ଆମ ଦୁନିଆର ବିପରୀତ ଚରିତ୍ରମାନେ

ଯୁଗେ ଯୁଗେ ଦୁଇ ବିପରୀତ ଚରିତ୍ରମାନେ ସମାଜରେ ଆବିର୍ଭୂତ ହୋଇ ଜନମାନସକୁ ଆନ୍ଦୋଳିତ କରନ୍ତି। ଜଣେ ଅସତ୍‌‌ ଉପାୟରେ ଧନକୁବେର ସାଜୁଥିବା ବେଳେ ଆଉ ଜଣେ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକଭାବେ ସ୍ୱଉପାର୍ଜିତ ସତ୍‌‌ଧନକୁ ଦୁଃସ୍ଥମଣିଷଙ୍କୁ ଦାନ କରି ନିଃସ୍ୱଭାବେ ଫୁଟପାଥରେ ଆଶ୍ରୟ ନିଏ। ପୁଣି କେହି ଧନପ୍ରାପ୍ତି ନିଶାରେ ନିଜ ପରିବାରକୁ ହତ୍ୟାକରେ ତ ଆଉ କେହି ସତ୍ୟ, ଧର୍ମ ଓ ନ୍ୟାୟର ପକ୍ଷ ଗ୍ରହଣ କରି ଆତ୍ମଜଙ୍କୁ ମଧ୍ୟ କୁକର୍ମ ଓ ଅପରାଧ ପାଇଁ ଦଣ୍ଡିତ […]

ଯୁଗେ ଯୁଗେ ଦୁଇ ବିପରୀତ ଚରିତ୍ରମାନେ ସମାଜରେ ଆବିର୍ଭୂତ ହୋଇ ଜନମାନସକୁ ଆନ୍ଦୋଳିତ କରନ୍ତି। ଜଣେ ଅସତ୍‌‌ ଉପାୟରେ ଧନକୁବେର ସାଜୁଥିବା ବେଳେ ଆଉ ଜଣେ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକଭାବେ ସ୍ୱଉପାର୍ଜିତ ସତ୍‌‌ଧନକୁ ଦୁଃସ୍ଥମଣିଷଙ୍କୁ ଦାନ କରି ନିଃସ୍ୱଭାବେ ଫୁଟପାଥରେ ଆଶ୍ରୟ ନିଏ। ପୁଣି କେହି ଧନପ୍ରାପ୍ତି ନିଶାରେ ନିଜ ପରିବାରକୁ ହତ୍ୟାକରେ ତ ଆଉ କେହି ସତ୍ୟ, ଧର୍ମ ଓ ନ୍ୟାୟର ପକ୍ଷ ଗ୍ରହଣ କରି ଆତ୍ମଜଙ୍କୁ ମଧ୍ୟ କୁକର୍ମ ଓ ଅପରାଧ ପାଇଁ ଦଣ୍ଡିତ କରିପାରେ।

