ଦୁଇବର୍ଷରୁ ଅଧିକ ସମୟ ଧରି କୋଭିଡ୍-୧୯ ନାମକ ଭୟାନକ ଭୂତାଣୁ ପ୍ରହାରରେ ନୟାନ୍ତ ହୋଇସାରିଥିବା ବିଶ୍ୱ ଏବେ ଟିକିଏ ଆଶ୍ୱସ୍ତି ଅନୁଭବ କରୁଥିବାବେଳେ ପୁଣି ଏକ ନୂଆ ରୋଗ ବିଶ୍ୱବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ଇନ୍ଫ୍ଲୁଏଞ୍ଜା-ଏ (ଏଚ୍୩ ଏନ୍୨) ଦ୍ୱାରା ବ୍ୟାପୁଥିବା ଏହି ରୋଗରେ ପୀଡ଼ିତ ବ୍ୟକ୍ତି ପ୍ରବଳ ଥଣ୍ଡା, ଜ୍ୱର, ମୁଣ୍ଡବ୍ୟଥା, ଶରୀର ପୀଡ଼ା, ଛିଙ୍କ, କାଶ ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଜଣାପଡ଼ୁଛି। ଏଥିରେ ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ନ ହେଲେ ମଧ୍ୟ ଏହାଦ୍ୱାରା ଆକ୍ରାନ୍ତଙ୍କ ଶରୀରରେ କୋଭିଡ୍ ୧୯ ଭଳି ଲକ୍ଷଣକୁ ଅଧିକ ସକ୍ରିୟ କରୁଥିବା ହିଁ ଚିନ୍ତାର ବିଷୟ।
ଇନ୍ଫ୍ଲୁଏଞ୍ଜା ବା ଥଣ୍ଡା କାଶ ଜ୍ୱର ଏକ ସାଧାରଣ ରୋଗ ଭାବରେ ତା’ ସହିତ ଆମେ ଆଗରୁ ପରିଚିତ। ସାଧାରଣତଃ ଆମ ଦେଶରେ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଏବଂ ମୌସୁମୀ ପ୍ରବାହ ସମୟରେ ଏଭଳି ରୋଗ ବ୍ୟାପେ। ତେଣୁ ଏଥିରେ ସେତେଟା ଆତଙ୍କିତ ହେବାର ନାହିଁ। ତଥାପି ଓଡ଼ିଶା ସମେତ ଦେଶର ପ୍ରାୟ ସବୁ ଅଞ୍ଚଳରେ ଏହି ଆଡିନୋଭାଇରସ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ସତର୍କତାମୂଳକ ପଦକ୍ଷେପ ଓ ପ୍ରସ୍ତୁତି ଲାଗି ପରାମର୍ଶ ଦିଆଯାଇଛି। ବିଶ୍ୱ ସମେତ ଭାରତବାସୀଙ୍କ ମନରୁ କରୋନାର କରାଳ ପ୍ରହାର ଜନିତ ଯନ୍ତ୍ରଣା ଏ ପର୍ଯ୍ୟନ୍ତ ଲିଭି ନଥିବାରୁ ଏ କ୍ଷେତ୍ରରେ କୌଣସି ପ୍ରକାର ଉଦାସୀନତା ଗ୍ରହଣୀୟ ନୁହେଁ। ଏଣୁ କେନ୍ଦ୍ର ସହିତ ସମସ୍ତ ରାଜ୍ୟ ସରକାରମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।
କୋଭିଡ୍ ୧୯ ସଂକ୍ରମଣକୁ ମୁକାବିଲା କରିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମ ଦେଶର ସ୍ୱାସ୍ଥ୍ୟ ଓ ଚିକିତ୍ସା ଭିତ୍ତିଭୂମି ଆଦୌ ପ୍ରସ୍ତୁତ ନଥିଲା। ତେଣୁ ଗୁରୁତର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଅଣାଯାଇ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରୁ କୋଭିଡ୍ର ତୃତୀୟ ଲହର ସେତେ ମାରାତ୍ମକ ହୋଇପାରି ନ ଥିଲା। ତେଣୁ ଏବେ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଯେପରି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡାକ୍ତରଖାନାମାନଙ୍କୁ ପ୍ରସ୍ତୁତ କରାଯିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ଥଣ୍ଡାଜ୍ୱର ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଆକ୍ରାନ୍ତଙ୍କ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି। ଏଚ୍୩ଏନ୍୨ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରି ସିକ୍ୱେସିଂ କରିବାକୁ ଆଞ୍ଚଳିକ ଭେଷଜ ଗବେଷଣା ଅନୁଷ୍ଠାନମାନଙ୍କୁ କୁହାଯାଇଛି। ଏଥିସହିତ ପରୀକ୍ଷଣ, ପର୍ଯ୍ୟବେକ୍ଷଣ, ଚିକିତ୍ସା, ଟିକାକରଣକୁ ବ୍ୟାପକ କରିବାକୁ ମଧ୍ୟ କେନ୍ଦ୍ର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି।
ଓଡ଼ିଶାରେ ଜାନୁଆରୀ ଓ ଫେବୃଆରୀ ମାସରେ ୨୨୫ ଜଣ ଆକ୍ରାନ୍ତଙ୍କ ନମୁନା ପରୀକ୍ଷାରୁ ଏ ପର୍ଯ୍ୟନ୍ତ ଏହି ଇନ୍ଫ୍ଲୁଏଞ୍ଜାରେ ୫୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଏଚ୍୩ଏନ୍୨ ଭାଇରସ ଚିହ୍ନଟ ଓଡ଼ିଶାରେ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟାନ୍ୟ ରାଜ୍ୟମାନଙ୍କରେ କିଛି କିଛି କୋଭିଡ୍ ୧୯ର ଭାଇସର ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ ସେଭଳି କିଛି ଘଟଣା ସାମ୍ନାକୁ ଆସିନାହିଁ। ତେବେ ଭାରତର କେତେକ ପ୍ରଦେଶରେ କୋଭିଡ୍ ଚିହ୍ନଟ ହେବା ପରେ ପୁଣି ଥରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ୁଥିବାର ଲକ୍ଷ୍ୟ କରାଯାଉଛି। ଏହା ଉଦ୍ବେଗର ବିଷୟ।
ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଜନସଚେତନତା ସୃଷ୍ଟି ଦିଗରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଭାଇରାଲ୍ ଫ୍ଲୁ ବେମାର ବିଶେଷକରି ଶିଶୁ ଓ ବୟସ୍କମାନଙ୍କ ମଧ୍ୟରେ ଦେଖାଯାଉଥିବାରୁ ସେମାନଙ୍କୁ ଅଧିକ ସୁରକ୍ଷା ଦେବା ଆବଶ୍ୟକ। ଯଦିଓ ଅଣକୋଭିଡ୍ ଫ୍ଲୁ ମଧ୍ୟ ଶ୍ୱାସଯନ୍ତ୍ରକୁ ମୁଖ୍ୟତଃ ଆକ୍ରମଣ କରୁଛି, ତେବେ ଏହା କୋଭିଡ୍ଠାରୁ ଭିନ୍ନ। ଏହି ଫ୍ଲୁର ସଂକ୍ରମଣ ପ୍ରାୟତଃ ତିନିରୁ ଚାରିଦିନ ମଧ୍ୟରେ ସୀମିତ ରହୁଥିବାରୁ ଏଥିରେ ରୋଗୀ ମୃତ୍ୟୁ ସଂଖ୍ୟା ଆଦୌ ନାହିଁ କହିଲେ ଚଳେ। କିନ୍ତୁ ଜ୍ୱର