ବର୍ତ୍ତମାନ ସମୟର ଏକ ମାର୍ମିକ ସତ୍ୟ ଶିକ୍ଷିତ ଦାଦନ। ଯେଉଁଠି ଶିକ୍ଷା ହେଉଛି ଉନ୍ନତିର ପଥ, ତାହା ଆଜି ଦୁଃଖର ଅନ୍ୟ ଏକ ଅନୁଭବ ପାଲଟିଛି। ଓଡ଼ିଶାର ଅନେକ ଯୁବକଯୁବତୀ, ଯେଉଁମାନେ ଉଚ୍ଚଶିକ୍ଷା ଗ୍ରହଣ କରି ଆଶା ଓ ସ୍ୱପ୍ନ ସହ ଆଗକୁ ବଢ଼଼ିଛନ୍ତି, ସେମାନେ ଆଜି ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ଭଳି କାମ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଦୁଃଖଦ ଅବସ୍ଥା କେବଳ ରୋଜଗାର ଅଭାବ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥା, ନୀତି ଓ ବୃହତ୍ତର ସାମାଜିକ ଦୃଷ୍ଟିଭଙ୍ଗୀର ଏକ ଅନୁପାତ ଛିଡ଼ା ହୋଇଛି। ଏହି ଲେଖା ମାଧ୍ୟମରେ ଆମେ ଏହି ନୂଆ ବେଦନାର ଗଭୀରତାକୁ ଅନୁଭବ କରିବାକୁ ଚେଷ୍ଟା କରିଛୁ, ଯେଉଁଠି ଶିକ୍ଷିତ ହେବା ସତ୍ତ୍ବେ ମେହନତିଆ ଜୀବନ ହେଉଛି ଗତିର ସମାପ୍ତି।
ସେହିମାନଙ୍କୁ ଶିକ୍ଷିତ ଦାଦନ କୁହାଯାଇପାରେ, ଯେଉଁମାନେ ପାଠ ତ ଅନେକ ପଢ଼଼ିଛନ୍ତି, କିନ୍ତୁ ଓଡ଼ିଶା ବାହାର ରାଜ୍ୟରେ ଯାଇ କେଇ ହଜାର ଟଙ୍କାରେ ଖଟୁଛନ୍ତି। କୁହାଯାଉଥିଲା ଓଡ଼ିଶାରେ ନିଯୁକ୍ତି ନାହିଁ ବୋଲି ଲୋକେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଥିଲେ। କିନ୍ତୁ ବର୍ତ୍ତମାନ ପାଠ ପଢ଼଼ି ସାରିଲେ ମଧ୍ୟ ପିଲାଙ୍କ ବାସ୍ତବ ଚକ୍ଷୁ ଖୋଲୁ ନାହିଁ। ଏମାନଙ୍କ ଡିଗ୍ରୀର ଅନ୍ତିମ ବର୍ଷରେ ପ୍ଲେସମେଣ୍ଟ ଚାକିରି କରିଦେବା ନାଁରେ ସୁଟ୍ ବୁଟ୍ ଟାଇ ପିନ୍ଧାଇ ଏମାନଙ୍କୁ ଛୋଟିଆ ମୋଟିଆ କାମ ଧରେଇ ଦେଇ ବିଦା କରି ଦିଆଯାଉଛି ସୁରତ, ପୁନା, ଚେନ୍ନାଇ, ମୁମ୍ୱାଇ ଭଳିଆ ସହରକୁ! ସେଠାରେ ଏମାନେ ପାଠ ପଢ଼଼ି ମଧ୍ୟ ବେଠି ଖଟିଲା ପରି କୋଉ କମ୍ପାନୀକୁ ନିଜର ବହୁମୂଲ୍ୟ ସମୟ ଦେଉଛନ୍ତି ଆଉ ପ୍ରତିବଦଳରେ ସେମାନେ ଧରେଇ ଦିଅନ୍ତି କେଇ ହଜାରେ ଟଙ୍କା।
ଘରର ସ୍ୱପ୍ନକୁ ସାକାର କରିବା ପାଇଁ ଯାଉଥିବା ଛାତ୍ରଟିଏ ବୁଢ଼ୀଆଣି ଜାଲରେ ଛନ୍ଦି ହେଲା ପରି ବିଭିନ୍ନ ରାଜିନାମା ସ୍ୱାକ୍ଷର ମାଧ୍ୟମରେ ଜୀବନ ତମାମ ଶଢ଼ି ହୁଏ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ। ସବୁଠାରୁ ବଡ଼କଥା ହେଲା ସରକାରୀଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନମାନଙ୍କରେ ତାଲିମ୍ ଓ ନିଯୁକ୍ତି ନାଁ ରେ ବସିଥିବା କିଛି ବାବୁଙ୍କ ସହ କମ୍ପାନୀ ଅଧିକାରୀଙ୍କ ସଲାସୁତୁରା ହୋଇଯିବା ପରେ ଶ୍ରମିକ କାମ କରେଇବା ପାଇଁ ଧରି ନିଅନ୍ତି ଆମ ଓଡ଼ିଶାର ବହୁ ମେଧାବୀଙ୍କୁ। ଛାତ୍ରମାନଙ୍କୁ ମାନବଧିକାର ଆଉ ବିଭିନ୍ନ ସାମାଜିକ ବିଷୟରେ ଜ୍ଞାନ ପ୍ରଦାନ କରା ଯାଉ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ସେମାନେ ଯନ୍ତ୍ର ପରି ଖଟି ମଧ୍ୟ ସେଥିରୁ ଓହରି ପାରୁନାହାନ୍ତି।