ଆମ ଦୃଷ୍ଟିରେ ଭିକାରି କହିଲେ ଏପରି ଜଣେ ଚରିତ୍ରକୁ ବୁଝାଏ ଯିଏ ନିଜର ଓ ପରିବାରର ପେଟଚାଖଣ୍ଡକ ପାଇଁ ଦ୍ୱାରଦ୍ୱାର ବୁଲି ଭିକ୍ଷା ଯାଚନା କରେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏପରି ମଧ୍ୟ ଛଳନାମୟ ବ୍ୟକ୍ତି ଏ ପୃଥିବୀରେ ଅଛନ୍ତି ଯେ କୋଟିପତି ହୋଇ ସୁଦ୍ଧା ଭିକ୍ଷାବୃତ୍ତିକୁ ଆଦରିଛନ୍ତି। ଭିକ୍ଷାବୃତ୍ତି ଏକ ସହଜଲଭ୍ୟ ପନ୍ଥା, ଯେଉଁଥିରେ ଶାରୀରିକ ଶ୍ରମର ଆବଶ୍ୟକ ନଥାଏ। ତା’ର ଛଳନାପୂର୍ଣ୍ଣ ଆଚରଣରେ ଭ୍ରମିତ ହୋଇ ଲୋକେ ଅଜାଡ଼ି ଦିଅନ୍ତି ତାଙ୍କ କଷ୍ଟଲବ୍ଧ ଧନ। ଜଣେ ଭିକାରି କୋଟିପତି ହେବା ଶୁଣିଲେ ନିହାତି ଆଶ୍ଚର୍ଯ୍ୟ ଲାଗେ। ଫଳରେ ଭିକାରି ପ୍ରତି ଦୟାଶୀଳ ହେବା ପରିବର୍ତ୍ତେ ଆମେ କଠୋର ହେଉ ଏବଂ ପ୍ରକୃତ ଭିକାରିକୁ ରିକ୍ତହସ୍ତରେ ଫେରାଇ ଦେଉ। ମୁମ୍ବାଇ ସହରରେ ରହୁଛନ୍ତି ‘ଭରତ ଜୈନ’ ନାମକ ଜଣେ ଏଭଳି କୋଟିପତି ଭିକାରି, ଯାହାଙ୍କ ନିକଟରେ ଅଛି ଅମାପ ଧନ ସମ୍ପତ୍ତି। ତାଙ୍କର ଅଛି ମୁମ୍ବାଇ ସହରରେ ଦୁଇଟି ମୂଲ୍ୟବାନ ପ୍ଲଟ, ଦୁଇଟି ଫ୍ଲାଟ୍‌‌ ଓ ମାର୍କେଟ କମ୍ପ୍ଲେକ୍ସରେ ତିନିଟି ଘର, ଯାହା ବ୍ୟବସାୟ ପ୍ରତିଷ୍ଠାନ ଉଦ୍ଦେଶ୍ୟରେ ଭଡ଼ା ସୂତ୍ରରେ ଦିଆଯାଇଛି। ଏତଦ୍‌‌ବ୍ୟତୀତ ଏକ ସୁଦୃଶ୍ୟ ବାସଗୃହ ଯେଉଁଠି ତାଙ୍କ ପରିବାର ରହନ୍ତି। କେବଳ ଭିକ୍ଷାବୃତ୍ତିରୁ ତାଙ୍କର ମାସିକ ଆୟ ୭୦/୮୦ ହଜାର ଟଙ୍କା। ଭରତଙ୍କର ବର୍ତ୍ତମାନ ସମ୍ପତ୍ତିର ମୂଲ୍ୟ ସାଢ଼େ ସାତକୋଟି ଟଙ୍କାରୁ ଅଧିକ। ରାତି ପାହିବା ପୂର୍ବରୁ ଭିକାରି ବେଶ ଧାରଣ କରି ସେ ରାଜରାସ୍ତାକୁ ବାହାରି ପଡ଼ନ୍ତି। ନିଜର ଏବଂ ପରିବାରର ଖାଦ୍ୟଗଣ୍ଡାକ ସେ ଭିକ୍ଷାସୂତ୍ରରେ ଲାଭ କରନ୍ତି। ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ଆଦୌ ନାହିଁ କହିଲେ ଚଳେ। ସାମାନ୍ୟ ଅସାବଧାନତାରୁ ତାଙ୍କର ପରିଚୟ ପ୍ରଘଟ ହେବା ପରେ ଏବେ ସେ ଗଣମାଧ୍ୟମ ନଜରକୁ ଆସିଛନ୍ତି ଓ ତାଙ୍କ କାରବାର ଲୋକଲୋଚନକୁ ଆସିଛି।

