ଗୋଟିଏ ଅଞ୍ଚଳବାସୀଙ୍କ ହୃଦୟ ଓ ମନକୁ ଜିଣିବା ପାଇଁ ଯେଉଁ ନୃତ୍ୟର ସୃଷ୍ଟି ତାହାକୁ ଲୋକନୃତ୍ୟ କୁହାଯାଏ। ନୃତ୍ୟ, ସଙ୍ଗୀତ ଓ ନାଟକର ଆଧାର ‘ଗାନ୍ଧର୍ବବିଦ୍ୟା’କୁ ‘ପଞ୍ଚମ ବେଦ’ର ମାନ୍ୟତା ଦିଆଯାଇଛି। ଏହାର ଅନୁସରଣରେ ବହୁ ପ୍ରାଚୀନ କାଳରୁ କଳିଙ୍ଗରେ ନୃତ୍ୟ ଓ ସଙ୍ଗୀତ ବିକାଶ ଲାଭ କରିଛି। ଐତିହାସିକଙ୍କ ମତରେ ଖ୍ରୀ.ପୂ. ଦ୍ୱିତୀୟ ଓ ତୃତୀୟ ଶତାବ୍ଦୀରୁ ଓଡ଼ିଶାରେ ଲୋକନୃତ୍ୟ ଆରମ୍ଭ ହୋଇଥିଲା। ପ୍ରାକ୍-ଐତିହାସିକ ଯୁଗରେ ଆଦିବାସୀମାନେ ଯେଉଁ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ସାମାଜିକ ଜୀବନରେ ବିମୋହିତ କରୁଥିଲେ ତାହା ପରବର୍ତ୍ତୀ ଯୁଗରେ ପରିମାର୍ଜିତ ହୋଇ ‘ଲୋକନୃତ୍ୟ’ ଭାବରେ ନାମିତ ହେଲା। ଭିନ୍ନ ଭିନ୍ନ ଅଞ୍ଚଳବାସୀ ଲୋକନୃତ୍ୟକୁ ଭିନ୍ନ ଭିନ୍ନ ନାମରେ ନାମିତ କଲେ।
ଲୋକନୃତ୍ୟ ପଛରେ ଅନେକ କାରଣ ଥାଇପାରେ। ମାତ୍ର ଗୋଷ୍ଠୀଗତ ଜାଗରଣ ପାଇଁ ଆରାଧ୍ୟ ଦେବଦେବୀଙ୍କୁ ପୂଜା ଆରାଧନା ନିମନ୍ତେ ଲୋକନୃତ୍ୟ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ। ମୂଳତଃ ନିଜସ୍ୱ କଳାତ୍ମକ ଅଭିବ୍ୟକ୍ତିରେ ଲୋକମାନଙ୍କୁ ବିଭୋର କରାଇବା ହେଉଛି ଏହାର ଲକ୍ଷ୍ୟ। ‘ଲୋକ’ ଶବ୍ଦର ଅର୍ଥ ସାଧାରଣ ଜନତା। ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ପରିବେଶିତ ନୃତ୍ୟକୁ ‘ଲୋକନୃତ୍ୟ’ ଏବଂ ଅଭିନୟକୁ ‘ଲୋକନାଟକ’ କୁହାଯାଏ। “ନର୍ତ୍ତନଂ ପାପ କର୍ତ୍ତନଂ”। ଅର୍ଥାତ୍ ସାଂସ୍କୃତିକ ଜୀବନରେ ନୃତ୍ୟ ଓ ସଙ୍ଗୀତକୁ ସାଧନାର ସ୍ୱୀକୃତି ବା ମାର୍ଗ ରୂପେ ବିବେଚନା କରାଯାଏ। ନତୁବା ପାପ ବିନାଶନ ବା ପୁଣ୍ୟ ବର୍ଦ୍ଧନର ସୋପାନ ଭାବେ ବିବେଚନା କରାଯାଏ। ଏହି ଲୋକନୃତ୍ୟ ବିଶେଷତଃ ବର୍ଷାର ଆହ୍ୱାନ, ଶିକାରର ସାଫଲ୍ୟ, ଶସ୍ୟ ଉତ୍ପାଦନ ଓ ସୁରକ୍ଷା ନିମନ୍ତେ ପ୍ରକୃତି ପୂଜନ, ଯଜ୍ଞ ଦ୍ୱାରା ଦେବଦେବୀଙ୍କୁ ଆହ୍ୱାନ, ପ୍ରେମ, ବିବାହ ଓ ମିଳନ ଉତ୍ସବ ତଥା ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ବାୟୁ, ଅଗ୍ନି ଓ ଷଡ଼ଋତୁଙ୍କର ପୂଜାର୍ଚ୍ଚନା ପାଇଁ ଲୋକନୃତ୍ୟ ହିଁ ବାସ୍ତବ ରୂପେ ପ୍ରଚଳିତ।
