ସୁଖର ଖବର ଯେ ଯୁଦ୍ଧଲିପ୍ତ ଦୁଇ ରାଷ୍ଟ୍ର ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ ପାଇଁ ରାଜିନାମା ସ୍ୱାକ୍ଷର ହୋଇଛି। ତୁର୍କ୍ତୀର ଇସ୍ତାନାବୁଲ୍ ଡୋଲମାବାହେ ରାଜପ୍ରାସାଦରେ ଦୁଇରାଷ୍ଟ୍ରର ଉଚ୍ଚସ୍ତରୀୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ଦୁଇଘଣ୍ଟା ଧରି ହୋଇଥିବା ଆଲୋଚନା ପରେ ଉଭୟ ଦେଶ ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର ଲେଖାଏଁ ଯୁଦ୍ଧବନ୍ଦୀଙ୍କୁ ହସ୍ତାନ୍ତର କରିବେ ବୋଲି ସମ୍ମତ ହୋଇଛନ୍ତି। ଯୁଦ୍ଧବିରାମ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ତିନିବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଯୁଦ୍ଧଲିପ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ତୃତୀୟ ପକ୍ଷ ବା ମଧ୍ୟସ୍ଥିଙ୍କ ବିନା ପ୍ରତ୍ୟକ୍ଷ ଆଲୋଚନା ହେବା ଏକ ଶୁଭସୂଚନା। ହୁଏତ ଏହା ଭବିଷ୍ୟତରେ ଯୁଦ୍ଧବିରାମ ସମ୍ଭାବନା ସୃଷ୍ଟି କରିପାରେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଯୁଦ୍ଧବିରାମ ଉଦ୍ୟମ ବିଫଳ ହେବା ପରେ ଦୁଇ ପ୍ରତିପକ୍ଷ ହଠାତ୍ ଏଭଳି ସକାରାତ୍ମକ ପଦକ୍ଷେପ ନେବା ନିଶ୍ଚିତ ବିସ୍ମୟକର ହେଲେ ମଧ୍ୟ ବିଶ୍ୱହିତ ପାଇଁ ଆଶ୍ୱସ୍ତିକର। କେତେକ ରଣନୀତି ବିଶାରଦଙ୍କ ମତରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ରୁଷ-ୟୁକ୍ରେନ୍କୁ ପ୍ରଭାବିତ କରିଥାଇପାରେ। ବିଶ୍ୱରେ ନିଜକୁ ଶାନ୍ତିଦୂତ ଭାବେ ଉପସ୍ଥାପନ କରିବାର ପ୍ରଚେଷ୍ଟା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ଓ ଉଦ୍ୟମକୁ ଗୌଣ କରିବା ପାଇଁ ଉଭୟ ଦେଶର ଏହା ଚତୁର ରଣକୌଶଳ ବୋଲି ହେଉଥିବା ଆଲୋଚନାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ। କିନ୍ତୁ ଟ୍ରମ୍ପଙ୍କ ଉଚ୍ଚାକାଂକ୍ଷାକୁ ଭଣ୍ଡୁର କରିବାର ସଫଳତା ତୁଳନାରେ ଦୁଇ ଦେଶ ଶାନ୍ତିପଥଗାମୀ ହୋଇ ଯୁଦ୍ଧ କ୍ଷୟକ୍ଷତିରୁ ଉଭୟ ଦେଶର ନାଗରିକଙ୍କୁ ସୁରକ୍ଷା ଦେବା ବଡ଼ କଥା, ଯାହାର କିଞ୍ଚିତ ସମ୍ଭାବନା ବିଷୟରେ ୟୁକ୍ରେନ୍ ଅଧିକାରୀ ରୁସ୍ତମ୍ ୟୁମେରୋଭ ଏବଂ ରୁଷ ପ୍ରତିପକ୍ଷ ଭ୍ଲାଦିମିର ମେଡିନ୍ସ୍କିଙ୍କ ବକ୍ତବ୍ୟରୁ ଆଭାସ ମିଳୁଛି। ଯୁଦ୍ଧବିରାମ ସମ୍ଭାବନାକୁ ଉଭୟ ପକ୍ଷ ଅସ୍ୱୀକାର କରି ନଥିଲେ ମଧ୍ୟ ଏହାର ଶେଷ ନିଷ୍ପତ୍ତି ପାଇଁ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ଭେଟିବା ଉଚିତ ବୋଲି ମତ ଦେଇଛନ୍ତି। ଅର୍ଥାତ୍ ଯୁଦ୍ଧବିରାମ ସମ୍ଭାବନା ଏବେ ମଧ୍ୟ ଦୋଛକିରେ ରହିଛି।
