ଭିନ୍ନ ମଣିଷ; ୧୦ ବର୍ଷ ଧରି ପତ୍ର ଖାଇ ବଞ୍ଚିଛନ୍ତି...

କର୍ଣ୍ଣାଟକ, ବେଲାଗାଭି ଅଞ୍ଚଳର  ଉଗାରାଗୋଲାର ୩୪ ବର୍ଷୀୟ ବୁଦାନ ମାଲିକ ହୋସାମାନି ଏବେ ତାଙ୍କ ଅଜବ ଖାଦ୍ୟାଭ୍ୟାସ ପାଇଁ ଚର୍ଚ୍ଚାରେ ଅଛନ୍ତି। ବୁଦାନ ଜଣେ ଯୋଗ ପ୍ରଶିକ୍ଷକ। ଦୀର୍ଘ ୧୦ ବର୍ଷ ହେଲାଣି ସେ ହେଗୋଲା ପାହାଡ଼ ଉପରେ  ରହୁଛନ୍ତି। ଖାଦ୍ୟ ବଦଳରେ ସେ ବିଭିନ୍ନ ପ୍ରକାର ଗଛ ଲତାର ପତ୍ର ଖାଇଥାନ୍ତି। ଝରଣାର ପାଣି ପିଇ ଶୋଷ ମେଣ୍ଟାଇଥାନ୍ତି। ଏଭଳି ଖାଦ୍ୟ ଖାଇ ମଧ୍ୟ ତାଙ୍କର ବେଶ୍‌ ବଳିଷ୍ଠ ଶରୀର ରହିଛି।  ପ୍ରତିଦିନ ରାତି ୧୧ଟାରେ ଶୋଇ ଭୋର ୩ଟାରେ ବୁଦାନ ଉଠନ୍ତି। ଘଣ୍ଟାଏ ଯୋଗାଭ୍ୟାସ କରନ୍ତି। ଏହାପରେ ସେ ଦୁଇ ପ୍ଲେଟ୍‌ ପତ୍ର ଖାଇ ପାହାଡ଼ରୁ ଆସୁଥିବା ପାଣି ପିଅନ୍ତି। କିଛି ସମୟ ବିଶ୍ରାମ କରି ସେ ସ୍ନାନ କରନ୍ତି। ମଧ୍ୟାହ୍ନ ଭୋଜନରେ ବି ସେ ପତ୍ର ଖାଆନ୍ତି।  ରାତି ୮ଟାରେ ଘଣ୍ଟାଏ  ଯୋଗ କରି ପରେ ଏକ ପ୍ଲେଟ୍‌ ପତ୍ର ଖାଆନ୍ତି।   କେବେକେବେ ବୁଦାନ ଭାତ ମଧ୍ୟ ଖାଆନ୍ତି। ଦୈନିକ ସେ ସାଢ଼େ ଚାରି ଘଣ୍ଟା ଶୁଅନ୍ତି। ତେବେ ମାଙ୍କଡ଼ମାନଙ୍କ ଜୀବନଚର୍ଯ୍ୟାରୁ ପ୍ରେରିତ ହୋଇ ସେ ଏପରି କରୁଥ଄ବା ବୁଦାନ କହିଛନ୍ତି। ବର୍ତ୍ତମାନ ସେ ପାଖାପାଖି ୮୦ ପ୍ରକାରର ଗଛର ପତ୍ର ଖାଉଛନ୍ତି।

ଏଥିପାଇଁ ତାଙ୍କୁ କେବେ ଜ୍ବର କିମ୍ବା ଥଣ୍ଡା କାଶ ହୋଇନାହିଁ ବୋଲି ସେ କହିଛନ୍ତି। ସେ  ତାଙ୍କ ଜୀବନରେ ମାତ୍ର ୩ ଥର ହସ୍‌ପିଟାଲ ଯାଇଥିବା କହିଛନ୍ତି। ତେବେ ପିଲାଟି ଦିନରୁ ବୁଦାନ ଅଧିକ ସମୟ ପାହାଡ଼ରେ କାଟୁଥିଲେ। ସନ୍ଧ୍ୟା ହେଲେ ହିଁ  ଘରକୁ ଫେରୁଥÒଲେ। ୧୦ ବର୍ଷ ପୂର୍ବରୁ ସେ ଭାତ, ରୁଟି, ଚିକେନ୍‌, ମଟନ୍‌ ଆଦି ସବୁ ଖାଉଥ଄ଲେ। ଏବେ ସେ ଗଛର ପତ୍ରଗୁଡ଼ିକୁ ଦିବ୍ୟ ଭୋଜନ ମନେ କରୁଛନ୍ତି। ତେବେ ସବୁଜ ପତ୍ର ଖାଇବା ସତ୍ତ୍ବେ ତାଙ୍କର ପେଟଜନିତ କୌଣସି ରୋଗ ନାହିଁ। ବୁଦାନ ନିୟମିତ ୫୦ ପ୍ରକାର ଆସନ କରିଥାନ୍ତି। ଦିନସାରା ସେ ପାହାଡ଼ରେ ବୁଲନ୍ତି। ମୋବାଇଲରେ ପ୍ରତିଦିନ ଗରୁଡ଼ ଓ  ଶିବ ପୁରାଣ ପଢ଼ନ୍ତି। ତାଙ୍କୁ ଟଙ୍କାର ଆବଶ୍ୟକତା ହେଲେ ସେ  ରାଜମିସ୍ତ୍ରୀ କାମ କରନ୍ତି। ପାହାଡ଼କୁ ସେ ତାଙ୍କ ଘର କୁହନ୍ତି। ଏହା ତାଙ୍କୁ ସ୍ବର୍ଗ ଭଳି ସୁଖ ଦେଇଥାଏ ବୋଲି ବୁଦାନ କହିଛନ୍ତି। ବୁଦାନଙ୍କ ପରିବାର କଥା କହିଲେ, ପିତାଙ୍କ ମୃତ୍ୟୁ ପରେ  ମା’ ତାଙ୍କ ଭାଇ ସହ ବେଙ୍ଗାଲୁରୁରେ ରୁହନ୍ତି। ଉଗାରାଗୋଲାରେ ତାଙ୍କର ଆହୁରି ଦୁଇ ଜଣ ଭାଇ ରହୁଛନ୍ତି। ତେବେ ବୁଦାନ ସାରା ଜୀବନ ଏକାକୀ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ୫.୯ ଫୁଟ ଉଚ୍ଚତା ବିଶିଷ୍ଟ ବୁଦାନଙ୍କ ଓଜନ ୬୦ କେଜି। ଗଛର ପତ୍ରକୁ ଖାଇ ହଜମ କରିବାର ଶକ୍ତି ଭଗବାନ ପଶୁପକ୍ଷୀମାନଙ୍କୁ ଦେଇଥିବାବେଳେ ବୁଦାନ ଏସବୁ ଖାଇ ହଜମ କରିବା ନିହାତି ଆଶ୍ଚର୍ଯ୍ୟକର ଘଟଣା ବୋଲି ଚିକିତ୍ସକମାନେ କହିଛନ୍ତି। 

About The Author: Deviprasad Mohanty