ଛତିଶ ଦିନର ରହସ୍ୟମୟ ଅଦୃଶ୍ୟ ଅବସ୍ଥାନ ଓ ପଞ୍ଜାବ ପୁଲିସ୍ ଦ୍ୱାରା ଦିନରାତି ଲଗାତାର ଧରପଗଡ଼ ପରେ ଗତକାଲି ସକାଳେ ଖଲ୍ଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍ ସିଂହ ପୁଲିସ୍ ପାଖରେ ଆତ୍ମସମର୍ପଣ କରିଛି। ଏହା ଫଳରେ ପଞ୍ଜାବ ସରକାରଙ୍କ ଦ୍ୱାରା ପ୍ରହେଳିକାମୟ ଅମୃତପାଲ ଧରା ଅଭିଯାନର ପରିସମାପ୍ତି ଘଟିଛି। ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଏହି ଦେଶ ବିରୋଧୀ ବିଭ୍ରାନ୍ତ ବ୍ୟକ୍ତିର ଯେ ପର୍ଯ୍ୟନ୍ତ ହାତକଡ଼ି ପଡ଼ି ନଥିଲା ସେ ପର୍ଯ୍ୟନ୍ତ ପଞ୍ଜାବ ସରକାର ଓ ପଞ୍ଜାବ ପୁଲିସ୍ର ମଥାରେ ଜାଣିଶୁଣି ଅବହେଳାର କଳଙ୍କ ଲଗାହୋଇଥିଲା। ଦୀର୍ଘ ପ୍ରାୟ ୬ ସପ୍ତାହ ଧରି ସୁଦକ୍ଷ ପଞ୍ଜାବ ପୁଲିସ୍ଙ୍କ ଆଖିରେ ଧୂଳି ପକାଇ ପଞ୍ଜାବ, ଦିଲ୍ଲୀ, ହରିଆଣା ଓ ଆଖପାଖ ରାଜ୍ୟରେ ବେଶ ପୋଷାକ ବଦଳାଇ ବୁଲୁଥିବା ଏହି ଦେଶଦ୍ରୋହ ଅପରାଧରେ ଅଭିଯୁକ୍ତ ବ୍ୟକ୍ତି କେମିତି ଧରାପଡୁନଥିଲା, ତାହା ସାରା ଦେଶକୁ ବିସ୍ମିତ ତଥା ବିବ୍ରତ କରିଥିଲା।
ପଞ୍ଜାବ ସରକାର ଆଗରୁ ଖଲିସ୍ତାନୀ ଆନ୍ଦୋଳନକାରୀମାନଙ୍କ ପାଇଁ ଏକ କୋମଳ ପନ୍ଥା ଗ୍ରହଣ କରୁଥିଲା ବୋଲି ଜଣାଥିଲା। ପଞ୍ଜାବରେ ଆପ୍ ଦଳ ସରକାର ଗଠନ କଲା ପରେ କେନ୍ଦ୍ର ଏନ୍ଡିଏ ସରକାର ବିଭିନ୍ନ ଘଟଣାରେ ପଞ୍ଜାବ ସରକାରଙ୍କ ଦୁର୍ବଳତା ବିଷୟରେ ଅଭିଯୋଗ କରି ଖୋଲିଖୋଲି ନିନ୍ଦା କରୁଥିଲେ। ବିଶେଷ କରି ପଞ୍ଜାବ ଏକ ପାକିସ୍ତାନ ସୀମାନ୍ତ ରାଜ୍ୟ ହୋଇଥିବାରୁ ଏବଂ ପାକିସ୍ତାନ ସରକାର ଓ ସେନା ଖଲିସ୍ତାନ ବିଦ୍ରୋହୀମାନଙ୍କୁ ଖୋଲାଖୋଲି ପ୍ରୋତ୍ସାହନ ଦେଉଥିବାରୁ ପଞ୍ଜାବରେ ଖଲିସ୍ତାନ ଆନ୍ଦୋଳନକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାନଯିବା ଭାରତର ସୁରକ୍ଷା ଓ ସଂହତି ଉପରେ ଏକ ବିରାଟ ପ୍ରଶ୍ନ ଚିହ୍ନ ଆଙ୍କୁଥିଲା। ଏହି ପୃଷ୍ଠଭୂମିରେ ଗତ ଫେବ୍ରୁଆରୀରେ ଅମୃତସର ନିକଟସ୍ଥ ଆଜନାଲା ସହରରେ ଅମୃତପାଲ୍ ସିଂହ ଓ ତା’ର ଅନୁଗାମୀ ଗୋଟିଏ ଥାନା ଉପରେ ଆକ୍ରମଣ କରି ସେଠାରେ ହାଜତରେ ବନ୍ଦୀ ଥିବା ତାଙ୍କର ଜଣେ ଖଲିସ୍ତାନ ସହଯୋଗୀ ବନ୍ଧୁକୁ ଜୋର୍ଜବରଦସ୍ତ ଛଡ଼ାଇ ନେଇଯିବା ଏକ ବହୁତ ବଡ଼ ଅପରାଧ ବୋଲି ସାରା ଦେଶରେ ଚହଳ ପଡ଼ିଲା। ଏହି ଗୁରୁତର ମାମଲାର ତଦନ୍ତ ଭାର ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍ଆଇଏ) ହାତକୁ ନେବା ବେଳକୁ ଅମୃତପାଲ ଓ ତା’ର ସହଯୋଗୀମାନେ ପୋଲିସ୍ ସାଙ୍ଗରେ ଲୁଚକାଳି ଖେଳ ଆରମ୍ଭ କରିଦେଲେ। ସହଯୋଗୀ ଓ ସହ ଅପରାଧୀମାନେ ଜଣଙ୍କ ପରେ ଜଣେ ପୋଲିସ୍ ପଞ୍ଝାରେ ପଡୁଥିବାବେଳେ, ଅମୃତପାଲ୍ ବାରମ୍ବାର ପୋଲିସ୍ ଫାଶରୁ ଡେଇଁ ପଳାଉଥିଲା। ଦିଲ୍ଲୀ, ହରିଆଣା ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ବେଶ ବଦଳାଇ ପୋଲିସ୍ ହାତରୁ ଚମ୍ପଟମାରିବା ଭିଡ଼ିଓ ବିଭିନ୍ନ ସିସିଟିଭି କ୍ୟାମେରାରୁ ମଧ୍ୟ ଧରାପଡ଼ିଥିଲା। କିଏ କହିଲା ସେ ନେପାଳ ବାଟେ ଖସିଗଲାଣି ତ ଆଉ କିଏ କହିଲା ସେ ପାକିସ୍ତାନକୁ ପଳାଇଛି। ତେବେ ଏତେଦିନ ପରେ ଜଣାପଡ଼ିଲା ଯେ ଅମୃତପାଲ୍ ପ୍ରାୟତଃ ପଞ୍ଜାବର ବିଭିନ୍ନ ସ୍ଥାନରେ ଲୁଚି ବୁଲୁଥିଲା। ଗତ ଶନିବାର ସଂଧ୍ୟାରେ ମୋଗା ଜିଲ୍ଲାର ରୋଡେ ସହରରେ ପହଞ୍ଚି ସେ ପୋଲିସ୍ ଆଗରେ ଆତ୍ମ ସମର୍ପଣ କରିବାର ବିଭିନ୍ନ ସର୍ତ୍ତ କହି ପଠାଇଥିଲା।
ଉଲ୍ଲେଖନୀୟ ଯେ ମୋଗା ଜିଲ୍ଲାର ରୋଡେ ସହର କୁଖ୍ୟାତ ଖଲିସ୍ତାନବାଦୀ ଜାର୍ନେଲ୍ ସିଂହ ଭିଣ୍ଡରାୱାଲେର ଜନ୍ମସ୍ଥାନ ଏବଂ ସେଠାକାର ଏକ ଗୁରୁଦ୍ୱାରା ‘ୱାରିସ୍ ପଞ୍ଜାବ ଦେ’ ନାମକ ଶିଖ ମୌଳବାଦୀ ସଂସ୍ଥାର ମୁଖ୍ୟାଳୟ। ସେହି ଗୁରୁଦ୍ୱାରରେ ବିଶାଳ ଜନସଭା ଡାକି ପୋଲିସ୍ ଆଗରେ ଆତ୍ମସମର୍ପଣ କରିବାର ଏକ ନାଟକୀୟ ଘଟଣା କରିବା ପାଇଁ ଅମୃତପାଲ ଚାହୁଁଥିଲା। କିନ୍ତୁ ଯଥାର୍ଥରେ ଏନ୍ଆଇଏ ତରଫରୁ ତା’ର ସମସ୍ତ ଅନୁଚିତ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେ ଯା’ହେଉ ଗତକାଲି ସକାଳେ ଅମୃତପାଲ୍ ପୋଲିସ୍ ପାଖରେ ଆତ୍ମସମର୍ପଣ କଲାପରେ ତାକୁ ସୁଦୂର ଆସାମର ଦିବ୍ରୁଗଡ଼ ସେଣ୍ଟ୍ରାଲ୍ ଜେଲ୍ରେ ନେଇ ରଖାଯାଇଛି ଏବଂ ସାରା ଦେଶରେ ଆଶ୍ୱସ୍ତି ଫେରିଛି। ଅବଶ୍ୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କୁ ଶାନ୍ତିରକ୍ଷା ପାଇଁ ତୁରନ୍ତ ନିବେଦନ କରିଛନ୍ତି। କାରଣ ଖଲିସ୍ତାନୀ ସମର୍ଥକ ଓ ଅମୃତପାଲ୍ ସିଂହର ଅନୁଗାମୀମାନେ ପଞ୍ଜାବରେ ବିଭିନ୍ନ ଦୁର୍ଘଟଣା ଘଟାଇ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ପଞ୍ଜାବରେ ଆଇନ ଶୃଙ୍ଖଳା ବିଗିଡ଼ିଲେ ପାକିସ୍ତାନ ପକ୍ଷରୁ ଏହାକୁ ଅଧିକ ତୀବ୍ର କରିବାରେ ପ୍ରୋତ୍ସାହନ ନିଶ୍ଚୟ ଆସିବ। ଭାରତୀୟ ସେନାବାହିନୀ ତଥା କେନ୍ଦ୍ରୀୟ ସୁରକ୍ଷା ବାହିନୀ ଅବଶ୍ୟ ଏଥିପାଇଁ ସଜାଗ ନିଶ୍ଚୟ ରହିବେ ଏବଂ ପାକିସ୍ତାନ ପକ୍ଷରୁ ଯେ କୌଣସି ଭାରତ ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ନିଶ୍ଚୟ ଚେଷ୍ଟା କରିବେ। କିଛିଦିନ ତଳେ ଜାମ୍ମୁ-କାଶ୍ମୀରର ପୁଞ୍ଚ ସହରରେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦୀ ଯେଉଁଭଳି କାଣ୍ଡ କଲେ, ସେଥିରେ ଭାରତୀୟ ସେନା ସହୀଦ ହୋଇଛନ୍ତି ଏବଂ ଭାରତ ପାକିସ୍ତାନ ସୀମାରେ ପ୍ରବଳ ଉତ୍ତେଜନା ରହିଛି। ଏହି ସମୟରେ ପଞ୍ଜାବରେ ଯଦି ଅସ୍ଥିରତା ସୃଷ୍ଟି ହୁଏ, ତା’ ନିଶ୍ଚୟ ଭାରତ ପାଇଁ ଆଉ ଏକ ଆହ୍ୱାନ ସୃଷ୍ଟି କରିବ।
ସମ୍ପ୍ରତି ଭାରତ ଜି-୨୦ ସଂଗଠନର ଅଧ୍ୟକ୍ଷତା କରୁଥିବାରୁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ବୈଠକ ଭାରତରେ ଅନୁଷ୍ଠିତ ହେବା ଆରମ୍ଭ କରିଛି। ଏହି ସମୟରେ ସମ୍ବେଦନଶୀଳ ଜାମ୍ମୁ-କାଶ୍ମୀର, ପଞ୍ଜାବ, ଲଦାଖ ଏବଂ ଉତ୍ତର-ପୂର୍ବ ସୀମାନ୍ତ ଅରୁଣାଚଳ ଆଦି ରାଜ୍ୟରେ ପାକିସ୍ତାନ ଓ ଚୀନ୍ ମିଳିତ ମସୁଧା କରି ଭାରତ ଭିତରେ ଓ ସୀମାରେ ଅଘଟଣା ଘଟାଇବା କିଛି ବିଚିତ୍ର ନୁହେଁ। କାରଣ ଏପରି ହେଲେ ଭାରତର ବୈଶ୍ୱିକ ଭାବମୂର୍ତ୍ତିରେ ଆଞ୍ଚ ଆସିବ ଏବଂ ଚୀନ୍ ଓ ପାକିସ୍ତାନକୁ ଏହା ସୁହାଇବ। ନିକଟରେ ପୁଣି ସାଂଘାଇ ସହଯୋଗୀ ସଂଗଠନର ମଧ୍ୟ ବୈଠକ ଭାରତର ଗୋଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଭାରତକୁ ପ୍ରବଳ ନିନ୍ଦା କରୁଥିବା ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବିଲାୱଲ୍ ଭୁଟୋ ଯୋଗଦାନ କରିବେ ବୋଲି ଜଣାପଡ଼ିଛି। ତେଣୁ ଏଭଳି ପରିସ୍ଥିତିରେ ପଞ୍ଜାବ ଓ କାଶ୍ମୀର ଆଦିରେ ଅସ୍ଥିରତା ଓ ଆତଙ୍କବାଦର ଘଟଣାକୁ ନିୟନ୍ତ୍ରଣ ରଖିବା ଭାରତ ପକ୍ଷରେ ଅସୁବିଧା ସୃଷ୍ଟି କରିବ। ଏହି ପୃଷ୍ଠଭୂମିରେ ଦେଖିବାକୁ ଗଲେ ଅମୃତପାଲ୍ ସିଂହ ଗିରଫ ହେବା ଓ ଦିବ୍ରୁଗଡ଼ ଜେଲ୍ରେ ବନ୍ଦ ରହିବା ଏକ ଭଲ ଖବର। ଆମେ ଆଶା କରୁ ଯେ ଏନ୍ଆଇଏର ଟିକିନିଖି ଅନୁସନ୍ଧାନରେ ଅମୃତପାଲ ଓ ତା’ର ବନ୍ଦୀ ସହଯୋଗୀମାନଙ୍କ ସହିତ ପଚରାଉଚରାରେ ପଞ୍ଜାବରେ ସମ୍ପ୍ରତି ଖଲିସ୍ତାନ ଆନ୍ଦୋଳନର ଶାଖା ପ୍ରଶାଖା ଓ ଚେରମୂଳ ଆଦିର ଖବର ସଂଗ୍ରହ ହୋଇପାରିବ ଏବଂ ପୁଣିଥରେ ଖଲିସ୍ତାନ ଆନ୍ଦୋଳନର ସମ୍ଭାବନାକୁ ସମୂଳେ ଉତ୍ପାଟନ କରାଯାଇପାରିବ। ବର୍ତ୍ତମାନଠାରୁ ପଞ୍ଜାବର ଆପ୍ ସରକାର ଏନ୍ଆଇଏର ତଦନ୍ତ ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆମେ ଆଶା କରୁ, ନଚେତ୍ ପଞ୍ଜାବ ଓ କାଶ୍ମୀର ସୀମାନ୍ତରେ ଶତ୍ରୁଦେଶ ପାକିସ୍ତାନକୁ ସେମାନେ ପରୋକ୍ଷରେ ସହଯୋଗ କରୁଛନ୍ତି ବୋଲି ଧରାଯିବ। ଆପ୍ ଦଳର ମୁଖ୍ୟ ଜଣେ ଉଚ୍ଚ ଶିକ୍ଷିତ ଓ ବରିଷ୍ଠ ଜନନେତା ଭାବେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ତେଣୁ ଖଲିସ୍ତାନୀ ନିର୍ମୂଳନ ଅଭିଯାନରେ ତାଙ୍କ ଦଳର ପଞ୍ଜାବ ସରକାର ପୂର୍ଣ୍ଣପ୍ରାଣରେ ସହଯୋଗ କରିବେ ବୋଲି ସାରା ଦେଶର ଦୃଷ୍ଟି ଏବେ ତାଙ୍କ ଉପରେ ନିବଦ୍ଧ।