ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ : ସ୍ବାଗତଯୋଗ୍ୟ ସଫଳତା

ଶୋଇଲା ସିଂହ ମୁହଁରେ ମୃଗ ଆପଣା ଛାଏଁ ଆସି ପ୍ରବେଶ କରେ ନାହିଁ। କଥାଟି ଏକ କାଳଜୟୀ ସତ୍ୟ। ଏହାର ସରଳ ଅର୍ଥ ହେଲା କିଛି ପାଇବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ। ଏବେ ବିଶ୍ୱାୟନ ଓ ନିବେଶ ସର୍ବସ୍ୱ ଯୁଗରେ ଅଳ୍ପ ଦେଶ ଓ ଲୋକଙ୍କ ପାଖରେ ପ୍ରଚୁର ପୁଞ୍ଜି ରହିଛି। ସେମାନେ ସେହି ପୁଞ୍ଜିକୁ ବିଭିନ୍ନ ବେପାର ବଣିଜ ଓ ବ୍ୟବସାୟରେ ଲଗାଇ ନିଜର ଲାଭ ବଢ଼଼ାଇବାକୁ ଉଦ୍ୟମ କରୁଛନ୍ତି। ସେହି ପୁଞ୍ଜିପତି ଓ […]

ଶୋଇଲା ସିଂହ ମୁହଁରେ ମୃଗ ଆପଣା ଛାଏଁ ଆସି ପ୍ରବେଶ କରେ ନାହିଁ। କଥାଟି ଏକ କାଳଜୟୀ ସତ୍ୟ। ଏହାର ସରଳ ଅର୍ଥ ହେଲା କିଛି ପାଇବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ। ଏବେ ବିଶ୍ୱାୟନ ଓ ନିବେଶ ସର୍ବସ୍ୱ ଯୁଗରେ ଅଳ୍ପ ଦେଶ ଓ ଲୋକଙ୍କ ପାଖରେ ପ୍ରଚୁର ପୁଞ୍ଜି ରହିଛି। ସେମାନେ ସେହି ପୁଞ୍ଜିକୁ ବିଭିନ୍ନ ବେପାର ବଣିଜ ଓ ବ୍ୟବସାୟରେ ଲଗାଇ ନିଜର ଲାଭ ବଢ଼଼ାଇବାକୁ ଉଦ୍ୟମ କରୁଛନ୍ତି। ସେହି ପୁଞ୍ଜିପତି ଓ ନିବେଶକଙ୍କୁ ଆକର୍ଷିତ କରିବାକୁ ଉଦୀୟମାନ ଭାରତର ରାଜ୍ୟମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ମଧ୍ୟ ସାମିଲ ହୋଇଛି ଏବଂ ନିଜର ସମସ୍ତ ଶକ୍ତି ଓ ସାମର୍ଥ୍ୟ ପ୍ରୟୋଗ କରି ନିବେଶକଙ୍କୁ ଆକର୍ଷିତ କରିବାରେ ଲାଗିଛି। ଏହି କଠିନ ଶ୍ରମର ଫଳ ରାଜ୍ୟକୁ ମିଳିବାକୁ ଆରମ୍ଭ କରିବା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ଘଟଣା।

ସଦ୍ୟତମ ରିପୋର୍ଟ ଅନୁସାରେ ଏବେ ଯେଉଁ ବିଦେଶୀ ପୁଞ୍ଜି ନିବେଶ ପ୍ରକ୍ରିୟା ଚାଲିଛି, ସେଥିରେ ସମଗ୍ର ଦେଶରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଖଣିଜ ସମୃଦ୍ଧ ଓଡ଼ିଶା ଭାରତର ଏକ ସମ୍ପନ୍ନ ଔଦ୍ୟୋଗିକ ଶକ୍ତିକେନ୍ଦ୍ର ବା ପାୱାର ହାଉସ ଭାବେ ଆତ୍ମପ୍ରକାଶ କରିଛି। ୨୦୨୩ ଆର୍ଥିକ ବର୍ଷରେ ଅଧିକ ପୁଞ୍ଜି ଆକର୍ଷଣ କରିବାରେ ଏହା ଦେଶର ପ୍ରମୁଖ ରାଜ୍ୟର ମାନ୍ୟତା ପାଇଛି। ସିଏମ୍‌‌ଆଇଇ କ୍ୟାପେକ୍ସ ଡାଟାବେସ୍‌‌ ଓ ସିଆଇଆଇ ଗବେଷଣାର ତଥ୍ୟ ଅନୁସାରେ ଓଡ଼ିଶା ୨୦.୧ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆକର୍ଷିତ କରିଛି, ଯାହା ଏକ ରେକର୍ଡ। ସଫଳ ରାଜ୍ୟ ତାଲିକାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମହାରାଷ୍ଟ୍ର ୨୭.୬ ଲକ୍ଷ କୋଟି ଟଙ୍କାର ନିବେଶ ସହିତ ଏହି ସମୟରେ ପ୍ରଥମରେ ରହିଛି। ଅବଶ୍ୟ ଏହି ତାଲିକାରେ ତୃତୀୟରୁ ସପ୍ତମ ସ୍ଥାନ ମଧ୍ୟରେ ଯେଉଁ ସବୁ ରାଜ୍ୟ ରହିଛନ୍ତି, ସେମାନଙ୍କ ମଧ୍ୟରେ ବ୍ୟବଧାନ ଅତି ଅଧିକ ନୁହେଁ। ତେଣୁ ପ୍ରତିଯୋଗିତା କେତେ ତୀବ୍ର ଏବଂ ଏଥିରେ ସଫଳ ହେବା କେତେ ଆହ୍ୱାନମୂଳକ, ତାହା ସ୍ପଷ୍ଟ ହୋଇଯାଉଛି।

ଓଡ଼ିଶା ପୁଞ୍ଜି ଆକର୍ଷଣରେ ସଫଳ ହେବାର କାରଣଗୁଡ଼ିକ ହେଲା ‘ଇଜ୍‌‌ ଅଫ୍‌‌ ଡୁଇଙ୍ଗ ବିଜିନେସ୍‌‌’ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି, ‘ସିଙ୍ଗଲ ଉଇଣ୍ଡୋ କ୍ଲିୟରାନ୍ସ ସିଷ୍ଟମ’, ଇ-ଗଭର୍ଣ୍ଣାନ୍ସ, ଏମ୍‌‌ଏସ୍‌‌ଏସ୍‌‌ଇ ପାର୍କର ବିକାଶ, ଶିଳ୍ପ କ୍ଲଷ୍ଟରର ଉନ୍ନତି, ଭିତ୍ତିଭୂମିର ବିକାଶ, ଜିଲ୍ଲାସ୍ତରୀୟ ନିବେଶ ପ୍ରୋତ୍ସାହନ ସଂସ୍ଥାର କାର୍ଯ୍ୟକାରିତା, ପ୍ରକାଣ୍ଡ ଭୂମିବ୍ୟାଙ୍କ ଏବଂ ସ୍ଥିର ଓ କର୍ମପ୍ରବଣ ସରକାର ତଥା ଶାସନ ବ୍ୟବସ୍ଥା। ଆମ ଖଣି, ପାଣି, ଜଙ୍ଗଲ ସମ୍ପଦ, ମାନବସମ୍ବଳ, ବନ୍ଦର, ରାଜପଥ, ରେଳପଥ ଓ ବିମାନପଥ ସବୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସ୍‌‌ ୱେ ସେ ଅଞ୍ଚଳର ଜୀବନରେଖା ପାଲଟିବା ସହିତ ଶିଳ୍ପ ଓ ବାଣିଜ୍ୟ ପାଇଁ ନୂଆ ସୁଯୋଗ ଆଣିଛି। ତେଣୁ ନିବେଶକ ଓଡ଼ିଶାମୁହାଁ ହେବା ସ୍ୱାଭାବିକ। ସରକାର ଏଥିପାଇଁ ସମର୍ପିତ ଭାବେ ନିଜକୁ ନିୟୋଜିତ କରିଛନ୍ତି ଏବଂ ଯାହା ସମ୍ଭବ ତାହା କରାଯାଇ ଏକ ଉତ୍ସର୍ଗୀକୃତ ଟିମ୍‌‌ ମାଧ୍ୟମରେ ତାହା କାର୍ଯ୍ୟକାରୀ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାର୍ଥରେ କହିଛନ୍ତି ଯେ ରାଜ୍ୟରେ ‘୫-ଟି’ ଢାଞ୍ଚା କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ନିବେଶକଙ୍କ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳୀ ପାଲଟିଛି। ଏଥିରେ ଦ୍ୱିମତ ହେବାର ନାହିଁ। ଅତଏବ ଯେଉଁମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରୁଛନ୍ତି ସେମାନଙ୍କୁ ସ୍ୱାଗତ କରିବା ସହିତ ତୁରନ୍ତ ବେପାରବଣିଜ ଆରମ୍ଭ କରିବାକୁ ସୁଯୋଗ ଦେବାର ଆବଶ୍ୟକତା ରହିଛି।

