ଓଡ଼ିଶାରେ ଜୈବିକ କୃଷି: ସମସ୍ୟା ଓ ସମାଧାନ

ଅଧୁନା ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଥିବାରୁ ଜମିର ଗୁଣବତ୍ତା ନଷ୍ଟ ହେବା ସହିତ କର୍କଟ ଭଳି ରୋଗ ବଢ଼଼ୁଛି। ଏଥିପାଇଁ ବିଶେଷଜ୍ଞ ମହଲରେ ଉଦ୍‌‌ବେଗ ପ୍ରକାଶ ପାଉଛି। ଓଡ଼ିଶା ବିଧାନସଭାର ସଦ୍ୟସମାପ୍ତ ବଜେଟ୍‌‌ ଅଧିବେଶନରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ଏକ ଶୁଭସୂଚନା। ପ୍ରାକୃତିକ ବା ଜୈବିକ ଚାଷୀ, ବିଶେଷକରି ଯେଉଁ ବେସରକାରୀ ସଂସ୍ଥା, ନାଗରିକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ବର୍ଷ ବର୍ଷ ଧରି ରାସାୟନିକ ସାର, କୀଟନାଶକ ଓ ଘାସମରା ଔଷଧ ବ୍ୟବହାର ବିରୋଧରେ […]

ଅଧୁନା ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଥିବାରୁ ଜମିର ଗୁଣବତ୍ତା ନଷ୍ଟ ହେବା ସହିତ କର୍କଟ ଭଳି ରୋଗ ବଢ଼଼ୁଛି। ଏଥିପାଇଁ ବିଶେଷଜ୍ଞ ମହଲରେ ଉଦ୍‌‌ବେଗ ପ୍ରକାଶ ପାଉଛି। ଓଡ଼ିଶା ବିଧାନସଭାର ସଦ୍ୟସମାପ୍ତ ବଜେଟ୍‌‌ ଅଧିବେଶନରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ଏକ ଶୁଭସୂଚନା। ପ୍ରାକୃତିକ ବା ଜୈବିକ ଚାଷୀ, ବିଶେଷକରି ଯେଉଁ ବେସରକାରୀ ସଂସ୍ଥା, ନାଗରିକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ବର୍ଷ ବର୍ଷ ଧରି ରାସାୟନିକ ସାର, କୀଟନାଶକ ଓ ଘାସମରା ଔଷଧ ବ୍ୟବହାର ବିରୋଧରେ ଅଭିଯାନ ଚଳାଇ ଆସୁଛନ୍ତି ସେମାନଙ୍କୁ ଏହା ବଳ ପ୍ରଦାନ କରିଛି। ମାତ୍ର ସାଧାରଣରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ସତରେ କ’ଣ ଜୈବିକ କୃଷିକୁ ନେଇ ସରକାର ଏତେ ତତ୍ପର? ଯଦି ସତରେ ସରକାର ଏ ଦିଗରେ ତତ୍ପର, ତା’ହେଲେ ସରକାରଙ୍କର କିଛି ଛୋଟ ଛୋଟ ପଦକ୍ଷେପ ରାଜ୍ୟକୁ ଜୈବିକ ଚାଷର ହବ୍‌‌ ଭାବେ ପରିଗଣିତ କରିବାରେ ନିହାତି ସହଯୋଗ କରିବ।

ଆମ ଦେଶରେ ଏବେ କେନ୍ଦ୍ର ସରକାରଙ୍କ ପ୍ରାକୃତିକ ବା ଜୈବିକ କୃଷି ସମ୍ପର୍କିତ ଜାତୀୟ ମିଶନ (ଏନ୍‌‌ଏମ୍‌‌ଏନ୍‌‌ଏଫ୍‌‌) ଆରମ୍ଭ ହୋଇଛି। ଏହି ମିଶନ ଅନୁସାରେ ପ୍ରାକୃତିକ କୃଷି ହେଉଛି ଏକ ରସାୟନମୁକ୍ତ ଚାଷ ବ୍ୟବସ୍ଥା, ଯେଉଁଥିରେ ସାମିଲ ହୋଇଛି ପଶୁଧନ ସମନ୍ୱିତ ପ୍ରାକୃତିକ କୃଷି ପଦ୍ଧତି ଏବଂ ଭାରତୀୟ ପାରମ୍ପରିକ ଜ୍ଞାନକୌଶଳ ଓ ପଦ୍ଧତିରେ ସମୃଦ୍ଧ ବିବିଧତାପୂର୍ଣ୍ଣ ଫସଲ ବ୍ୟବସ୍ଥା। ଏହା ମୃତ୍ତିକା, ଉଦ୍ଭିଦ, ପଶୁ ଓ ମାନବର କୃଷିଭିତ୍ତିକ ଆବଶ୍ୟକତାଗୁଡ଼ିକ ପରସ୍ପର ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ। ନିରନ୍ତର କୃଷି ପାଇଁ ପ୍ରାକୃତିକ କୃଷି ଅତି ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ରହିଛି ମାଟିର ସ୍ୱାସ୍ଥ୍ୟରେ ଉନ୍ନତି, ରାସାୟନିକ ଉପାଦାନ ଉପରୁ ନିର୍ଭରଶୀଳତା ହ୍ରାସ ଏବଂ ଜଳବାୟୁ ଅନୁଗାମୀ ହେବାରେ ସହାୟତା। ଏହା କମ୍‌‌ ଖର୍ଚ୍ଚରେ ଚାଷ ପାଇଁ ସହାୟକ ହୋଇଥାଏ, ଜୈବ ବିବିଧତା ସଂରକ୍ଷଣ କରିଥାଏ ଏବଂ ପରିବେଶର ସନ୍ତୁଳନ ରକ୍ଷା କରିବା ସହିତ ଦୀର୍ଘସ୍ଥାୟୀ ଖାଦ୍ୟ ସୁରକ୍ଷାକୁ ସହାୟତା ଯୋଗାଇ ଦେଇଥାଏ।

ଆମ ରାଜ୍ୟ ସରକାର ଓଡ଼ିଶାରେ ୧୦ଟି ଜିଲ୍ଲା ଯଥା ସୁନ୍ଦରଗଡ଼଼, ଝାରସୁଗୁଡ଼ା, ନବରଙ୍ଗପୁର, ଦେବଗଡ଼଼, କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼଼, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ନିର୍ଦ୍ଦିଷ୍ଟ ପଞ୍ଚାୟତରେ ପ୍ରାୟ ୨୨ ହଜାର ହେକ୍ଟର ଜମିରେ ପ୍ରାକୃତିକ ଚାଷ ପାଇଁ ପଦକ୍ଷେପ ନେଇଛନ୍ତି। ଚାଷୀମାନଙ୍କୁ ତାଲିମ୍‌‌ ଦେବା ଏବଂ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ କରିଛନ୍ତି। ମାତ୍ର ସେହିସବୁ ଚିହ୍ନଟ ଗ୍ରାମ ପଞ୍ଚାୟତଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ସାର ଓ କୀଟନାଶକ ନିଷେଧ ନ କରିବା ପର୍ଯ୍ୟନ୍ତ ଜୈବିକ କୃଷି ମିଶନର ଲକ୍ଷ୍ୟ ପୂରଣ ହେବା ଦୁରୂହ ବ୍ୟାପାର। ଗୋଟିଏ ଗାଁରେ କିମ୍ବା ଅଞ୍ଚଳରେ ପ୍ରାକୃତିକ କୃଷି ଏବଂ ରାସାୟନିକ କୃଷି ଏକା ସାଙ୍ଗରେ କିମିତି ଚାଲିପାରିବ? ତେଣୁ ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତିର ସମାଧାନ ପାଇଁ ଏବଂ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବାକୁ ସରକାର ଗ୍ରାମସ୍ତରୀୟ ଜୈବିକ ସାର ବିକ୍ରୟ କେନ୍ଦ୍ର ସ୍ଥାପନ କରିବା ସହିତ ସେହି ଅଞ୍ଚଳରେ ରାସାୟନିକ ସାର ଓ କୀଟନାଶକ ଦୋକାନର ଲାଇସେନ୍ସ ରଦ୍ଦ କରିବା ଦରକାର।