ଦୁଇଦେଶର ନାଗରିକଙ୍କ ସମେତ ବିଶ୍ୱବାସୀ ଆଶା କରିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସିଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇ ଖୁବ୍ଶୀଘ୍ର ଯୁଦ୍ଧବିରାମ ଘୋଷଣା ହେଉ। କିନ୍ତୁ ଯୁଦ୍ଧ ପଛରେ ଥିବା ମୂଳ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ କୁହୁଳୁଥିବା ଧୂଅାଁ ତଳୁ ପୁଣି ଯୁଦ୍ଧାଗ୍ନି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। କାରଣ ନିଜ ନାମ ଗୋପନ ରଖିବା ସର୍ତ୍ତରେ ୟୁକ୍ରେନ୍ର ଜଣେ ଉଚ୍ଚ ପଦାଧିକାରୀ ରଏଟର ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସୂଚନା ଅନୁଯାୟୀ ଯୁଦ୍ଧବିରାମ ପାଇଁ ରୁଷିଆ ଦାବି କରୁଥିବା ଅଞ୍ଚଳରୁ ୟୁକ୍ରେନ୍କୁ ହଟିଯିବାକୁ ପୁଟିନ୍ ସର୍ତ୍ତ ଆରୋପ କରୁଛନ୍ତି, ଯାହା ୟୁକ୍ରେନ୍ ପକ୍ଷରେ ଗ୍ରହଣୀୟ ହେବା ସହଜ ନୁହେଁ। ୟୁକ୍ରେନ୍ ଚାହୁଁଛି ସର୍ତ୍ତବିହୀନ ସଚ୍ଚୋଟ ଓ ସ୍ପଷ୍ଟ ଯୁଦ୍ଧବିରତି। ଆହୁରି ମଧ୍ୟ ଉଭୟପକ୍ଷ ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ କରିବାକୁ ସମ୍ମତ ହେବାର ମାତ୍ର କିଛିଘଣ୍ଟା ପରେ ରୁଷ୍ର ଡ୍ରୋନ୍ ଆକ୍ରମଣରେ ୯ ଜଣ ବସ୍ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍ ଅଭିଯୋଗ କରିଛି। ଏହା ଦ୍ୱିପାକ୍ଷିକ ଆଲୋଚନା ଓ ବିଶ୍ୱାସକୁ ଭଣ୍ଡୁର କରିପାରେ।
ଗତ କିଛି ସପ୍ତାହର ଘଟଣାବଳୀକୁ ନିରେଖି ଦେଖିଲେ ବିଶ୍ୱ ଭୂ-ରାଜନୀତିରେ ସମ୍ପ୍ରତି ମଧ୍ୟସ୍ଥି ଓ ଶାନ୍ତିଦୂତ ଭାବେ ନିଜକୁ ଉପସ୍ଥାପନ କରିବାର ଏକ ନୂଆ ଧାରା ଆରମ୍ଭ ହୋଇଯାଇଥିବା ଜଣାପଡ଼ୁଛି। ବିଡ଼ମ୍ବନା ହେଉଛି, ସମରବିଳାସୀ ରାଷ୍ଟ୍ରମାନେ ହିଁ ଏଭଳି ଶାନ୍ତିଦୂତ ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ଆଗ୍ରାହାନ୍ୱିିତ ହୋଇପଡ଼ୁଛନ୍ତି। ତେଣୁ ଶାନ୍ତି ବାର୍ତ୍ତା ଓ ଯୁଦ୍ଧବିରାମର ମହତ୍ ଲକ୍ଷ୍ୟ ମୂଳରୁ ହିଁ ଭଣ୍ଡୁର ହୋଇଯାଉଛି। ରୁଷ-ୟୁକ୍ରେନ୍ ଯୁଦ୍ଧ ପଛରେ ଆମେରିକାର ପ୍ରଚ୍ଛନ୍ନ ଭୂମିକା ଏବଂ କାରଣମାନ ଅଛପା ନୁହେଁ, ଅଥଚ ସେହି ରାଷ୍ଟ୍ର ହିଁ ଶାନ୍ତିଦୂତ ହେବାକୁ ଆଗ୍ରହୀ। ଗୋଟିଏ ପଟେ ଭାରତକୁ ବନ୍ଧୁତ୍ୱର ହାତ ବଢ଼଼ାଇ ଅନ୍ୟ ହାତରେ ପାକିସ୍ତାନକୁ ଆର୍ଥିକ, ବାଣିଜ୍ୟିକ ସହାୟତା ଅଜାଡ଼ି ଦେଇ ସେହି ଦୁଷ୍ଟରାଷ୍ଟ୍ରର କୂଟନୈତିକ ମନୋବଳ ବଢ଼଼ାଉଥିବା ଆମେରିକା ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଆତୁର ଏବଂ କାଶ୍ମୀର ସମସ୍ୟାରେ ମଧ୍ୟସ୍ଥତା କରିବାକୁ ତତ୍ପର। ଏକବିଂଶ ଶତାବ୍ଦୀରେ ବିସ୍ତାରବାଦୀ ଆଭିମୁଖ୍ୟ ପାଇଁ ଜଣାଶୁଣା ଚୀନ୍ ଏବଂ ଯୁଦ୍ଧରତ ପୁଟିନ୍ ଭାରତ-ପାକିସ୍ତାନ ସଂଯମ ରକ୍ଷା କରିବା ପାଇଁ ପରାମର୍ଶ ଦେବାରେ ଅବହେଳା କରୁନାହାନ୍ତି। ଭାରତର ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନକୁ ସାମରିକ ସହାୟତା ଦେଇଥିବା ତୁର୍କୀର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାନ୍ତିକାମୀ ହେବାକୁ ରୁଷ ଓ ୟୁକ୍ରେନ୍କୁ ପରାମର୍ଶ ଦେଇଛନ୍ତି।
ପ୍ରତିପତ୍ତିଲୋଭୀ ଜିଦ୍ଖୋର ରାଷ୍ଟ୍ରମୁଖ୍ୟମାନେ ହୁଏତ ଆସନ୍ତାକାଲି ଯୁଦ୍ଧବିରାମ କିମ୍ବା ଯୁଦ୍ଧ ସମାପ୍ତି ପାଇଁ ନିଃସର୍ତ୍ତ ଘୋଷଣା କରିପାରନ୍ତି। ସେଥିରେ କାହାର ଜୟ କିମ୍ବା ପରାଜୟ ହେବ ତାହା ଭିନ୍ନ କଥା। କିନ୍ତୁ ଏହି ଅଂହର ଲଢ଼େଇରେ ଦୁଇଦେଶର ଭିତ୍ତିଭୂମି ଓ ନାଗରିକଙ୍କ ଯେଉଁ କ୍ଷୟକ୍ଷତି ହେଲା, ଉତ୍ତର ପିଢ଼ିର ଭବିଷ୍ୟତ ଯେଉଁ ଅନ୍ଧକାର ଭିତରକୁ ଚାଲିଗଲା, ତାହାର ଭରଣା ହେବ କେମିତି? ବିଶେଷଜ୍ଞଙ୍କ ମତରେ ସମଗ୍ର ବିଶ୍ୱର ମିଳିତ ଉଦ୍ୟମ ସତ୍ତ୍ବେ ଯୁଦ୍ଧବିଧ୍ୱସ୍ତ ୟୁକ୍ରେନ୍ର ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ଅତିକମ୍ରେ ୧୦ ବର୍ଷ ଆବଶ୍ୟକ। ଆର୍ଥିକ କ୍ଷୟକ୍ଷତି ଭରଣାଯୋଗ୍ୟ ନୁହେଁ। ତେଣୁ ଏଭଳି ପରିସ୍ଥିତିରେ ଯୁଦ୍ଧ ଅପରାଧୀ ବାସ୍ତବରେ କିଏ? ସେମାନଙ୍କ ବିରୋଧରେ ଦଣ୍ଡବିଧାନ କ୍ଷମତା ମିଳିତ ଜାତିସଂଘର ଅଛି କି? ଏଭଳି ପ୍ରଶ୍ନର ସନ୍ତୋଷଜନକ ଦୀର୍ଘସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏବଂ ସମରବିଳାସୀ ରାଷ୍ଟ୍ରମାନଙ୍କର ଚରିତ୍ରରେ ସୁଧାର ନ ଆସିବା ଯାଏଁ ରୁଷ-ୟୁକ୍ରେନ୍, ଭାରତ-ପାକିସ୍ତାନ, ଇସ୍ରାଏଲ୍-ପାଲେଷ୍ଟାଇନ୍ ବିବାଦ, ଉତ୍ତେଜନା ଓ ଯୁଦ୍ଧବିରାମର ସାମାନ୍ୟତମ ଆଶାର ଝଲକ ଦିଶୁନାହିଁ।