ସ୍ୱାଗତମ୍‌‌ ମୌସୁମୀ!

ସ୍ୱାଭାବିକ ତାରିଖର ଏକ ସପ୍ତାହ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅବଶେଷରେ ଗତକାଲି କେରଳରେ ପ୍ରବେଶ କରିଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ମୌସୁମୀ ଆଗମନର ଖବର ଘୋଷଣା କରାଯିବା ପରେ ଚାତକ ପରି ବର୍ଷା ଅପେକ୍ଷାରେ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ଦଗ୍ଧ ଭାରତବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯାହା ଜୁନ୍‌‌ରୁ ସେପ୍ଟେମ୍ବର ମଧ୍ୟରେ ଭାରତର ମୁଖ୍ୟ ଭୂଖଣ୍ଡରେ ପ୍ରାୟ […]

ସ୍ୱାଭାବିକ ତାରିଖର ଏକ ସପ୍ତାହ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅବଶେଷରେ ଗତକାଲି କେରଳରେ ପ୍ରବେଶ କରିଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ମୌସୁମୀ ଆଗମନର ଖବର ଘୋଷଣା କରାଯିବା ପରେ ଚାତକ ପରି ବର୍ଷା ଅପେକ୍ଷାରେ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ଦଗ୍ଧ ଭାରତବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯାହା ଜୁନ୍‌‌ରୁ ସେପ୍ଟେମ୍ବର ମଧ୍ୟରେ ଭାରତର ମୁଖ୍ୟ ଭୂଖଣ୍ଡରେ ପ୍ରାୟ ୭୦ ଭାଗ ବୃଷ୍ଟିପାତ କରାଇଥାଏ। ତା’ ଉପରେ ଚାଷବାସ, ଅର୍ଥନୀତି ମୁଖ୍ୟତଃ ନିର୍ଭର କରିଥାଏ। ଏହି ମୌସୁମୀ ପ୍ରବାହ ସାଧାରଣତଃ ଜୁନ୍‌‌ ପହିଲାରେ କେରଳରେ ଆରମ୍ଭ ହୋଇଥାଏ; ତେବେ ବେଳେବେଳେ ବିଭିନ୍ନ ପ୍ରାକୃତିକ କାରଣରୁ ଏହା ବିଳମ୍ବିତ ହୋଇଥାଏ। ଏଥର ଜୁନ୍‌‌ ୪ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ତେବେ ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ଏହି ମୌସୁମୀ ପ୍ରବାହ ବିଳମ୍ବିତ ହୋଇ ଶେଷରେ ଭାରତର ମୁଖ୍ୟ ଭୂଖଣ୍ଡରେ ପହଞ୍ଚିଛି।

ମନସୁନ ବା ମୌସୁମୀର ଆଗମନ ଓ ପ୍ରବାହ କାଳ ଭାରତ ପାଇଁ ବିଭିନ୍ନ ଦୃଷ୍ଟିରୁ ଆନନ୍ଦ ଉତ୍ସବର ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଏହି ମୌସୁମୀ ବାୟୁ ଅବଶିଷ୍ଟ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସହିତ ଆରବ ସାଗରରେ ଆଗକୁ ଅଗ୍ରସର ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ମୌସୁମୀର ଗୋଟିଏ ଶାଖା ଇତିମଧ୍ୟରେ ଆଣ୍ଡାମାନ ନିକୋବର ଦ୍ୱୀପ ସ୍ପର୍ଶ କରିବା ସହ ଭାରତର ଉତ୍ତର-ପୂର୍ବ ଆଡ଼େ ମୁହାଁଇଛି। ଓଡ଼ିଶାରେ ଜୁନ୍‌‌ ୧୪ ବେଳକୁ ମୌସୁମୀ ପ୍ରବାହ ହୋଇଥାଏ। ପାରମ୍ପରିକ ବିଚାରରେ ଆଷାଢ଼ର ପ୍ରଥମ ଦିବସ ରଜ ବେଳକୁ ମୌସୁମୀ ବର୍ଷା ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆରମ୍ଭ ହୁଏ। ଏଥର ଏକ ସପ୍ତାହ ବିଳମ୍ବରେ ମୌସୁମୀ ଆସିଥିବାରୁ ଜୁନ୍‌‌ ତୃତୀୟ ସପ୍ତାହରେ ମୁମ୍ବଇ, ତେଲଙ୍ଗାନା, ଦକ୍ଷିଣ ଛତିଶଗଡ଼ ଉପର ଦେଇ ଆରବସାଗର ଆଡୁ ମୌସୁମୀର ଯେଉଁ ଶାଖା ପ୍ରବାହିତ ହୁଏ, ତାହା ଓଡ଼ିଶାର ଦକ୍ଷିଣ ଭାଗରେ ପ୍ରଥମେ ବର୍ଷା କରାଏ। ଆଉ ବେଳେବେଳେ ବଙ୍ଗୋପସାଗର ଆଡୁ ପ୍ରବାହିତ ହେଉଥିବା ଶାଖା ଦ୍ୱାରା ଉପକୂଳ ଓଡ଼ିଶାରେ ବର୍ଷା ଆଗୁଆ ଆରମ୍ଭ ହୋଇଯାଇଥାଏ। ତେବେ ଏହା ପୂର୍ବରୁ ପ୍ରାକ୍‌‌ ମୌସୁମୀ ବର୍ଷା ଯୋଗୁଁ ପରିବେଶ ଶୀତଳ ହେବା ସହ ଚାଷୀ ବିଲରେ ବୁଣିଥିବା ଧାନ (ଖରଡ଼ି) ବିହନ ଗଛ ହେବାକୁ ଲାଗେ। ଏଥର ଏହି ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇଥିବାରୁ ଚାଷୀ ଚିନ୍ତାରେ ଥିଲେ। ଯଦି ଏକ ସପ୍ତାହ ଭିତରେ ଭଲ ବର୍ଷା ହୋଇଯାଏ, ତେବେ ବୁଣାଧାନ ବିହନ ବର୍ତ୍ତିଯିବ।

