ଭାରତୀୟ ଔଷଧପତ୍ର (ଫାର୍ମାସ୍ୟୁଟିକାଲ୍ସ) ବଜାରର ଆକାର ପ୍ରକାଣ୍ଡ। ଏହାର ବାର୍ଷିକ କାରବାର ପ୍ରାୟ ୫୦ ବିଲିୟନ ଡଲାର। ଏହି ବଜାରରେ ଜେନେରିକ୍ ଡ୍ରଗ୍ସ, ଓଟିସି ଔଷଧପତ୍ର, ବଲ୍ବ ଡ୍ରଗ୍ସ, ବିଭିନ୍ନ ପ୍ରକାର ଟିକା ଓ ଇଂଜେକ୍ସନ, ଭେଷଜ ଗବେଷଣା ଏବଂ ଔଷଧ ତିଆରି ଆଦି ଅନ୍ତର୍ଭୁକ୍ତ। ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଔଷଧ ଉତ୍ପାଦନକାରୀ ଦେଶ। ଏଠାରେ ବିଶ୍ୱର ୨୦% ଜେନେରିକ୍ ଔଷଧ ଉତ୍ପାଦିତ ହୋଇଥାଏ। ଏତେବଡ଼ ବୃହତ୍ ବଜାର ଦୃଷ୍ଟିରୁ ଭାରତ ମଧ୍ୟ ଔଷଧ ରପ୍ତାନିରେ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିଛି। ବାର୍ଷିକ ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ଔଷଧପତ୍ର ଭାରତ ରପ୍ତାନୀ କରିଥାଏ।
ଔଷଧପତ୍ର ଜୀବନ ରକ୍ଷା ସହିତ ଜଡ଼ିତ ଥିବାରୁ ଏହି ଉଦ୍ୟୋଗରେ ଗୁଣ ଓ ମାନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ଏଥିପାଇଁ କଠୋର ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଗୁଣ, ମାନ ଓ ନିରାପତ୍ତାକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ନିୟାମକ ବ୍ୟବସ୍ଥା ଏହାକୁ ବଜାର ଛାଡ଼େ। ଏହାସତ୍ତ୍ବେ ଏକ ବିରାଟ ବଜାର, ବିପୁଳ ଚାହିଦା ଓ ଢିଲା ନିୟନ୍ତ୍ରଣ ବ୍ୟବସ୍ଥାର ସୁଯୋଗ ନେଇ ଅନେକ ଅସାଧୁ ଲୋକ ଏବଂ ଠକ କମ୍ପାନୀ ନକଲି ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡ଼ିଥା’ନ୍ତି। ନିକଟ ଅତୀତରେ ଭାରତୀୟ କଫ୍ ସିରଫ ଖାଇ ଆଫ୍ରିକାର କେତେକ ଦେଶର ଅନେକ ପିଲାଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ଔଷଧର ଉତ୍ପାଦନକାରୀ କମ୍ପାନୀ ଜାଣିଶୁଣି ନିମ୍ନମାନର ଏଭଳି କଫ୍ ସିରଫ୍ ଉତ୍ପାଦିତ କରି ରପ୍ତାନୀ କରିଥିଲା। ଦ୍ୱିତୀୟ ଘଟଣାରେ ଆମ ଓଡ଼ିଶା ସମେତ କେତେକ ବଜାରରେ କିଛି ନକଲି ଉଚ୍ଚ ରକ୍ତଚାପ ଔଷଧର କାରବାର ଧରାପଡ଼ିଥିଲା। ଏସବୁ ବଟିକା ବିହାର, ଦିଲ୍ଲୀ ଓ ହରିୟାଣାରୁ ଉତ୍ପାଦିତ ହୋଇ ଓଡ଼ିଶା ବଜାରକୁ ଦୁଇନମ୍ବର (ଗୁପ୍ତ) ରାସ୍ତାରେ ଆସିଥିଲା।
ଲୋକେ ବିଶ୍ୱାସରେ ଔଷଧ କିଣନ୍ତି। ଡାକ୍ତର ଲେଖିଥିବା ଔଷଧ ଛଡ଼ା ଅନ୍ୟ କମ୍ପାନୀ ବା ବ୍ରାଣ୍ଡର ଔଷଧ କିଣନ୍ତି ନାହିଁ। ତେବେ ଅନେକ ପ୍ରତିଷ୍ଠିତ କମ୍ପାନୀ ନାମରେ ବଜାରରେ ଯେ ନକଲି ଔଷଧ ମିଳୁଛି, ସାଧାରଣ ଲୋକ ଏକଥା ସହଜରେ ଜାଣିପାରନ୍ତି ନାହିଁ। ଭାରତୀୟ ଔଷଧ ବଜାରରେ ନକଲିର ପ୍ରାଦୁର୍ଭାବ ବୃଦ୍ଧି ଏବଂ ନିୟନ୍ତ୍ରଣରେ ତ୍ରୁଟି ନିଶ୍ଚିତ ଚିନ୍ତାଜନକ ତଥା ଅକ୍ଷମଣୀୟ। ଏବେ ବୈଦେଶିକ ବାଣିଜ୍ୟର ଡାଇରେକ୍ଟୋରେଟ୍ ଜେନେରାଲ୍ (ଡିଜିଏଫ୍ଟି)ଙ୍କ ନିଦ ଭାଙ୍ଗିଛି। ଡିଜିଏଫ୍ଟିର ନିର୍ଦ୍ଦେଶ ଅନୁସାରେ ଏବେ ଦେଶର ସବୁ କଫ୍ ସିରଫ ରପ୍ତାନୀକାରୀଙ୍କୁ ନିଜ ଔଷଧର ମାନ ନିର୍ଦ୍ଦିଷ୍ଟ ସରକାରୀ ଲାବରେଟୋରୀରେ ପରୀକ୍ଷା କରାଇବା ବାଧ୍ୟତାମୂଳକ। ଏହି ପରୀକ୍ଷା ରିପୋର୍ଟ ଆଧାରରେ ସେମାନଙ୍କୁ ରପ୍ତାନୀ ପାଇଁ ଅନୁମତି ପ୍ରଦାନ କରାଯିବ। ଏହା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ନିମ୍ନମାନର ଔଷଧ ରପ୍ତାନୀ କରି ଦେଶର ସୁନାମରେ ଆଞ୍ଚ ଆଣିବା ଭଳି ସୁଯୋଗ ଆଉ ଦିଆଯିବ ନାହିଁ।
ତେବେ ଆମର କହିବା କଥା ହେଉଛି ଯେ ଔଷଧପତ୍ରର ନିରାପତ୍ତା ଓ ମାନକୁ ନିର୍ଦ୍ଦିଷ୍ଟ କିଛି ଔଷଧ ତଥା ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀରେ ସୀମିତ ରଖାଯିବା ଅନୁଚିତ। ଔଷଧ ବ୍ୟବହାରକାରୀଙ୍କ ନିକଟରେ ଦେଶ ବିଦେଶର ବିଚାର ନଥାଏ। କେବଳ ରପ୍ତାନୀଯୋଗ୍ୟ ଔଷଧର ମାନ ଓ ନିରାପତ୍ତାକୁ ତଦାରଖ କରି ଦେଖାଯିବ ଏବଂ ଦେଶରେ ବିକ୍ରି ପାଇଁ ଔଷଧ କ୍ଷେତ୍ରରେ ଏହା ହେବ ନାହିଁ। ଏଭଳି ଦ୍ୱୈତ ନୀତି ଅଗ୍ରହଣୀୟ ଏବଂ ଗର୍ହିତ। ଭାରତୀୟ ଔଷଧ ବଜାରରେ ଆବଶ୍ୟକ ତଦାରଖ ଓ ନିୟନ୍ତ୍ରଣ ଅଭାବରୁ ଅନେକ ନକଲି ଔଷଧ କାରବାର ହେଉଥିବା ଅଭିଯୋଗ ହେଉଛି। ଏହା ଦେଖିବା କେନ୍ଦ୍ରୀୟ ଭେଷଜ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍ସିଓ)ର ଦାୟିତ୍ୱ। ସେ କାମ ଡିଜିଏଫ୍ଟି କରିପାରିବ ନାହିଁ କିମ୍ବା ଏଥିପାଇଁ ଏହା ଅଧିକୃତ ନୁହେଁ। ତେଣୁ ଏ କ୍ଷେତ୍ରରେ ଥିବା ଦ୍ୱୈତ ମାନଦଣ୍ଡ ଓ ବ୍ୟବସ୍ଥାର ଅବସାନ ଘଟିବା ଉଚିତ। ଉଭୟ ଘରୋଇ ଓ ବିଦେଶୀ ବଜାର ପାଇଁ ଉତ୍ତମମାନର ଔଷଧ ଯୋଗାଣକୁ ସରକାର ସୁନିଶ୍ଚିତ କରନ୍ତୁ।