ନିକଟରେ ବେଙ୍ଗାଲୁୁୁରୁରେ ଯେଉଁ ନିବେଶକ ସମ୍ମିଳନୀ ହୋଇଥିଲା, ତାହାର ଫଳାଫଳ ବେଶ୍‌‌ ଉତ୍ସାହଜନକ ହୋଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ବୟନଶିଳ୍ପ ଓ ପୋଷାକପତ୍ର କ୍ଷେତ୍ରରେ ୧୧,୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ୪୬ଜଣ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି। ଏହାଫଳରେ ୩୧,୫୦୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଅନେକ ହୁଏତ ପ୍ରଶ୍ନ କରିପାରନ୍ତି ଯେ ଏ ପ୍ରତିଶ୍ରୁତିର ମୂଲ୍ୟ କ’ଣ? ସେମାନଙ୍କ ପ୍ରଶ୍ନ ଅଯୌକ୍ତିକ ନୁହେଁ। ତେବେ ବାସ୍ତବତା ହେଲା ବିଶ୍ୱର ପୁଞ୍ଜିପତିମାନଙ୍କ ପାଖରେ ଏବେ ଏତେ ଧନ ରହିଛି ଯେ ସେମାନେ ତାହାକୁ ଉପଯୁକ୍ତ କ୍ଷେତ୍ରରେ ନିବେଶ କରି ନିଜର ଲାଭ ବଢ଼଼ାଇବାକୁ ସମଗ୍ର ବିଶ୍ୱକୁ ଦରାଣ୍ଡୁଛନ୍ତି। ଆମେ ଯଦି ତାଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଦେଇ ଆକୃଷ୍ଟ କରିପାରିବା, ତାହା ହେବ ଆମର ସଫଳତା ଓ ବାହାଦୁରି।

ବେଙ୍ଗାଲୁରୁର ଦୁଇଦିନିଆ ନିବେଶକ ସମ୍ମିଳନୀରେ ମୁଖ୍ୟ ସଚିବଙ୍କ ସହ ବରିଷ୍ଠ ପ୍ରଶାସକ ଓ ନୀତି ନିର୍ଦ୍ଧାରକମାନେ ଯୋଗଦେଇ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାର କ’ଣ ଅଛି, ଓଡ଼ିଶା ନିବେଶକଙ୍କୁ କ’ଣ ଦେଇପାରିବ ଏବଂ ନିବେଶକଙ୍କର କି ଲାଭ ହେବ, ତାହା ବୁଝାଇ ସେମାନଙ୍କ ମନରୁ ସଂଶୟ ଦୂର କରିଛନ୍ତି। ଏହା କେବଳ ଏକ ଟିମ୍‌‌ର କାମ ନୁହେଁ, ଏଥିରେ ସମଗ୍ର ସରକାରର ଭାବନା ଓ ଉଦ୍ୟମ ପ୍ରତିଫଳିତ। ବଡ଼କଥା ହେଲା ନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ନିରନ୍ତର ଲାଗିଛି ଏବଂ ଏହି ପରିଶ୍ରମର ଫଳ ମଧ୍ୟ ମିଳୁଛି। ଏହି ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇ ଓଡ଼ିଶା ଏ କ୍ଷେତ୍ରରେ ଆହୁରି ସଫଳ ହେବ ବୋଲି ଏହି ପରପ୍ରେକ୍ଷୀରେ ଆଶା କରିବା ସ୍ୱାଭାବିକ। ପରିଶ୍ରମର ଫଳ ଅବଶ୍ୟ ମିଳିବ।

About The Author: The Sakala