ଓ ଥଣ୍ଡା ଛାଡ଼ିଯିବା ପରେ ମଧ୍ୟ କାଶ, କଫ ଓ କେତେକ କ୍ଷେତ୍ରରେ ନିଃଶ୍ୱାସ ଜନିତ କଷ୍ଟ ଚାରି ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ରହୁଛି। ଡାକ୍ତର ଓ ବିଶେଷଜ୍ଞମାନଙ୍କର ଉପଦେଶ ହେଲା ଯେ ଶ୍ୱାସ ନେବାରେ କୌଣସି ଅସୁବିଧା ଦେଖା ଦେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ। ଆହୁରି ଗୋଟିଏ ବିଶେଷ କଥା ହେଲା ଯେ ଭାଇରାଲ୍ ଫ୍ଲୁ ନିମନ୍ତେ କୌଣସି ଆଣ୍ଟିବାଓଟିକ୍ ଔଷଧ ନିଜେ ନିଜେ ବ୍ୟବହାର କରିବା ଉଚିତ ନୁହେଁ। ଏହା ରୋଗୀର ଶରୀର ଉପରେ ପ୍ରତିକୂଳ ପ୍ରତିକ୍ରିୟା ଦେଖାଇ ପାରେ ଏବଂ ରୋଗକୁ ଶୀଘ୍ର ଭଲ ହେବା ସମୟକୁ ବିଳମ୍ବ କରିଥାଏ।
ଏଣୁ ଲୋକମାନେ ଭିଡ଼ରୁ ଦୂରରେ ରହିବା, ମାସ୍କ ପିନ୍ଧିବା ଓ କୋଭିଡ୍ ସମୟରେ ପାଳନ କରୁଥିବା ସମସ୍ତ ସତର୍କତାମୂଳକ ନିୟମର ଅନୁପାଳନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏଥିରେ ଭୟଭୀତ ନ ହେବାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଲୋକଙ୍କୁ ସତର୍କ କରିଛନ୍ତି। ଓଡ଼ିଶା ସରକାରଙ୍କ ସତର୍କତାମୂଳକ ଓ ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ପୂର୍ବରୁ କେବଳ ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତଙ୍କ ଜୀବନ ରକ୍ଷା ହୋଇପାରିଥିଲା ତା’ ନୁହେଁ, ଅନ୍ୟ ରାଜ୍ୟକୁ ମଧ୍ୟ ଜରୁରିକାଳୀନ ଭିତ୍ତିରେ ଅକ୍ସିଜେନ୍ ସହାୟତା ଯୋଗାଇ ଅନେକ ପ୍ରାଣ ରକ୍ଷା ହୋଇପାରିଥିଲା। ତେଣୁ ରାଜ୍ୟ ସରକାର ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସବୁବେଳେ ସତର୍କ ଓ ସଜାଗ ରହିଛନ୍ତି। ତଥାପି ଜନସାଧାରଣଙ୍କ ବେପରାୟ ହାବଭାବ ଓ କାର୍ଯ୍ୟକଳାପ ବିପତ୍ତି ଡାକି ଆଣିପାରେ। ତେଣୁ ସମସ୍ତଙ୍କ ସ୍ୱାର୍ଥ ଓ କଲ୍ୟାଣ ଦୃଷ୍ଟିରୁ ଜନସାଧାରଣ ସଂଯମ ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ। ସମୟ ଆସିଛି ପୁଣି ଥରେ ଆମେ ଭିଡ଼ରୁ ଦୂରେଇ ରହିବା, ଘରୁ ବାହାରିଲେ ମାସ୍କ ପିନ୍ଧିବା ଏବଂ ଫ୍ଲୁ ସଂକ୍ରମିତ ରୋଗୀଙ୍କୁ ଘର ଭିତରେ ସଂଗରୋଧରେ ରଖିବା। ଏହାଛଡ଼ା ମନଇଚ୍ଛା ଆଣ୍ଟିବାଓଟିକ୍ ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ ହିଁ ଅକ୍ଷରେ ଅକ୍ଷରେ ମାନିବା। n