ଓଡ଼ିଶାରେ କ୍ରୀଡ଼ା ବିକାଶର ସୁବର୍ଣ୍ଣଯୁଗ

ରାଜ୍ୟର ବିଭିନ୍ନ ବିଭାଗ ସହିତ କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଅଗ୍ରାଧିକାର ସୂଚିରେ ରଖି, ଏହି କ୍ଷେତ୍ରର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। କ୍ରୀଡ଼ା ଏପରି ଏକ କ୍ଷେତ୍ର, ଯାହା ଚରିତ୍ର ନିର୍ମାଣ କରିବା ସହିତ ଯୁବବର୍ଗଙ୍କୁ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ଏବଂ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ। କ୍ରୀଡ଼ା ମଧ୍ୟ ଆଜିକାଲି ଉତ୍ତମ ରୋଜଗାରର ମାଧ୍ୟମ ପାଲଟିଛି। କ୍ରୀଡ଼ାର ବିକାଶ ପାଇଁ […]

ରାଜ୍ୟର ବିଭିନ୍ନ ବିଭାଗ ସହିତ କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଅଗ୍ରାଧିକାର ସୂଚିରେ ରଖି, ଏହି କ୍ଷେତ୍ରର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। କ୍ରୀଡ଼ା ଏପରି ଏକ କ୍ଷେତ୍ର, ଯାହା ଚରିତ୍ର ନିର୍ମାଣ କରିବା ସହିତ ଯୁବବର୍ଗଙ୍କୁ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ଏବଂ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିଥାଏ। କ୍ରୀଡ଼ା ମଧ୍ୟ ଆଜିକାଲି ଉତ୍ତମ ରୋଜଗାରର ମାଧ୍ୟମ ପାଲଟିଛି। କ୍ରୀଡ଼ାର ବିକାଶ ପାଇଁ ଦୁଇଟି ବିଷୟ ଗୁରୁତ୍ୱ ରଖେ। ଗୋଟିଏ ହେଲା ପ୍ରାକୃତିକ ପ୍ରତିଭା ଓ ଅନ୍ୟଟି ହେଲା ଆଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରି ପିଲାଙ୍କୁ ଖେଳ ମନସ୍କ ଏବଂ ଦକ୍ଷ କ୍ରୀଡ଼ାବିତ୍‌‌ କରିବା। ଭାରତର ଉତ୍ତର-ପୂର୍ବାଞ୍ଚଳ ଭଳି ପ୍ରାକୃତିକ କ୍ରୀଡ଼ା ପ୍ରତିଭା ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳେ। ଆବଶ୍ୟକ କ୍ରୀଡ଼ା ଭିତ୍ତିଭୂମିର ଅଭାବ ଓ ଉତ୍କଟ ଦାରିଦ୍ର୍ୟ ଯୋଗୁଁ ସ୍ୱାଭାବିକ କ୍ରୀଡ଼ା ପ୍ରତିଭାର ବିକାଶ ଦୀର୍ଘକାଳ ଯାଏ ଆମ ରାଜ୍ୟରେ ହୋଇପାରି ନଥିଲା। ତେବେ ସେ ଯାହା ହେଉ ବିଗତ କେତେବର୍ଷ ଧରି ମୁଖ୍ୟମନ୍ତ୍ରୀ କ୍ରୀଡ଼ା ପ୍ରତି ନୂଆ ଚିନ୍ତନ ଏବଂ ଦିଗଦର୍ଶନ ଦେଇଛନ୍ତି ଓ ତାହା କାର୍ଯ୍ୟକାରୀ କରାଉଛନ୍ତି।

