ମହାରାଷ୍ଟ୍ରର କଙ୍କଣ ଓ ବମ୍ବେ ଅଞ୍ଚଳରେ ବର୍ଷକୁ ହାରାହାରି ୧୦୦ ଇଞ୍ଚରୁ ଊର୍ଦ୍ଧ୍ବ ବୃଷ୍ଟିପାତ ହେଲେ ସୁଦ୍ଧା ବିଦର୍ଭ, ମରହଟାୱାର୍ଡ, ପଶ୍ଚିମ ମହାରାଷ୍ଟ୍ରର ବହୁ ଅଞ୍ଚଳରେ ବର୍ଷକୁ ହାରାହାରି ବୃଷ୍ଟିପାତ ୧୫ରୁ ୩୦ ଇଞ୍ଚ ମଧ୍ୟରେ ହୁଏ। ଜଳସେଚିତ ଜମି ଶତକଡ଼ା ୧୫ ଭାଗରୁ କମ୍। ମରୁଡ଼ି ମହାରାଷ୍ଟ୍ରର ବହୁଅଞ୍ଚଳର ଚିର ସହଚର। ଉକ୍ତ ଶୁଷ୍କ ଅଞ୍ଚଳରେ ମାଣ୍ଡିଆ, ବାଜରା, କପା ପ୍ରକୃତି ଫସଲ ଉତ୍ପନ୍ନ ହୁଏ। ମହାରାଷ୍ଟ୍ର ଚାଷୀର ଆଶାନୁରୂପ ଫସଲ ଅମଳ ଅନିଶ୍ଚିତ ଓ ନିରାଶାଜନକ। କେବଳ ଜୁନ୍ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବର୍ଷା ହୁଏ। ଆଉ ଆଠମାସ ଖରାରେ ମାଟି ଶୁଖିଯାଇ ଦୁବଘାସ ବି ମରିଯାଏ।
କେତେକ ସମାଜସେବୀ, ରାଜନୈତିକ ନେତା ବିଭିନ୍ନ ସମବାୟ ସମିତି ତଥା ପ୍ରତିଷ୍ଠାନ ଗଢ଼ି ବ୍ୟାଙ୍କରୁ ଋଣ ଆଣି ନିଜ ଉଦ୍ୟମରେ ନଦୀ, ନାଳ ବନ୍ଧାଇ ପତିତ ଓ ଅନ୍ୟ ଜମିରେ ଜଳସେଚନ କରାଇ ମାଣ୍ଡିଆ ଓ ବାଜରା ଚାଷ କରିବା ଆରମ୍ଭ କଲେ। କୃଷକମାନଙ୍କ ଚାଷଜମିରେ ଉଠା ବିନ୍ଦୁ ତଥା ବିଚ୍ଛୁରିତ ଜଳସେଚନ କରାଇ ଆଖୁ, ଅଙ୍ଗୁର ଓ ପରିବା ଚାଷ ଆରମ୍ଭ କଲେ। ଫଳରେ ଅନେକ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ଢେର ପରିବର୍ତ୍ତନ ଦେଖାଦେଲାଣି। ଆଖୁ ଚାଷୀଙ୍କୁ ଲାଭଜନକ ଦର ଦେବା ପାଇଁ ଏବଂ କୃଷି ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରାୟ ୬୭ଟି ସମବାୟ ଚିନିକଳ ବସାଇ ସାରିଲେଣି। ଭାରତବର୍ଷର ୬୦ ଭାଗ ଚିନି, ୫୫ ଭାଗ ଅଙ୍ଗୁର, ୭୦ ଭାଗ ଡାଳିମ୍ବ କେବଳ ମହାରାଷ୍ଟ୍ରରୁ ଉତ୍ପନ୍ନ ହେଉଛି। ଚିନିକଳ ଉନ୍ନୟନ ପାଣ୍ଠିରେ ସ୍କୁଲ, କଲେଜ, ଡାକ୍ତରଖାନା, ରାସ୍ତାଘାଟ, ଗରିବ ଲୋକମାନଙ୍କ ପାଇଁ ବସ୍ତି ସ୍ଥାପନ ପ୍ରଭୃତି କାର୍ଯ୍ୟକ୍ରମ ଆରମ୍ଭ କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପ୍ରଭୂତ ଉନ୍ନତି ହୋଇପାରିଛି। ବିଶେଷକରି ମହାରାଷ୍ଟ୍ରର ସାଙ୍ଗଲି, କୋହ୍ଲାପୁର, ସତାରା, ପୁନା, ନାଗପୁର ଓ ଅହମ୍ମଦ ନଗର ପ୍ରଭୃତି ଜିଲ୍ଲାରେ ସମାଜସେବୀମାନେ ଜଳସେଚନ ଜରିଆରେ ଆଖୁଚାଷ ତଥା ସମବାୟ ଚିନିକଳ ସ୍ଥାପନର ନେତୃତ୍ୱ ନେଇ ମହାରାଷ୍ଟ୍ରର ରାଜନୀତିକୁ ପ୍ରଭାବିତ କରିପାରିଛନ୍ତି। କପାଚାଷ ପାଇଁ ଚାଷୀମାନଙ୍କର ଆଗ୍ରହ ଥିଲେ ମଧ୍ୟ ଏହା ଲାଭଜନକ ଫସଲ ହୋଇ ନ ଥିବାରୁ ଏହି ଚାଷପ୍ରତି ଚାଷୀମାନଙ୍କ ଆଗ୍ରହ କମିଯାଇଛି।
ସାଙ୍ଗଲି ଜିଲ୍ଲାର କେତେକ ପ୍ରଗତିଶୀଳ ଚାଷୀ ଏକ ହୋଇ ଛତ୍ରୀ (କ୍ଷତ୍ରୀୟ) ତେଜ ଦଳ ଗଠନ କରିଥÒବା ବେଳେ କଙ୍କଳ ଜିଲ୍ଲାର ରିୱାଣ୍ଡି ତହସିଲ ଅନ୍ତର୍ଗତ ଦୋହଲି ଗ୍ରାମରେ ୨୦ଜଣ ଚାଷୀ ‘ଶ୍ରୀମତୀ ରାଣୀ ସାହେବା ପୁତ୍ତଲିବାଈ ପ୍ରତିଷ୍ଠାନ’ ଗଠନ କରିଛନ୍ତି। ହିସାବରୁ ଜଣାଯାଏ ୧୦ ଏକର ଆଖୁଚାଷରେ ସମସ୍ତ ଖର୍ଚ୍ଚ ଯାଇ ୧ ଲକ୍ଷ ଟଙ୍କା ଲାଭ ହେଉଛି। ଜଣେ ପମ୍ପ ଡ୍ରାଇଭର, ଜଣେ ଯନ୍ତ୍ରୀ, ଜଣେ ଜଗୁଆଳୀ, ଜଣେ ହିସାବ ରକ୍ଷକ ଓ ତଦାରଖ ଅଫିସର ପ୍ରଭୃତି ୬ ଜଣ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଉକ୍ତ ପ୍ରତିଷ୍ଠାନ ଆନୁସଙ୍ଗିକ ମଜୁରୀ, ଦରମା, ହଳ ବଳଦ, ବିହନ, ସାର, ବିଜୁଳି ଇତ୍ୟାଦି ଖର୍ଚ୍ଚ ବାଦ୍ ଫସଲ ବିକ୍ରି କରି ନିୟମିତ ଭାବରେ ଭୂମି ଉନ୍ନୟନ ସମବାୟ ବ୍ୟାଙ୍କରୁ ନେଇଥିବା ଋଣକୁ ପରିଶୋଧ କରୁଛନ୍ତି। ଉକ୍ତ ପ୍ରତିଷ୍ଠାନର ଶ୍ରୀମତୀ ସାଳିନୀ ତାଇ ପଟିଲ୍ ପୃଷ୍ଠପୋଷକ ଅଛନ୍ତି।
