ବାର୍ଦ୍ଧକ୍ୟ ଏବେ ଅଭିଶାପ!

ବାପାମାନେ ସିନା କାନ୍ଦନ୍ତିନି; କିନ୍ତୁ ସର୍ବଂସହା ମା’ମାନେ ପିଲାଙ୍କୁ ଅଭିଶାପ ନ ଦେଇ କାନ୍ଦିଥା’ନ୍ତି। ଟିକେ କାନ୍ଦିଦେଲେ ମନ ହାଲ୍‌‌କା ହୋଇଯାଏ। ଭଗବାନଙ୍କୁ ପ୍ରାର୍ଥନା କରନ୍ତି ମୋ ପିଣ୍ଡ ଜିଇଁ ରହୁ। ପିଲାଙ୍କର କିଛି କ୍ଷତି ନ ହେଉ। ଅଭାବ ଅନଟନ ସମୟରେ ଗାଁମାନଙ୍କରେ ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ପୁଅ ଓ ବୋହୂମାନେ ବାର୍ଦ୍ଧକ୍ୟରେ ଉପନୀତ ବାପା-ମା’ ବା ଶାଶୂଶ୍ୱଶୁରଙ୍କ ସେବାକୁ ବ୍ରତରୂପେ ପାଳନ କରୁଥିଲେ। ଯେତେବେଳେ ଆମର ଶିକ୍ଷା ଓ ଆର୍ଥିକ ଅବସ୍ଥା ଉନ୍ନତ ହେଲା […]

ବାପାମାନେ ସିନା କାନ୍ଦନ୍ତିନି; କିନ୍ତୁ ସର୍ବଂସହା ମା’ମାନେ ପିଲାଙ୍କୁ ଅଭିଶାପ ନ ଦେଇ କାନ୍ଦିଥା’ନ୍ତି। ଟିକେ କାନ୍ଦିଦେଲେ ମନ ହାଲ୍‌‌କା ହୋଇଯାଏ। ଭଗବାନଙ୍କୁ ପ୍ରାର୍ଥନା କରନ୍ତି ମୋ ପିଣ୍ଡ ଜିଇଁ ରହୁ। ପିଲାଙ୍କର କିଛି କ୍ଷତି ନ ହେଉ। ଅଭାବ ଅନଟନ ସମୟରେ ଗାଁମାନଙ୍କରେ ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ପୁଅ ଓ ବୋହୂମାନେ ବାର୍ଦ୍ଧକ୍ୟରେ ଉପନୀତ ବାପା-ମା’ ବା ଶାଶୂଶ୍ୱଶୁରଙ୍କ ସେବାକୁ ବ୍ରତରୂପେ ପାଳନ କରୁଥିଲେ। ଯେତେବେଳେ ଆମର ଶିକ୍ଷା ଓ ଆର୍ଥିକ ଅବସ୍ଥା ଉନ୍ନତ ହେଲା ଆମେ ଶହଶହ ବର୍ଷର ସଂସ୍କାର ଭୁଲିଗଲେ। ଦେବତୁଲ୍ୟ ବାପା, ମା’ଙ୍କୁ ତାଙ୍କର ପରିଣତ ବୟସରେ ଏପରି ନିର୍ଯାତନା ଦେବା ଅମାନବିକତାର ପରିଚାୟକ।

