ରାଜନୈତିକ ପାଣିପାଗକୁ ଦେଖି ଅଙ୍କ କଷିବାରେ ମାହିର ବିତ୍ତଶାଳୀ କର୍ପୋରେଟ୍ ସଂସ୍ଥା। ନିର୍ବାଚନୀ ଚାନ୍ଦା ଆକାରରେ ସେମାନେ ନିବେଶ କରିଥା’ନ୍ତି ଆଗକୁ କ୍ଷମତାକେନ୍ଦରୁ ଫାଇଦା ହାସଲ ପାଇଁ। ଏଲନ୍ ମସ୍କ ସେମାନଙ୍କଠାରୁ କିଛି ଭିନ୍ନ ନୁହନ୍ତି। ସେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ରିପବ୍ଲିକାନ୍ ଦଳକୁ ୨୯୦ ନିୟୁତ ଡଲାର ନିର୍ବାଚନ ଚାନ୍ଦା ଦେଇ ପ୍ରଚାରରେ ଲାଗିପଡ଼ିଥିଲେ। ତେଣୁ ଟ୍ରମ୍ପ ଦ୍ୱିତୀୟବାର ରାଷ୍ଟ୍ରପତି ହେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏ ଭୂମିକାରୁ ନିବିଡ଼ ସମ୍ପର୍କ ଓ ବନ୍ଧୁତାର ସୁଯୋଗ ନେଇ ସେ ଯୋଡ଼ି ହୋଇଗଲେ ହ୍ୱାଇଟ୍ ହାଉସ୍ ସହ। ଏପରକି ଦକ୍ଷତା ବିକାଶ ଓ ବ୍ୟୟ ସଂକୋଚନ ଭଳି ଗୁୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ମସ୍କ ଆମେରିକା ପ୍ରଶାସନିକ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଗଲେ। ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କ ସମଗ୍ର ବିଶ୍ୱରେ ହଟଚମଟ ସୃଷ୍ଟି କରିଥିବା ବେଳେ ତାହାର ପ୍ରାରମ୍ଭିକ କାର୍ଯ୍ୟାନ୍ୱୟନରେ ଅନ୍ୟତମ ଅଂଶୀଦାର ହେବା ସହ ନିଜର ପ୍ରାଧାନ୍ୟ ବୃଦ୍ଧି ଓ ବ୍ୟବସାୟିକ ସୁବିଧା ସୁଯୋଗ ମଧ୍ୟ ହାସଲ କଲେ। ଆମର ଏଠାରେ କହିବାର କଥା ପଙ୍କିଳ ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଅଂଶଗ୍ରହଣର ସୁଯୋଗ ପ୍ରଦାନ ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି, ଯାହାର ପ୍ରତିଫଳନ ଘଟିଛି ଟ୍ରମ୍ପ ଓ ମସ୍ପ ମଧ୍ୟରେ ହୋଇଥିବା ବାକ୍ୟ ବିନିମୟରୁ। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆଗତ ‘ବିଗ ବୟୁଟିଫୁଲ୍ ବିଲ୍’(ବଜେଟ୍)ରେ ହସ୍ତକ୍ଷେପ ଓ ପରାମର୍ଶର ସୁଯୋଗ ନ ପାଇ କ୍ଷୁବ୍ଧ ହୋଇଛନ୍ତି ମସ୍କ। ଏଠାରେ ସୂଚାଇ ଦିଆଯାଇପାରେ କି ମସ୍କ ରାଜନୈତିକ ଆଦର୍ଶ ଓ ନୀତି ଦୃଷ୍ଟିରୁ ଜଣେ ସଚ୍ଚା ରିପବ୍ଲିକାନ୍ ପାର୍ଟରି ସଦସ୍ୟ ବା ସମର୍ଥକ ଏ କଥା ନୁହେଁ। ବାରାକ୍ ଓବାମା ରାଷ୍ଟ୍ରପତିତ୍ୱ କାଳରେ ସେ ଡେମୋକ୍ରାଟିକ୍ ପାର୍ଟି ସରକାରରୁ ମଧ୍ୟ ବିପୁଳ ସୁବିଧା ସୁଯୋଗ ହାସଲ କରିଥିଲେ।
