ଦୁର୍ଦ୍ଧର୍ଷ ବୈମାନିକ, ଝଡ଼ର ଇଗଲ, ଧରଣୀର କୃଷ୍ଣସାର ଆଦି ଅନେକ ଉପମା ଓ ଉପାଧି ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମ ସହିତ ଯେ ଆଉ ଏକ ଉପାଧି – ‘ଷ୍ଟାଲିନ୍ଗ୍ରାଡ୍ର ମହାନାୟକ’ ମଧ୍ୟ ଯୋଡ଼ି ହୋଇଯାଇଛି ତାହା ବୋଧହୁଏ ବହୁତ କମ୍ ଲୋକ ଜାଣିଥିବେ। ଲୋକଲୋଚନ ଆଢ଼ୁଆଳରେ ରହିଯାଇଥିବା କଳିଙ୍ଗବୀର ବିଜୁବାବୁଙ୍କ ଅନେକ କୃତି ଓ କୀର୍ତ୍ତି ମଧ୍ୟରୁ ଏହି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାକୁ ଆସି ନଥା’ନ୍ତା ଯଦି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମିତ୍ରଶକ୍ତି ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ରୁଷ୍ ପକ୍ଷରୁ ଭାରତ ମାଟିରେ ବିଜୁବାବୁଙ୍କ ଅବର୍ତ୍ତମାନରେ ତାଙ୍କୁ ସମ୍ମାନିତ କରାଯାଇ ନଥା’ନ୍ତା। ସୁଖ, ସୌଭାଗ୍ୟ, ଗର୍ବ ଓ ଗୌରବର ଗାଥା ବହନ କରୁଥିବା ଏ ସମ୍ପର୍କିତ ଏକ ସ୍ମାରକୀକୁ ବିଜୁବାବୁଙ୍କ ସୁପୁତ୍ର ଓଡ଼ିଶାର ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ରୁଷ ଦୂତାବାସରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଉନ୍ମୋଚନ କରିଛନ୍ତି। ଏଥିସହିତ ସାହସୀ କଳିଙ୍ଗ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଇତିହାସ ଯୋଡ଼ି ହୋଇଯାଇଛି।
ଦୂରଦ୍ରଷ୍ଟା ରାଷ୍ଟ୍ରନାୟକ ବିଜୁବାବୁ ଥିଲେ ସଙ୍କଟମୋଚକ। ବ୍ରିଟିଶ୍ ଶାସନାଧୀନ ଭାରତରେ ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭ କରି ସ୍ୱାଧୀନତା ପରବର୍ତ୍ତୀ କାଶ୍ମୀରରେ ପ୍ରଥମ ଛାୟାଯୁଦ୍ଧ ପର୍ଯ୍ୟନ୍ତ ବିଜୁବାବୁଙ୍କ ସଙ୍କଟମୋଚକ ଭୂମିକା ସୁବିଦିତ। କିନ୍ତୁ ସେ ଯେ ବିଦେଶ ମାଟିରେ ମଧ୍ୟ ସଙ୍କଟମୋଚକ ଭୂମିକା ନିର୍ବାହ କରିଛନ୍ତି ସେଥିମଧ୍ୟରୁ ଅନେକ ଚର୍ଚ୍ଚାର ଆଢ଼ୁଆଳରେ ରହିଯାଇଛି। ‘ବ୍ୟାଟଲ୍ ଅଫ୍ ଷ୍ଟାଲିନ୍ଗ୍ରାଡ୍’ର ମହାନାୟକ ଭାବେ ଭାରତ ମାଟିରେ ଯେତେବେଳେ ଓଡ଼ିଶା ମାଟିର ବରପୁତ୍ର ବିଜୟାନନ୍ଦ ପଟ୍ଟନାୟକଙ୍କୁ ସ୍ମରଣ ଓ ସମ୍ମାନିତ କରାଯାଉଛି ସେତେବେଳେ ତାଙ୍କ ବୀରତ୍ୱର ବିଜୟଗାଥା ସମ୍ପର୍କରେ କିଞ୍ଚିତ ଆଲୋଚନା କରିବା ସମୀଚୀନ ମନେ ହୁଏ।