ଭାରତୀୟ ସଂସ୍କୃତିରେ କନ୍ୟାଠାରୁ ବର ବୟସରେ ବଡ଼ ହୋଇଥାଏ। ଖରା-ବର୍ଷାରେ କାମ କରିବା, ବିପଦପୂର୍ଣ୍ଣ କାମରେ ହାତଦେବା ଫଳରେ ଅଧିକାଂଶ ପୁରୁଷ ପତ୍ନୀଙ୍କ ପୂର୍ବରୁ ଚାଲିଯା’ନ୍ତି। ଦୁହେଁ ଦୁହିଁଙ୍କର ପରିପୂରକ। ପୁରୁଷ ଚାଲିଯିବା ପରେ ପରିଣତ ବୟସରେ ମହିଳାମାନେ ଏକାକୀ ଅନୁଭବ କରନ୍ତି। ଏଣେ ରକ୍ତରୁ ସୃଷ୍ଟି ପୁତ୍ରକନ୍ୟାଙ୍କ ନିର୍ଯାତନା ଅସହ୍ୟ ହୋଇପଡ଼େ। ବିଧବା ହୋଇଯିବା କାରଣରୁ ଭାରତୀୟ ମହିଳାଙ୍କ ପାଖରେ ବିଶେଷ କିଛି ଆୟର ଉତ୍ସ ମଧ୍ୟ ରହେ ନାହିଁ। ତେଣୁ ସେମାନେ ପରିବାର ଉପରେ ସମ୍ପୂର୍ଣ୍ଣ ରୂପେ ନିଭର୍ରଶୀଳ ହେବାକୁ ପଡ଼େ। ଅନେକ ସ୍ଥାନରେ ଏଭଳି ବିଧବା ବୃଦ୍ଧାମାନେ ନିଃସଙ୍ଗ ଜୀବନ ବିତାଉଛନ୍ତି।

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତରେ ୧୬ ପ୍ରତିଶତ ବୃଦ୍ଧା ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ବୟସ୍କ ମହିଳାଙ୍କୁ ଦୁର୍ବ୍ୟବହାର ପଛରେ ମୁଖ୍ୟ ଦୋଷୀ ହେଉଛନ୍ତି ତାଙ୍କ ପୁଅ। ୬୦ରୁ ୮୯ ବର୍ଷ ବୟସ୍କା ୭୯୧୧ ଜଣ ମହିଳା ଏହି ସର୍ବେକ୍ଷଣରେ ସାମିଲ୍‌‌ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ପ୍ରତିଶତ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ସ୍ୱୀକାର କରିଥିଲେ। ୪୦ ପ୍ରତିଶତ ମହିଳା ଏଥିପାଇଁ ସେମାନଙ୍କ ପୁଅମାନଙ୍କୁ ଦାୟୀ କରିଥିଲେ। ପ୍ରାୟ ୧୭ ପ୍ରତିଶତ ବରିଷ୍ଠ ମହିଳା ସେମାନଙ୍କ ସ୍ୱାମୀଙ୍କ ଠାରୁ ନିର୍ଯାତନା ଭୋଗୁଥିବା କହିଥିବା ବେଳେ ୪୩ ପ୍ରତିଶତ ମହିଳା ଶାରୀରିକ ହିଂସାର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଗ୍ରାମୀଣ ଭାରତରେ ଏହି ଘଟଣା ସର୍ବାଧିକ। ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ୮୦-୯୦ ବର୍ଷ ବୟସ ବର୍ଗର। ପୁଅମାନଙ୍କର ରୋଜଗାର ଥିଲେ ମଧ୍ୟ ଠିକ୍‌‌ ସମୟରେ ପେଟପୂରା ଖାଦ୍ୟ ଓ ଔଷଧରୁ ବଞ୍ଚିତ କରିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳେ। ଘରର ଗୁମର କାଳେ ପଦାରେ ପଡ଼ିଯିବ ଭାବି ବାର୍ଦ୍ଧକ୍ୟରେ ମଧ୍ୟ ମହିଳାମାନେ କାହା ସହିତ କଥା ହୁଅନ୍ତି ନାହିଁ ଏବଂ ସମସ୍ତ ପ୍ରତିକୂଳ ପରିବେଶକୁ ଆଦରି ନିଅନ୍ତି। ଗାଁଗହଳିରେ ବୃଦ୍ଧାବସ୍ଥାରେ ମହିଳାମାନେ ଅପରିଷ୍କାର ଘରେ ଦିନରାତି ପଡ଼ିରହିବାକୁ ବାଧ୍ୟ ହେଉଥିବା ବେଳେ ସହରରେ ସେମାନଙ୍କ ପାଇଁ ଥାଏ ଗ୍ୟାରେଜ।