ଅପରପକ୍ଷରେ ଜଣେ ସ୍ୱତନ୍ତ୍ର ଚରିତ୍ରର ଅଧିକାରୀ ହେଲେ ଚେନ୍ନାଇର କଲ୍ୟାଣ ସୁନ୍ଦରମ୍‌‌। ବୟସ ପ୍ରାୟ ୭୫। ସେ ସେପରି ଧନୀ ନୁହନ୍ତି; ମାତ୍ର ତାଙ୍କ ଜୀବନର ସମସ୍ତ ରୋଜଗାରକୁ ସେ ଦାନ କରିଛନ୍ତି ନିଃସ୍ୱ ଦରିଦ୍ରଙ୍କ କଲ୍ୟାଣ ପାଇଁ। କଲ୍ୟାଣ ସୁନ୍ଦରମ୍‌‌ ଅତ୍ୟନ୍ତ ବିନୟୀ, ନମ୍ର, ଦରଦୀ ଭାବର ଜଣେ ବିରଳ ମଣିଷ। ନିଜ ତିରିଶ ବର୍ଷ ଚାକିରି ଜୀବନର ସମସ୍ତ ବେତନ ସେ ଦାନ ସୂତ୍ରରେ ଦେଇ ସାରିଛନ୍ତି। ଅବସର ପରେ ମଧ୍ୟ ତାଙ୍କ ମାସିକ ପେନସନକୁ ସେ ଜନକଲ୍ୟାଣ ପାଇଁ ଦାନ କରୁଛନ୍ତି। ନିଜସ୍ୱ ବାସଗୃହ ଖଣ୍ଡେ ତାଙ୍କର ନାହିଁ। ରାତିରେ ଫୁଟପାଥରେ ଦିନ ମଜୁରିଆଙ୍କ ସହ ସେ ଜୀବନ ବିତାଉଛନ୍ତି। ଯାହା ମିଳେ ଖାଆନ୍ତି। ନଚେତ ପାଣିମୁନ୍ଦେ ପିଇ ଶୋଇଯା’ନ୍ତି। ସେ ତାମିଲ ଭାଷାରେ ସ୍ନାତକୋତ୍ତର ସମାପ୍ତି ପରେ ଗ୍ରନ୍ଥାଗାର ବିଜ୍ଞାନରେ ଡିଗ୍ରୀ ହାସଲ କରି ଟ୍ୟୁଟିକୋରିନର ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟରେ ଗ୍ରନ୍ଥାଗାରିକ ଭାବେ ତାଙ୍କ ଜୀବନ ଅତିବାହିତ କରିଛନ୍ତି। ୧୯୬୨ ଭାରତ-ଚୀନ ଯୁଦ୍ଧ ସମୟରେ ପଣ୍ଡିତ ନେହେରୁଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ନିଜ ସୁନା ଚେନଟିକୁ ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ କାମରାଜଙ୍କୁ ଦାନ କଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ନିଜ ପୈତୃକ ସମ୍ପତ୍ତି ଓ ବାସଗୃହକୁ ବିକ୍ରିକରି ପାଇଥିବା ଏକଲକ୍ଷ ଟଙ୍କାକୁ ସେ ଅନାଥଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଦାନ କରିଛନ୍ତି। ତାଙ୍କ ମାନବ କଲ୍ୟାଣ ଓ ଉତ୍ସର୍ଗୀକୃତ ତ୍ୟାଗକୁ ମିଳିଛି ଜାତିସଙ୍ଘର ସ୍ୱୀକୃତି। ଆମେରିକାର ଏକ ସଂଗଠନ ତାଙ୍କୁ ‘ସହସ୍ରାଦ୍ଦୀର ବ୍ୟକ୍ତିତ୍ୱ’ ଭାବେ ସମ୍ମାନିତ କରି ପ୍ରଦାନ କରିଛନ୍ତି ତିରିଶ କୋଟି ଟଙ୍କାର ପୁରସ୍କାର ରାଶି, ଯାହାକୁ ସେ ସମାଜକଲ୍ୟାଣ ପାଇଁ ଦାନ କରି ଦେଇଛନ୍ତି। ଆଜି ଆମେ ଯେଉଁ କଳାଟଙ୍କାର ପାହାଡ଼ ଦେଖୁଛୁ, କଲ୍ୟାଣ ସୁନ୍ଦରମ୍‌‌ ହେଉଛନ୍ତି ତା’ର ଏକ ବଳିଷ୍ଠ ବ୍ୟତିକ୍ରମ। ତାଙ୍କ ମତରେ ପେଟ ପୂରିଲେ କ୍ଷୁଧା ଦୂର ହୁଏ; ମାତ୍ର ଅର୍ଥ କ୍ଷୁଧାର ପରିସମାପ୍ତି ନୁହେଁ। ଅର୍ଥ କ୍ଷୁଧାର ପରିସମାପ୍ତି ପାଇଁ ଏକ ଉଦାର ହୃଦୟର ଆବଶ୍ୟକତା ଅଛି।

