ଇଭିଏମ୍‌‌କୁ ନେଇ ଇଣ୍ଡି ମେଣ୍ଟର ପୁରୁଣା ଖୋଇ!

ଇଲେକ୍‌‌ଟ୍ରୋନିକ୍‌‌ ଭୋଟିଂ ମେସିନ୍‌‌ ବା ଇଭିଏମ୍‌‌ରେ ପ୍ରାର୍ଥୀ ପାଇଥିବା ଭୋଟ୍‌‌କୁ ଏପଟ ସେପଟ କରି ଜୟ-ପରାଜୟ ନିର୍ଣ୍ଣିତ ହୋଇପାରିବ, ଏହା ବିଶ୍ୱାସଯୋଗ୍ୟ, ନିରାପଦ ଓ ସୁରକ୍ଷିତ ନୁହେଁ ଆଦି ଯେତେସବୁ ଅଭିଯୋଗ ଭାରତରେ ଏ ପର୍ଯ୍ୟନ୍ତ ଉଠୁଥିଲା, ତାହାକୁ ରାଜନୈତିକ ଦୁରଭିସନ୍ଧିମୂଳକ ବୋଲି ଭାବି କେହି ଗୁରୁତ୍ୱ ଦେଉ ନଥିଲେ। ଏହା ଇଭିଏମ୍‌‌ ପ୍ରବର୍ତ୍ତନର ଗତ ତିନିଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଆସୁଥିବା ଏକ ରାଜନୈତିକ ପ୍ରତିକ୍ରିୟା। ଏହି ଅଭିଯୋଗର କାହାଣୀ ସେତେବେଳେ ଆରମ୍ଭ ହୁଏ, ଯେତେବେଳେ […]

ଇଲେକ୍‌‌ଟ୍ରୋନିକ୍‌‌ ଭୋଟିଂ ମେସିନ୍‌‌ ବା ଇଭିଏମ୍‌‌ରେ ପ୍ରାର୍ଥୀ ପାଇଥିବା ଭୋଟ୍‌‌କୁ ଏପଟ ସେପଟ କରି ଜୟ-ପରାଜୟ ନିର୍ଣ୍ଣିତ ହୋଇପାରିବ, ଏହା ବିଶ୍ୱାସଯୋଗ୍ୟ, ନିରାପଦ ଓ ସୁରକ୍ଷିତ ନୁହେଁ ଆଦି ଯେତେସବୁ ଅଭିଯୋଗ ଭାରତରେ ଏ ପର୍ଯ୍ୟନ୍ତ ଉଠୁଥିଲା, ତାହାକୁ ରାଜନୈତିକ ଦୁରଭିସନ୍ଧିମୂଳକ ବୋଲି ଭାବି କେହି ଗୁରୁତ୍ୱ ଦେଉ ନଥିଲେ। ଏହା ଇଭିଏମ୍‌‌ ପ୍ରବର୍ତ୍ତନର ଗତ ତିନିଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଆସୁଥିବା ଏକ ରାଜନୈତିକ ପ୍ରତିକ୍ରିୟା। ଏହି ଅଭିଯୋଗର କାହାଣୀ ସେତେବେଳେ ଆରମ୍ଭ ହୁଏ, ଯେତେବେଳେ ପ୍ରମୁଖ ରାଜନୈତିକ ଦଳମାନେ ନିର୍ବାଚନରେ ହାରିଯାଆନ୍ତି। ବିଡ଼ମ୍ବନାର ବିଷୟ ସେମାନେ ଯେତେବେଳେ ପୁନର୍ବାର ସେହି ଇଭିଏମ୍‌‌ ମାଧ୍ୟମରେ କ୍ଷମତାକୁ ଫେରନ୍ତି, ସେତେବେଳେ ସେହି ଭୋଟିଂ ଯନ୍ତ୍ରର ବିଶ୍ୱସନୀୟତା ଓ ଦକ୍ଷତା ନେଇ ପାଟି ଖୋଲନ୍ତି ନାହିଁ। ତେବେ ସେ ଯା’ହେଉ ସୁପ୍ରିମକୋର୍ଟ ଇଭିଏମ୍‌‌ର ଗ୍ରହଣୀୟତା ଓ ବିଶ୍ୱସନୀୟତାକୁ ଅଳ୍ପଦିନ ତଳେ ସବୁଜ ସଂକେତ ଦେବା ପରେ ଏହି ବିବାଦର ଅବସାନ ଘଟିଥିଲା। ତେବେ ଇଭିଏମ୍‌‌ କାହାଣୀର ଅନ୍ତ ଭାରତରେ ଘଟିଥିଲେ ମଧ୍ୟ ଦେଶ ବାହାରେ ଏହା ପୁଣି ଏକ ବଡ଼ ପ୍ରସଙ୍ଗ ହୋଇ ଉଭା ହୋଇଛି।

