୧୯୨୦ ମସିହାର କଥା। ନାରକୁଣ୍ଡା ନାମକ ବାଷ୍ପୀୟ ଜାହାଜଟି ଇଂଲଣ୍ଡର ସାଉଦାମ୍ପଟନ୍ ବନ୍ଦରରୁ ବାହାରି ଭାରତର ବମ୍ୱେ ଅଭିମୁଖେ ଯାତ୍ରା କରୁଥାଏ। ଚାରିପଟେ ଭୂମଧ୍ୟସାଗରର ସୁନୀଳ ଜଳରାଶି। ସମୁଦ୍ରର ଢେଉ କାଟି କାଟି ଆଗେଇ ଚାଲିଥାଏ ଜାହାଜଟି। ଯାତ୍ରୀମାନେ ଏହି ରୋମାଞ୍ଚକର ଜଳଯାତ୍ରାର ମଜା ନେଉଥା’ନ୍ତି। କିନ୍ତୁ ସେହି ଯାତ୍ରୀମାନଙ୍କ ମଧ୍ୟରେ ଥା’ନ୍ତି ଜଣେ ପଗଡ଼ି ପିନ୍ଧା ସାଧାରଣ ଦିଶୁଥିବା ତରୁଣ। ସେ କୌଣସି ଆଡ଼କୁ ଦୃଷ୍ଟି ନଦେଇ ପକେଟରୁ ଛୋଟଛୋଟ ଉପକରଣ ବାହାର କରି ସମୁଦ୍ର ଓ ଆକାଶକୁ ନିରୀକ୍ଷଣ କରୁଥା’ନ୍ତି। ମଝିରେ ମଝିରେ ବୋତଲରେ ପାଣି ସଂଗ୍ରହ କରି ମନଧ୍ୟାନରେ କିଛି ପରୀକ୍ଷା ନିରୀକ୍ଷା କରିବାରେ ବ୍ୟସ୍ତ ରହିଥା’ନ୍ତି। ଯାତ୍ରୀମାନେ ତାଙ୍କୁ ଧରି ନେଇଥା’ନ୍ତି ଏକ ପାଗଳ ବୋଲି।
ଯାତ୍ରୀମୁଖରେ ସେଦିନର ସେହି ପାଗଳ ଜଣକ ଥିଲେ ଭାରତ ତଥା ବିଶ୍ୱର ସ୍ୱନାମଧନ୍ୟ ପଦାର୍ଥବିଜ୍ଞାନୀ ଚନ୍ଦ୍ରଶେଖର ଭେଙ୍କଟ ରମଣ। ସେଦିନ ସେ ଯେଉଁ ପରୀକ୍ଷା କରୁଥିଲେ, ତାହା ଥିଲା ଆକାଶର ନୀଳରଙ୍ଗ ଉପରେ। ପୂର୍ବରୁ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ, ନୀଳ ଆକାଶର ପ୍ରତିଫଳନ ଦ୍ୱାରା ସମୁଦ୍ରର ନୀଳିମା ସୃଷ୍ଟି ହୋଇଥାଏ। ମାତ୍ର ରମଣ ସେଦିନର ସେହି ପରୀକ୍ଷାରେ ‘ନିକୋଲ ପ୍ରିଜିମ୍’ ନାମକ ଏକ ଛୋଟିଆ ଉପକରଣ ବ୍ୟବହାର କରି ପ୍ରଚଳିତ ଧାରଣାକୁ ଭୁଲ ପ୍ରମାଣିତ କଲେ ଏବଂ ଏକ ନୂତନ ସିଦ୍ଧାନ୍ତ ଆବିଷ୍କାର କଲେ। ରମଣଙ୍କ ମତରେ, ସମୁଦ୍ରର ଜଳଅଣୁଗୁଡ଼ିକ ସୂର୍ଯ୍ୟାଲୋକର କମ୍ତରଙ୍ଗ ଦୈର୍ଘ୍ୟବିଶିଷ୍ଟ ନୀଳ ଆଲୋକ ରଶ୍ମିର ବେଶୀ ବିଛୁରଣ(ସ୍କାଟରିଂ) ଘଟି ଦର୍ଶକ ଚକ୍ଷୁରେ ପ୍ରବେଶ କରୁଥିବାରୁ ସମୁଦ୍ରର ବର୍ଣ୍ଣ ନୀଳ ଦେଖାଯାଉଛି। ରମଣଙ୍କ ଆଲୋକ ସମ୍ୱନ୍ଧୀୟ ଏହି ବିଛୁରଣ ତତ୍ତ୍ୱ ବିଜ୍ଞାନ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା। ଏହା ତା’ଙ୍କୁ ପରବର୍ତ୍ତୀ କାଳରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ‘ନୋବେଲ ପୁରସ୍କାର’ ଅର୍ଜନ କରିବାରେ ସହାୟକ ହୋଇଥିଲା।
ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ରମଣଙ୍କ ଅସାଧାରଣ ପ୍ରତିଭାର ପରିଚୟ ମିଳିଥିଲା। ସେ ଏମ୍ଏ ପଢ଼ୁଥିବା ସମୟରେ ତାଙ୍କର ଦୁଇଟି ବୈଜ୍ଞାନିକ ନିବନ୍ଧ ଲଣ୍ଡନର ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ଦି ଫିଲୋସୋଫିକାଲ୍ ମାଗାଜିନ୍’ରେ ପ୍ରକାଶିତ ହୋଇଥିଲା। ସ୍ନାତକୋତ୍ତର ଶିକ୍ଷାଲାଭ ପରେ ଦେଶରେ ଉଚ୍ଚତର ବିଜ୍ଞାନଶିକ୍ଷା ଓ ଗବେଷଣାର ସୁଯୋଗ ନ ମିଳିବାରୁ ସେ ଆଇସିଏସ୍ ପରୀକ୍ଷା ଦେଲେ। ସେଥିରେ ସେ ପ୍ରଥମ ସ୍ଥାନ ଅଧିକାର କରି କଲିକତାଠାରେ ସହକାରୀ ମହାଲେଖାକାର(ଆସିଷ୍ଟାଣ୍ଟ ଆକାଉଣ୍ଟ ଜେନେରାଲ୍) ପଦବୀରେ ଯୋଗଦେଲେ। ମାତ୍ର ବିଜ୍ଞାନବ୍ରତରେ ଯେ ବ୍ରତୀ, ତା’ଙ୍କୁ ସାଧାରଣ ହିସାବରକ୍ଷକ ଚାକିରିଟିଏ ବାନ୍ଧି ରଖିପାରନ୍ତା ବା କିପରି?
ସେ କଲିକତା ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଆମନ୍ତ୍ରଣକ୍ରମେ ଉଚ୍ଚ ସରକାରୀ ଚାକିରି ଛାଡ଼ି ମାତ୍ର ୮୦୦ ଟଙ୍କା ବେତନରେ କଲିକତା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ରାଜାବଜାର ବିଜ୍ଞାନ ମହାବିଦ୍ୟାଳୟରେ ‘ପାଲିତ୍ ପ୍ରଫେସର’ ପଦବୀରେ ଯୋଗଦେଲେ। ସେ ପରବର୍ତ୍ତୀ ସମୟରେ କଲିକତାସ୍ଥିତ ‘ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କଲ୍ଟିଭେସନ୍ ଅଫ୍ ସାଇନ୍ସ୍’ ଅନୁଷ୍ଠାନରେ ଗବେଷଣା କରି ମାତ୍ର ୫୦୦ ଟଙ୍କା ମୂଲ୍ୟର ଯନ୍ତ୍ରପାତି ବ୍ୟବହାର ପୂର୍ବକ ନିଜର ଚିରସ୍ମରଣୀୟ ‘ରମଣ ପ୍ରଭାବ’ ଆବିଷ୍କାର କରିଥିଲେ।
ରମଣ ପ୍ରଭାବ ସମଗ୍ର ବିଜ୍ଞାନ ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ଅବିଷ୍କାର ଥିଲା। ସେ ଏକବର୍ଣ୍ଣୀ (ମନୋକ୍ରୋମାଟିକ୍) ଆଲୋକରଶ୍ମିକୁ ଏକ ସ୍ୱଛ ତରଳ ମାଧ୍ୟମ ଦେଇ ଅତିକ୍ରମ କରାଇ ନିର୍ଗତ ଆଲୋକରଶ୍ମିକୁ ଏକ ବର୍ଣ୍ଣାଳୀଦର୍ଶକ (ସ୍ପେକ୍ଟୋମିଟର) ଯନ୍ତ୍ର ଦେଇ ଲକ୍ଷ୍ୟ କଲେ। ବର୍ଣ୍ଣାଳୀରେ ମୂଳ ତରଙ୍ଗଦୈର୍ଘ୍ୟ ବ୍ୟତୀତ ଅନ୍ୟ କିଛି