ମସ୍କ କ୍ଷମତାରୁ ଅପସରି ଯିବା ପରେ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା ଆରମ୍ଭ କରିଦେଲେ। ଟ୍ରମ୍ପ ରାଷ୍ଟ୍ରପତି ହେବାକୁ ଅଯୋଗ୍ୟ, ସେ ଉପରାଷ୍ଟ୍ରପତି ଭାନ୍ସଙ୍କୁ ଦାୟିତ୍ୱ ଦେଇ ଇସ୍ତଫା ଦେବା ଉଚିତ ବୋଲି ମସ୍କ କହିଥିବା ବେଳେ ସେ ପାଗଳ ହୋଇଯାଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ଭଳି ସର୍ବଶକ୍ତିମାନ ରାଷ୍ଟ୍ରର କ୍ଷମତା ଅଳିନ୍ଦରେ ଏଭିଳ ବିବାଦାସ୍ପଦ ବୟାନବାଜି ବିଶ୍ୱର କତିପୟ ନେତ୍ୱତ୍ୱଙ୍କୁ ନିଶ୍ଚୟ ଆମୋଦିତ କରୁଥିବ। ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କ ବିବାଦରୁ ସୃଷ୍ଟ ପରିସ୍ଥିତି ସମଗ୍ର ବିଶ୍ୱରେ କେବଳ ହଟଚମଟ ସୃଷ୍ଟି କରିନାହିଁ ଆର୍ଥିକ ମାନ୍ଦାବସ୍ଥାକୁ ଡାକି ଆଣିଛି। ଏପରିକି ଖୋଦ୍ ଆମେରିକା ବଜାରରେ ଖାଉଟି ସାମଗ୍ରୀ ମାତ୍ରାଧିକ ମୂଲ୍ୟବୃଦ୍ଧି ଘଟିଛି। ଟମ୍ପଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ପ୍ରୋତ୍ସାହିତ କରୁଥିବା ମସ୍କ ଏବେ ପ୍ରତିକୂଳ ପରିସ୍ଥିତି ସମ୍ପର୍କରେ ଚେତାବନୀ ଦେଇଛନ୍ତି। ସବୁଠାର ୁଉଲ୍ଲେଖଯୋଗ୍ୟ ହେଲା କି ମସ୍କ ତାଙ୍କର ସାମାଜିକ ଗଣମାଧ୍ୟମ ମଞ୍ଚରେ ଯୌନ ଉତ୍ପୀଡ଼ନ ଓ ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଫ୍ରି ଏପଷ୍ଟିନ୍ଙ୍କ ଫାଇଲରେ ଟ୍ରମ୍ପଙ୍କ ନାମ ରହିଥିବାର ଦର୍ଶାଇଛନ୍ତି। ଏହି ଫାଇଲ ଏ ପର୍ଯ୍ୟନ୍ତ ସାର୍ବଜନିନ କରାଯାଇନାହିଁ। ତେଣୁ ମହାଅଭିଯୋଗ ଭଳି ବୋମା ପକାଇବାର ସମୟ ଏବେ ଉପସ୍ଥିତ। ଏହାକୁ କେନ୍ଦ୍ର କରି ଡେମୋକ୍ରାଟିକ୍ ଦଳ ପକ୍ଷରୁ ନ୍ୟାୟ ବିଚାର ଓ ଏଫ୍ବିଆଇ ଫାଇଲ୍ ପ୍ରକାଶ କରିବାକୁ ଦାବି ହୋଇଛି। ମସ୍କ ଜାଣିଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଅଖଣ୍ଡ କ୍ଷମତା ପରିସର କେତେ ବିପୁଳ। ମସ୍କ ହାସଲ କରିଥିବା ସରକାରୀ ସହାୟତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରତ୍ୟାହାର କରିନେବାକୁ ଧମକ ଦିଆଯିବା ପରେ ସେ ଚମକି ପଡ଼ିଛନ୍ତି। ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ସେ ଟ୍ରମ୍ପ ବିରୋଧୀ ସମସ୍ତ ଟ୍ୱିଟ୍କୁ ପ୍ରତ୍ୟାହାର କରି ନେଇଛନ୍ତି। ଏହା ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବୁଝାମଣା ସକାଶେ ସୁଯୋଗ ସୃଷ୍ଟି କରିଛି।
ମସ୍କଙ୍କ ପୃଷ୍ଠଭୂମି ସମ୍ପର୍କରେ ପର୍ଯ୍ୟାଲୋଚନା କଲେ ସ୍ପଷ୍ଟ ହୁଏ ଯେ ୨୦୦୯ ଆମେରିକା ପୁନଃନିବେଶ ଆଇନ ବଳରେ କାଲିଫର୍ଣ୍ଣିଆରେ ୪୬୫ ନିୟୁତ ଡଲାର ଋଣ ହାସଲ କରିଥିଲେ। ଫ୍ଲୋରିଡାସ୍ଥିତ ଉପଗ୍ରହ-ଏକ୍ସର କାର୍ଯ୍ୟଶୈଳୀ ସମ୍ପର୍କରେ ଓବାମାଙ୍କ ଗସ୍ତବେଳେ ମସ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୬ ପର୍ଯ୍ୟନ୍ତ ସେ ଟ୍ରମ୍ପଙ୍କ ଅନୁଗତ ତାଲିକାରେ ନଥିଲେ। ଡିଟେଜି ହତ୍ୟା ଉଦ୍ୟମ ଘଟଣାକ୍ରମରୁ ସେ ଟ୍ରମ୍ପଙ୍କ ନିକଟବର୍ତ୍ତୀ ହୋଇଥିଲେ। ପରବର୍ତ୍ତୀ ସମ୍ପର୍କ ଏତେ ନିବିଡ଼ ହେଲା ଯେ ଉଭୟ ଉଭୟଙ୍କୁ ପ୍ରଶାଂସାରେ ପୋତି ପକାଇଲେ। ବଜେଟ୍ ପ୍ରସ୍ତୁତି ଓ ଆଗତ ପୂର୍ବରୁ ଋଣ ଓ ନିଅଣ୍ଟିଆ ସ୍ଥିତି ସମ୍ପର୍କରେ ତାଙ୍କର ମତାମତ କାହିଁକି ନିଆଗଲା ନାହିଁ ଦର୍ଶାଇ ସେ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବଜେଟ୍ ବ୍ୟବସ୍ଥା ଅତି ଘୃଣ୍ୟ ଓ ଜଘନ୍ୟ କହି ଏହାକୁ ଗୃହୀତ କରାଇ ନ ଦେବା ପାଇଁ ସେ ଆହ୍ୱାନ ଦେଲେ। ଟ୍ରମ୍ପଙ୍କ ସହ ସମ୍ପର୍କ ଓ ନିର୍ବାଚନ ବିଜୟ ଘଟଣା ପରେ ପରେ ମସ୍କଙ୍କ କମ୍ପାନୀ ସେୟାର ମୂଲ୍ୟ ୧ ଟ୍ରିଲିୟନ୍ ଡଲାର ଅତିକ୍ରମ କରିଥିଲା। ଏହି ବିବାଦ ପରେ ଟେସ୍ଲାର ବଜାର ମୂଲ୍ୟ ୧୫୦ ବିଲିୟନ ଡଲାର ହ୍ରାସ ଘଟିଛି। ମସ୍କ ଏବେ ମଧ୍ୟ ମନେ କରନ୍ତି ଯେ ତାଙ୍କ ଯୋଗୁଁଁ ହିଁ ଟ୍ରମ୍ପ ନିର୍ବାଚନରେ ବିଜୀୟ ହୋଇଛନ୍ତି। ନ ହେଲେ ନୂଆ ଦଳ ଗଢ଼ିବାର ସ୍ୱପ୍ନ ସେ ଦେଖିନଥା’ନ୍ତେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାରେ ନୂଆ ଦଳ ଗଠନ କରିବାର ସମୟ ଉପସ୍ଥିତ ଦର୍ଶାଇ ମତାମତ ଲୋଡ଼ିଛନ୍ତି ମସ୍କ। ତାଙ୍କର ଏହି ପ୍ରସ୍ତାବକୁ ୮୦ ପ୍ରତିଶତ ମଧ୍ୟବିିତ୍ତ ବର୍ଗ ସମର୍ଥନ କରିଛନ୍ତି। ୫୬ ଲକ୍ଷରୁ ଅଧିକ ଲୋକ ଅନ୍ଲାଇନ୍ରେ ତାଙ୍କ ପୋଷ୍ଟରେ ଭୋଟ ଦେଇଛନ୍ତି। ‘ଦି ଆମେରିକାନ୍ ପାର୍ଟି’ ଗଠନ କରିବାର ସେ ସୂଚନା ଦେଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତିି।
ରୁଷ ରାଷ୍ଟ୍ରପତି ପୁତିନଙ୍କ ଅତି ନିକଟତମ ସହଯୋଗୀ ତଥା ରୁଷ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ବେଶ୍ ହାସ୍ୟୋଦ୍ଦୀପକ ବ୍ୟଙ୍ଗ କରି ଟ୍ର୍ମ୍ପ ଓ ମସ୍କଙ୍କ ମଧ୍ୟରେ ଶାନ୍ତିଚୁକ୍ତିକୁ ଯୁକ୍ତିଯୁକ୍ତ ଶୁଳ୍କରେ ରୂପାନ୍ତରିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏପରିକି ଷ୍ଟାରଲିଙ୍କର ସେୟାରକୁ ଦେୟ ଭାବେ ଗ୍ରହଣ କରିବାକୁ ରୁଷ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଏହାର ପ୍ରତିକ୍ରିୟାରେ ମସ୍କ ହସୁଥିବା ଇମୋଜିକୁ ପ୍ରତୀକ ରୂପେ ଗ୍ରହଣ କରିଛନ୍ତି। ଏପରିକି ରାଜନୈତିକ ଆଶ୍ରୟ ଓ ବ୍ୟବସାୟିକ ସ୍ୱାଧୀନତା ଦେବାର ପ୍ରତିଶ୍ରୁତି ସୂଚାଇ ଦିଆଯାଇଛି। ଏହା ଯେ କେବଳ ରୁଷସ୍ତରରେ ସୀମିତ ଅଛି ଏ କଥା ନୁହେଁ, ବାଣିଜ୍ୟ ଶୁଳ୍କ ରଣନୀତିରେ ଲହୁଲୁହାଣ ହେଉଥିବା ରାଷ୍ଟ୍ର ସମୂହ ଆଗକୁ ଟ୍ରମ୍ପଙ୍କ ନାଲିଆଖିକୁ କେତେଦୂର ଖାତିର କରିବେ ସେ ନେଇ ମଧ୍ୟ ସନ୍ଦେହ ଉପୁଜିଛି।
ବିତ୍ତୀୟ ସାମର୍ଥ୍ୟର ଯେ ରାଜନୀତିରେ କୌଣସି ଭୂମିକା ନାହିଁ ଏ କଥା ନୁହେଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କର୍ପୋରେଟ୍ ସଂସ୍ଥା ନିଜ ଅର୍ଥବଳରେ କ୍ଷମତାସୀନ ହୋଇ ଦେଶକୁ ଶାସନ କରିପାରିବ। ରାଜନେତା ଓ ଶିଳ୍ପପତିଙ୍କ ମଧ୍ୟରେ ସମ୍ପର୍କର ସୀମା ବା ଲକ୍ଷଣରେଖା ରହିଛି। ଅର୍ଥବଳରେ ତାହାକୁ ଉଲ୍ଳଙ୍ଘନ କଲେ କେବଳ ସମ୍ପର୍କ କ୍ଷୁଣ୍ଣ ହେବ ନାହିଁ, ବିତ୍ତୀୟ ସାମ୍ରାଜ୍ୟ ଧ୍ୱସଂ ହୋଇଯିବ। ବିଳମ୍ବରେ ହେଲେ ମଧ୍ୟ ମସ୍କ ଏହା ବୁଝିପାରିଥିବା ଭଳି ମନେ ହୁଏ।