ଆମ ରାଜ୍ୟର କ୍ରୀଡ଼ା ବଜେଟ୍‌‌ ଦେଶର ଅନ୍ୟାନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବାଧିକ ହୋଇଥିବା ବେଳେ, ଏହାର ମୋଟ୍‌‌ ବଜେଟ୍‌‌ ବ୍ୟୟ ସୀମା ୧୨୧୭ କୋଟି ଟଙ୍କାରେ ପହଞ୍ଚିଛି। କେବଳ ବଜେଟ୍‌‌ ବ୍ୟୟବରାଦ ନୁହେଁ, ଏବାବଦ ଅର୍ଥ ଖର୍ଚ୍ଚ କରିବାକୁ ଉପଯୁକ୍ତ କ୍ରୀଡ଼ା ନୀତି ମଧ୍ୟ ସରକାର ପ୍ରସ୍ତୁତ କରିଛନ୍ତି। କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଭାବେ କାମ କରିବା ଫଳରେ, ଓଡ଼ିଶା ଭାରତର ଏକ ପ୍ରମୁଖ କ୍ରୀଡ଼ା ପ୍ରୋତ୍ସାହନ କେନ୍ଦ୍ରବିନ୍ଦୁ ଭାବେ ଉଭା ହୋଇଛି। ଏବେ ରାଜ୍ୟର ୨୫୦ ସ୍କୁଲ୍‌‌ର ପ୍ରାୟ ଦେଢ଼ଲକ୍ଷ ପିଲା ଅଲିମ୍ପିକ୍ସ ଶିକ୍ଷା ମୂଲ୍ୟବୋଧ ଯୋଜନାରେ ସାମିଲ ହେବା ନିଶ୍ଚୟ ଏକ ଉଲ୍ଲେଖଯୋଗ୍ୟ ବିଷୟ। ବିଭିନ୍ନ ସ୍କୁଲ୍‌‌ରେ ଫୁଟ୍‌‌ବଲ୍‌‌କୁ ପ୍ରୋତ୍ସହିତ କରିବାକୁ ରାଜ୍ୟ ସରକାର ବ୍ୟାପକ ସୁବିଧା ଯୋଗାଇ ଦେଉଛନ୍ତି। ଏବେ ସ୍କୁଲ୍‌‌ ପାଠ୍ୟକ୍ରମରେ କ୍ରୀଡ଼ାକୁ ସାମିଲ କରି ପିଲାମାନଙ୍କୁ ଛୋଟବେଳୁ ଖେଳକୁଦ ପ୍ରତି ଆକର୍ଷିତ କରିବାକୁ ମଧ୍ୟ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ ହୋଇଛି। ସାରା ରାଜ୍ୟରେ ଷ୍ଟାଡ଼ିୟମ ଓ କ୍ରୀଡ଼ା ପ୍ରଶିକ୍ଷଣକେନ୍ଦ୍ର ଆଦି ଆଧୁନିକ ଭିତ୍ତିଭୂମି କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଏ ସମ୍ବନ୍ଧରେ ସେହିଭଳି ପିଲାମାନଙ୍କୁ ଅଲିମ୍ପିକ୍‌‌ ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ସହିତ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଫିଫା ସହିତ ମଧ୍ୟ ଅନୁରୂପ ଚୁକ୍ତି ହୋଇଥିବାବେଳେ ଓଡ଼ିଶା ହକି ଖେଳର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପାଲଟିସାରିଛି।

ଯୋଜନା ଓ ଅର୍ଥ ବ୍ୟତୀତ କାର୍ଯ୍ୟକ୍ରମର ଉପଯୁକ୍ତ ରୂପାୟନ କ୍ରୀଡ଼ାଭଳି ଯେ କୌଣସି କ୍ଷେତ୍ରରେ ବିଶେଷ ମହତ୍ତ୍ୱ ରଖେ। ରାଜ୍ୟର ସବୁ ଜିଲ୍ଲାରେ ବ୍ଲକ୍‌ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ, ସବୁ ସ୍କୁଲ୍‌‌ରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି, ବିଶ୍ୱସ୍ତରୀୟ ହକି, ଫୁଟ୍‌‌ବଲ ଓ କ୍ରିକେଟ୍‌‌ ଷ୍ଟାଡ଼ିୟମମାନ ନିର୍ମାଣ, ସବୁ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ କ୍ରୀଡ଼ା ହଷ୍ଟେଲ୍‌‌ ଓ କୋଚ୍‌‌ ନିଯୁକ୍ତି, ଯୁବ କ୍ରୀଡ଼ାବିତ୍‌‌ଙ୍କୁ ବୃତ୍ତି ଓ ପ୍ରୋତ୍ସାହନ ରାଶି ପ୍ରଦାନ ଆଦି ସମନ୍ନିତ କ୍ରୀଡ଼ା ବିକାଶ ଯୋଜନାର ଅଂଶ ବିଶେଷ। ବଡ଼କଥା ହେଲା ଆମ ପ୍ରଶାସକମାନେ ଯୋଜନାର ରୂପାୟନ ପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି। ରେକର୍ଡ ସମୟରେ ରାଉରକେଲାରେ ବିଶ୍ୱର ସର୍ବବୃହତ୍‌‌ ବିରସା ମୁଣ୍ଡା ହକି ଷ୍ଟାଡ଼ିୟମ ନିର୍ମାଣ, ରାଜ୍ୟରେ କ୍ରମାଗତ ଦୁଇଥର ହକି ବିଶ୍ୱକପ୍‌‌ର ସଫଳ ଆୟୋଜନ ଏବଂ ଓଡ଼ିଶା ଦୀର୍ଘବର୍ଷ ଧରି ଭାରତୀୟ ହକିଦଳର ପ୍ରୋତ୍ସାହକ (ସ୍ପୋନସର) ହେବା ଆମ ସରକାରଙ୍କ କ୍ରୀଡ଼ା ପ୍ରେମ ଓ ଆଗ୍ରହର ପ୍ରମାଣ ବହନ କରେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ରାଜଧାନୀ ଭୁବନେଶ୍ୱରରେ ତିନିଟି ଆଧୁନିକ ଫୁଟ୍‌‌ବଲ୍‌‌ ତାଲିମ୍‌‌ କେନ୍ଦ୍ର ଉଦ୍‌‌ଘାଟନ କରିଛନ୍ତି। ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଇଣ୍ଟର କଣ୍ଟିନେଣ୍ଟାଲ୍‌‌ କପ୍‌‌ ପାଇଁ ଏହି ଭିତ୍ତିଭୂମି ସୁବିଧା ଉଦ୍ଦିଷ୍ଟ। ଏହି ତିନି କେନ୍ଦ୍ର- ଓଡ଼ିଶା ଫୁଟ୍‌‌ବଲ୍‌‌ ଏକାଡେମୀ, ଭୁବନେଶ୍ୱର ଫୁଟ୍‌‌ବଲ୍‌‌ ଏକାଡେମୀ ଓ କ୍ୟାପିଟାଲ୍‌‌ ଫୁଟ୍‌‌ବଲ୍‌‌ ଏରିନା ଏବଂ ସେ ସବୁର ଉନ୍ନତ ପଡ଼ିଆ (ଷ୍ଟାଡ଼ିୟମ) ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଆମ ଯୁବ ଖୋଳାଳୀଙ୍କୁ ଅବଶ୍ୟ ଆଧୁନିକ ସୁବିଧା ସୁଯୋଗ ଯୋଗାଇବ। ଏହି ତିନିଟି କମ୍ପେ୍ଲକ୍ସ ପାଇଁ ମୋଟ୍‌‌ ୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଛ’ଟି ଫିଫା ଅନୁମୋଦିତ ପଡ଼ିଆ ରହିଛି। ସେଥିରୁ ପାଞ୍ଚଟି ପ୍ରାକୃତିକ ଓ ଗୋଟିଏ ସିନ୍ଥେଟିକ୍ସରେ ପ୍ରସ୍ତୁତ। ଆନ୍ତର୍ଜାତିକ ସ୍ତରର ମ୍ୟାଚ୍‌‌ ଆୟୋଜନ ପାଇଁ ଯେଉଁ ସବୁ ମୌଳିକ ସୁବିଧା ଦରକାର ତାହା ସବୁ ଏହି ତିନି ସ୍ଥାନରେ ରହିଛି। ଓଡ଼ିଶାରେ ଓ ଭାରତରେ ଫୁଟ୍‌‌ବଲ୍‌‌ ଖେଳର ବିକାଶ ପାଇଁ ଏହି ସବୁ ପଦକ୍ଷେପ ନିଶ୍ଚିତ ମହତ୍ତ୍ୱପୂର୍ଣ୍ଣ।

