ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟରେ କରାଯାଇଥିବା ବାଘ ଗଣନାର ରିପୋର୍ଟ ସରକାରୀ ଭାବେ ପ୍ରକାଶ ପାଇଛି। ଏଥିରେ ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା ୩୦ ବୋଲି କୁହାଯାଇଛି। ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ(ଏନ୍ଟିସିଏ) ୨୦୨୧-୨୨ରେ ଯେଉଁ ଗଣନା କରିଥିଲା, ସେଥିରେ ଓଡ଼ିଶାରେ ମହାବଳ ବାଘଙ୍କ ସଂଖ୍ୟା ମାତ୍ର ୨୦ ବୋଲି କୁହାଯାଇଥିଲା। ଏହି ରିପୋର୍ଟ ୨୦୨୩ ଜୁଲାଇ ୨୯ରେ ପ୍ରକାଶ ପାଇବା ପରେ ଏହାର ସତ୍ୟାସତ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ତେଣୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ରାଜ୍ୟରେ ବାଘ ଗଣନା କରିଥିଲେ। ଏହି ରିପୋର୍ଟ ଏବେ ପ୍ରକାଶ ପାଇଛି ଏବଂ ଜାତୀୟ ଗଣନା ତୁଳନାରେ ଓଡ଼ିଶାରେ ମହାବଳ ବାଘଙ୍କ ସଂଖ୍ୟା ୧୦ ଅଧିକ ଦର୍ଶାଯାଇଛି। ଏହି ୩୦ ବୃହତ୍ ମାର୍ଜାରଙ୍କ ବ୍ୟତୀତ ଆଠଟି ମହାବଳ ଶାବକ ରାଜ୍ୟରେ ଥିବା କ୍ୟାମେରାରେ ଉତ୍ତୋଳିତ ହୋଇଥିବା ଚିତ୍ରରୁ ଜଣାପଡ଼ିଛି।
ବାଘ ଗଣନା ଏକ ଜଟିଳ ବ୍ୟାପାର। ଆଗରୁ ବାଘଙ୍କ ପାଦ ଚିହ୍ନରୁ ସଂଖ୍ୟା ଗଣନା କରାଯାଉଥିଲା, ଯାହା ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଓ ନିର୍ଭୁଲ ନଥିଲା। ତା’ପରେ ଆସିଲା କ୍ୟାମେରା ଟ୍ରାପ୍ ପଦ୍ଧତି। ଘନ ଜଙ୍ଗଲାଞ୍ଚଳ, ବିଶେଷକରି ଯେଉଁ ଅଞ୍ଚଳରେ ମହାବଳ ବାଘଙ୍କ ଉପସ୍ଥିତି ଜଣାଥାଏ, ସେଠାରେ ସ୍ୱୟଂକ୍ରିୟ କ୍ୟାମେରା ଲଗାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଫଟୋ ଉତ୍ତୋଳନ କରି ବାଘଙ୍କ ସଂଖ୍ୟା, ଶ୍ରେଣୀ ବିଭାଗ ଓ ଲିଙ୍ଗ ନିରୂପଣ କରିଥା’ନ୍ତି। ଓଡ଼ିଶା ସରକାର ୨୦୨୩ ଅକ୍ଟୋବର ୧୫ ରୁ ୨୦୨୪ ଫେବ୍ରୁଆରୀ ୧୦ ମଧ୍ୟରେ ରାଜ୍ୟର ଦୁଇ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର (ଟାଇଗର ରିଜର୍ଭ) ଶିମିଳିପାଳ ଓ ସାତକୋଶିଆ ସମେତ ଆଉ କେତେକ ଜଙ୍ଗଲାଞ୍ଚଳରେ ମୋଟ୍ ୧୪୩୨ଟି କ୍ୟାମେରା ଟ୍ରାପ୍ ଲଗାଇଥିଲେ। ସେଥିରୁ ମିଳିଥିବା ୫୬୭ଟି ଫଟୋକୁ ସଂଗ୍ରହ କରି ତାହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ସେଥିରୁ ସର୍ବାଧିକ ୨୭ଟି ବାଘଙ୍କର ସନ୍ଧାନ କେବଳ ଶିମିଳିପାଳ ଟାଇଗର ରିଜର୍ଭରୁ ମିଳିଛି। ଏହି ବନାଞ୍ଚଳ ବିଶ୍ୱର ଏକମାତ୍ର ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର, ଯେଉଁଠି କଳାବାଘ (ମେଲାନିଷ୍ଟିକ୍ ଟାଇଗର) ଦେଖିବାକୁ ମିଳନ୍ତି। ରିପୋର୍ଟ ଅନୁସାରେ ଶିମିଳିପାଳରେ ୨୭ଟି ମହାବଳ ବାଘଙ୍କ ମଧ୍ୟରୁ ସାତଟି ସ୍ୱାଭାବିକ ରଙ୍ଗର ମାଈ ଓ ଚାରିଟି ଅଣ୍ଡିରା। ସେହିଭଳି ସେଠାରେ ଥିବା କଳା ମହାବଳ ବାଘଙ୍କ ମଧ୍ୟରୁ ସାତଟି ମାଈ ଓ ଛ’ଟି ଅଣ୍ଡିରା। ଏହାଛଡ଼ା ସେଠାରେ ଆଉ ତିନିଟି ମହାବଳ ବାଘଙ୍କ ବିଷୟରେ ଜଙ୍ଗଲ ବିଭାଗ ପାଖରେ ଚାକ୍ଷୁସ ପ୍ରମାଣ ରହିଛି, ଯଦିଓ କ୍ୟାମେରାରେ ସେମାନଙ୍କ ଫଟୋ ଉଠିନାହିଁ। ଏହାଛଡ଼ା ହୀରାକୁଦ ବଣ୍ୟପ୍ରାଣୀ ଉପଖଣ୍ଡ (ଡେବ୍ରିଗଡ଼ ଅଭୟାରଣ୍ୟ), ପାରଳାଖେମୁଣ୍ଡି ଓ କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଗୋଟିଏ ଲେଖାଏଁ ଏମିତି ମୋଟ୍ ତିନିଟି ମହାବଳ ବାଘଙ୍କ ଫଟୋ କ୍ୟାମେରା ଟ୍ରାପ୍ରେ ଧରାପଡ଼ିଛି।
ଜଙ୍ଗଲ ବିଭାଗର ସଦ୍ୟତମ ତଥ୍ୟ କହୁଛି ଯେ ଓଡ଼ିଶାରେ ମୋଟ୍ ୩୦ ମହାବଳ ବାଘଙ୍କ ମଧ୍ୟରୁ ୧୪ ମାଈ ଓ ୧୩ ଅଣ୍ଡିରା। ଅନ୍ୟ ତିନିଟିଙ୍କର ଲିଙ୍ଗ ନିର୍ଣ୍ଣୟ କରି ହୋଇପାରିନାହିଁ। ଶିମିଳିପାଳ ବ୍ୟତୀତ ଅନ୍ୟ ସ୍ଥାନରେ ଥିବା ବାଘଙ୍କ ମଧ୍ୟରୁ ସମସ୍ତେ ଅଣ୍ଡିରା। ଏହାଛଡ଼ା ରାଜ୍ୟରେ ଆଠଟି ମହାବଳ ଶାବକ ଥିବା ଗଣନାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ୨୦୦୬ରେ ଓଡ଼ିଶାରେ ମହାବଳ ବାଘ ସଂଖ୍ୟା ଥିଲା ଜାତୀୟ ଗଣନା ଅନୁସାରେ ୪୫। ୨୦୧୦ରେ ଏହି ସଂଖ୍ୟା ୩୨, ୨୦୧୪ରେ ୨୮, ୨୦୧୮ରେ ୨୮ ଏବଂ ୨୦୨୨ରେ ୨୦କୁ ଖସି ଆସିଥିଲା। ଓଡ଼ିଶାରେ ଜଙ୍ଗଲର ସ୍ଥିତି ଭଲ ଏବଂ ମହାବଳଙ୍କ ବଂଶବୃଦ୍ଧି ପାଇଁ ଉତ୍ତମ ପ୍ରାକୃତିକ ପରିବେଶ ରହିଛି। ଏହାସତ୍ତ୍ବେ ସର୍ବଶେଷ ଜାତୀୟ ଗଣନାରେ ବାଘ ସଂଖ୍ୟା ଯଥେଷ୍ଟ କମିଯିବା ଫଳରେ ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ଗଣନାଗତ ତ୍ରୁଟି ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା। ରାଜ୍ୟ ସରକାର, ବିଶେଷକରି ଜଙ୍ଗଲ ବିଭାଗ, ପାଇଁ ଏହା ଏକ ମର୍ଯ୍ୟାଦାର ପ୍ରଶ୍ନ ହୋଇଥିବାରୁ ଓଡ଼ିଶା ସରକାର ନିଜେ ଏହି ଗଣନା ସ୍ୱତନ୍ତ୍ର ଭାବେ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର ବାର୍ତ୍ତାରେ ଏହି ଖବର ଦେଇ ସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ଜଙ୍ଗଲ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ମଧ୍ୟ ଆମ ସରକାର ଓ ଜଙ୍ଗଲ ବିଭାଗର କଥାକୁ ସତ୍ୟ ପ୍ରମାଣିତ କରିଛି। ବାଘ ଗଣନା ଏକ ଲୁଚା ଛପା କଥା ନୁହେଁ। ଏହି ସଂଖ୍ୟାକୁ ଉଦ୍ଦେଶ୍ୟମୂଳକ ଭାବେ ବଢ଼଼ା ଯାଇପାରିବ ନାହିଁ; କିନ୍ତୁ ଗଣନାଗତ ତ୍ରୁଟି ପାଇଁ ସଂଖ୍ୟା କମିବାର ଆଶଙ୍କା ଅଧିକ। ତେବେ ଓଡ଼ିଶା ସରକାରଙ୍କ ଏହି ତଥ୍ୟ ସପ୍ରମାଣ ଏନ୍ଟିସିଏ ପାଖରେ ଦାଖଲ ହେବ ଏବଂ ସେହି କର୍ତ୍ତୃପକ୍ଷ ଏହାକୁ ପରୀକ୍ଷା ନିରୀକ୍ଷା କରି ଦେଖିବା ପରେ ପ୍ରକୃତ ସଂଖ୍ୟା ଘୋଷଣା କରିବେ।
ଗୋଟିଏ ଜଙ୍ଗଲ ବା ବନ୍ୟ ଜୀବମଣ୍ଡଳରେ ଶୀର୍ଷରେ ରହେ ବାଘ। ନିର୍ଦ୍ଦିଷ୍ଟ ଜଙ୍ଗଲର ଖାଦ୍ୟ ଓ ପରିବେଶ ସହିତ ମହାବଳ ବାଘଙ୍କ ସଂଖ୍ୟା ଜଡ଼ିତ। ମୟୂରଭଞ୍ଜର ଶିମିଳିପାଳ ଦେଶର ଟାଇଗର ରିଜର୍ଭ ମଧ୍ୟରେ ୨୦୨୩ରେ ଏକାଦଶ ସ୍ଥାନରେ ରହିଥିଲା। ପରିଚାଳନା ଓ ପ୍ରଭାବ ମୂଲ୍ୟାୟନ ଏମ୍ଇଇ ଦୃଷ୍ଟିରୁ ଏହାର ସ୍ଥିତି ଭଲ। ଏହା ଆମର ଜାତୀୟ ପଶୁଙ୍କ ବଂଶବୃଦ୍ଧି ପାଇଁ ଏକ ଅନୁକୂଳ ଅଞ୍ଚଳ। ତେବେ ଏଠାରେ ଆନ୍ତଃ ପ୍ରଜନନ (ଇନ୍ବ୍ରିଡିଂ)ର ସମ୍ଭାବନା ଅଧିକ ଥିବାରୁ ନୂଆ ପ୍ରଜନ୍ମ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ତେଣୁ ଅନ୍ୟ ଅଞ୍ଚଳର ଅଣ୍ଡିରା ବାଘଙ୍କୁ ଆଣି ଏଠାରେ ଛାଡ଼ିବା ସହିତ ଆନୁବଂଶିକ (ଜେନେଟିକ୍) ପରିବର୍ତ୍ତନ କରି ବାଘକୁଳଙ୍କୁ ସୁରକ୍ଷିତ କରିବାକୁ ଜଙ୍ଗଳ ବିଭାଗ ପକ୍ଷରୁ ଉଦ୍ୟମ ହେବା ସ୍ୱାଗତଯୋଗ୍ୟ ବିଷୟ।
ମହାବଳ ବାଘ କେବଳ ଆମର ଜାତୀୟ ପଶୁ ନୁହେଁ, ଏହା ସହିତ ଆମ ବନ୍ୟଖଣ୍ଡ ଓ ବନ୍ୟ ପରିବେଶର ସ୍ୱାସ୍ଥ୍ୟ ଜଡ଼ିତ। ବାଘଶୂନ୍ୟ ଜଙ୍ଗଲର ଅର୍ଥ ସେ ବନାଞ୍ଚଳ ପ୍ରାଣୀକୁଳ ଶୂନ୍ୟ ସଂଗେ ସମାନ। ରୋଗବ୍ୟାଧି ଓ ପ୍ରାକୃତିକ କାରଣ ବ୍ୟତୀତ ଅବୈଧ ବାଘ ଶିକାର ମହାବଳ ବଂଶ ପ୍ରତି ବଡ଼ ବିପଦ। ତେଣୁ ବନରକ୍ଷକ ଓ ବନପାଳମାନଙ୍କୁ ବନ୍ଧୁକ ପ୍ରଦାନ ସହିତ ଆବଶ୍ୟକ ସ୍ଥଳେ ଶିକାରୀଙ୍କ ଉପରକୁ ଗୁଳି ଚଳାଇବାର ଅଧିକାର ସେମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଘନ ଜଙ୍ଗଲାଞ୍ଚଳ ଓ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କ୍ୟାମେରା ଟ୍ରାପ୍ ଲଗାଇବା ସମ୍ଭବ ନୁହେଁ। ତାହା ହୋଇଥିଲେ ରାଜ୍ୟରେ ବାଘ ପରିସଂଖ୍ୟାନ ବୋଧହୁଏ ଆହୁରି ବଢ଼଼ିଥା’ନ୍ତା। ତେବେ ସେ ଯା’ହେଉ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଖବର।