ଯୁକ୍ତିବାଦୀ ଚିନ୍ତାନାୟକମାନଙ୍କ ଦ୍ୱାରା ସଂକଳିତ ଏକ ତଥ୍ୟ ଦର୍ଶାଏ ଯେ ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ଡାହାଣୀ ସନ୍ଦେହରେ ଅତିକମରେ ୬୦୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି, ଯାହା ବାର୍ଷିକ ହାରାହାରି ସଂଖ୍ୟା ୫୦ ରୁ ଅଧିକ। ୨୦୧୩ ମସିହାରେ ‘ଓଡ଼ିଶା ଗୁଣିଗାରେଡ଼ି ନିବାରଣ ଆଇନ’ ପ୍ରଣୟନ ହେବା ସତ୍ତ୍ବେ ଏପରି ଘଟଣା ପାଇଁ ଓଡ଼ିଶା ଦେଶର ଶୀର୍ଷ ରାଜ୍ୟ ମଧ୍ୟରେ ନିରନ୍ତର ସ୍ଥାନ ପାଇଆସୁଛି। ଏହାର ମୁଖ୍ୟ କାରଣ କେବଳ ଅନ୍ଧବିଶ୍ୱାସ, ସୀମିତ ଶିକ୍ଷା ଓ ସଚେତନତାର ଅଭାବ ନୁହେଁ, ବରଂ ‘ଡନିଂ-କ୍ରୁଗର’ମାନଙ୍କ ପ୍ରତି ସାଧାରଣ ଜନତାଙ୍କ ଅତିରିକ୍ତ ବିଶ୍ୱାସ ମଧ୍ୟ ଏଥିପାଇଁ ଦାୟୀ।
ଆମେରିକାର ଦୁଇ ମନସ୍ତତ୍ତ୍ୱବିତ ଡେଭିଡ୍ ଡନିଂ ଓ ଜଷ୍ଟିନ୍ କ୍ରୁଗର ଏକ ନୂତନ ତଥ୍ୟକୁ ୧୯୯୯ ମସିହାରେ ଉଦ୍ଭାବନ କରିଥିଲେ, ଯାହାର ନାମ ସେହି ଦୁଇମନସ୍ତତ୍ତ୍ୱବିତ୍ଙ୍କ ନାମାନୁସାରେ ‘ଡନିଂ-କ୍ରୁଗର’ ରଖାଯାଇଛି। ସରଳରେ ଏହାର ଅର୍ଥ ଆତ୍ମସଚେତନତାର ଅଭାବ ହେତୁ କିଛି ଲୋକ ନିଜକୁ ଜ୍ଞାନୀ ବୋଲି ଭାବନ୍ତି ଏବଂ ତାହାକୁ ଅତି କୁଶଳତାର ସହିତ ସାଧାରଣ ଜନତାଙ୍କୁ ମାନିବାକୁ ବାଧ୍ୟ କରନ୍ତି ବା ମନାଇ ଦିଅନ୍ତି। ନିଜର ସ୍ୱାର୍ଥ ସାଧନ ପାଇଁ ସେମାନଙ୍କୁ ପଥଭ୍ରଷ୍ଟ କରାଇ ସମାଜରେ ଅସ୍ଥିରତା ସୃଷ୍ଟି କରନ୍ତି। ଡନିଂ-କ୍ରୁଗର ପ୍ରଭାବରେ ନିଜ ପ୍ରତିଭାକୁ ଅତିରଞ୍ଜିତ କରନ୍ତି ଏବଂ ସମ୍ଭାବ୍ୟ ଫଳାଫଳକୁ ବିଚାର ନ କରି ବିପଦ ସୃଷ୍ଟି କରିଥା’ନ୍ତି। ଉଦାହରଣ ସ୍ୱରୂପ, କିଛି ବ୍ୟକ୍ତି କହିବେ ମୋ ଖଟ ଦୌଡ଼ି ଦୌଡ଼ି ନଦୀ ପାଖକୁ ଗଲା ଏବଂ ପାଣି ପିଇ ଫେରିଆସି ମୋ ଶୋଇବା ପାଇଁ ବିଛଣା ପକାଇଲା। ହ୍ୱାଟ୍ସ୍ଆପରେ ଦିନରାତି ବୁଡ଼ିରହିଥିବା ବ୍ୟକ୍ତି କୁହନ୍ତି, ହେୟାର ଡ୍ରାୟର ମାଧ୍ୟମରେ ନାକରେ ଗରମ ପବନ ଦେଲେ କରୋନା ଦୂର ହୋଇଯାଏ।
ଅନେକ ବୈଜ୍ଞାନିକ ଓ ଚିନ୍ତକ କୁହନ୍ତି ଯେ ଯୁକ୍ତିଯୁକ୍ତତା, କୌତୂହଳ, ସନ୍ଦେହ ଓ ପ୍ରଶ୍ନ କରିବାର ଇଚ୍ଛା ଆଧାରରେ ଏକ ମାନସିକତା ସୃଷ୍ଟିର ପ୍ରୟାସ ଆଜିର ଶିକ୍ଷାବ୍ୟବସ୍ଥାର ମୂଳମନ୍ତ୍ର ହେବା ଜରୁରୀ। ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ନେତା ଓ ବୈଜ୍ଞାନିକଙ୍କ ମତାମତକୁ ଆମେ ଉଦାହରଣ ରୂପେ ମଧ୍ୟ ନେଇପାରିବା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଥିଲେ ଜଣେ ବିଜ୍ଞାନ ପ୍ରବକ୍ତା। ସେ ଥରେ କହିଥିଲେ ‘ବୈଜ୍ଞାନିକ ମନୋଭାବ ହେଉଛି ଜଣେ ମୁକ୍ତ ମଣିଷର ମନୋଭାବ।’ ସେ ବିଶ୍ୱାସ କରୁଥିଲେ ଯେ ଜାତୀୟ ପ୍ରଗତି ପାଇଁ ବୈଜ୍ଞାନିକ ଚିନ୍ତାଧାରା ଅତ୍ୟାବଶ୍ୟକ ଏବଂ ଭାରତକୁ ଆଗକୁ ବଢ଼଼ିବା ପାଇଁ ଅନ୍ଧବିଶ୍ୱାସ ଓ ଭାଗ୍ୟବାଦକୁ ତ୍ୟାଗ କରିବାକୁ ପଡ଼ିବ। ସେ ସମୟରୁ ଭାରତୀୟ ସମ୍ୱିଧାନରେ ଏକ ମୌଳିକ କର୍ତ୍ତବ୍ୟ ଭାବରେ ‘ବୈଜ୍ଞାନିକ ମନୋଭାବ’ ଲେଖାଯାଇଥିଲା, ଯାହା ଆଜି ବି ବିଦ୍ୟମାନ। କାର୍ଲ ସାଗାନ ଜଣେ ଆଗଧାଡ଼ିର ଜ୍ୟୋତିର୍ବିଜ୍ଞାନୀ, ଯାହାଙ୍କ ମତରେ ‘ବିଜ୍ଞାନ ଜ୍ଞାନର ଏକ ଅଂଶ ନୁହେଁ ବରଂ ତା’ଠାରୁ ଯଥେଷ୍ଟ ଅଧିକ, ଯାହାକୁ ଚିନ୍ତା କରିବାର ଏକ ଉପାୟ କୁହାଯାଇପାରେ।’ ସାଗାନ୍ ଛଦ୍ମବିଜ୍ଞାନ ବିଷୟରେ ଗଭୀର ଚିନ୍ତିତ ଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଯେତେବେଳେ ଅନ୍ଧବିଶ୍ୱାସ ଓ ରାଜନୀତି ଶିକ୍ଷାରେ ପ୍ରବେଶ କରିବ ସେତେବେଳେ ତାହା ସମାଜକୁ ଏକ ଅନ୍ଧକାରମୟ ଗହ୍ୱରକୁ ଟାଣିନେଇ ମାନବ ସଭ୍ୟତାକୁ ଧ୍ୱଂସ କରିଦେବ। ତାଙ୍କ ପୁସ୍ତକ ‘ଦି ଡେମନ-ହଣ୍ଟେଡ୍ ୱାର୍ଲ୍ଡ’ରେ ସେ ଭୟ ଓ ଅଜ୍ଞତାର ପ୍ରତିଷେଧକ ଭାବରେ ସମାଲୋଚନାମୂଳକ ଚିନ୍ତାଧାରାକୁ ଅତି ଉଚ୍ଚସ୍ଥାନ ଦେଇଥିଲେ।
ନୋବେଲ୍ ପୁରସ୍କାର ବିଜେତା ପଦାର୍ଥବିଜ୍ଞାନୀ ରିଚାର୍ଡ ଫେନିମ୍ୟାନ୍ କହିଥିଲେ ଯେ, ‘ମୁଁ ପ୍ରଶ୍ନ କରାଯାଇ ନ ଥିବା ଉତ୍ତର ଅପେକ୍ଷା ଉତ୍ତର ଦିଆଯାଇ ନ ଥିବା ପ୍ରଶ୍ନ ରଖିବାକୁ ପସନ୍ଦ କରିବି।’ ସେ ଅନ୍ଧବିଶ୍ୱାସ ପ୍ରଣାଳୀରେ ସମାଜରେ ପ୍ରଚଳିତ ବ୍ୟବସ୍ଥା ବିରୁଦ୍ଧରେ ଚେତାବନୀ ଦେଇଥିଲେ। ତାଙ୍କ ପାଇଁ ବୈଜ୍ଞାନିକ ମନୋଭାବର ଅର୍ଥ ହେଉଛି ନ ଜାଣିଥିବା ବିଷୟରେ ଜାଣିବାର ଇଚ୍ଛା ଏବଂ ସର୍ବଦା ନିଜର ଭୁଲକୁ ସଂଶୋଧନ କରିବାର ରାସ୍ତାକୁ ଖୋଲା ରଖିବା। ବିଶ୍ୱପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନ୍ ଯୁକ୍ତି, ନୀତି ଓ ବୌଦ୍ଧିକ ସଚ୍ଚୋଟତାକୁ ସବୁଠାରୁ ଅଧିକ ଉଚ୍ଚ ଆସନ ଦେଇଥିଲେ ଏବଂ ବିଶ୍ୱାସ କରୁଥିଲେ ଯେ ଏକ ବୈଜ୍ଞାନିକ ବିଶ୍ୱଦୃଷ୍ଟିକୋଣ ମାଧ୍ୟମରେ ଆଶ୍ଚର୍ଯ୍ୟକର ବସ୍ତୁ ବା ପଦାର୍ଥର ଉଦ୍ଦଭାବନ ପାଇଁ ନିଜର ମନବୃତ୍ତିକୁ ଉନ୍ମୁକ୍ତ ରଖିବା ଉଚିତ, ଅହଂକାର ପାଇଁ ନୁହେଁ। ଭାରତର ନରେନ୍ଦ୍ର ଦାଭୋଲକରଙ୍କ ମତରେ ଚମତ୍କାର ବା ପ୍ରାକୃତିକ ନିୟମର ଉଲ୍ଲଂଘନ କରି ଯଦି କିଛି ଘଟେ, ତେବେ ଏହାର ଏକ କୌଣସି ନା କୌଣସି କାରଣ ଅଛି, ଯାହାର ତଦନ୍ତ କରାଯାଇପାରିବ। ଦାଭୋଲକର ଜଣେ ଭାରତୀୟ ଯୁକ୍ତିବାଦୀ ଥିଲେ, ଯିଏ ଅନ୍ଧବିଶ୍ୱାସ, କଳାଯାଦୁ ଏବଂ ନକଲି ଧର୍ମଗୁରୁଙ୍କ ବିରୁଦ୍ଧରେ ଲଢ଼ିଥିଲେ। ସେ ବୈଜ୍ଞାନିକ ମନୋଭାବକୁ ଏକ ନାଗରିକ ଦାୟିତ୍ୱ ଭାବରେ ସୂଚୀତ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ସବୁକିଛି ଉପରେ ପ୍ରଶ୍ନ କରନ୍ତୁ। ଏପରିକି ଆପଣଙ୍କ ନିଜସ୍ୱ ବିଶ୍ୱାସକୁ ମଧ୍ୟ।
ପ୍ରମାଣ ଓ ଦାବିଗୁଡ଼ିକର ମୂଲ୍ୟାଙ୍କନ କରିବା ସମୟରେ ନିଜର ଭାବନା ଓ କାର୍ଯ୍ୟକୁ ସମାଲୋଚନାମୂଳକ ଭାବରେ ଚିନ୍ତା କରିବା ହେଉଛି ସଶକ୍ତୀକରଣର ଏକ ରୂପ। ଅନ୍ଧ ବିଶ୍ୱାସକୁ ଆହ୍ୱାନ କରିବା ଅର୍ଥ ଅଯୌକ୍ତିକତା ଉପରେ ଆକ୍ରମଣ। ବିଜ୍ଞାନକୁ କେବଳ ଆନୁଷ୍ଠାନିକ ଶିକ୍ଷା ମାଧ୍ୟମରେ ପଢ଼଼ିଲେ ବା ବିଜ୍ଞାନ ଛାତ୍ରଛାତ୍ରୀ ହେଲେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରେ ନାହିଁ। କେବଳ କୌଣସି ଘଟଣାର କାରଣ ଖୋଜିଲେ ବିଜ୍ଞାନକୁ ବୁଝିହୁଏ। ଦୁଃଖର ବିଷୟ ଅନେକ ସମୟରେ ଶିକ୍ଷାଜଗତର କିଛି ବ୍ୟକ୍ତି ଏହି ଧାରାରୁ ମଧ୍ୟ ମୁକ୍ତ ନଥା’ନ୍ତି। ସେମାନେ ମଧ୍ୟ ଡନିଂ-କ୍ରୁଗର ଦ୍ୱାରା ପ୍ରଭାବିତ ହୋଇ ନିଜର ଅବୈଜ୍ଞାନିକ ମତାମତ ଦ୍ୱାରା ସାଧାରଣ ଲୋକଙ୍କୁ ଭୁଲ ବାଟରେ ପରିଚାଳିତ କରିଥା’ନ୍ତି। ଉଦାହରଣ ସ୍ୱରୂପ ୨୦୨୧ ମସିହାରେ, ଭାରତର ଜଣେ ବିଚାରପତି ଘୋଷଣା କରିଥିଲେ ଯେ ଗାଈ ହେଉଛି ଏକମାତ୍ର ପ୍ରାଣୀ, ଯେଉଁମାନେ ଅମ୍ଳଜାନ ଗ୍ରହଣ କରନ୍ତି ଏବଂ ନିଃଶ୍ୱାସରେ ମଧ୍ୟ ଅମ୍ଳଜାନ ତ୍ୟାଗ କରନ୍ତି। କିଛିଦିନ ପୂର୍ବରୁ ଜଣେ ଆଇଆଇଟିର ନିର୍ଦ୍ଦେଶକ ତାଙ୍କ ଅଞ୍ଚଳରେ ବାଦଲ ଫଟା ମେଘ ଏବଂ ଭୂସ୍ଖଳନର କାରଣ ଭାବରେ ଜନସାଧାରଣଙ୍କ ମାଂସ ଖାଇବାକୁ ଦାୟୀ କରିଥିଲେ, ଯାହା ସାଧାରଣ ବ୍ୟକ୍ତିଙ୍କୁ ଅନେକ ସମୟରେ ଦ୍ୱିଧାରେ ପକାଇଥାଏ।