ବିଷାଦମୟ ଜୀବନରୁ ମୁକ୍ତି ପାଇବା ଓ ଦୈନନ୍ଦିନ ଜୀବନକୁ ସୁଖମୟ କରିବା ପାଇଁ ଲୋକକଳା, ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକନାଟକ ଆଦିର ଭୂମିକା ସ୍ୱତନ୍ତ୍ର। ଏହି ଲୋକନୃତ୍ୟର ମାଧ୍ୟମରେ ନବରସ ପରିବେଷଣରେ ଦର୍ଶକ ଉଦ୍ବୁଦ୍ଧ ହୋଇଥା’ନ୍ତି। ଏହା ମାଧ୍ୟମରେ ଅନ୍ତର୍ନିହିତ ଜ୍ଞାନ ଜାଗ୍ରତ ହେବା ସହିତ ନିଜେ ସୁଖ, ଶାନ୍ତି ପାଇ ଅନ୍ୟକୁ ଶାନ୍ତି ବିକିରଣ କରାଯାଇଥାଏ। ଗ୍ରାମ୍ୟ ଜୀବନରେ ମାଦଳର ତାଳେତାଳେ ଋଣୁଝୁଣୁ ନୂପୁରର ଚଳଚଞ୍ଚଳ ଛନ୍ଦରେ ଲାଳନାର ମନଖୋଲା ସଙ୍ଗୀତ ମୂର୍ଚ୍ଛନାରେ ଉଦ୍ଦାମ, ଉନ୍ମୁକ୍ତ, ବୀରତ୍ୱ ପ୍ରଦର୍ଶନରେ ଯୁବକଯୁବତୀଙ୍କ ସମ୍ମିଳିତ ସଙ୍ଗୀତ ନୃତ୍ୟରେ, ଚଷା ଭାଇର କୃଷିକ୍ଷେତ୍ରର ସଙ୍ଗୀତ ମୂର୍ଚ୍ଛନାରେ, ଲୋକନୃତ୍ୟ ବା ଲୋକକଳା ପରିସ୍ଫୁଟିତ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତି ନିଜର ଶ୍ରମ ଜନିତ ଦୁଃଖକୁ ଲାଘବ କରିବା ସହିତ ମାନସିକ ଚାପରୁ ଦୂରେଇ ରହିପାରେ। ତେଣୁ ଯୁଗ ଯୁଗ ଧରି ଲୋକକଳା, ଲୋକନୃତ୍ୟ, ଲୋକନାଟକ ଏବଂ ଲୋକସଙ୍ଗୀତକୁ ପ୍ରାଧାନ୍ୟ ଦିଆଯାଇଛି।
ଉତ୍କଳରେ ଲୋକନୃତ୍ୟ ଓ ଲୋକନାଟକର ପରମ୍ପରା ଐର ଖାରବେଳଙ୍କ ଶାସନକାଳରୁ ପ୍ରଚଳିତ ହୋଇ ଆସୁଥିବାର ବିଭିନ୍ନ ଶିଳାଲିପିରୁ ପ୍ରମାଣ ମିଳିଛି। ଶୈବ ଓ ଶାକ୍ତ ଧର୍ମର ଅୟମାରମ୍ଭରୁ, ମହେଞ୍ଜୋଦାରୋ ହରପ୍ପା ସଭ୍ୟତାରୁ, ସିନ୍ଧୁ ସଭ୍ୟତା ଉପକୂଳରୁ ଲୋକକଳାର ନିଦର୍ଶନ ଦେଖିବାକୁ ମିଳେ। ଶୈବ ଧର୍ମର କ୍ରମବିକାଶ ଫଳରେ ନଟରାଜ ଶିବଙ୍କର ନୃତ୍ୟ ଅନୁକରଣରେ ଲୋକନୃତ୍ୟ ସୃଷ୍ଟି ବୋଲି ଗବେଷକମାନେ ମତ ଦିଅନ୍ତି, ଯାହା ରାଜରାଜୁଡ଼ା ସମୟରେ ଆହୁରି ଉନ୍ନତ ଓ ବିକଶିତ ହୋଇଥିଲା। ଗଙ୍ଗବଂଶୀୟ ରାଜତ୍ୱ କାଳରେ ଓଡ଼ିଶାରେ ଦେବଦାସୀ ନୃତ୍ୟ ପ୍ରଚଳିତ ଥିଲା। ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ଓ କିମ୍ବଦନ୍ତୀ ଅନୁଯାୟୀ ଦେବଦାସୀ ଓ ମାହାରୀ ନୃତ୍ୟ ବହୁ ପ୍ରାଚୀନକାଳରୁ ପ୍ରଚଳିତ ହୋଇଆସୁଛି। ସେହି ଲୋକନୃତ୍ୟକୁ ଆଧାର କରି ଆମର ପ୍ରତିଷ୍ଠିତ ଶିଳ୍ପୀମାନେ ତୂଳୀରେ ଚିତ୍ରକଳାକୁ ବିଭିନ୍ନ ରୂପ ଦେଇଥା’ନ୍ତି। ଲୋକନୃତ୍ୟ ସମ୍ପର୍କରେ ଶିଳାଲେଖରେ ସ୍ୱତନ୍ତ୍ରଭାବେ ବର୍ଣ୍ଣନା କରାଯାଇଛି। ତନ୍ମଧ୍ୟରୁ ଗୋଟିଏ ଉଦାହରଣ ନିମ୍ନରେ ଦିଆଗଲା।
“ସ୍ୱସ୍ତୀ” ଶ୍ରୀମଦ୍କଳିଙ୍ଗ ନଗରାତ୍ ପରମମାହେଶ୍ୱର-ପରମଭଟ୍ଟାରକ ମହାରାଜାଧିରାଜ ତ୍ରିକଳିଙ୍ଗାଧିପତି ଶ୍ରୀମଦ୍ ଅନନ୍ତବର୍ମନ୍ଚୋଡ଼ଗଙ୍ଗଦେବ କୁଶଳୀ ସମସ୍ତା ମାତ୍ୟପ୍ରମୁଖ ଯାନ ପ୍ରଦାନା ଦ୍ୱୟ ସମାଜ୍ଞା ପୟତି ବିଦିତ ନିସ୍ତୁ ଭବତାଂ ପୂର୍ଣ୍ଣ କୋଟିସ୍ଥାନ ନିବାସୀ ଆଦ୍ୟକୂଳ ସମ୍ଭୂତ କଳିକାଳ ନାୟକ ଗୋତ୍ର୍ୟ ଗୁଣ୍ଡ୍ୟଂ ପୋତୟ ନାମାନୋ ନୃତ୍ୟଗୁରୋ ପୁତ୍ରିଭ୍ୟାଂ ଚ ଭାତ୍ରୁଭ୍ୟାଂ ଯାବଦାଚନ୍ଦ୍ର ତାରକମସ୍ମ ବିଦର୍ତ ନୀତି ଅସ୍ମାଦବଂଶୀୟଭୁପାଳୟଂ ପରିପାଲ୍ୟ ମିଦଂ ସଦା ସୂଦତାଂ ପରଦାତାଂ ପାଳନେ ତୁ ମହତ୍ଫଳମ୍।
କଳିଙ୍ଗନଗରର ମୁଖଲିଙ୍ଗ ହେଉଛନ୍ତି ମଧୁକେଶ୍ୱର। ତାଙ୍କରି ସେବା ନିମନ୍ତେ ଗଙ୍ଗବଂଶୀୟ ମହାରାଜା ଚୋଡ଼ଗଙ୍ଗଦେବ ଦେବଦାସୀ ପ୍ରଥା ଏବଂ ନୃତ୍ୟସଙ୍ଗୀତର ପରିବେଷଣ ପାଇଁ ଯେଉଁ ଆଦେଶନାମା ପ୍ରଚଳନ କରିଥିଲେ ତାହା ସେହି ମନ୍ଦିରରେ ସଂସ୍କୃତ ଭାଷାରେ ଶିଳାଲେଖରେ ବର୍ଣ୍ଣିତ ହୋଇଛି। ଏହି ଶିଳାଲେଖ ଅନୁଯାୟୀ ତ୍ରିକଳିଙ୍ଗ ପ୍ରସିଦ୍ଧ ଦୁଇଜଣ ଦେବଦାସୀ, ଯାହାଙ୍କୁ ଦେବଗଣୀକା ବୋଲି କୁହାଯାଏ ଏବଂ ବାଦକକୁ ଭୂମିଦାନ ପୂର୍ବକ ସେବାର ଅୟମାରମ୍ଭ ପରିଲକ୍ଷିତ ହୁଏ। ଏହାକୁ ଭିତ୍ତିକରି ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କରେ ବିଭିନ୍ନ କାରୁକାର୍ଯ୍ୟ ଦେଖାଦେଇଥାଏ।