ମହାରାଷ୍ଟ୍ର ଭୂମି ଉନ୍ନୟନ ସମବାୟ ବ୍ୟାଙ୍କ ସୂତ୍ରରୁ ଜଣାଯାଏ ଯେ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ଲୋକମାନେ ଏପରି ଅନେକ ପ୍ରତିଷ୍ଠାନ ଓ ସମବାୟ ସମିତିମାନ ଗଠନ କରି କମ୍ ବୃଷ୍ଟିପାତ ଅଞ୍ଚଳର ପଡ଼ିଆ ଜମିକୁ ପାଣି ମଡ଼ାଇ ବିଭିନ୍ନ ଅର୍ଥକାରୀ ଫସଲ କରିବାକୁ ଚାଷୀମାନଙ୍କୁ ଉତ୍ସାହିତ କରୁଛନ୍ତି। କୋହ୍ଲାପୁରରେ କୃଷକ ଶ୍ରମିକ ଦଳର ନେତା ପାଟିଲ୍ ସାହେବ ୱାରାନା ସମବାୟ ସମିତି ସ୍ଥାପନ କରି ଆଖୁଚାଷ ଜରିଆରେ ଚାଷୀମାନଙ୍କର ଅଶେଷ ଆର୍ଥିକ ଉନ୍ନତି କରିପାରିଛନ୍ତି। ସେହିପରି କଂଗ୍ରେସ ନେତା ବସନ୍ତ ଦାଦା ପାଟିଲ୍ ସାଙ୍ଗଲି ଜିଲ୍ଲାରେ ଚାଷୀମାନଙ୍କ ପାଇଁ ବିଶେଷ ଉପକାର କରିପାରିଛନ୍ତି। ଫଳରେ ଉକ୍ତ ନେତାମାନେ ମହାରାଷ୍ଟ୍ର ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଶରତ ପାୱାର ଚାଷୀମାନଙ୍କୁ ଏକତ୍ରୀକରଣ କରି ଆଖୁ ଚାଷ ପ୍ରତି ବିଶେଷ ଧ୍ୟାନ ଦେଇ ସମବାୟ ଚିନିକଳ ସ୍ଥାପନ କରି ଭାରତବର୍ଷର ବାର୍ଷିକ ଆବଶ୍ୟକ ଚିନିର ଶତକଡ଼ା ୫୦ ଭାଗ ଯୋଗାଉଛନ୍ତି। ଚାଷୀମାନେ କେବଳ ଉତ୍ପାଦନରେ ବ୍ୟସ୍ତ ନ ରହି ଉତ୍ପାଦିତ ଫସଲ କିପରି ଲାଭଜନକ ଦରରେ ବିକ୍ରି ହୋଇପାରିବ ତା’ର ବ୍ୟବସ୍ଥା କରିଛନ୍ତି। ଆରବ ଦେଶମାନଙ୍କରେ ଅଙ୍ଗୁରର ଚାହିଦା ଅଧିକ ଥିବାରୁ ମହାରାଷ୍ଟ୍ର କିପରି ସହଜରେ ଆରବ ଦେଶମାନଙ୍କୁ ଅଙ୍ଗୁର ରପ୍ତାନି କରିପାରିବ ସେଥିପାଇଁ ବ୍ୟାଙ୍କ ଋଣ ସାହାଯ୍ୟରେ ସମିତିମାନେ ଉଡ଼ାଜାହାଜ କିଣି ବ୍ୟବସାୟରେ ଲଗାଇଛନ୍ତି ଏବଂ ବ୍ୟାଙ୍କ ଋଣ ଠିକ୍ ସମୟରେ ଶୁଝୁଛନ୍ତି।
