ଓଡ଼ିଆ ଭାଷା ଓ ଲିପି ସମ୍ପର୍କରେ ଅବୋଧଙ୍କ ମଧ୍ୟରେ ଜ୍ଞାନର ଆଲୋକ ବିତରଣ କରିଆସିଛି ‘ବର୍ଣ୍ଣବୋଧ’। ଓଡ଼ିଆ ଅସ୍ମିତାର ପ୍ରତୀକ ରୂପେ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ପ୍ରଣୀତ ‘ବର୍ଣ୍ଣବୋଧ’କୁ ମାନ୍ୟତା ଦେବାରେ କାହାର ଦ୍ୱିଧା ନ ରହିବା ଉଚିତ। ଏପ୍ରିଲ ୧ ତାରିଖ ‘ଓଡ଼ିଶା ଦିବସ’ଠାରୁ ଏପ୍ରିଲ ୧୪ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡ଼ିଆ ପକ୍ଷ’ ଏଥିମଧ୍ୟରେ ପାଳିତ ହୋଇଛି। ସୁଖରକଥା ଯେ ଏହି ପକ୍ଷ ମଧ୍ୟରେ ‘ବର୍ଣ୍ଣବୋଧ ଦିବସ’ ପାଳନର ଆୟୋଜନ କରାଯାଇଥିଲା। ପିଲାଙ୍କ ମଧ୍ୟରେ ‘ବର୍ଣ୍ଣବୋଧ’ ପୁସ୍ତକ ବଣ୍ଟାଯାଇ ଓଡ଼ିଆ ଭାଷା ଓ ଲିପି ପରିଚିତି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଓଡ଼ିଆ ଭାଷାର ସୁରକ୍ଷା, ଲିପି ଅବବୋଧ ଓ ସର୍ବୋପରି ଓଡ଼ିଆ ଅସ୍ମିତା ଦୃଷ୍ଟିରୁ ସରକାରଙ୍କ ଏହି ନିଷ୍ପତ୍ତି ଓ ପଦକ୍ଷେପ ସ୍ୱାଗତଯୋଗ୍ୟ ଓ ଅଭିନନ୍ଦନୀୟ ନିଶ୍ଚୟ। ତେବେ ଆମ ମନରେ ସ୍ୱତଃ ପ୍ରଶ୍ନ ଉଠେ ସରକାର ଯେଉଁ ‘ବର୍ଣ୍ଣବୋଧ’ ବାଣ୍ଟିଲେ ତାହା ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ମୂଳ ପୁସ୍ତକ ତ? ସରକାରଙ୍କ କାର୍ଯ୍ୟକ୍ରମରେ ‘ବର୍ଣ୍ଣବୋଧ ଦିବସ’ ପାଳନକୁ ସଂଶ୍ଳିଷ୍ଟ କଲାବେଳେ ମୂଳ ରଚନାର ମୁଦ୍ରଣ କରି ବାଣ୍ଟିବାରେ ଅସୁବିଧା ରହିଲା କେଉଁଠି?
ଏଠାରେ ମନେ ରଖିବାକୁ ହେବ ଯେ ସ୍ୱର୍ଗତ ବୀଣାପାଣି ମହାନ୍ତିଙ୍କ ଆପତ୍ତିକ୍ରମେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମଧୁସୂଦନ ରାଓଙ୍କ ମୂଳ ରଚନାକୁ ବିଶେଷଜ୍ଞଙ୍କ ମାଧ୍ୟମରେ ସ୍ୱୀକୃତି ପ୍ରଦାନ କରିଥିଲେ। ୨୦୧୯ରେ ତତ୍କାଳୀନ ସରକାର ମୂଳ ‘ବର୍ଣ୍ଣବୋଧ’ ପୁସ୍ତକ ମୁଦ୍ରଣ କରିଥିଲେ। ଏହା ବେଶିଦିନ ତଳର କଥା ନୁହେଁ। ମାତ୍ର ୬ ବର୍ଷର ବ୍ୟବଧାନରେ ପୁଣି ତାହା ବଜାରରୁ ହଜିଗଲା। ଏବର ସରକାର ପୁଣି ଥରେ ‘ବର୍ଣ୍ଣବୋଧ’ ଛପାଇ ବାଣ୍ଟିବା ଆଳରେ କେତେକ ପ୍ରକାଶନ ସଂସ୍ଥା ମାଧ୍ୟମରେ ଅପସଂସ୍କୃତ ଓ ଅସ୍ୱୀକୃତ ପୁସ୍ତକଗୁଡ଼ିଏର ମୁଦ୍ରଣକୁ ପରୋକ୍ଷରେ ପ୍ରୋତ୍ସାହିତ କଲେ। କାହାକୁ ବ୍ୟବସାୟିକ ସୁବିଧା ସୁଯୋଗ ଦେବା ପାଇଁ ଆମ ଅସ୍ମିତାର ପ୍ରତୀକ ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ପୁସ୍ତକକୁ ଏଡ଼ାଇଯିବା ପଛରେ ନିଶ୍ଚୟ କିଛି ରାଜନୀତି ରହିଛି। ଆମକୁ ଏଠାରେ କହିବାକୁ ପଡୁଛି ଯେ ସରକାର ବଦଳିଲେ ମଧ୍ୟ ବ୍ୟବସ୍ଥା ଅତୁଟ ଓ ଅକ୍ଷୁଣ୍ଣ ରହିବା କଥା। ପୂର୍ବ ସରକାରଙ୍କ ଦ୍ୱାରା ମୁଦ୍ରିତ ପୁସ୍ତକ ପଛରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଥିଲା। ତେଣୁ ଅସ୍ମିତା କଥା କହି ରାଜନୀତି କରିବା ଓ ଅସଲ ଅବବୋଧକୁ ଅବଜ୍ଞା କରିବା ଦୁଇଟି ଭିନ୍ନ କଥା। ଏ ଦିଗରେ ରାଜ୍ୟବାସୀ ସଚେତନ ନାହାନ୍ତି, ନ ହେଲେ ସରକାରଙ୍କୁ ପ୍ରଶ୍ନ କରିସାରନ୍ତେଣି।
ଭାଷା ଆନ୍ଦୋଳନର ମୂଳ ମଞ୍ଜି ପୋତିଥିବା ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ ୧୮୯୫ରେ ଇଂଲଣ୍ଡରେ ଛପା ହୋଇ ଓଡ଼ିଶାକୁ ବିକ୍ରି ପାଇଁ ଆସୁଥିଲା। ଦେଶରେ ମୁଦ୍ରଣ ଜ୍ଞାନକୌଶଳରେ ଉନ୍ନତି ଘଟିବାରୁ ତାହା ପରବର୍ତ୍ତୀ ସମୟରେ କଲିକତାରେ ଛପା ହେଲା। ଏଥିରେ କେବଳ ଓଡ଼ିଆ ବର୍ଣ୍ଣମାଳା ସହ ଯୁକ୍ତାକ୍ଷର ରହିଥିଲା। ୨୦୧୯ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ କ୍ରମେ ମୂଳ ରଚନାକୁ ପ୍ରାଧାନ୍ୟ ଦିଆଯାଇ ଥିଲା। ସେ ସମୟର ଏହି ପ୍ରୟାସ ପଛରେ ଥିବା ତ୍ୟାଗ ଓ ନିଷ୍ଠା ହଠାତ୍ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଅସ୍ମିତା ତାଲିକାରୁ ହଜିଗଲା କିପରି? ଆଜି ହଠାତ୍ ଏ ପ୍ରସଙ୍ଗ କାହିଁକି ବୋଲି ଯେକେହି ପ୍ରଶ୍ନ କରିବ? ସରକାରଙ୍କ ‘ବର୍ଣ୍ଣବୋଧ ଦିବସ’ ପାଳନ ମାଧ୍ୟମରେ ବିକୃତିକୁ ପ୍ରୋତ୍ସାହନ ଦିଆଯିବାରୁ ମଧୁସୂଦନ ରାଓଙ୍କ ଅଣନାତୁଣୀ ସୁସାହିତ୍ୟିକା ସୁସ୍ମିତା ରଥ ଆପତ୍ତି ଉଠାଇଛନ୍ତି। ତାଙ୍କ କହିବା କଥା ଯେକୌଣସି ପ୍ରକାଶନ ସଂସ୍ଥା ନିଜର ବ୍ୟାବସାୟିକ ସ୍ୱାର୍ଥ ସକାଶେ ବର୍ଣ୍ଣମାଳା ପରିଚିତି ପୁସ୍ତକ ଛାପିବାରେ କିଛି ଅସୁବିଧା ନାହିଁ। କିନ୍ତୁ ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ପୁସ୍ତକର ନାମ ‘ବର୍ଣ୍ଣବୋଧ’ ଥିବା ବେଳେ ତାହାକୁ ଅନ୍ୟମାନେ କିପରି ବ୍ୟବହାର କରିପାରିବେ? ଏ କ୍ଷେତ୍ରରେ ସେମାନେ ନିଜସ୍ୱ ନାମ ବ୍ୟବହାର କଲେ କାହାର କିଛି କହିବାର ନାହିଁ। ସେହି ପୁସ୍ତକରେ ପଣକିଆ, ଜାତୀୟ ସଙ୍ଗୀତ ଓ ଇଂରାଜୀ ବର୍ଣ୍ଣମାଳା ଭଳି କିଛି ଅତିରିକ୍ତ ତଥ୍ୟ ଛାପି ମୂଳ ‘ବର୍ଣ୍ଣବୋଧ’ର ବିକୃତ କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ଏକଥା ସତ ଯେ ବଜାରରେ ବର୍ଣ୍ଣବୋଧ ଉପଲବ୍ଧ ନହେବାରୁ ଓଡ଼ିଶା ବୁକ୍ ଏମ୍ପୋରିୟମ ପକ୍ଷରୁ ‘ଛବିଳ ମଧୁ ବର୍ଣ୍ଣବୋଧ’ ଛପାଗଲା। ତାହାର ସଙ୍କଳକ ଥିଲେ ଦେବବ୍ରତ କର। ପରବର୍ତ୍ତୀ ଅବସ୍ଥାରେ ଡକ୍ଟର ବିଜୟାନନ୍ଦ ସିଂହ ମଧ୍ୟ ନିଜ ଉଦ୍ୟମରେ ‘ବର୍ଣ୍ଣବୋଧ’ ପୁସ୍ତକ ମୁଦ୍ରଣ ବ୍ୟବସ୍ଥା କରିଥିଲେ। ପ୍ରତିଯୋଗିତା ଓ ବ୍ୟବସାୟିକ ଫାଇଦା ସକାଶେ ଅନ୍ୟ କେତୋଟି ପ୍ରକାଶନ ସଂସ୍ଥା ପୁଣି ଆଗକୁ ମାଡ଼ି ଆସିଲେ। ସରକାର ମଧ୍ୟ ନିଜ କାର୍ଯ୍ୟକ୍ରମର ସଫଳତା ପାଇଁ ସେମାନଙ୍କଠାରୁ ପୁସ୍ତକ ସଂଗ୍ରହ କଲେ। ଏହା ପଛରେ ଲାଭ ଓ ଲୋଭ ରହିଯିବାରୁ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭ୍ରଷ୍ଟ ହୋଇଛି। ଏକଥା କେବଳ ଆମେ କହୁନୁ, ବିଶିଷ୍ଟ ଓଡ଼ିଆ ଭାଷାବିତ୍ ତଥା ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ, ବିଶ୍ୱଭାରତୀ ଓଡ଼ିଆ ଭାଷା ସାହିତ୍ୟର ପ୍ରାକ୍ତନ ପ୍ରଫେସର ବୈଷ୍ଣବ ଚରଣ ସାମଲ ମଧ୍ୟ ଉପସ୍ଥାପନ କରିଛନ୍ତି। ଭକ୍ତକବିଙ୍କ ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’କୁ ଅନ୍ୟ କୌଣସି ପ୍ରକାଶନ ସଂସ୍ଥାକୁ ଛାପିବାକୁ ଅନୁମତି ଦିଆଗଲା କିପରି? ଯେଉଁଥିରେ ଇଂରାଜୀ ଶବ୍ଦ ଓ ସଂଖ୍ୟା ସ୍ଥାନ ପାଇଛି। ଏଭଳି ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତିରେ ସେମାନେ କ୍ଷୋଭପ୍ରକାଶ କରିଛନ୍ତି।
ଅବୋଧଙ୍କ ଜ୍ଞାନୋଦୟ ପାଇଁ ରଚିତ ବର୍ଣ୍ଣବୋଧର ଅବବୋଧ ନେଇ ଅସଚେତନତା ଅକ୍ଷମଣୀୟ। ବ୍ୟବସ୍ଥାର ଏହା ଅଂଶବିଶେଷ ହୋଇଥିବାରୁ ଏହା ଅପରିବର୍ତ୍ତନୀୟ ଓ ଅଲଂଘନୀୟ। ଯୋଜନା, କାର୍ଯ୍ୟକ୍ରମ ଓ ସରକାରୀ ବ୍ୟବସ୍ଥାର ନାମ ପରିବର୍ତ୍ତନ ଓ ରଙ୍ଗ ବଦଳାଇବାରେ କାହାର କିଛି ଆପତ୍ତି କରିବାର ନାହିଁ। କିନ୍ତୁ ଓଡ଼ିଆ ଅସ୍ମିତାର ପ୍ରତୀକ ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’କୁ ବିକୃତ କରିବାର ଅଧିକାର ରାଜ୍ୟବାସୀ ସରକାରଙ୍କୁ ଦେଇନାହାନ୍ତି। ଏକଦା ଉତ୍ତରରୁ ବଙ୍ଗଳା ଏବଂ ପଶ୍ଚିମରୁ ହିନ୍ଦୀ ଭାଷା କ୍ରମେ ଆମ ରାଜ୍ୟରେ ପତିଆରା ଜାହିର କରିବାକୁ ଅଗ୍ରସର ହେଉଥିବା ବେଳେ ମଧୁସୂଦନ ରାଓଙ୍କ ପ୍ରଣୀତ ‘ବର୍ଣ୍ଣବୋଧ’ ହିଁ ଓଡ଼ିଆ ଭାଷାରେ ଜୀବନଶକ୍ତି ସଞ୍ଚାରିତ କରିଥିଲା। ଆଜି ତାହାକୁ ହତାଦର କରୁଥିବା ଲୋକଙ୍କୁ ଓଡ଼ିଶାବାସୀ କ୍ଷମା ଦେଇ ପାରିବେ ତ?