ଗତ କିଛିବର୍ଷ ଧରି ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ଅଦ୍ଭୁତପୂର୍ବ ସମ୍ପ୍ରସାରଣ ଓଡ଼ିଶା ପାଇଁ ଏକ ସକରାତ୍ମକ ଭାବମୂର୍ତ୍ତି ସୃଷ୍ଟି କରିଛି। ଭାରତୀୟ ହକିର ଦୁର୍ଦ୍ଦିନ ଓ ଆର୍ଥିକ ଦୁରାବସ୍ଥା ସମୟରେ ନବୀନବାବୁଙ୍କ ସରକାର ଭାରତୀୟ ହକିର ପୃଷ୍ଠପୋଷକ ଭାବେ ଲଗାତାର ଦୀର୍ଘବର୍ଷ ଚୁକ୍ତିବଦ୍ଧ ହୋଇ ପର୍ଯ୍ୟାପ୍ତ ଅର୍ଥ ଲଗାଣ କରିବା ବିଷୟ ସାରା ଭାରତରେ କାହିଁକି, ସାରା ବିଶ୍ୱରେ ଏକ ବିରଳ ଉଦାହରଣ ପାଲଟିଛି। ବିଶେଷକରି ଦେଶରେ ହକି ଖେଳର ଅନ୍ୟତମ ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଶିଳ୍ପାଞ୍ଚଳରେ ବୃହତ୍‌‌ ଆଧୁନିକ ହକିଷ୍ଟାଡ଼ିୟମ ନିର୍ମାଣ ଓଡ଼ିଶାକୁ ହକି କ୍ଷେତ୍ରରେ ବିଶ୍ୱରେ ଗୌରବମୟ ପରିଚୟ ଦେଇଛି। ରାଜଧାନୀ ଭୁବନେଶ୍ୱର କ୍ଷେତ୍ରରେ ବହୁମୁଖୀ ଆଧୁନିକ କ୍ରୀଡ଼ାକେନ୍ଦ୍ର କଳିଙ୍ଗ ଷ୍ଟାଡ଼ିୟମଠାରେ ବ୍ୟାପକ ଆଧୁନିକ ଭିତ୍ତିଭୂମି ସାଙ୍ଗକୁ ଆସନ୍ତା ଶିକ୍ଷାବର୍ଷ ଠାରୁ ସ୍କୁଲ୍‌‌ ପାଠ୍ୟକ୍ରମରେ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା ବ୍ୟବସ୍ଥା ଲାଗୁ କରାଯିବା ପ୍ରସ୍ତାବ ଅତ୍ୟନ୍ତ ପ୍ରଶଂସନୀୟ ଓ ଦୂରଦୃଷ୍ଟି ସମ୍ପନ୍ନ।

ଏସବୁ ଖେଳ ବିକାଶ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପ୍ରଶାସନ ନିଶ୍ଚିତ ଧନ୍ୟବାଦର ପାତ୍ର। ସମ୍ପ୍ରତି ଓଡ଼ିଶାରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏକ ସୁବର୍ଣ୍ଣଯୁଗର ପ୍ରାରମ୍ଭ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

About The Author: The Sakala