କିଭ୍ : ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୮ମ ଦିନରେ ପହଞ୍ଚିଥିବା ବେଳେ ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ଯୁଦ୍ଧରେ ୟୁକ୍ରେନ୍ ବିପୁଳ କ୍ଷତି ହୋଇଥିବା ବେଳେ ବହୁ ଧନଜୀବନ ମଧ୍ୟ ନଷ୍ଠ ହେଲାଣି।ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ବି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି। ଏତେ ସଂଖ୍ୟକ ସୈନ୍ୟ ଓ ନାଗରିକଙ୍କୁ ହରାଇବା ପରେ ବି ଭୋଲୋଦିମିର୍ ଜେଲେନସ୍କି ଋଷ ସେନାକୁ ଚେତାବନୀ ଦେଇଚାଲିଛନ୍ତି।
ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଋଷ ସେନାଙ୍କୁ ଚେତାବନୀ ଦେବା ସହ କହିଛନ୍ତି,ୠଷ ସେନା ଯଦି ବଞ୍ଚିବାକୁ ଚାହୁଁଛି ତେବେ ଏବେଠୁ ଘରକୁ ଫେରି ଯାଆନ୍ତୁ । ଆଉ ଜେଲେନସ୍କିଙ୍କ ଏଭଳି ଚେତାବନୀ କେଉଁଠି ନା କେଉଁଠି ଦର୍ଶାଉଛି ଯେ, ୟୁକ୍ରେନ ଏବେ ବିଭିନ୍ନ ଦେଶ ଠାରୁ ସହାୟତା ପାଇବା ପରେ ଆହୁରି ଶକ୍ତିଶାଳୀ ହୋଇଛି । ଏହାପୂର୍ବରୁ ଜେଲେନସ୍କି କହିଥିଲେ, ୟୁକ୍ରେନକୁ କେହି ହରାଇ ପାରିବେ ନାହିଁ । ଋଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି । ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ଋଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।ୠଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖସାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଯୁଦ୍ଧରେ ପ୍ରାୟ ୯,୦୦୦ ରୁଷୀୟ ଯବାନଙ୍କର ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଏହି ସଂଖ୍ୟା ଆହୁରି ବଢ଼ୁ ମୁଁ ଚାହୁଁନାହିଁ। ୟୁକ୍ରେନ ମାଟି ଋଷର ଯବାନଙ୍କ ମୃତଦେହରେ ଭର୍ତ୍ତି ହେଉ ବୋଲି ମୁଁ ଚାହୁଁନାହିଁ। ତୁରନ୍ତ ଘରକୁ ଯାଅ।
ଅନ୍ୟପଟେ ମହାଯୁଦ୍ଧରେ ଋଷ ସେନାକୁ ମଧ୍ୟ ମୁହିଁତୋଡ ଜବାବ ଦେଉଛନ୍ତି ୟୁକ୍ରେନର ସାଧାରଣ ଲୋକ। ଋଷର ଯୁଦ୍ଧ ଗାଡିଗୁଡିକ ଉପରକୁ ପେଟ୍ରୋଲ ବମ୍ ପକାଉଥିବା ବେଳେ ଋଷିଆ ସେନାର ବାଟ ଓଗାଳିବାକୁ ରାସ୍ତାକୁ ଆସିଛନ୍ତି ୟୁକ୍ରେନବାସୀ । ହାତରେ ବ୍ୟାନର ପୋଷ୍ଟର ଧରି ଋଷିଆ ବିରୋଧରେ ଏମାନେ ନାରାବାଜି କରିଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନର ସାଧାରଣ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ଆହ୍ୱାନ ଦେବା ସହ ସେମାନଙ୍କ ହାତରେ ହତିଆର ଦେଇଥିଲେ । ଫଳରେ ସାଧାରଣ ଲୋକ ବି ଯୁଦ୍ଧକୁ ଓହ୍ଳାଇ ଆସିଛନ୍ତି । ଏବେ ଯେଉଁମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ରହିଛି ସେମାନେ ଋଷିଆ ସେନା ସହିତ ଯୁଦ୍ଧ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଯାହା ପାଖରେ ହତିଆର ନାହିଁ ସେମାନେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଳାଇ ଆସି ନାରାବାଜି କରିଛନ୍ତି ।