‘ହେଲ୍‌‌ପ ଏଜ୍‌‌ ଇଣ୍ଡିଆ’ର ସର୍ବଶେଷ ସର୍ବେକ୍ଷଣ ତଥ୍ୟ ଅନୁସାରେ ୪୩ ପ୍ରତିଶତ ମହିଳା ଶାରୀରିକ ନିର୍ଯାତନାର ଶିକାର ହେଉଥିବା ବେଳେ ୪୦ ପ୍ରତିଶତ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ୩୨ ପ୍ରତିଶତ ଆର୍ଥିକ ନିର୍ଯାତନାର ଶିକାର ହେଉଛନ୍ତି। ୨୯ ପ୍ରତିଶତ ବୟସ୍କ ମହିଳା ଅବହେଳିତ ହୋଇଥିବା ବେଳେ ୪୩ ପ୍ରତିଶତ ବୟସ୍କ ମହିଳା ଯୌନ ନିର୍ଯାତନାର ଶିକାର। ୨୦ ରାଜ୍ୟର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ। ୫୪ ପ୍ରତିଶତ ବୟସ୍କ ମହିଳା ନିରକ୍ଷର, ୪୩ ପ୍ରତିଶତ ବିଧବା, ୭୫ ପ୍ରତିଶତ ବୟସ୍କ ମହିଳାଙ୍କର କିଛି ସଞ୍ଚୟ ନାହିଁ ଏବଂ ୨୬ ପ୍ରତିଶତ ବୟସ୍କଙ୍କର କୌଣସି ସମ୍ପତ୍ତି ନାହିଁ। ୪୭ ପ୍ରତିଶତ ମହିଳା କୁହନ୍ତି ସେମାନଙ୍କୁ ପ୍ରତିକ୍ଷେତ୍ରରେ ଅପମାନିତ କରାଯାଉଛି। ସେମାନଙ୍କର କୌଣସି ସୁରକ୍ଷା ନାହିଁ। ପୁଅ ଓ ସ୍ୱାମୀଙ୍କୁ ବାଦ୍‌‌ ଦେଲେ ବୟସ୍କ ମହିଳାମାନେ ୨୭ ପ୍ରତିଶତ ବୋହୂଙ୍କ ଦ୍ୱାରା ଏବଂ ୧୦ ପ୍ରତିଶତ ଝିଅଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଛନ୍ତି। ୩୧ ପ୍ରତିଶତ ମହିଳା ନାତି, ନାତୁଣୀ, ଜ୍ୱାଇଁ ଏବଂ ଘରୋଇ ସହାୟକଙ୍କ ଦ୍ୱାରା ନିର୍ଯାତନାର ଶିକାର।