ଏକଦା ଡ. ବି ଆର ଆମ୍ବେଦକର କହିଥିଲେ ଯେ ଜଣେ ଶିକ୍ଷିତ ହିଁ ଏକ ଶିକ୍ଷିତ ସମାଜ ଗଢ଼ିପାରେ। ଏଇଠି କିନ୍ତୁ ଦେଖିବାକୁ ମିଳେ କିଛି ଓଲଟା। ଏଇଠି ଶିକ୍ଷିତ ହିଁ ଷଡ଼ଯନ୍ତ୍ର ରଚନା କରନ୍ତି ଆଉ ସେଥିରେ ଫସି ଯାଆନ୍ତି ନିରୀହ ଛାତ୍ରଛାତ୍ରୀମାନେ। ଏମାନଙ୍କୁ ବାସ୍ତବ ଶିକ୍ଷାରୁ ଦୂରେଇ ରଖିବା ଆଉ ନିଯୁକ୍ତିର ଲୋଭ ଦେଖାଇବା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଂଶବିଶେଷ ପାଲଟିଯାଏ। ଜଣାଇ ଦିଆଯାଏନି ତୁମେ ପାଠ ପଢ଼଼ି ଆଇ ଏ ଏସ ହୁଅ, ପୁଲିସ୍ ହୁଅ, ସେନାବାହିନୀରେ ଯୋଗ ଦେଇ ଦେଶର ସେବା କର କି ନେତୃତ୍ୱ ନେଇ ରାଜ୍ୟରେ ବିକାଶ କର। ସେମାନଙ୍କୁ ମଧ୍ୟ କୁହାଯାଏନି ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରି ଆମ ରାଷ୍ଟ୍ର ନିର୍ମାଣରେ ଭାଗିଦାର ହୁଅ। କେବଳ ଏମାନଙ୍କୁ ଶିଖାଇ ଦିଆଯାଏ ତୁମେ ବେଠି ଖଟ ଓ ଚାକିରି କର। ଉଦ୍ୟୋଗୀ ହେବା ତ ଦୂରର କଥା ସେମାନଙ୍କୁ ଏତେ ଦୁର୍ବଳ କରେଇ ଦିଆ ଯାଇଥାଏ ଯେ ସେମାନେ ନିଜର ସକ୍ଷମତା ପାଇଁ ମଧ୍ୟ କଥା କହି ପାରନ୍ତି ନାହିଁ। ଶିକ୍ଷାର ବାସ୍ତବ ଅର୍ଥ ବୁଝିଲା ବେଳକୁ ହେଇ ଯାଇଥାଏ ଅନେକ ବିଳମ୍ୱ। କିଛିଜଣ ବାଧ୍ୟ ହୁଅନ୍ତି ଦାଦନ ହେବାକୁ। ଘରର ଦାୟିତ୍ୱ, ଭଉଣୀର ବାହାଘର, ପରିବାରର ବୟସ୍କଙ୍କ ଔଷଧ – ଏମିତି ଅନେକ ଖର୍ଚ୍ଚରେ ବୁଡ଼ି ଶିକ୍ଷିତ ଯୁବକଟିଏ ଜାଣିଶୁଣି ବାଛିନିଏ ଦାଦନ ଖଟିବାକୁ। ଆମ ଓଡ଼ିଶାରେ ଖଣି ପାଣିର ଅଭାବ ନାହିଁ। ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗଣ୍ଡାକୁ ଗଣ୍ଡା। କିନ୍ତୁ ଶିଳ୍ପ ଖୋଲୁ ନାହିଁ। ଯଦି ଗୋଟେ କମ୍ପାନୀ ଆସିଲା ତେବେ ତା’କୁ ନେଇ ମଧ୍ୟ ରାଜନୀତିର ଅଙ୍କକଷା ଥମୁନି। ତେଣୁ ଏହି ବ୍ୟବସ୍ଥାରେ ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ୍ ଅଛନ୍ତି।
ଶିକ୍ଷିତ ଦାଦନର ଏହି ଯନ୍ତ୍ରଣା ତଳେ ଚିତ୍କାର କରୁଛି ଯୁବପିଢ଼ି, ଯାହା ଶିକ୍ଷା ନାଁରେ କେବଳ ଶୂନ୍ୟସମ୍ମାନ ଓ ନିରାଶା ସୃଷ୍ଟି କରୁଛି। ଏହାର ସମାଧାନ ପାଇଁ ଦରକାର ଏକ ବାସ୍ତବିକ ନୀତି, ଶକ୍ତିଶାଳୀ ଶିକ୍ଷା ଏବଂ ଉଦ୍ୟୋଗ ସୃଷ୍ଟି ପ୍ରତି ପ୍ରାମାଣିକ ପଦକ୍ଷେପ। ଯାହାକୁ ଚାହିଁ ବସିଛନ୍ତି ଅନେକ ଓଡ଼ିଆ ପୁଅଝିଅ, ଯେଉଁମାନେ ଏବେ ବି ଶିକୁଳିରେ ବେଡ଼ି ପକେଇ ଶିକ୍ଷିତ ଦାଦନର ସଂଜ୍ଞା ନିଭାଉଛନ୍ତି। n
ଆର୍.ରାହୁଲ୍ କୁମାର୍ , ଭୁବନେଶ୍ୱର, ମୋ: ୬୩୭୨୮୨୪୭୬୯