ବିଜ୍ଞାନ ହେଉଛି ବିସ୍ତୃତ, ଯାହା ପ୍ରାୟତଃ ଭୁଲ ବୁଝାଯାଇଥିବା କ୍ଷେତ୍ରକୁ ସବୁସମୟରେ ଖୋଜି ପାଇବାକୁ ବ୍ୟାକୁଳିତ ଏବଂ ମାନବ ସମାଜର କଲ୍ୟାଣ ପାଇଁ ପ୍ରମାଣ ଆଧାରରେ ବିଭିନ୍ନ ଉପାୟ ସ୍ଥିରୀକୃତ କରିବାକୁ ପ୍ରୟାସ ଜାରି ରଖିଥାଏ। ବାହ୍ୟ ଜଗତକୁ ଜାଣିବା ପାଇଁ ବିଜ୍ଞାନ ହେଉଛି ଆମର ସବୁଠାରୁ ଶକ୍ତିଶାଳୀ ଉପକରଣ। ଏହା ପରୀକ୍ଷଣ ଓ ସତ୍ୟର ସନ୍ଧାନ ଉପରେ ପର୍ଯ୍ୟବସିତ। ବୈଜ୍ଞାନିକ ପଦ୍ଧତି କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରିବାକୁ କୁହେ ନାହିଁ, ବରଂ ପ୍ରଶ୍ନ କରିବାକୁ କହିଥାଏ। ବିଜ୍ଞାନ ଆମକୁ ଆଣ୍ଟିବାୟୋଟିକ୍, ଉପଗ୍ରହ, ଆପେକ୍ଷିକ ତତ୍ତ୍ୱ ଭଳି ଅନେକ ମାନବ କଲ୍ୟାଣକାରୀ ଜ୍ଞାନ ଦେଇଛି। ଏହା ଆମକୁ ଜଳବାୟୁ ପରିବର୍ତ୍ତନ, ମହାମାରୀ ଓ ଆମର ନିଜସ୍ୱ ଜ୍ଞାନର ସୀମା ବିଷୟରେ ମଧ୍ୟ ଚେତାବନୀ ଦେଇଛି। ଡନିଂ-କ୍ରୁଗର ପ୍ରଭାବରେ ବ୍ୟକ୍ତି ଅନ୍ଧବିଶ୍ୱାସ ଓ ବିଜ୍ଞାନ ମଧ୍ୟରୁ ଅନ୍ଧବିଶ୍ୱାସକୁ ଉଚ୍ଚ ଭାବରେ ଉପସ୍ଥାପନ କରି ବିଜ୍ଞାନକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରେ(ଯଥା ନିଅାଁ ଉପରେ ଚାଲିବା, ରୋଗରୁ ମୁକ୍ତି ପାଇଁ ପଶୁବଳି ଇତ୍ୟାଦି)। ଏଥିସହିତ ଯାଦୁକରୀ ମିଥ୍ୟା ଚିନ୍ତାଧାରାକୁ ମଧ୍ୟ ପ୍ରଚାରପ୍ରସାର କରେ। ସମାଜକୁ ଶାନ୍ତି ଦେବା ବଦଳରେ ଅଶାନ୍ତିର ବୀଜ ବପନ କରିଚାଲେ। ସେ ସମୟରେ ଲୋକଙ୍କୁ ସବୁକିଛି ପ୍ରେମ ଓ ଆଲୋକ ବୋଲି କହି ବିଜ୍ଞାନ ବିରୁଦ୍ଧରେ ପ୍ରଚାରକରି ନିଜର ସୁବିଧା ହାସଲ କରେ।
ତେଣୁ ଏହିପରି ଡନିଂ-କ୍ରୁଗରଙ୍କଠାରୁ ଅଚେତନ ଜନତାଙ୍କୁ ସଚେତନ କରିବାକୁ ହେଲେ ଶିଶୁ, କିଶୋର-କିଶୋରୀ, ଯୁବକ-ଯୁବତୀଙ୍କ ମଧ୍ୟରେ ବିଜ୍ଞାନ ଓ ବୈଜ୍ଞାନିକ ମନୋଭାବକୁ ଉଜ୍ଜୀବିତ କରିବା ସହିତ ପ୍ରମାଣ ଆଧାରରେ ଅନ୍ଧବିଶ୍ୱାସକୁ ଦୂରକରି ସମାଜର କଲ୍ୟାଣ ପାଇଁ ସର୍ବାଦୌ କାର୍ଯ୍ୟକରିବାର ଆବଶ୍ୟକତା ରହିଛି।
ବିମଳ ଷଡ଼ଙ୍ଗୀ
ଭୁବନେଶ୍ୱର, ମୋ: ୯୪୩୭୧୨୩୮୯୨