ଓଡ଼ିଶାରେ ୧୯୫୮-୫୯ ମସିହାରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ଓ କଟକ ଜିଲ୍ଲାର ରଣନଦୀରେ ଉଠାଜଳସେଚନ ସମବାୟ ସମିତି ଗଠନ କରାଯାଇ ତାହା ଜରିଆରେ ପାଣି ମଡ଼ାଇ ଫସଲ କରିବା ଆରମ୍ଭ କରିଥିଲେ ମଧ୍ୟ ପରେ ପରେ ରାଜ୍ୟ ସରକାର ଉଠାଜଳସେଚନ ନିଗମ ପ୍ରତିଷ୍ଠା କରି ନାବାର୍ଡ଼ରୁ ଋଣ ଆଣି ବିଭିନ୍ନ ନଦୀରେ ପମ୍ପ ବସାଇ ଫସଲକୁ ପାଣି ଯୋଗାଇବା ଆରମ୍ଭ କରିବାରୁ ପୂର୍ବ ଉଠାଜଳସେଚନ ସମବାୟ ସମିତି ଦ୍ୱାରା ପରିଚାଳିତ ପ୍ରକଳ୍ପଗୁଡ଼ିକ ବନ୍ଦ ହୋଇଗଲା। ମାତ୍ର ଅତ୍ୟଧିକ ବିଜୁଳି ଖର୍ଚ୍ଚ ଓ ବ୍ୟାଙ୍କ ସୁଧ ତୁଳନାରେ ଜଳ ଟିକସ କମ୍ ହୋଇଥିବାରୁ କାଳକ୍ରମେ ସେଗୁଡ଼ିକ ଅଚଳ ହୋଇଯାଇଛି। ଆଉ ମଧ୍ୟ ବିଭିନ୍ନ ସମୟରେ ସମବାୟ ସମିତି ଉପରେ ସରକାରୀ ବାବୁମାନଙ୍କର ହସ୍ତକ୍ଷେପ ହେତୁ ନିଷ୍ଠାପର କର୍ମୀମାନେ ସମବାୟ ସମିତିରୁ ଅପସରି ଯାଉଛନ୍ତି। ସେ କ୍ଷେତ୍ରରେ ସମାଜସେବୀମାନେ ମହାରାଷ୍ଟ୍ର ରାଜ୍ୟର ଅନୁକରଣରେ ପ୍ରତିଷ୍ଠାନ ସ୍ଥାପନ କରି ବିଭିନ୍ନ ଫସଲ ପାଇଁ ଚାଷୀମାନଙ୍କର ଜମିକୁ ଜଳ ଯୋଗାଇ ଦେଲେ ଓଡ଼ିଶାରେ ପତିତ ଜମି ମାତ୍ରା ହ୍ରାସ ପାଇବା ସଙ୍ଗେ ସଙ୍ଗେ ଅଧିକ ଫସଲ ଉତ୍ପାଦିତ ହୋଇପାରନ୍ତା। ମହାରାଷ୍ଟ୍ରର ସମାଜସେବୀମାନଙ୍କ ପରି ସମଗ୍ର ଭାରତବର୍ଷରେ ଚାଷୀକୁଳଙ୍କ ପାଇଁ ବିଭିନ୍ନ ସମାଜସେବୀ ଆଗକୁ ଆସି ସମବାୟ ସମିତି ମାଧ୍ୟମରେ ଜଳସେଚନ ଯୋଜନାରେ ବିଭିନ୍ନ ଲାଭଜନକ ଫସଲ ଉତ୍ପାଦନ କରିବା ପାଇଁ ଚାଷୀମାନଙ୍କୁ ସାମିଲ କରାଇବା ସହିତ କିପରି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଚାଷୀମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇଦେବେ ଏବଂ ଉତ୍ପାଦିତ ଫସଲ ଉଚିତ୍ ଦରରେ ବିକ୍ରିର ବ୍ୟବସ୍ଥାର ବଜାର ସୃଷ୍ଟି କରାଇପାରିଲେ ଅଞ୍ଚଳର ତଥା ଚାଷୀକୁଳର ଆର୍ଥିକ ବିକାଶ ହୋଇପାରିବ।
ପ୍ରତାପ ଚନ୍ଦ୍ର ସାମଲ
(ବରିଷ୍ଠ ସମବାୟବିତ୍)
କଟକ, ମୋ: ୯୦୯୦୩୨୫୮୦୨