ରା କରିବାକୁ ପଡିବ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ବସ୍‌ କିମ୍ୱା ରେଳ ଯୋଗେ ୨୦୨ କିଲୋମିଟର ଗଲା ପରେ ଆପଣ ଭୀମ ପାହାଡରେ ପହଞ୍ଚି ପାରିବେ। ଏଠାକୁ ପର୍ଯ୍ୟଟକ ବର୍ଷର ସବୁ ସମୟରେ ଯାଇ ପାରିବେ। ଭୀମ ପାହାଡ ମନ୍ଦିର ସୋମବାରଠୁ ରବିବାର ଯାଏଁ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିଥାଏ।

About The Author: The Sakala