ଔଷଧପତ୍ରର ମୂଲ୍ୟ ଭାରତରେ ଅପେକ୍ଷାକୃତ ବହୁ ଅଧିକ। ସରକାର ବିଭିନ୍ନ ଜୀବନରକ୍ଷାକାରୀ ଔଷଧର ମୂଲ୍ୟକୁ ନିୟନ୍ତ୍ରଣରେ ରଖିଛନ୍ତି ବୋଲି କହୁଥିଲେ ମଧ୍ୟ ବଜାରରେ ସେ ସବୁ ସାଧାରଣ ଲୋକଙ୍କ ପାଇଁ ଦୁର୍ମୂଲ୍ୟ। ଇନ୍ସୁଲିନ୍ ଯାହା ଡାଇବେଟିସ୍ ପାଇଁ ଏକ ଅତ୍ୟାବଶ୍ୟକ ଔଷଧ, ତାହାର ମୂଲ୍ୟ ପ୍ରତି ମାସରେ ବଢ଼଼ୁଛି। ଯେଉଁ କ୍ରେତାମାନେ ଔଷଧ ପାଇଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେମାନେ ନୟାନ୍ତ ହେଉଛନ୍ତି। ସରକାର ଜନଔଷଧୀ ବ୍ୟବସ୍ଥାରେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଲୋକଙ୍କୁ ଔଷଧ ଯୋଗାଇ ଦେଉଛନ୍ତି। ତେବେ ଏଥିରେ ସମସ୍ୟା ହେଲା ଡାକ୍ତରମାନେ ଯେଉଁ ଔଷଧ ଲେଖୁଛନ୍ତି, ତାହା ଜନଔଷଧୀ କେନ୍ଦ୍ରରେ ମିଳୁନାହିଁ। ତାହାର ଗୁଣମାନ ନେଇ ଚିକିତ୍ସକଗଣ ମଧ୍ୟ ସନ୍ଦୀହାନ। ଅନେକ ସମୟରେ ସେମାନେ ରୋଗୀଙ୍କୁ ଜନଔଷଧୀ ନ କିଣିବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି।
ଭାରତୀୟ ଭେଷଜ ବଜାରର ଅଭିବୃଦ୍ଧି ଦ୍ରୁତଗତିରେ ହେଉଛି। ୨୦୩୮ ସୁଦ୍ଧା ଏହାର କାରବାର ବାର୍ଷିକ ପ୍ରାୟ ୧୩୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ ଭାରତୀୟ ଔଷଧର ଗୁଣମାନ ଓ ମୂଲ୍ୟ କାହାରି ସହିତ ସାଲିସ କରାଯାଇ ନ’ପାରେ। ଏକ ପ୍ରକାରର ଔଷଧ ଉଭୟ ଦେଶବାସୀ ଓ ରପ୍ତାନୀ ବଜାର ପାଇଁ ଉପଲବ୍ଧ ହେବା ଆବଶ୍ୟକ। ସବୁଠୁ ବଡ଼ କଥା ହେଲା ଉନ୍ନତମାନର ଜେନେରିକ୍ ଓ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧ ଦେଶବାସୀଙ୍କୁ ଯୁକ୍ତିଯୁକ୍ତ ମୂଲ୍ୟରେ ଯୋଗାଇବା। ତା’ ନହେଲେ ଯେଉଁମାନେ ନିଜ ପକେଟରୁ ଟଙ୍କା ଦେଇ ଔଷଧ କିଣୁଛନ୍ତି, ସେମାନେ ବେଶୀ କ୍ଷତିଗ୍ରସ୍ତ ହେବେ। ଏହି ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ସେମାନଙ୍କୁ ସରକାରୀ ରିହାତି ବା ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳେନାହିଁ। ସେମାନଙ୍କୁ ସୁଲଭ ମୂଲ୍ୟରେ ଭଲ ଔଷଧ ଦେବା ସରକାରଙ୍କ ଦାୟିତ୍ୱ।