ଏହି ଘର କ’ଣ ବୈକୁଣ୍ଠ ସମାନ ହେବାକୁ ଯୋଗ୍ୟ? ଯେଉଁ ମା’ଙ୍କ ପାଇଁ ଏ ମଣିଷ ସମାଜ, ଯାହାଙ୍କ ତ୍ୟାଗ ପାଇଁ ଘରେ ସୁଖ-ଶାନ୍ତି ବିରାଜମାନ କରେ ତାଙ୍କ ପ୍ରତି ଏଭଳି ପୈଶାଚିକ ଆଚରଣ ଆମ ରକ୍ତରେ ରହିଯିବ। ଆମ ଦାୟାଦମାନେ ଆମପ୍ରତି ସେହିଭଳି ଆଚରଣ କରିବେ ଏହା ନିଶ୍ଚିତ। ଆଦର୍ଶ ପରିବାର ଭାରତର ଅବଦାନ। ବିଶ୍ୱରେ ଆଉ କେଉଁଠି ଏଭଳି ସ୍ନେହ, ପ୍ରେମ, ମମତା ଦେଖାଯାଏନା। ତେଣୁ ଆମ ଦେଶରେ ବୃଦ୍ଧବୃଦ୍ଧାଙ୍କ ପ୍ରତି ଏପରି ଦୁର୍ବବ୍ୟହାର ଅବାଞ୍ଛିତ। ପୂର୍ବରୁ ଏକାନ୍ନବର୍ତ୍ତୀ ପରିବାରରେ ସ୍ୱାମୀ ବଦଳରେ ଦିଅର, ପୁଅ ବଦଳରେ ପୁତୁରା, ଝିଅ ବଦଳରେ ଝିଆରୀ ନିଜର ଭାବି ସେବା କରିଥା’ନ୍ତି। ସେତେବେଳେ ବାର୍ଦ୍ଧକ୍ୟ ଥିଲା ଶୈଶବ ଭଳି ରୋମାଞ୍ଚଭରା। ଏବେ କିନ୍ତୁ ବାର୍ଦ୍ଧକ୍ୟ ଅଭିଶାପରେ ପରିଣତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ବର୍ତ୍ତମାନ ଜନ୍ମ ନେଉଥିବା ଶିଶୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ। ଏହାକୁ ନେଇ ଖୁସି ହେବା ବୃଥା। କାରଣ ଜୀବନ ଯଦି ନିଜ ଲୋକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଲା ତେବେ ଦୀର୍ଘଜୀବନ କାମନା କିଏ ବା କାହିଁକି କରିବ? ଏବେ ୮୦ ବର୍ଷର ଊର୍ଦ୍ଧ୍ବମାନେ ଦିନରାତି ଭଗବାନଙ୍କୁ ଡାକୁଛନ୍ତି – ଏ ଯନ୍ତ୍ରଣାରୁ ମୁକ୍ତି ଦିଅ ଠାକୁର!
ପୁଅବୋହୂଙ୍କର ଚୈତନ୍ୟ ଉଦୟ ହେଉ। ସେମାନଙ୍କ ସମୟ ଆଉ କେତେବର୍ଷ ପରେ ଆସିବ। ଜଣେ ଦିନ ମଜୁରିଆ ଯଦି ତାଙ୍କ ବୃଦ୍ଧ ପିତାମାତାଙ୍କ ସେବା କରିବାର ସୌଭାଗ୍ୟଲାଭ କରୁଛି, ଜଣେ ଶିକ୍ଷିତ ଓ ଉଚ୍ଚ ରୋଜଗାର କରୁଥିବା ପୁଅ ବୀତସ୍ପୃହ କାହିଁକି? ଆଗକୁ ଆହୁରି କଠିନ ସମୟ ଆସୁଛି, ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ବୃଦ୍ଧିପାଇବ। ସେମାନଙ୍କ ମଧ୍ୟରେ ଆମେ ଥିବା। ତାହା ଚିନ୍ତା କରିବା ଦରକାର। ସରକାର ଏଭଳି ଅସହାୟ, ନିର୍ଯାତିତ ଓ ଅବହେଳିତ ବୃଦ୍ଧବୃଦ୍ଧାଙ୍କ ପାଇଁ ବ୍ଲକସ୍ତରରେ ଆଶ୍ରୟସ୍ଥଳମାନ ନିର୍ମାଣ କରି ଥଇଥାନ କରିବା ଏବଂ ଏପରି ଅମାନୁଷିକ ସନ୍ତାନଙ୍କୁ ଦଣ୍ଡିତ କରିବା ପାଇଁ ଆଇନ ଆଣିବା ଉଚିତ୍‌‌। n

ଅଭିମନ୍ୟୁ ଧଳ, ଓସଂଗରା(କେନ୍ଦ୍ରାପଡ଼ା), ମୋ:୯୮୬୧୦୪୮୦୫୨

About The Author: The Sakala