ନୂଆଦିଲ୍ଲୀ: ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଦେଇପାରିବେ ଭୋଟ୍ । ଏଥିପାଇଁ ପରୀକ୍ଷାମୂଳକ ଭାବେ ରିମୋଟ ଭୋଟିଂ ବ୍ୟବସ୍ଥା ଲାଗି ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏହାକୁ ରିମୋଟ୍ ଇଲେକଟ୍ରୋନିକ୍ ଭୋଟିଂ ମେସିନ ବା RVM କୁହାଯାଉଛି। ନିର୍ବାଚନରେ ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଲକ୍ଷ୍ୟରେ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛି ।
ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରଙ୍କ ପାଇଁ ‘ରିମୋଟ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍’ର ଏକ ପାଇଲଟ୍ ମଡେଲ୍ ପ୍ରସ୍ତୁତ କରିଛି । ଏହି ମେସିନ ପୋଲିଂ ବୁଥରୁ ୭୨ଟି ଅଲଗା ଆଲଗା ସ୍ଥାନରେ ଭୋଟିଂ କରିପାରିବ । ଏହାଛଡ଼ା ପ୍ରବାସୀ ଭୋଟରମାନେ ଭୋଟ୍ ଦେବାକୁ ନିଜ ନିଜ ରାଜ୍ୟ / ସହରକୁ ଯିବାକୁ ପଡ଼ିବ ନାହିଁ । ସେମାନେ କେଉଁଠାରୁ ବି ଭୋଟ୍ ଦେଇପାରିବେ | ୨୦୨୩ ଜାନୁଆରୀ ୧୬ ତାରିଖରେ ଆୟୋଗ ଆରଭିଏମର କାମ କରିବା ଶୈଳୀ ନେଇ ୮ଟି ରାଷ୍ଟ୍ରୀୟ ଦଳ ଏବଂ ୫୭ଟି ରାଜ୍ୟସ୍ତରୀୟ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମୟରେ ଆୟୋଗଙ୍କର ଟେକନିକାଲ ଟିମ୍ ଏବଂ ବିଶେଷଜ୍ଞ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ସମସ୍ତଙ୍କୁ ଏହା କେଉଁଭଳି ପରିଚାଳନା ସେହି ବାବଦରେ ଅବଗତ କରାଯିବ । ଆୟୋଗ ‘ରିମୋଟ୍ ଭୋଟିଂ’କୁ ଲାଗୁ କରିବାରେ ଆଇନଗତ, ପ୍ରଶାସନିକ, ପ୍ରକ୍ରିୟାଗତ, ବୈଷୟିକ ଆହ୍ୱାନ ଉପରେ ରାଜନୈତିକ ଦଳ ଗୁଡ଼ିକର ମତାମତ ଲୋଡିଛି।