ମା’ କହିଯାଇଥିବା କଥା ପୂରଣ କରୁଛନ୍ତି ଡାକ୍ତରୀ ପୁଅ, ମାଗଣରେ କରୁଛନ୍ତି ରୋଗୀ ସେବା

‘ମାନବ ସେବା ହିଁ ମାଧବ ସେବା’କୁ ବ୍ରତ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଝାରଖଣ୍ଡ ରାଞ୍ଚି ଅଞ୍ଚଳର ୫୨ ବର୍ଷୀୟ ଡାକ୍ତର ଅନୀଲ କୁମାର କା। ଯେତେବେଳେ ସେ ସ୍କୁଲ୍‌ରେ ପାଠ ପଢୁଥିଲେ ଭବିଷ୍ୟତରେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ସେତେବେଳେ ତାଙ୍କ ମା’ଙ୍କ କହିଯାଇଥିବା କଥା ଆଜି ପର୍ଯ୍ୟନ୍ତ ସେ ଭୁଲିପାରି ନାହାନ୍ତି- ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଚିକିତ୍ସା କରିବା ଦରକାର। କାରଣ ଏଭଳି ଲୋକ ଦିଓଳି ଖାଇବା ମୁସ୍କିଲ୍‌, […]

‘ମାନବ ସେବା ହିଁ ମାଧବ ସେବା’କୁ ବ୍ରତ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଝାରଖଣ୍ଡ ରାଞ୍ଚି ଅଞ୍ଚଳର ୫୨ ବର୍ଷୀୟ ଡାକ୍ତର ଅନୀଲ କୁମାର କା। ଯେତେବେଳେ ସେ ସ୍କୁଲ୍‌ରେ ପାଠ ପଢୁଥିଲେ ଭବିଷ୍ୟତରେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ସେତେବେଳେ ତାଙ୍କ ମା’ଙ୍କ କହିଯାଇଥିବା କଥା ଆଜି ପର୍ଯ୍ୟନ୍ତ ସେ ଭୁଲିପାରି ନାହାନ୍ତି- ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଚିକିତ୍ସା କରିବା ଦରକାର। କାରଣ ଏଭଳି ଲୋକ ଦିଓଳି ଖାଇବା ମୁସ୍କିଲ୍‌, ଚିକିତ୍ସା କରାଇବା କଥା ଭାବିବେ କେଉଁଠୁ। ବାସ୍‌ ସେହିଦିନଠୁ ସେ ସଂକଳ୍ପ ନେଇଥିଲେ ମାଗଣାରେ ରୋଗୀ ସେବା କରିବେ। ଅନୀଲ ଏସମ୍ପର୍କରେ କୁହନ୍ତି, ଯଦି ମାଗଣାରେ ଜଣକ ଜୀବନ ବଞ୍ଚାଇପାରିବି ନାହିଁ ତାହା ହେଲେ ମୋର ଡାକ୍ତର ହେବା ବୃଥା।

୧୯୯୫ରେ ସେ ତାଙ୍କ ମେଡିକାଲ ପାଠପଢ଼ା ଶେଷ କରି ଗୁଜରାଟ ଏବଂ ଝାରଖଣ୍ଡର ସରକାରୀ ବିଭାଗରେ ଅନେକ ବର୍ଷ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ରାଞ୍ଚିସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଅନୀଲ କାମ କରିବା ସହିତ ସେ ନିଜର ଏକ କ୍ଲିନିକ ଚଳାଉଛନ୍ତି। ସହରରେ ଗରିବ ଲୋକମାନଙ୍କୁ ମାଗଣାରେ ସେ ଚିକିତ୍ସା ଯୋଗାଇ ଦିଅନ୍ତି। ରାଞ୍ଚିରେ ଲୋକେ ତାଙ୍କୁ ଗରିବର ସାଥୀ ଭାବେ ଜାଣନ୍ତି। କରୋନା ଲକଡାଉନ୍‌ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ‘ସେଭ୍‌ ଲାଇଫ୍‌ମ୍ୟାନ୍‌’ ନାମକ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ଆରମ୍ଭ କରିବା ପରେ ସାରା ଦେଶ ତାଙ୍କ ସେବା ବିଷୟରେ ଅବଗତ ହୋଇଥିଲା। ଉଦ୍ଦେଶ୍ୟ ଥିଲା, ଯେଉଁ ଲୋକମାନେ ତାଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି ଅନ୍‌ଲାଇନ୍‌ରେ ତାଙ୍କ ପରାମର୍ଶ ନେଇପାରିବେ। ଗତ ଦେଢ଼ବର୍ଷ ମଧ୍ୟରେ ସେ ହ୍ବାଟସଆପ୍‌ରେ ତିନିଟି ଗ୍ରୁପ୍‌ ତିଆରି କରିଛନ୍ତି। ଏହି ଗ୍ରୁପରେ ୫୦୦ରୁ ଅଧିକ ଲୋକଙ୍କ ସହିତ ସେ ଯୋଗାଯୋଗରେ ଅଛନ୍ତି। ନିଜ କ୍ଷମତା ଅନୁସାରେ ରୋଗୀଙ୍କୁ ସାହାଯ୍ୟ କରୁଥିବା କଥା ଅନୀଲ କୁହନ୍ତି। କେବଳ ସେତିକି ନୁହେଁ, ଯେଉଁ ରୋଗୀମାନେ ଔଷଧ କିଣିବା ପାଇଁ ଅସମର୍ଥ ସେ ତାଙ୍କୁ ନିଜେ ଔଷଧ କିଣି ଦିଅନ୍ତି। ଅନ୍‌ଲାଇନରେ ରୋଗୀଙ୍କୁ ପରାମର୍ଶ ଦେବାକୁ ସେ କେବେ ବି ମନା କରିନଥାନ୍ତି। ଅନୀଲଙ୍କ ଦ୍ବାରା ସେବା ପାଇଥିବା ରାଞ୍ଚି କୁଚୁ ଗ୍ରାମର ରାଜେଶ କୁହନ୍ତି ଯେ, ବାସ୍ତବରେ ଡାକ୍ତର ଅନୀଲ ଜଣେ ଦେବଦୂତ। ରାତିଅଧରେ ଯେତେବେଳେ ଦରକାର ପଡେ ଗାଁ ଲୋକେ ତାଙ୍କ ପାଖରେ ପହଞ୍ଚି ଯାଆନ୍ତି। ସେ ଯେକୌଣସି ରୋଗୀଙ୍କୁ ତାଙ୍କ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରନ୍ତି।

 

About The Author: The Sakala