ଟେସ୍‌‌ଲା ଓ ସ୍ପେସ୍‌‌ଏକ୍ସ ଭଳି ଆଇଟି କମ୍ପାନୀର ପ୍ରତିଷ୍ଠାତା ତଥା ସହସ୍ରକୋଟି ପତି ଏଲନ୍‌‌ ମସ୍କ ଆମେରିକାରେ ଇଭିଏମ୍‌‌ ବିବାଦର ଭାନୁମତୀ ପେଡ଼ି ପୁନଶ୍ଚ ଖୋଲିଛନ୍ତି। କାରବୀୟ ଦ୍ୱୀପପୁଞ୍ଜ ପୁଏର୍ତ୍ତୋ ରିକୋରେ ଅନୁଷ୍ଠିତ ପ୍ରାଇମେରୀ ନିର୍ବାଚନରେ ଇଭିଏମ୍‌‌ ଅନିୟମିତତା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଇଲେକ୍‌‌ଟ୍ରୋନିକ୍‌‌ ଭୋଟିଂ ମେସିନ୍‌‌କୁ ‘ହ୍ୟାକ୍‌‌’ କରି ହେବ। ‘ହ୍ୟାକ’ର ଅର୍ଥ ଏହାର ସଫ୍ଟୱେରକୁ ନଷ୍ଟ କରି ଫଳାଫଳକୁ ବଦଳା ଯାଇପାରିବ। ରାଜନୈତିକ ନେତା ଭାରତରେ ଇଭିଏମ୍‌‌ର ବିଶ୍ୱସନୀୟତାକୁ ପ୍ରଶ୍ନ କରିବା ଏବଂ ଏଲନ୍‌‌ ମସ୍କଙ୍କ ଭଳି ଟେକ୍‌‌ନୋ ବ୍ୟାପାରୀ, ନିବେଶକ ଓ ପରିଚାଳକ ଏହା ହ୍ୟାକ୍‌‌ ହୋଇପାରିବ କହିବା ଭିତରେ ତଫାତ୍‌‌ ନିଶ୍ଚୟ ରହିଛି। ମସ୍କଙ୍କ ଏହି ବିବାଦୀୟ ବକ୍ତବ୍ୟକୁ ଭାରତୀୟ ନିର୍ବାଚନ ପରିପ୍ରେକ୍ଷୀରେ ଇଭିଏମ୍‌‌ର ବିଶ୍ୱସନୀୟତା ଜନିତ ବିତର୍କ ପୁଣି ତେଜୀୟାନ ହୋଇଛି। ଏହି ପରିପ୍ରେକ୍ଷୀରେ ରାହୁଳ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କ ଭଳି ନେତାମାନେ ପୁନର୍ବାର ସକ୍ରିୟ ହେବା ସ୍ୱାଭାବିକ। କାରଣ ସେମାନେ ଇଭିଏମ୍‌‌ର ତୀବ୍ର ବିରୋଧ କରି ଆସିଛନ୍ତି, ବିଶେଷକରି, ବିଜେପି ଓ ଏନ୍‌‌ଡିଏର ନିର୍ବାଚନ ବିଜୟ ପରିପ୍ରେକ୍ଷୀରେ। ଗତ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏନ୍‌‌ଡିଏର ପ୍ରଦର୍ଶନ ଆଶାଜନକ ନ ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଲୋଚକଙ୍କୁ ତାଚ୍ଛଲ୍ୟ କରି କହିଥିଲେ, ‘ଏଥର ଇଭିଏମ୍‌‌କୁ କେହି ଦୋଷ ଦେଇ ନାହାନ୍ତି କିପରି?’