ଓଡ଼ିଶା ସରକାର ଆମ ରାଜ୍ୟରେ ‘ମିଲେଟ୍‌‌ ମିଶନ୍‌‌’ ମାଧ୍ୟମରେ ଶ୍ରୀଅନ୍ନ ବା ମିଲେଟ୍‌‌ ଜାତୀୟ ଶସ୍ୟର ଉତ୍ପାଦନ ଓ ଚାହିଦା ବୃଦ୍ଧି ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ମିଲେଟ୍‌‌ ଚାଷ ସାଧରଣତଃ ଜୈବିକ ଉପାୟରେ କରାଯାଏ। ଚାଷୀ ଭାଇଭଉଣୀ, ଅନେକ ସ୍ୱେଛାସେବୀ ସଂଗଠନ ଓ ସରକାରଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଆଜି ଶ୍ରୀଅନ୍ନ ଅଭିଯାନ ସାରା ଦେଶରେ ସୁନାମ ଅର୍ଜନ କରିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ମାଣ୍ଡିଆର ଦେଶୀ ବିହନ ଲୋକଲୋଚନକୁ ଆଣିବାର ପ୍ରୟାସ ମଧ୍ୟ ପ୍ରଶଂସନୀୟ। ସେହିପରି ସରକାରଙ୍କର ‘ରାଇସ ଫାଲୋ’ କାର୍ଯ୍ୟକ୍ରମକୁ ମଧ୍ୟ ଜୈବିକ ନୀତିରେ ସାମିଲ୍‌‌ କରିବା ଆବଶ୍ୟକ। ବଳଭଦ୍ର ଜୈବିକ ମିଶନ ହେଉ ବା ବାଡ଼ି ବଗିଚା ଯୋଜନା, ଏସବୁ ପ୍ରାକୃତିକ କୃଷିକୁ ଉତ୍ସାହିତ କରିଛି। ଶ୍ରୀମନ୍ଦିର ମହାପ୍ରସାଦକୁ ଜୈବିକ ଆଧାରିତ କରିବାର ପ୍ରୟାସକୁ ଜନସାଧାରଣ ସ୍ୱାଗତ କରିଛନ୍ତି। ‘ମିଲେଟ୍‌‌ ମିଶନ’ ପରି ଆମ ରାଜ୍ୟରେ ‘ମକା ମିଶନ୍‌‌’ କାର୍ଯ୍ୟ କରିବା ଦରକାର ବୋଲି ମତ ପ୍ରକାଶ ପାଉଛି। ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ମକା ଚାଷ ହେଉଛି ସତ, ମାତ୍ର ଅଧିକ ଅମଳକ୍ଷମ ସଙ୍କରଜାତୀୟ ବିହନ ବ୍ୟବହାର ହେଉଛି। ଏହା ଜୈବିକ ବା ପ୍ରାକୃତିକ କୃଷିର ପରିପନ୍ଥୀ। ତେଣୁ ‘ମିଲେଟ୍‌‌ ମିଶନ’ ଜରିଆରେ ହେଉଥିବା ଚାଷ ଅଞ୍ଚଳକୁ ଜୈବିକ ଅଞ୍ଚଳ ଘୋଷଣା କରାଯାଇ ସେଠାରେ ରାସାୟନିକ କୃଷିକୁ ସମ୍ପୂର୍ଣ୍ଣ ନିଷେଧ କରିବା ଉଚିତ୍‌‌।

ରାଜ୍ୟର ଅନେକ ଅଞ୍ଚଳରେ କପା ଚାଷ ଦେଖିବାକୁ ମିଳୁଛି। ମାତ୍ର ପରିତାପର ବିଷୟ ଯେ କପା ଚାଷ ସମ୍ପୂର୍ଣ୍ଣ ରାସାୟନିକ କୃଷି ଆଧାରିତ। କପା ଦେଶୀ ବିହନ ଆଜି ଆମ ରାଜ୍ୟରୁ ବିଲୁପ୍ତ। ବିଟି କପା ମଞ୍ଜି ଆମ ରାଜ୍ୟର କପା ଚାଷର ଏକମାତ୍ର ବିକଳ୍ପ। ମାଟିକୁ ପ୍ରଦୂଷିତ କରିବା ହେଉ କିମ୍ବା କର୍କଟ ରୋଗ ବୃଦ୍ଧି ଦିଗରେ କପା ଚାଷ ସହଯୋଗ କରୁଛି। ତେଣୁ ଏ ଦିଗରେ ମଧ୍ୟ ସରକାର ଧ୍ୟାନ ଦେବାର ଆବଶ୍ୟକତା ଖୁବ୍‌‌ ଅଧିକ। ଏହାବ୍ୟତୀତ, ରାଜ୍ୟରେ ଅନେକ ଜିଲ୍ଲା ଓ ବ୍ଲକ ଅଛି, ଯେଉଁଠାରେ ଜୈବିକ ଚାଷ ପାଇଁ ବୃହତ କ୍ଷେତ୍ର ପ୍ରମାଣପତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ। କନ୍ଧମାଳ, ମାଲକାନଗିରି, କୋରାପୁଟ ଜିଲ୍ଲା ହେଉ ବା କଳାହାଣ୍ଡିର ଥୁଆମୁଲ ରାମପୁର ହେଉ, କେଉଁଝର ଜିଲ୍ଲାର ବାଂଶପାଳ ତେଲକୋଇ ହେଉ ବା ଉପକୂଳ ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରାଜ୍ୟର କେତେକ ଅଞ୍ଚଳକୁ ଚିହ୍ନଟ କରି ବୃହତ କ୍ଷେତ୍ର ପ୍ରମାଣପତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବା ଆବଶ୍ୟକ।

ରାତାରାତି ସମ୍ପୂର୍ଣ୍ଣ ରାଜ୍ୟକୁ ଜୈବିକ କୃଷି ହବ୍‌‌ରେ ପରିଣତ କରିବା ଅସମ୍ଭବ। ତେଣୁ ଛୋଟ ଛୋଟ ପଦକ୍ଷେପ ଜରିଆରେ ଏହି ଅଭିଯାନ ନିରନ୍ତର ଜାରି ରଖିଲେ ଆମେ ୨୦୪୭ ମସିହା ବେଳକୁ ସମ୍ପୂର୍ଣ୍ଣ ରାଜ୍ୟକୁ ଜୈବିକ କୃଷି ହବ୍‌‌ରେ ପରିଣତ କରିବା ଅସମ୍ଭବ ନୁହେଁ। ଆଜି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯେଉଁ ଦାବି ହେଉଛି ତାହା ପଛରେ କାରଣ ହେଉଛି ରାଜ୍ୟରେ ବଢ଼ୁଥିବା କ୍ୟାନ୍ସର, କିଡନୀ, ମଧୁମେହ ଭଳି ଦୁରାରୋଗ୍ୟ ବ୍ୟାଧି। ଆଜି ପ୍ରତ୍ୟେକ ଜିଲ୍ଲାରେ କେମୋଥେରାପି ସୁବିଧା ଯୋଗେଇ ଆମେ କ’ଣ ନିଜ ଦାୟିତ୍ୱରୁ ଓହରି ପରିବା? ଆଜି ରାଜ୍ୟରେ ଥିବା ସମସ୍ତ କ୍ୟାନ୍ସର ହସ୍‌‌ପିଟାଲରେ ଅସଂଖ୍ୟ ଭିଡ଼! ଏହି ସମସ୍ୟାର ସମାଧାନ କରିବାକୁ ହେଲେ ରାଜ୍ୟକୁ ଜୈବିକ ବା ପ୍ରାକୃତିକ କୃଷି ହିଁ ଏକମାତ୍ର ବିକଳ୍ପ। ଗ୍ରାମ ପଞ୍ଚାୟତସ୍ତରରୁ ପରିବେଶକୁ ବିଷମୁକ୍ତ କରିବକୁ ସମସ୍ତ ପ୍ରୟାସ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଆମେ ମଧ୍ୟ କର୍କଟ ଭଳି ରୋଗକୁ ହରାଇପାରିବା। ଆମେ ଆମ ଭବିଷ୍ୟତର ସୁରକ୍ଷା କରିବାକୁ ହେଲେ ପଲ୍ଲୀସଭା ବା ଗ୍ରାମସଭା ବୈଠକରେ ହିଁ ଜୈବିକ କୃଷି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ଡ. ମହମ୍ମଦ ଇମ୍ରାନ୍‌‌ ଆଲୀ
ଭୁବନେଶ୍ୱର, ମୋ:୯୪୩୮୭୪୭୩୨୦

About The Author: The Sakala