ଭାରତ ଏବେ ଉଭୟ ମୁଦ୍ରାସ୍ଫୀତି ଓ ମୂଲ୍ୟସ୍ଫୀତି ମଧ୍ୟ ଦେଇ ଗତି କରୁଛି। ସରକାରଙ୍କ ବଡ଼ ବଡ଼ ଦାବି ଓ ଆସ୍ଫାଳନ ସତ୍ତ୍ବେ ଦେଶର ଆର୍ଥିକ ସ୍ଥିତି ଚିନ୍ତାଜନକ ରହିଛି। ବେକାରୀ ଓ ଦାରିଦ୍ର୍ୟ ବଢ଼଼ୁଛି। ଅଭିବୃଦ୍ଧି ହାର ଆଶାଜନକ ହେଉନାହିଁ। ତେଣୁ ଭଲ ମୌସୁମୀ ବର୍ଷା ଚାରିମାସ ବର୍ଷିଗଲେ ଖରିଫ ଚାଷକୁ ବିଶେଷ ଉପକାର ମିଳିବ। ଦେଶର ଅଣଜଳସେଚିତ ପ୍ରାୟ ୬୦ ଭାଗ ଚାଷ ଜମିରେ ଅଣଧାନ ଫସଲ, ବିଶେଷକରି ଶ୍ରୀଅନ୍ନ, ଡାଲି, ତୈଳବୀଜ ଚାଷ ଭଲ ହେବ। ଆମ ଜଳଭଣ୍ଡାରଗୁଡ଼ିକ ପୂରି ରହିଲେ ଉଭୟ ଖରିଫ ଓ ରବିଚାଷ ସହିତ ଜଳ ଆବଶ୍ୟକତାକୁ ପୂରଣ କରାଯାଇପାରିବ। ଏକ ସଫଳ ମୌସୁମୀ ଆମ ସଂଘର୍ଷଶୀଳ ଅର୍ଥନୀତିକୁ ବଳ ଦେବ। ଭାରତ ଭଳି ଓଡ଼ିଶା ମଧ୍ୟ ଏକ ଭଲ ମୌସୁମୀକୁ ଅପେକ୍ଷା କରିଛି। ଏଥିପାଇଁ କୃଷି ବିଭାଗ ଆଗୁଆ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ କରି ଅପେକ୍ଷାରେ ଅଛି। ଓଡ଼ିଶାରେ ମୋଟ୍‌‌ ଚାଷ ଜମିରୁ ପ୍ରାୟ ୬୦ ଭାଗରେ ଜଳସେଚନର ସୁବିଧା ନାହିଁ। ତେଣୁ ପଶ୍ଚିମ ଓ ଦକ୍ଷିଣ ମାଳାଞ୍ଚଳ ଏବଂ ରାଜ୍ୟର କେନ୍ଦ୍ରାଞ୍ଚଳର ଅଣଜଳସେଚିତ ଜମିରେ କମ୍‌‌ ପାଣି ଲୋଡୁଥିବା ଅଣଧାନ ଅର୍ଥକରୀ ଫସଲ ଉପରେ ଚାଷୀ ଗୁରୁତ୍ୱ ଦେବା ଆବଶ୍ୟକ। ଆମ କୃଷି ବିଭାଗ ଏଥିପାଇଁ ଚାଷୀମାନଙ୍କୁ ଉପଯୁକ୍ତ ଦିଗ୍‌‌ଦର୍ଶନ ଦେବା ଉଚିତ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଏଥର ଉଭୟ ଭାରତ ଓ ଓଡ଼ିଶାରେ ସ୍ୱାଭାବିକ ଠାରୁ ସାମାନ୍ୟ କମ୍‌‌ ବର୍ଷା ହେବ। ତେବେ ଏହି ପ୍ରାକ୍‌‌ ଆକଳନ ବା ଅନୁମାନ ସମ୍ପୂର୍ଣ୍ଣ ଭରସା ଯୋଗ୍ୟ ନୁହେଁ। ପାଣିପାଗ ପ୍ରାକୃତିକ ସ୍ଥିତି ଉପରେ ନିର୍ଭରଶୀଳ ଏବଂ କ୍ଷଣ କ୍ଷଣକେ ପରିବର୍ତ୍ତନୀୟ। ଆହୁରି ମଧ୍ୟ ମୌସୁମୀ ବର୍ଷା ଆରମ୍ଭ ହୋଇ ଅଳ୍ପ ଦିନ ପରେ ଦୁର୍ବଳ ହୋଇଯିବାର ନଜିର ରହିଛି। ଏହି ସମୟରେ ଶୁଷ୍କ ପ୍ରବାହ ଯୋଗୁଁ ଖରିଫ ଫସଲ ବେଶୀ କ୍ଷତିଗ୍ରସ୍ତ ହୋଇଥାଏ। ତା’ଛଡ଼ା ଅତିବୃଷ୍ଟି, ଅନାବୃଷ୍ଟି ଓ ବନ୍ୟା ବିପତ୍ତି ମଧ୍ୟ ମୌସୁମୀ ଆଣେ। ଏହା ଆମ ପାଗପାଳକର ନୂଆ କଥା ନୁହେଁ। ବର୍ଷ ପରେ ବର୍ଷ ଏଭଳି ପ୍ରକ୍ରିୟା ଚାଲିଛି ଏବଂ ଚାଷୀ ଏଥି ସହିତ ତାଳ ମିଳାଇ ଜିଇଁବା ଶିଖି ଚଳି ଆସୁଛନ୍ତି। ବର୍ଷା ହେଉ ବା ନ ହେଉ, ଅଧିକ କିମ୍ବା କମ୍‌‌ ହେଉ- ସେଥିପାଇଁ ଚିନ୍ତା ନକରି ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆମ ଚାଷୀକୁଳକୁ ନୂଆ ଫସଲ ପର୍ଯ୍ୟାୟ ଓ କୃଷି ପଦ୍ଧତି ଆପଣାଇବାକୁ ପଡ଼ିବ। ଖରିଫ ଋତୁ ଆରମ୍ଭ ହୋଇଛି ମାନେ ଚାଷ କାମ ଚାଲିବ। ଆମ ପାଖରେ ଯେତିକି ବର୍ଷା ପାଣି ମିଳିବ, ତାହାକୁ ବୁଝିବିଚାରି ବିଜ୍ଞତାର ସହିତ କାର୍ଯ୍ୟକାରୀ କରିବା ବୁଦ୍ଧିମାନର କାର୍ଯ୍ୟ। ସବୁଠୁ ବଡ଼ କଥା ହେଉଛି ଏବେ ପ୍ରାଣୀକୁଳ ଯେଉଁ ପ୍ରଚଣ୍ଡ ଡହକରେ ସନ୍ତୁଳି ହେଉଛନ୍ତି ଓ ଜଳକଷ୍ଟ ଭୋଗୁଛନ୍ତି, ତାହାର ଅବସାନ ଆସନ୍ନପ୍ରାୟ। ସ୍ୱାଗତମ୍‌‌ ମୌସୁମୀ।

About The Author: The Sakala