ପୁଏର୍ତ୍ତୋ ରିକୋ କାରିବିଆନ୍‌‌ ସାଗରର ଏକ ଦ୍ୱୀପ, ଯାହା ଆମେରିକାର ଅଞ୍ଚଳ ଭାବେ ବିବେଚିତ ହେଉଥିଲେ ମଧ୍ୟ ସେ ଅଞ୍ଚଳକୁ ଯୁକ୍ତରାଷ୍ଟ୍ର ଭୂଖଣ୍ଡରେ ଗୁରୁତ୍ୱ ଦିଆଯାଇନାହିଁ। ସେଠାକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାଥମିକ ପର୍ଯ୍ୟାୟ ନିର୍ବାଚନ ସେମିତି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯାହା ଆମେରିକା କିମ୍ବା କୌଣସି ଏକ ବଡ଼ ଗଣତାନ୍ତ୍ରିକ ଦେଶର ଭୋଟ୍‌‌ ଫଳାଫଳକୁ ପ୍ରଭାବିତ କରିବ। ଏଲନ୍‌‌ ମସ୍କ ଯେତେବେଳେ ଏହି ପ୍ରସଙ୍ଗରେ ଇଭିଏମ୍‌‌ ହ୍ୟାକ୍‌‌ ହୋଇପାରିବ ବୋଲି କହିଛନ୍ତି, ସେତେବେଳେ ସେ ଭାରତୀୟ ନିର୍ବାଚନରେ ବ୍ୟବହୃତ ଇଭିଏମ୍‌‌ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ପ୍ରଚଳିତ ଭୋଟିଂ ମେସିନ୍‌‌ ଓ ଭାରତୀୟ ଇଭିଏମ୍‌‌ର କାର୍ଯ୍ୟକାରୀ ଟେକ୍‌‌ନୋଲଜି ଭିତରେ ତଫାତ୍‌‌ ରହିଛି। ତଥାପି ଭାରତର ଇଭିଏମ୍‌‌କୁ ନେଇ ବିରୋଧୀ ରାଜନୈତିକ ଦଳ ବିବାଦ ସୃଷ୍ଟି କରିବା ଆରମ୍ଭ କରିଛନ୍ତି। ମସ୍କ ଆହୁରି ସ୍ପଷ୍ଟ କରିଦେଇଛନ୍ତି ଯେ ଭୋଟିଂ ମେସିନ୍‌‌ଗୁଡ଼ିକୁ ମଣିଷ କିମ୍ବା ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ହ୍ୟାକ୍‌‌ କରାଯାଇପାରିବ।

ତେବେ ଭାରତ ପକ୍ଷରୁ ଏବଂ ଜଣେ ଟେକ୍‌‌ନୋଲୋଜି ବିଶାରଦ ଭାବେ ପୂର୍ବତନ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମସ୍କଙ୍କ ଅଭିଯୋଗର ଦୃଢ଼ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ଇଭିଏମ୍‌‌ର ଡିଜାଇନ୍‌‌, କାର୍ଯ୍ୟକାରୀ ଟେକ୍‌‌ନୋଲଜି ଓ ବ୍ୟବହାର ପ୍ରଣାଳୀ ଆମେରିକୀୟ ମେସିନ୍‌‌ଗୁଡ଼ିକଠାରୁ ଭିନ୍ନ। ଭାରତୀୟ ନିର୍ବାଚନ ପରିସ୍ଥିତିକୁ ଆଖିରେ ରଖି ଆମର ଇଭିଏମ୍‌‌ଗୁଡ଼ିକୁ ଏକକ କାର୍ଯ୍ୟକ୍ଷମ ତଥା ଇଣ୍ଟରନେଟ୍‌‌ ତଥା ବ୍ଲୁଟୁ୍‌‌ଥ୍‌‌, ଏଆଇ ଶୃଙ୍ଖଳ ଭଳି କୌଣସି ନେଟ୍‌‌ୱର୍କ ସଂଯୋଗକୁ ସମ୍ପୂର୍ଣ୍ଣ ବାଦ୍‌‌ ଦେଇ ବିଶେଷଭାବେ ନିର୍ମାଣ କରାଯାଇଛି। ତେଣୁ ଆମର ଇଭିଏମ୍‌‌ଗୁଡ଼ିକୁ କୌଣସି ପରିସ୍ଥିତିରେ ହ୍ୟାକ୍‌‌ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ଭାରତରେ ଇଭିଏମ୍‌‌ କାରଖାନାରେ ନିର୍ମାଣ ସମୟରେ ପ୍ରୋଗ୍ରାମ କଣ୍ଟ୍ରୋଲର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ, ଯାହାକୁ ରିପ୍ରୋଗ୍ରାମ ବା ବଦଳ କରିହେବ ନାହିଁ। ଭାରତରେ ଇଭିଏମ୍‌‌ର ନିର୍ମାଣ ଓ ତାହାର ନିରାପତ୍ତା ଦିଗ ସମ୍ପର୍କରେ ଏଲନ୍‌‌ ମସ୍କଙ୍କୁ ଟ୍ୟୁସନ କରି ବୁଝାଇବାକୁ ସେ ପ୍ରସ୍ତୁତ ବୋଲି ରାଜୀବ ଚନ୍ଦ୍ରଶେଖର କଟାକ୍ଷ କରିଛନ୍ତି।

ମସ୍କଙ୍କ ଦାବି ଏବଂ ଚନ୍ଦ୍ରଶେଖରଙ୍କ ପ୍ରତିବାଦ ମଧ୍ୟରେ ଆମକୁ ଦୁଇଟି କଥା ସ୍ପଷ୍ଟ ଦେଖାଯାଉଛି। ମସ୍କ ଆଇଟି ଜଗତର ପୁଞ୍ଜି ନିବେଶକ, ବ୍ୟବସାୟୀ ଓ ବିଶ୍ୱବିଖ୍ୟାତ ଶିଳ୍ପପତି। ସେ କିନ୍ତୁ ଶତପ୍ରତିଶତ ଟେକ୍‌‌ନୋକ୍ରାଟ ବା ବୈଷୟିକ ଜ୍ଞାନଧାରୀ ବ୍ୟକ୍ତି ନୁହନ୍ତି। ଅପରପକ୍ଷରେ ରାଜୀବ ଚନ୍ଦ୍ରଶେଖର ଜଣେ ଆଇଟି ବିଶାରଦ ଏବଂ ଏହି ଟେକ୍‌‌ନୋଲୋଜି ଉପରେ ତାଙ୍କର ଦଖଲ ଭଲ ଅଛି। ମସ୍କଙ୍କ ସ୍ପଷ୍ଟୀକରଣ ହେଲା ଇଭିଏମ୍‌‌ ହ୍ୟାକ୍‌‌ ସମ୍ଭାବନା ଏବେ କମ୍‌‌ ଥିଲେ ମଧ୍ୟ ଏହା ଭବିଷ୍ୟତରେ ହୋଇପାରେ।

ଏବେ ପ୍ରଶ୍ନ ହେଉଛି ଯେ ଦ୍ରୁତ ପରିବର୍ତ୍ତନଶୀଳ ଟେକ୍‌‌ନୋଲୋଜି ପରିପ୍ରେକ୍ଷୀରେ ଭାରତୀୟ ଇଭିଏମ୍‌‌ କେତେକାଳ ପର୍ଯ୍ୟନ୍ତ ବିଶ୍ୱସନୀୟ ହୋଇପାରିବ? ଅବଶ୍ୟ ଗତ ଏକଦଶକରୁ ଊର୍ଦ୍ଧ୍ବ ସମୟରେ ବିଭିନ୍ନ ରାଜନୈତିକ ବିରୋଧୀ ଦଳମାନେ ଆମ ଇଭିଏମ୍‌‌କୁ ହ୍ୟାକ୍‌‌ କରାଯାଇପାରେ ବୋଲି ଦାବି କରିଆସୁଥିଲେ ମଧ୍ୟ ନିର୍ବାଚନ କମିଶନ୍‌‌ର ସିଧାସଳଖ ଆହ୍ୱାନରେ ସମସ୍ତଙ୍କ ସମ୍ମୁଖରେ ଆମ ଇଭିଏମ୍‌‌କୁ ହ୍ୟାକ୍‌‌ କରିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। ସେଇଥିପାଇଁ ମାନ୍ୟବର ଉଚ୍ଚତମ ଅଦାଲତ ମଧ୍ୟ ଇଭିଏମ୍‌‌ର ବିଶ୍ୱସନୀୟତା ଉପରେ ଲଗାଯାଇଥିବା ପ୍ରଶ୍ନ ଚିହକୁ ଗ୍ରହଣ କରି ନାହାନ୍ତି। କଂଗ୍ରେସ ନେତା ରାହୁଳ୍‌‌ ଗାନ୍ଧୀଙ୍କ ମତରେ ଆମ ଇଭିଏମ୍‌‌ ଉଡ଼ାଜାହାଜରେ ଥିବା ବ୍ଲାକ୍‌‌ବକ୍ସ ଭଳି ଅତ୍ୟନ୍ତ ଗୋପନୀୟ ଓ ଅସ୍ୱଚ୍ଛ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ରହିବା ଉଚିତ ନୁହେଁ। ଏଲନ୍‌‌ ମସ୍କଙ୍କ ଭଳି ପ୍ରତିଷ୍ଠିତ ଆଇଟି ନିବେଶକ, ପ୍ରଶାସକ ଓ ମାଲିକଙ୍କ ସମେତ କିଛି ଆନ୍ତର୍ଜାତିକ ଆଇଟି ବିଶେଷଜ୍ଞ ଯେତେବେଳେ ଇଭିଏମ୍‌‌ର ନିରାପତ୍ତା ନେଇ ପ୍ରଶ୍ନ ଉଠାଉଛନ୍ତି, ସେତେବେଳେ ଭାରତକୁ ତାହାର ଇଭିଏମ୍‌‌କୁ ସମ୍ପୂର୍ଣ୍ଣ ସୁରକ୍ଷିତ ତଥା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ଉଚ୍ଚତର ଟେକ୍‌‌ନୋଲୋଜି ବଢ଼଼ାଇବାକୁ ପଡ଼ିପାରେ।

ଦେଶରେ ଏହି ସାନି ବିବାଦ ଆରମ୍ଭ ହୋଇଛି ମହାରାଷ୍ଟ୍ରର ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକସଭା ନିର୍ବାଚନ କ୍ଷେତ୍ରରେ ଭୋଟ ଗଣନା ସମ୍ପର୍କରେ ଅଣାଯାଇଥିବା କେତେକ ଗୁରୁତର ଅଭିଯୋଗ ଆସିବା ପରେ। ମହାରାଷ୍ଟ୍ରର ଶିବସେନା(ଉଦ୍ଧବ ବାଲ୍‌‌ଠାକରେ) ପକ୍ଷରୁ ଅଭିଯୋଗ ହୋଇଛି ଯେ ଭୋଟଗଣତି କେନ୍ଦ୍ରକୁ ଶାସକ ଦଳର କିଛି ନେତା ଏକ ବିଶେଷ ମୋବାଇଲ୍‌‌ ଫୋନ୍‌‌ ନେଇ ଯାଇଥିଲେ ଏବଂ ସେଥିରେ ଯେଉଁ ସନ୍ଦେହଜନକ ଓଟିପି ନମ୍ବର ଆସିଥିଲା, ଯାହା ମାଧ୍ୟମରେ ଇଭିଏମ୍‌‌ରେ ଭୋଟଗଣତିର ଉଣେଇଶତମ ପର୍ଯ୍ୟାୟ ପରଠାରୁ ବିଭ୍ରାଟ ଘଟିଲା ଏବଂ ପୂର୍ବରୁ ଭୋଟଗଣତିରେ ଆଗୁଆ ଥିବା ପ୍ରାର୍ଥୀ ଶେଷରେ ମାତ୍ର ୪୮ଟି ଭୋଟରେ ହାରିଛନ୍ତି ବୋଲି ଘୋଷଣା କରାଗଲା। ଏ ସମ୍ପର୍କରେ ଉଦ୍ଧବ ଠାକ୍‌‌ରେଙ୍କ ଦଳ ନିର୍ବାଚନୀ ମୋକଦ୍ଦମା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଘୋଷଣା କରାଯାଇଛି। ଏହି ଘଟଣା ପରିପ୍ରେକ୍ଷୀରେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳମାନେ ପୁଣି ଥରେ ଇଭିଏମ୍‌‌ର ବିଶ୍ୱସନୀୟତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଉଠାଇଛନ୍ତି। ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରାଥମିକ ପର୍ଯ୍ୟାୟରେ ଭୋଟିଂ ମେସିନ୍‌‌ର କାର୍ଯ୍ୟପ୍ରଣାଳୀକୁ ସନ୍ଦେହ କରି ଏଲନ୍‌‌ ମସ୍କ ଯେଉଁ ବିବୃତି ଦେଇଛନ୍ତି ତାହାକୁ ଭାରତୀୟ ଇଭିଏମ୍‌‌ର କାର୍ଯ୍ୟକାରିତା ସହିତ ସମ୍ପୃକ୍ତ କରିବା ବୋଧହୁଏ ଅସମୀଚୀନ। ସେମିତି ଦେଖିବାକୁ ଗଲେ ଆଧୁନିକ ବିଶ୍ୱର କୌଣସି ବୈଜ୍ଞାନିକ ଉପଲବ୍ଧି ବା ପ୍ରଯୁକ୍ତି ବିଦ୍ୟାର ସ୍ତରକୁ ସର୍ବଦା ଓ ସର୍ବଥା ଉନ୍ନତ କରାଯାଇପାରିବ ଏବଂ କାର୍ଯ୍ୟପ୍ରଣାଳୀରେ ଆହୁରି ଅଧିକ ଦକ୍ଷତା ଓ ସ୍ୱଚ୍ଛତା ଅଣାଯାଇପାରିବ। ଭାରତୀୟ କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟଦକ୍ଷତାକୁ ସାରାବିଶ୍ୱ ପ୍ରଶଂସା କରୁଥିବା ବେଳେ ଆମ ନିଜ ଦେଶର ରାଜନୈତିକ ଦଳମାନେ, ଏ ପର୍ଯ୍ୟନ୍ତ କୌଣସି ସର୍ବମାନ୍ୟ ଉଦାହରଣ ନ ଦେଇ ପାରି ମଧ୍ୟ ବାରମ୍ବାର ଇଭିଏମ୍‌‌କୁ ସନ୍ଦେହ ଘେର ଭିତରେ ରଖିବାକୁ ଅପଚେଷ୍ଟା କରି ଚାଲିଛନ୍ତି। ବୋଧହୁଏ ସେମାନଙ୍କ ମତ ହେଉଛି, ‘ଗାଁ କନିଆ ସିଂଘାଣି ନାକି’। ଭାରତୀୟ ଅସ୍ମିତା ଚୁଲିକୁ ଯାଉ!

About The Author: The Sakala