ସେହିପରି ଜଣେ ଅର୍ଥ ପିପାସୁ ଜଘନ୍ୟ ଚରିତ୍ରର ମହିଳା ହେଲେ କେରଳର ଜଲ୍ଲି ଆମ୍ମା ଯୋଶେଫ୍‌‌ (ଡାକ ନାମ ଜଲି)। ମାତ୍ର ୧୪ ବର୍ଷ ବୟସରେ ସେ ପ୍ରେମବିବାହ କରିଥିଲେ ସମ୍ଭ୍ରାନ୍ତ ଘରର ପୁଅ ରୟଟମାସ୍‌‌ଙ୍କୁ। ବିବାହର ଅଳ୍ପ କେତେଦିନ ମଧ୍ୟରେ ସ୍ୱାମୀଙ୍କୁ ବିଷ ଦେଇ ହତ୍ୟା କଲା ପରେ ସେ ହେଲେ ସ୍ୱାମୀଙ୍କର ଅଚଳାଚଳ ସମ୍ପତ୍ତିର ମାଲିକ। ସେ ଅତି ଚତୁରତାର ସହ ୨୦୦୬ରେ ଶାଶୂ ଆନାମ୍ମାଟମାସ ଓ ୨୦୦୮ରେ ଶ୍ୱଶୁର ଟମ୍‌‌ଟମାସଙ୍କୁ ହତ୍ୟା କଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କମ୍‌‌ ବୟସରେ ବିଧବା ହୋଇଥିବାରୁ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଲା ପରିବାରର ଅବଶିଷ୍ଟ ସଦସ୍ୟଙ୍କ ସ୍ନେହ ସହାନୁଭୂତି। ଏହାପରେ କୌଶଳରେ ସେ ହତ୍ୟା କରିଚାଲିଲେ ଦେଢ଼ଶୂରଙ୍କର ଦୁଇ ପୁଅ ଓ ଶିଶୁକନ୍ୟାକୁ। ଶେଷରେ ତାଙ୍କ ଶିକାର ହେଲେ ବଡ଼ ଯାଆ ଶିଲି। ପ୍ରତି ହତ୍ୟାକାଣ୍ଡର ସଫଳତା ତାଙ୍କ ପାଇଁ ଆଣି ଦେଉଥାଏ ନୂତନ ଉତ୍ସାହ ଓ ପ୍ରେରଣା। ତାଙ୍କର ସୁନ୍ଦର ସଲ୍ଲଜ ମୁଖମଣ୍ଡଳ ଓ ନିରପରାଧ ଚାହାଣି ଶେଷରେ ଦେଢ଼ଶୁର ରଜ୍ଜୋଟମାସଙ୍କୁ ଆକର୍ଷିତ କଲା। ରଜ୍ଜୋଙ୍କର ଆମେରିକାରେ ଏକ ବିରାଟ ବ୍ୟବସାୟ ପ୍ରତିଷ୍ଠାନ ଥିଲା ଏବଂ ସେ ଥିଲେ ଅମାପ ସମ୍ପତ୍ତିର ମାଲିକ। କ୍ରମେ ରଜ୍ଜୋ ଓ ଜିଲିଙ୍କ ମଧ୍ୟରେ ପ୍ରଥମେ ପ୍ରେମ ଓ ପରେ ବିବାହ ମଧ୍ୟ ସମ୍ପନ୍ନ ହୋଇଗଲା। ବିବାହ ପରେ ପ୍ରଥମ ରାତିରେ ଜଲିଙ୍କର ଧନ ପିପାସା ଓ ପାପ ପ୍ରବୃତ୍ତିର ପରିଚୟ ପାଇଗଲେ ରଜ୍ଜୋ। ସେ ପୁଲିସରେ ଅଭିଯୋଗ କଲେ। ପରେ ଜଲି ନିଜ ଦୋଷ ସ୍ୱୀକାର କରିଥିଲେ। ବିଗତ ଚଉଦବର୍ଷ ମଧ୍ୟରେ ସେ ପରିବାରର ସାତଜଣଙ୍କୁ ହତ୍ୟା କରିଥିଲେ। ତାଙ୍କର ଦୁଇ ପୁରୁଷ ବନ୍ଧୁ ଏମ୍‌‌.ଏସ୍‌‌.ମାଥ୍ୟୁ ଓ ପ୍ରାଜିକୁମାର ଏହି ହତ୍ୟାକାଣ୍ଡରେ ଜଲିଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଥିଲେ। ଜଲି ଓ ତାଙ୍କ ଦୁଇବନ୍ଧୁ ବର୍ତ୍ତମାନ ବିଚାରଧୀନ ବନ୍ଦୀ ଭାବେ ଜୀବନ ଅତିବାହିତ କରୁଛନ୍ତି। ଜଲିଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ସାଧାରଣରେ ଦାବି ଉଠିଛି।