‘ଭାରତ ଛାଡ଼’ ଆନ୍ଦୋଳନ ବେଳେ ପ୍ରଚ୍ଛନ୍ନରେ ସ୍ୱାଧୀନତା ସଂଗ୍ରାମକୁ ପରିଚାଳିତ କରୁଥିବା ଅରୁଣା ଅସଫ୍ ଅଲ୍ଲୀ, ଜୟପ୍ରକାଶ ନାରାୟଣ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ରାମମନୋହର ଲୋହିଆଙ୍କ ଭଳି ନେତାଙ୍କୁ ଗୁପ୍ତ ବୈଠକକୁ ବିଜୁବାବୁ ନିଜେ ବିମାନରେ ନେଉଥିଲେ। ଏଥିପାଇଁ ତାଙ୍କୁ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା। ସ୍ୱାଧୀନତା ପରେ ୧୯୪୮ କାଶ୍ମୀର ଯୁଦ୍ଧରେ ଭାରତୀୟ ବାୟୁସେନାର ପାଇଲଟ୍ ଭାବେ ତାଙ୍କର ବହୁମୁଖୀ ଡିସି ୩ ଡାକୋଟା ସହାୟତାରେ କାଶ୍ମୀରରେ ସେନା ଓ ଯୁଦ୍ଧ ସରଞ୍ଜାମ ପହଞ୍ଚାଇବା ଏବଂ ସମ୍ବେଦନଶୀଳ ଅଞ୍ଚଳରୁ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବିଜୁବାବୁଙ୍କ ସେହି ସାହସିକତା ଯୋଗୁଁଁ ଶତ୍ରୁପକ୍ଷ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା। ୧୯୬୨ରେ ଭାରତ-ଚୀନ ଯୁଦ୍ଧ ବେଳେ ହିମାଳୟ ପାର୍ବତ୍ୟାଞ୍ଚଳରେ ଭାରତୀୟ ସେନାଙ୍କୁ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଦୁର୍ଦ୍ଧର୍ଷ ପାଇଲଟ୍ ବିଜୁ ପଟ୍ଟନାୟକ ତାଙ୍କ ଦକ୍ଷତାର ପ୍ରମାଣ ଦେଇଥିଲେ।
ବିଦେଶ ମାଟିରେ ବିଜୁବାବୁଙ୍କ ବୀରତ୍ୱର ପରାକାଷ୍ଠା ଅନନ୍ୟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀମାନଙ୍କ କବଳରେ ଥିବା ବହୁ ବ୍ରିଟିଶ ଅଧିକାରୀଙ୍କୁ ବିଜୁବାବୁ ଉଦ୍ଧାର କରିବା ହେଉ କିମ୍ବା ଇଣ୍ଡୋନେସିଆର ନେତା ସାହାଲିୟର ଓ ହାଟାଙ୍କୁ ଡଚ୍ କବଳିତ ଜାକର୍ତ୍ତାରୁ ଉଦ୍ଧାର କରିବା ହେଉ ବିଜୁବାବୁଙ୍କ ବୀରତ୍ୱର ଗାଥା ଯେତିକି ରୋମାଞ୍ଚକର ତତୋଧିକ ପ୍ରେରଣାଦାୟୀ। ଜୀବନକୁ ବାଜି ଲଗାଇ ଯୁଦ୍ଧ ଭୂମିରେ ସେନାଙ୍କୁ ସହାୟତା କରିବାରେ ସେ ଅନେକ କୀର୍ତ୍ତିମାନ ସ୍ଥାପନା କରିଯାଇଛନ୍ତି। ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଷ୍ଟାଲିନଗ୍ରାଡ୍ର ନିର୍ଣ୍ଣାୟକ ଯୁଦ୍ଧରେ ତାଙ୍କର ବୀରତ୍ୱ ଓ ସାହସର ପରାକାଷ୍ଠା, ଯେଉଁଥିପାଇଁ ତାଙ୍କ ପାର୍ଥିବ ଶରୀର ଉପରେ ରୁଷ୍ ଜାତୀୟ ପତାକା ଶୋଭା ପାଇଥିଲା ଏବଂ ୧୯୯୫ ମସିହାରେ ତାଙ୍କୁ ରୁଷ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ପୁଣି ଥରେ ତାଙ୍କୁ ସମ୍ମାନିତ କରାଯିବା ପରେ କେବଳ ରୁଷ୍କୁ ବିଜୁବାବୁଙ୍କ ଅବଦାନ ପ୍ରତି ସ୍ୱୀକୃତି ଓ ସମ୍ମାନ ବଢ଼଼ିନାହିଁ, ଓଡ଼ିଶା ଓ ଭାରତ ମାଟି ମଧ୍ୟ ଗୌରବାନ୍ୱିତ ହୋଇଯାଇଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ ଦଖଲ ପାଇଁ ହିଟ୍ଲରଙ୍କ ସେନା ଆରମ୍ଭ କରିଥିଲା ଅପରେସନ୍ ବାରବାରୋସା। ୧୯୪୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ପରାକ୍ରମୀ ନାଜି ସେନା ବେଲାରୁଷ୍ ଓ ୟୁକ୍ରେନ୍ ଦଖଲ କରି ମସ୍କୋ ଅଭିମୁଖେ ଅଗ୍ରସର ହେଉଥିଲା। ହିଟଲ୍ରଙ୍କ ମସ୍କୋ ଅଭିଯାନକୁ ରୁଷ୍ର ରେର୍ଡଆର୍ମି ବାଧା ଦେବାରେ ସଫଳ ହୋଇଥିଲେ ହେଁ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଥିଲା ଷ୍ଟାଲିନ୍ଗ୍ରାଡ୍ଠାରେ। ଏହି ଅଞ୍ଚଳ ଥିଲା ଶିଳ୍ପ ଓ ସାମରିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦର ମୁଖ୍ୟ ଉତ୍ପାଦନକେନ୍ଦ୍ର। ୧୯୪୨ ଅଗଷ୍ଟ ୨୩ ତାରିଖରେ ନାଜି ସେନା ଷ୍ଟାଲିନ୍ଗ୍ରାଡ୍ରେ ଅତର୍କିତ ଆକ୍ରମଣ କଲା। ଏହା ଏତେ ଶକ୍ତିଶାଳୀ ଓ ଭୟଙ୍କର ଯୁଦ୍ଧ ଥିଲା ଯେ ରୁଷସେନା ଅଧିକ ସମୟ ତିଷ୍ଠିବା ସମ୍ଭବ ନଥିଲା। ସହରର ୯୦ ଭାଗ ଅଞ୍ଚଳ ନାଜି ସେନା ଦଖଲ କରିସାରିଥିଲା। ରୁଷର ସମ୍ପୂର୍ଣ୍ଣ ସାମରିକ ବଳ ଷ୍ଟାଲିନଗ୍ରାଡ୍ ଉପରେ ନିର୍ଭର କରୁଥିବାରୁ ଆଉ ମାତ୍ର ୧୦ ପ୍ରତିଶତ ଦଖଲ କରିଥିଲେ ରୁଷ୍ର ପରାଜୟ ସହିତ ଦ୍ୱିତୀୟ ବିଶ୍ୱଯୁ୍ଦ୍ଧର ଫଳାଫଳ ଭିନ୍ନ ହୋଇଥା’ନ୍ତା। ସେହିବର୍ଷ ନଭେମ୍ବର ମାସ ବେଳକୁ ରୁଷ୍ ତା’ର ସମସ୍ତ ସୈନ୍ୟ ଓ ସାମରିକ ବଳ ଲଗାଇ ଆରମ୍ଭ କଲା ‘ଅପରେସନ୍ ୟୁରାନସ୍’।
ସେତେବେଳକୁ ଶୀତଋତୁ ଆରମ୍ଭ ହୋଇସାରିଥିଲା। ସେନା ଶିବିରକୁ ଖାଦ୍ୟ ଓ ଗୁଳିଗୋଳା ଯୋଗାଣ ଏକପ୍ରକାର ବନ୍ଦ ହୋଇଗଲା। କିନ୍ତୁ ତତ୍କାଳୀନ ରୟାଲ୍ ଇଣ୍ଡିଆନ୍ ବାୟୁସେନାର ପାଇଲଟ୍ ବିଜୁ ପଟ୍ଟନାୟକ ଅପୂର୍ବ ସାହସ ଓ ବୀରତ୍ୱ ପ୍ରଦର୍ଶନ କରି ଡଗଲ୍ାସ ସି ୪୭ ସ୍କାଏଟ୍ରେନ୍(ଡାକୋଟା) ଯୋଗେ ଠିକଣା ସମୟରେ ନାଜି ସୈନ୍ୟ ଘେରା ଷ୍ଟ୍ରାଲିନ୍ଗ୍ରାଡ୍ରେ ରୁଷ୍ ସେନାକୁ ଆବଶ୍ୟକ ଖାଦ୍ୟ ଓ ସାମରିକ ସହାୟତା ଯୋଗାଇ ଦେବା ଫଳରେ ନିର୍ଣ୍ଣାୟକ ଯୁଦ୍ଧର ମୋଡ଼ ବଦଳିଗଲା। ନାଜି ସେନାର ୧ ଲକ୍ଷ ସୈନ୍ୟ ରୁଷ ଦ୍ୱାରା ବନ୍ଦୀ ହେଲେ ଏବଂ ଏଥିସହିତ ହିଟ୍ଲରଙ୍କ ସାମରିକ ଶକ୍ତିର ପତନର ଧାରା ଆରମ୍ଭ ହେଲା। ରୁଷ ସେନା ୧୯୪୫ ମସିହା ମେ’ ୯ ତାରିଖରେ ବଲ୍ର୍ିନ ଦଖଲ କଲା। ସେହିଦିନକୁ ‘ବିଜୟ ଦିବସ’ ରୂପେ ରୁଷ ପାଳନ କରିଆସୁଛି ଏବଂ ଯାହାଙ୍କ ବିନା ଏହା ସମ୍ଭବ ହୋଇପାରିନଥା’ନ୍ତା ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ପିଢ଼ି ପରେ ପିଢ଼ି ଭୁଲି ନାହିଁ।
ଜୀବଦ୍ଦଶାରେ ପ୍ରବାଦ ପୁରୁଷ ହେବାର ସୌଭାଗ୍ୟ ପାଇଥିବା ଏବଂ ଶବାଧାରରେ ତିନି ରାଷ୍ଟ୍ରର ଜାତୀୟ ପତାକା ଶୋଭା ପାଇଥିବା ସେହି ବିରଳ ବିଶ୍ୱବନ୍ଦ୍ୟ ମହାମାନବ ହେଉଛନ୍ତି ବିଜୁବାବୁ। କିନ୍ତୁ ବିଡ଼ମ୍ବନା ଯେ ଏଭଳି ଜଣେ ବହୁମୁଖୀ ବ୍ୟକ୍ତିତ୍ୱଙ୍କୁ ତାଙ୍କ ନିଜ ଦେଶ ଓ ମାଟିରେ ହିଁ ଉପେକ୍ଷା କରାଯାଇଛି। ବିଶ୍ୱର ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଯଥାର୍ଥରେ ‘ବିଶ୍ୱରତ୍ନ’, ଅଥଚ ସେ ସ୍ୱାର୍ଥାନ୍ୱେଷୀ ଭୋଟସର୍ବସ୍ୱ ରାଜନୀତିର ପଶାପାଲିରେ ‘ଭାରତରତ୍ନ’ ସମ୍ମାନରୁ ବଞ୍ଚିତ। ଏବେ ଓଡ଼ିଶାରେ ବିଭିନ୍ନ ସରକାରୀ ଯୋଜନାରୁ ତାଙ୍କ ନାମ ବାଦ୍ ଦିଆଯିବାର ନିନନ୍ଦୀୟ ଓ ଅଶୋଭନୀୟ ପରମ୍ପରା ଯେଉଁମାନେ ଆରମ୍ଭ କରିଛନ୍ତି ଶ୍ରୀଜଗନ୍ନାଥ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଓଡ଼ିଶା ବିକାଶର ରୂପକାର ଓ ଓଡ଼ିଆ ସ୍ୱାଭିମାନର ଏହି ଉଦାହରଣୀୟ ମାର୍ତ୍ତଣ୍ଡଙ୍କୁ ପ୍ରଣାମ।