ତରଙ୍ଗଦୈର୍ଘ୍ୟ ରହିଥିବାର ସେ ଲକ୍ଷ୍ୟ କଲେ ଏବଂ ମାଧ୍ୟମର ଅଣୁଗୁଡ଼ିକ ମୂଳ ଆଲୋକରଶ୍ମିରୁ କିଛି ଶକ୍ତି ଗ୍ରହଣ କରି ‘ବିଛୁରଣ’ ଧର୍ମ ହେତୁ ନିଜେ କିଛି ଅଲଗା ତରଙ୍ଗଦୈର୍ଘ୍ୟର ଆଲୋକରଶ୍ମି ଉତ୍ସର୍ଜନ କରୁଥିବାରୁ ଏଭଳି ପ୍ରଭାବ ସୃଷ୍ଟି ହେଉଛି ବୋଲି ରମଣ ପ୍ରମାଣ କଲେ। ଏହାକୁ ହିଁ ‘ରମଣ ପ୍ରଭାବ’ କୁହାଗଲା।
ଏହି ତତ୍ତ୍ୱକୁ ଭିତ୍ତି କରି କଠିନ, ତରଳ କିମ୍ୱା ଗ୍ୟାସୀୟ ରୂପରେ ଥିବା ନୂତନ ପଦାର୍ଥର ଗଠନ ଓ ଆଣବିକ ସଂରଚନା (ମଲିକ୍ୟୁଲାର କମ୍ପୋଜିସନ୍ ଆଣ୍ଡ ଷ୍ଟ୍ରକ୍ଚର) ନିରୂପଣ କରିବା ସହିତ ସେଗୁଡ଼ିକୁ ସହଜରେ ଚିହ୍ନଟ କରିହେଲା। ରମଣ ସ୍ପେକ୍ଟ୍ରୋସ୍କୋପି ପଦ୍ଧତିର ପ୍ରୟୋଗ ଦ୍ୱାରା ଜଟିଳ ବସ୍ତୁ ଯଥା ବିଭିନ୍ନ ଅଣୁଜୀବ ଓ ଶରୀରର କୋଷିକା ସବୁକୁ ଅନୁଧ୍ୟାନ ଓ ଅନୁଶୀଳନ କରିହେଲା। ଏହା ବିଜ୍ଞାନର ବିଭିନ୍ନ ଦିଗନ୍ତ ଯଥା ପଦାର୍ଥ, ରସାୟନ, ଅନ୍ତରୀକ୍ଷ, ବାୟୁମଣ୍ଡଳ, ଯୋଗାଯୋଗ, ଲେଜର୍ ଓ ଜୀବ ବିଜ୍ଞାନ ଆଦି କ୍ଷେତ୍ରରେ ବହୁଳ ପ୍ରୟୋଗ ହୋଇ ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରୁଛି।
ରମଣ ଦେଖାଇଗଲେ, ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ଅର୍ଥ କିମ୍ୱା ପୃଷ୍ଠଭୂମିର ବିଶେଷ ଆବଶ୍ୟକତା ନାହିଁ; ବରଂ ଲୋଡ଼ା ସ୍ୱପ୍ନ ଓ ସାଧନା। ଏହି ଦୃଷ୍ଟିରୁ ରମଣ ଆମ ସମସ୍ତଙ୍କ ପାଇଁ ଜଣେ ଆଦର୍ଶ ଏବଂ ତା’ଙ୍କର ଜୀବନୀ ଆମ ସମସ୍ତଙ୍କୁ ଚିରଦିନ ଅନୁପ୍ରାଣିତ କରୁଥିବ।
ଏହି ଯୁଗାନ୍ତକାରୀ ଆବିଷ୍କାର ନିମନ୍ତେ ରମଣଙ୍କୁ ୧୯୩୦ ମସିହାରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଲାଭ କରିବାରେ ରମଣ ଥିଲେ ସର୍ବପ୍ରଥମ ଏସୀୟ ଓ ଭାରତୀୟ। ରମଣଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ଘଟିଥିଲା ୧୯୨୮ ମସିହା ଫେବ୍ରୁଆରୀ ୨୮ ତାରିଖରେ। ସେଥିପାଇଁ ଫେବୃଆରୀ ୨୮ ତାରିଖକୁ ଆମ ଦେଶରେ ପ୍ରତି ବର୍ଷ ‘ଜାତୀୟ ବିଜ୍ଞାନ ଦିବସ’ ରୂପେ ପାଳନ କରାଯାଉଛି।
ନିକୁଞ୍ଜ ବିହାରୀ ସାହୁ
ଭୋପାଳ, ମୋ: ୮୯୧୭୬୩୭୯୭୪