ଏହାର ବିପରୀତ ବ୍ୟକ୍ତିତ୍ୱ ହେଉଛନ୍ତି ନିଃସ୍ୱାର୍ଥପର, ନିଷ୍କଳଙ୍କ ଓ ନୀତିବାନ ଚରିତ୍ରର ଅଧିକାରୀ ଓଡ଼ିଶାର ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ। ୨୦୦୪ରେ ସେ ବାଲେଶ୍ୱର ଜିଲ୍ଲା ନୀଳଗିରିର ଉପଜିଲ୍ଲାପାଳ ଥିବା ସମୟର ଏକ ଘଟଣା। ତାଙ୍କ ଏକମାତ୍ର ପୁଅ ଭୁବନେଶ୍ୱରରେ ସ୍ନାତକୋତ୍ତର ଅଧ୍ୟୟନ କରୁଥା’ନ୍ତି। ଛୁଟି କାଟିବା ପାଇଁ ସେ କିଛିଦିନ ନୀଳଗିରି ଆସିଥିଲେ। ଛୁଟି ପୂର୍ତ୍ତିଦିନ ସେ ଭୁବନେଶ୍ୱର ଫେରିବା ପାଇଁ ତାଙ୍କ ଘରେ ନିୟୋଜିତ ସରକାରୀ ପିଅନଙ୍କୁ ନିଜ ଗଣ୍ଠିଲି ସଜାଡ଼ିବାକୁ ନିର୍ଦ୍ଦେଶ ଦେଇ କ୍ରିକେଟ ଖେଳିବାକୁ ଚାଲିଗଲେ। ଘରକୁ ଫେରି ଦେଖନ୍ତି ତ ଗଣ୍ଠିଲି ସଜଡ଼ା ହୋଇନାହିଁ। ଅତ୍ୟନ୍ତ କ୍ରୋଧିତ ହୋଇ ସେ କ୍ରିକେଟ୍‌‌ବ୍ୟାଟରେ ପିଅନଙ୍କୁୁ ପିଟିବାକୁ ଲାଗିଲେ। ପିଅନ ଯେତେ ଆକୁଳ ପ୍ରାର୍ଥନା କଲେ ମଧ୍ୟ ତାହା କୌଣସି ପ୍ରଭାବ ପକାଇ ପାରି ନଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ପିଅନ ଆଖି ବୁଜିଦେଲେ। ଏହାପରେ ସେ ଯୁବକ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ। ତାଙ୍କର ବିଶ୍ୱାସ ଥିଲା ଯେ ବାପା ଏ କଥାକୁ ଅତି ସାମାନ୍ୟ ଭାବେ ଗ୍ରହଣ କରି ଅପତ୍ୟସ୍ନେହ ବଳରେ ଘଟଣାକୁ ଚାପିଦେବେ। କିନ୍ତୁ ଜନୈକ ଅଧିକାରୀ ଜଣକ ଥିଲେ ଭିନ୍ନ ଉପାଦାନରେ ଗଢ଼ା ମଣିଷ। ଘରକୁ ଫେରି ପିଅନର ମୃତଶରୀର ଓ ନିକଟରେ ପଡ଼ିଥିବା ବ୍ୟାଟକୁ ଦେଖି ସେ ସବୁକଥା ବୁଝିଗଲେ। ସତ୍ୟର ପ୍ରତିଷ୍ଠା ଓ କର୍ତ୍ତବ୍ୟର ଆହ୍ୱାନ ସମ୍ମୁଖରେ ଫିକା ପଡ଼ିଗଲା ଅପତ୍ୟ ସ୍ନେହ। ନିଜ ପୁଅ ବିରୁଦ୍ଧରେ ଥାନାରେ ଏତଲା ଦେଇ ଚବିଶଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ପୁଲିସ୍‌‌କୁ ନିର୍ଦ୍ଦେଶ ଦେଲେ। କେବଳ ସେତିକି ନୁହେଁ, ବିଚାରାଳୟରେ କାଠଗଡ଼ାରେ ଠିଆ ହୋଇ ସେ ପୁଅ ବିରୁଦ୍ଧରେ ସାକ୍ଷୀ ଦେଲେ। ଫଳସ୍ୱରୂପ ପୁଅ ଆଜୀବନ ବନ୍ଦୀ ଭାବେ କାଳାତିପାତ କରୁଛି। ସେ ପ୍ରଥିତଯଶା, ପ୍ରେରଣାଦାୟୀ, ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଆଜି ଇହାଧାମରେ ନାହାନ୍ତି। ତାଙ୍କର ଏତାଦୃଶ୍ୟ କାର୍ଯ୍ୟପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ବି ଊଣା ହେବ।

ଉପରୋକ୍ତ ଚାରୋଟି ଦୃଷ୍ଟାନ୍ତରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଚରିତ୍ରମାନେ ଅଛନ୍ତି। ଆମେ କେଉଁ ଚରିତ୍ରକୁ ଗ୍ରହଣ କରିବା ତାହା ଆମ ଚିନ୍ତା, ଚେତନା ଓ ଦୃଷ୍ଟିକୋଣ ଉପରେ ନିର୍ଭର କରେ।

ବୈକୁଣ୍ଠନାଥ ମିଶ୍ର
ଜଗତସିଂହପୁର, ମୋ: ୯୯୩୭୪୫୦୫୪୦

About The Author: The Sakala