ଭାରତରେ ଜାତିଗତ ବିଦ୍ୱେଷ କିଛି ନୂଆ କଥା ନୁହେଁ। ଭାଷା, ଧର୍ମ ଓ ଆଞ୍ଚଳିକତା ଭଳି ଜାତିର ଉଚ୍ଚନୀଚ ଭାବନା ଭାରତୀୟ ସମାଜକୁ ଆନ୍ଦୋଳିତ ଓ ବିଖଣ୍ଡିତ କରି ଆସିଛି। ସ୍ୱାଧୀନୋତ୍ତର ଭାରତରେ ଜାତିବିଦ୍ୱେଷର ତୀବ୍ରତା ଆଧୁନିକ ଶିକ୍ଷା ଓ ସହରୀ ସଭ୍ୟତାର ପ୍ରଭାବରେ ଅନେକାଂଶରେ ଊଣା ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳ ତଥା ଦୂରଦୂରାନ୍ତ ଅଞ୍ଚଳରେ ‘ଜାତି ପରିଚୟ’ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଓ ଅର୍ଥନୈତିକ ପ୍ରଶ୍ନବାଚୀ ହୋଇ ରହିଛି। ଆମ ସମ୍ବିଧାନରେ ଜାତିଗତ ଓ ତଦ୍ଜନିତ ଅନୁନ୍ନତ ଅବସ୍ଥା ତଥା ସାମାଜିକ ଉତ୍ପୀଡ଼ନର ନିରାକରଣ ଦିଗରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଚାକିରି ତଥା ପାଠପଢ଼଼ାରେ ସଂରକ୍ଷଣ ଅସ୍ଥାୟୀ ବ୍ୟବସ୍ଥା ଲାଗୁ କରିଥିଲେ ମଧ୍ୟ ତାହା ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପରେ ମଧ୍ୟ ଶାସନ ନୀତିର ଏକ ମୌଳିକ ସଂରଚନା ହୋଇ ଉଭା ହୋଇଛି। ମଣ୍ଡଳ କମିଶନ୍ର ସୁପାରିସ ଲାଗୁ ହେବା ପରେ ସାରା ଦେଶରେ ଜାତିଗତ ବିଦ୍ୱେଷ ତୀବ୍ର ରୂପ ନେଇଥିଲା। ସମ୍ପ୍ରତି ବିହାର ସରକାର ଦ୍ୱାରା ପଛୁଆ ବର୍ଗ ଚିହ୍ନଟ ସର୍ଭେ ରିପୋର୍ଟ ପ୍ରକାଶିତ ହେବା ପରେ କେବଳ ବିହାର ନୁହେଁ, ବରଂ ସାରା ଦେଶରେ ‘ଜାତି ପରିଚୟ’ ଜନିତ ବିଷାକ୍ତ ରାଜନୀତି ଯେ ସଞ୍ଚରିତ ହେବ, ଏହା ସ୍ପଷ୍ଟ ଜଣାପଡ଼ୁଛି। ଶାସନ ନୀତିରେ ମୋଟ ୮୫% ଜାତିଗତ ସଂରକ୍ଷଣ ବ୍ୟବସ୍ଥା ଯେ ଏକବିଂଶ ଶତାବ୍ଦୀର ଭାରତ ପାଇଁ ଅନୁକୂଳ ନୁହେଁ, ଏହା ଅନେକ ଦେଶପ୍ରେମୀ ବୁଦ୍ଧିଜୀବୀମାନଙ୍କର ଆଶଙ୍କା ହୋଇପଡ଼ିଛି।
ଏବେ ବିହାରରେ ପଛୁଆ ବର୍ଗ ଚିହ୍ନଟ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ସଂଶୟ ଉଠିବା ସ୍ୱାଭାବିକ। ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ଜାତିଗତ ଜନଗଣନା କରିପାରିବେ କି ନାହିଁ ସେ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବାବେଳେ ବିହାର ସରକାର କରିଥିବା ଜାତିଗତ ଜନଗଣନାର ପ୍ରଥମ ରିପୋର୍ଟ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରକାଶ ପାଇଛି। ଏହି ଗଣନାକୁ ପାଟନା ହାଇକୋର୍ଟ ଗତ ଅଗଷ୍ଟ ମାସରେ ସବୁଜ ସଂକେତ ଦେଇଥିଲେ। ତଥାପି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଜାତିଗତ ଗଣନା ଶେଷ କରି ତାହାର ଫଳାଫଳ ପ୍ରକାଶ କରିବା ଦେଶର ସଂଘୀୟ ବ୍ୟବସ୍ଥାରେ ଏକ ଦୁର୍ଭାଗ୍ୟଜନକ ଅଧ୍ୟାୟ ସୃଷ୍ଟି କରିଛି ବୋଲି କେତେକ ସମୀକ୍ଷକଙ୍କ ମତ। ଶାସନ କ୍ଷେତ୍ରରେ ସୃଷ୍ଟ ସମସ୍ୟାର ସମାଧାନ କରିବାରେ ଏଭଳି ଜାତିଗତ ଜନଗଣନା ତଥ୍ୟାବଳୀ କେତେଦୂର ସହାୟକ ହେବ, ତାହା କହିବା କଷ୍ଟ।
କୋଭିଡ୍ କାରଣରୁ ୨୦୨୧ର ଜନଗଣନା ଦେଶରେ କରାଯାଇପାରିନାହିଁ। ତେଣୁ ବିଭିନ୍ନ ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ୨୦୧୧ ଜନଗଣନା ତଥ୍ୟକୁ ସରକାରମାନେ ଏ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଜନଗଣଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଳମ୍ବତା ଯୋଗୁଁ ସଦ୍ୟତମ ତଥ୍ୟାବଳୀ ବା ଡାଟା ବିଭିନ୍ନ କ୍ଷେତ୍ରରେ ପାଇବାରେ ଯେଉଁ ଅସୁବିଧା ହେଉଛି, ତାହାକୁ ପୂରଣ କରିବାକୁ ରାଜ୍ୟୱାରୀ ଜାତିଗତ ଜନଗଣନା ଆମ ସଂଘୀୟ ବ୍ୟବସ୍ଥା ଅନୁସାରେ ଯୁକ୍ତିଯୁକ୍ତ ନୁହେଁ। ବିହାର ସରକାର କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ବା ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପ୍ରସ୍ତୁତ ନଥିଲେ। ‘ନ୍ୟାୟୋଚିତ ବିକାଶ’ (ଡେଭେଲପମେଣ୍ଟ ଉଇଥ୍ ଜଷ୍ଟିସ୍)ର ଆଖ୍ୟା ଦିଆଯାଇ ଏହି ଜାତିଗତ ଜନଗଣନା ରିପୋର୍ଟକୁ ରାଜ୍ୟ ବିଧାନସଭାରେ ନୀତୀଶ କୁମାର ସରକାର ଉପସ୍ଥାପନ କରିଛନ୍ତି।
ଭାରତରେ କିଛି ପ୍ରସଙ୍ଗ ଅଛି, ଯାହାର ରାଜନୈତିକ ଓ ପ୍ରଦର୍ଶନାତ୍ମକ (ଡେମନଷ୍ଟ୍ରେଟିଭ) ପ୍ରଭାବ କ୍ଷୀପ୍ର ଗତିରେ ଅନୁଭୂତ ହୁଏ। ଜାତିଗତ ଗଣନା, ସ୍ଥାନ ସଂରକ୍ଷଣ, ରାଜନୈତିକ ପ୍ୟାକେଜ ଆଦି ସେଥିମଧ୍ୟରୁ ଅନ୍ୟତମ। ଏହାଉପରେ ରାଜନୈତିକ ଦଳମାନେ ଅଧିକ ଗୁରୁତ୍ୱ ଦେବା ପଛରେ ରହିଛି ରାଜନୀତି ଓ ଭୋଟ୍ବ୍ୟାଙ୍କ ସୃଷ୍ଟିର ପ୍ରୟାସ। ସେ ଦୃଷ୍ଟିରୁ ଦେଖିଲେ ବିହାର ଏ କ୍ଷେତ୍ରରେ ପଥପ୍ରଦର୍ଶକ ବା ପ୍ରଥମ ରାଜ୍ୟ ନୁହେଁ। ବହୁ ଆଗରୁ ତାମିଲନାଡୁରେ ଜାତିଗତ ବର୍ଗୀକରଣ ଆଧାରରେ ୬୯ ଭାଗରୁ ଅଧିକ ଲୋକଙ୍କୁ ସଂରକ୍ଷିତ ତାଲିକାରେ ରଖାଯିବା ସହିତ ପ୍ରାୟ ୭୦ ଭାଗ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି। ବିହାରରେ ଦଳିତ, ପଛୁଆ ଓ ଅନଗ୍ରସର ମଧ୍ୟରେ ମହାଦଳିତ, ଅତିପଛୁଆ ଓ ଅତିଶୟ ଅନଗ୍ରସରବର୍ଗଙ୍କୁ ବାଛିବାକୁ ଏହି ଜାତିଗତ ଜନଗଣନା କରାଯାଇଛି। ହୁଏତ ଏହି ତଥ୍ୟ ଆଧାରରେ ନିର୍ବାଚନ ପୂର୍ବରୁ କୋଟା ଭିତରେ କୋଟା ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ବିହାର ସରକାର ପଦକ୍ଷେପ ନେଇପାରନ୍ତି ଏବଂ ନିଜର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନୂଆ ରୂପ ଦେବାକୁ ଚେଷ୍ଟା କରିପାରନ୍ତି।
ଆଗରୁ ଆମେ କହିଛୁ ଯେ ରାଜ୍ୟୱାରୀ ଏଭଳି ଜାତିଗତ ଜନଗଣନାର ପ୍ରଦର୍ଶନାତ୍ମକ ପ୍ରଭାବ ଅନ୍ୟ ରାଜ୍ୟ ଉପରେ ପଡ଼ିବ।
ଅସଲ କଥା ହେଲା ଥରେ ଏହି ପ୍ରକ୍ରିୟା ଆରମ୍ଭ ହେଲେ ନିର୍ବାଚନ ଋତୁ ଆଭିମୁଖ୍ୟ ନେଇ ଏକାଧିକ ପ୍ରଦେଶ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ରାଜ୍ୟ ସରକାରମାନେ ଏଭଳି ଗଣନାକୁ ଏକ ପ୍ରମାଣ ବା ତଥ୍ୟମୂଳକ ପଦକ୍ଷେପ ଭାବେ ଗ୍ରହଣ କରୁଥିବାବେଳେ ସିଧାସଳଖ ଭାବେ ଭାରତୀୟ ରାଜନୀତିରେ ଜାତି ଏକ ଶକ୍ତିଶାଳୀ ପ୍ରସଙ୍ଗ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଚାଲିଛି। ଫଳରେ ରାଜନୀତିରେ ଜାତି ଓ ସମୁଦାୟର ପ୍ରଭାବ ଅଧିକ ପଡୁଛି। ଯେଉଁସବୁ ରାଜ୍ୟରେ ଜାତି ରାଜନୀତି ଏଯାଏଁ ପ୍ରସଙ୍ଗ ହୋଇପାରି ନାହିଁ, ସେ ସବୁ ରାଜ୍ୟ କ୍ରମଶଃ ଜାତିଆଣବାଦ ରାଜନୀତିରେ ସଂକ୍ରମିତ ହେବାର ଆଶଙ୍କା ରହିଛି।
କେତେକ ବୁଦ୍ଧିଜୀବୀଙ୍କ ବିଚାରରେ ଏ କ୍ଷେତ୍ରରେ ଯେଉଁ ତଥ୍ୟଗତ ଅଭାବ ଓ ଅସଂଗତି ରହିଛି, ତାହାକୁ ରାଜ୍ୟୱାରୀ ନିର୍ଦ୍ଧାରଣ ନ’କରି ସର୍ବଭାରତୀୟ ସ୍ତରରେ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ତଥ୍ୟ ବାହାର କରି ପ୍ରତିକାର ବ୍ୟବସ୍ଥା କରାଯିବା ଉଚିତ। ଏହାଫଳରେ ଡାଟା ବା ତଥ୍ୟଗତ ଅରାଜକତା ରହିବ ନାହିଁ ଏବଂ ସମଗ୍ର ଦେଶ ନିମନ୍ତେ ଅନଗ୍ରସରବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ନିୟାମକ ନିର୍ଦ୍ଧାରଣ କରାଯାଇପାରିବ। ଏବେ ଏ କଥା ମଧ୍ୟ କୁହାଯାଉଛି ଯେ ଗରିବଙ୍କର କୌଣସି ଜାତି ନଥାଏ। ଏହା ମିଛ କଥା ନୁହେଁ। ତଥାକଥିତ ଉଚ୍ଚଜାତିରେ ଗରିବ ଓ ତଥାକଥିତ ପଛୁଆ ଜାତିରେ ଧନୀ ଲୋକ ଅଛନ୍ତି। ସେମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଉ। ଏବେ ସାମାଜିକ ଶକ୍ତିଠାରୁ ଅର୍ଥନୈତିକ ଶକ୍ତି ସମାଜ ଓ ଜୀବନରେ ଅଧିକ ବଡ଼ ନିର୍ଣ୍ଣାୟକ ହୋଇଛି। ତେଣୁ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ପଛୁଆ, ସେମାନଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁବିଧା ସୁଯୋଗ ମିଳିବା ହିଁ ପ୍ରକୃତ ସାମାଜିକ ନ୍ୟାୟ। କେବଳ ଜାତିକୁ ଆଧାର କରି ପ୍ରକୃତ ଗରିବଙ୍କୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାନଯାଉ।
୨୦୧୧ ଜନଗଣନାରେ ବିହାରର ଜନସଂଖ୍ୟା ଥିଲା ୧୦.୪ କୋଟି। ରାଜ୍ୟ ସରକାର କରିଥିବା ଏ ବର୍ଷର ଜାତିଗତ ଜନଗଣନାରେ ରାଜ୍ୟର ଜନସଂଖ୍ୟା ୧୩ କୋଟିରେ ପହଞ୍ଚିଛି।
ଏଥିରେ ଓବିସିଙ୍କ ଅନୁପାତ ୬୩%। ତେବେ ଏହା ତ ବିଧିବଦ୍ଧ ଜନଗଣନା ନଥିଲା; କେବଳ ଥିଲା ଏକ ସର୍ଭେ। ତେଣୁ ପ୍ରକୃତ ଜନସଂଖ୍ୟା ଜାଣିବା ପାଇଁ ବିଳମ୍ବିତ ୨୦୨୧ ଜନଗଣନାର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବୋଧହୁଏ ଅସୁବିଧା ହୋଇ ନ ଥା’ନ୍ତା। ତେଣୁ ଏହି ନିଷ୍ପତ୍ତି ଯେ ରାଜନୀତି ପ୍ରଣୋଦିତ ଏଥିରେ ସନ୍ଦେହ ନାହିଁ। ଦେଶର ଅନ୍ୟ ରାଜ୍ୟମାନଙ୍କରେ ଜାତିଗତ ଗଣନାର ଅନୁପସ୍ଥିତିରେ ସେଭଳି କିଛି ଅସୁବିଧା ତ ଏ ଯାଏଁ ଘଟିନାହିଁ। ତେବେ ଏହା କହିବା ବେଳେ ୨୦୨୧ ଜନଗଣନାର ବିଳମ୍ବକୁ ସମର୍ଥନ କରିବା ଠିକ୍ ହେବ ନାହିଁ। ଏବେ ପରିସ୍ଥିତି ସ୍ୱାଭାବିକ ହୋଇଗଲାଣି। କେନ୍ଦ୍ର ସରକାର କାହିଁକି ଏହି ଅସମ୍ପୂର୍ଣ୍ଣ ଜନଗଣନାକୁ ସମ୍ପୂର୍ଣ୍ଣ କରୁନାହାନ୍ତି, ତାହା ମଧ୍ୟ ଆଉ ଏକ ବଡ଼ ପ୍ରଶ୍ନ। ଏହାଫଳରେ ଯେଉଁ ତଥ୍ୟଗତ ଅଭାବ ବିଭିନ୍ନ କ୍ଷେତ୍ରରେ ରହିଛି, ତାହା ସାମାଜିକ ଓ ଅର୍ଥନୈତିକ କଲ୍ୟାଣକାରୀ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ଶାସନର ଆଉ କେତେକ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରୁ ନାହିଁ କି? ନିକଟରେ ମହିଳା ବନ୍ଦନ ଆଇନ ପ୍ରଣୟନ ବେଳେ ମଧ୍ୟ ସଦ୍ୟ ଜନଗଣନାର ପରେ ଯାଇ ଏହା ଲାଗୁ ହେବ ବୋଲି କେନ୍ଦ୍ର ସରକାର କହିଥିଲେ। ସମ୍ପ୍ରତି ବିହାରର ଜାତିଗତ ସର୍ଭେ ପଦକ୍ଷେପ ପରେ ଦେଶରେ ସ୍ଥିତି ଅଧିକ ଜଟିଳ ହେବା ପୂର୍ବରୁ କେନ୍ଦ୍ର ସରକାର ତୁରନ୍ତ ବିଧିବଦ୍ଧ ଜନଗଣନା ଆରମ୍ଭ କରିବାଟା ରାଜନୈତିକ ପରିପକ୍ୱତାର ପରିଚୟ ହେବ। n