ଲୋକନୃତ୍ୟ କହିଲେ ଆମ ଉତ୍କଳରେ ପ୍ରଚଳିତ ସୁଆଙ୍ଗ, ରାସ, ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମଲୀଳା, ଓଡ଼ିଶୀଲୀଳା, ରାସଲୀଳା, ଭାରତଲୀଳା, ଦୂଆରୀ ନାଚ, ଦଣ୍ଡନାଚ, ଚଇତି ଘୋଡ଼ାନାଚ, ଦେଶିଆ ନାଚ, ଢଣକରଲା, ଡାଲଖାଇ, ବାଡ଼ି ଭୂତଲ, ବାୟକନାଟ, କରମା, ରଶରକେଲୀ, ଘୁମ୍ରା, ସାର୍ହୁଲ୍, ରଣପ୍ପା, ସବର ସବରୁଣୀ ନାଚ, ଚଢ଼େୟା ଚଢ଼େୟାଣୀ ନାଚ, ଜାଜୁର ନୃତ୍ୟ, କେଳା କେଳୁଣୀ ନାଚ, ପ୍ରହଲ୍ଲାଦ ନାଟକ, ଯାତ୍ରା ଅଭିନୟ, ଗୀତିନାଟ୍ୟ, ପାଲା, ଦାସକାଠିଆ, ସାରହୁଲ ନୃତ୍ୟ, ଜାର୍ଘା ଖାଡ଼ିଆ, ବାଉଂଶ ରାଣୀ, ପାଏଁକି ନୃତ୍ୟ, ଝୁମ୍ରା ନୃତ୍ୟ, ଆଲନା, ଚାଲି ବେଚ୍ନା, ଭାଦାନ ନୃତ୍ୟ, ମାଠା ନାଚ, କୈୟା ନୃତ୍ୟ, ଯୋଗୀ ଯୋଗୀଆଣୀ ନାଚ, ଓରାଅଁ ନୃତ୍ୟ, ପାଣୀ ଦଣ୍ଡ, ଅଗ୍ନି ଦଣ୍ଡ, ପାଟୁଆ ନାଚ, ଘଣ୍ଟପାଟୁଆ, ସାହିଯାତ୍ରା, ମେଢ଼ ନୃତ୍ୟ, ନାଗା ନୃତ୍ୟ, ଛଉ ନୃତ୍ୟ, ମୋଗଲତାମ୍ସା, ଘଣ୍ଟ ମର୍ଦ୍ଦଳ, ସଂଚାର, ନାଗାନୃତ୍ୟ, ପୁରୁଲିଆ ଆଦି ନୃତ୍ୟ ଅନ୍ୟତମ।
ପ୍ରତ୍ୟେକ ଲୋକନୃତ୍ୟରେ ସଙ୍ଗୀତ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ। ବହୁ ଲୋକନୃତ୍ୟରେ ଲୋକସଙ୍ଗୀତ, ଲୋକକଳା ପୂର୍ବକ କଳାକାରମାନଙ୍କର ବିଭିନ୍ନ ବେଶ ପରିପାଟିରେ ନୃତ୍ୟ ଅଭିନୟ ଅଙ୍ଗଭଙ୍ଗୀ, ଚକ୍ଷୁ ଭାବଭଙ୍ଗୀ ପ୍ରଦର୍ଶନ, ହସ୍ତ ଓ ପଦ ଚାଳନା ଆଦି ଦେଖିବାକୁ ମିଳିଥାଏ। ମୋଟ୍ ଉପରେ କହିବାକୁ ଗଲେ ସାଧାରଣତଃ ଜନଜୀବନରେ ଚିରାଚରିତ ସାମାଜିକ ପ୍ରଥା, ପରମ୍ପରା, ଧର୍ମଧାରଣା ଓ ରୀତିନୀତିକୁ ସମ୍ବଳ କରି ସହଜ, ସରଳ ଏବଂ ସାବଲୀଳ ଭାବରେ ପରିବେଷଣ କରାଯାଉଥିବା ନୃତ୍ୟ ହିଁ ଲୋକନୃତ୍ୟ। ସମଗ୍ର ବିଶ୍ୱକୁ ଓଡ଼ିଶାର ଲୋକକଳା, ଲୋକନାଟକ, ଲୋକସଙ୍ଗୀତ ନୃତ୍ୟ ଏକ ନୂତନ ଦିଗ ଦେଖାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ପଣ୍ଡିତ ଦୈତ୍ୟାରି ମହାପାତ୍ର
ସୁବର୍ଣ୍ଣପୁର, ମୋ: ୮୭୬୩୫୪୮୨୦୨