ନୂଆଦିଲ୍ଲୀ : ବିଶ୍ବର ଅଧିକାଂଶ ରାଷ୍ଟ୍ର ଚୀନର କରୋନା ଭାଇରସର ଶିକାର ହୋଇ କଲବଲ ହେଉଛନ୍ତି। ଏହି ଭାଇରସ ଦିନକୁ ଦିନ ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ହୋଇ ବ୍ୟାପିବାରେ ଲାଗିଛି। ଶନିବାର ବିଶ୍ବରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦ ଲକ୍ଷ ପାର କରିଛି। ଏହା ପୂର୍ବରୁ ଗତ ସପ୍ତାହରେ ପ୍ରତିଦିନ ପ୍ରାୟ ୭ ଲକ୍ଷ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା। ବିଶ୍ବରେ ପ୍ରତ୍ୟେକ ଦିନ ହାରାହାରି ୧୨ ହଜାର ସଂକ୍ରମିତ ପ୍ରାଣ ହରାଉଛନ୍ତି। ଅର୍ଥାତ୍ ପ୍ରତି ଘଣ୍ଟାରେ ୫୦୦ ଏବଂ ପ୍ରତି ମିନିଟରେ ୮ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି। ତେବେ ବାସ୍ତବିକ ସଂଖ୍ୟା ଏହାଠାରୁ ମଧ୍ୟ ଅଧିକ ହୋଇପାରେ। କାରଣ ଦୁନିଆର ଅନେକ ରାଷ୍ଟ୍ରର ନୂଆ ମାମଲା ଏବଂ ମୃତ୍ୟସଂଖ୍ୟାର ସଠିକ ତଥ୍ୟ ସାମ୍ନାକୁ ଆସୁନାହିଁ।
ବ୍ରାଜିଲରେ ପ୍ରତିଦିନ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ଗତ ସପ୍ତାହରେ ସାରା ବିଶ୍ବରେ ହେଉଥିବା ମୃତ୍ୟୁରେ ପ୍ରତି ତିନିଜଣରେ ଜଣେ ବ୍ରାଜିଲ ନାଗରିକ ସାମିଲ ଅଛନ୍ତି। କରୋନା ଟିକାକରଣ ସତ୍ତ୍ବେ ଭାରତ ଏବଂ ବ୍ରାଜିଲ ଭଳି ଦେଶରେ କରୋନା ସ୍ଥିତି ଦିନକୁ ଦିନ ଭୟାନକ ହେଉଛି। ଏଥିଯୋଗୁଂ ହସ୍ପିଟାଲ ବେଡ ଖାଲି ହେଉନାହିଁ ଏବଂ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ୨୦୧୯ ଶେଷରେ ଚୀନର ଉହାନରୁ କରୋନା ଆରମ୍ଭ ହୋଇଥିଲା ଏବଂ ପ୍ରଥମେ ୮.୫ ମାସରେ ଗତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଲକଡାଉନ ଖୋଲିବା ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଥିଲା। ଚଳିତ ବର୍ଷ ଜାନୁଆରୀ ୧୫ରେ ମୋଟ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ପାର ହୋଇଥିଲା। ତେବେ ଶନିବାର ଏହା ୩୦ ଲକ୍ଷ ପାର କରିଛି। ଏହି ୧୫ ମାସରେ କରୋନାରେ ଯେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଜାମାଇକା ଏବଂ ଆର୍ମେନିଆର ଜନସଂଖ୍ୟାଠାରୁ ଅଧିକ। ଏହା ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ଚାଲିଥିବା ଇରାନଜ-ଇରାକ ଯୁଦ୍ଧ ମୃତ୍ୟସଂଖ୍ୟା ଠାରୁ ମଧ୍ୟ ଅଧିକ। ଇସ୍ରାଏଲ ପରି ଦେଶ ପାଇଁ କରୋନା ଟିକା ବରଦାନ ସାବ୍ୟସ୍ତ ହୋଇଛି। ତେବେ ବିଶ୍ବରୁ ଏହି ମହାମାରୀ ଯିବାର ନାଁ ଧରୁନାହିଁ। ଶୁକ୍ରବାର ବିଶ୍ବରୁ ସର୍ବାଧିକ ୮.୪୫ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି।
ଶନିବାର ରାତି ସୁଦ୍ଧା(ୱାର୍ଲ୍ଡୋ ମିଟର ତଥ୍ୟ ଅନୁଯାୟୀ) ବିଶ୍ବରେ ୧୪୦,୭୬୭,୦୧୨ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩୦୧୫୬୯୭ ଜଣ ପ୍ରାଣ ହରାଇଛନ୍ତି। ଆମେରିକା ଏହି ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏ ପର୍ଯ୍ୟନ୍ତ ଆମେରିକାରେ ୩୨,୩୧୦,୬୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୮୦୦୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏକ ଅଧ୍ୟୟନ ଅନୁଯାୟୀ ଆମେରିକା କରୋନା ମୁକାବିଲା କ୍ଷେତ୍ରରେ ଭଲ କାମ କରିଛି। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁଁ ଏହି ସମସ୍ୟା ଅଧିକ ଗୁରୁତର ହୋଇଥିଲା। କାରଣ ପ୍ରଥମେ ସେ ମହାମାରୀକୁ ମାନିବାକୁ ପ୍ରସ୍ତୁତ ନଥିଲେ। ଏହାକୁ ରୋକିବା ପାଇଁ ସାରା ବିଶ୍ବରେ କରା ଯାଇଥିବା ପ୍ରୟାସକୁ ସେ ହସରେ ଉଡାଇ ଦେଇଥିଲେ। ତେବେ ପରେ ସେ ଏହାକୁ ଅଧିକ ଗୁରୁତ୍ବ ଦେଇଥିଲେ।
ଅନ୍ୟପକ୍ଷରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରାଜିଲ ଦ୍ବିତୀୟ ସ୍ଥାନରେ ରହିଛି। ଏବେ ସୁଦ୍ଧା ବ୍ରାଜିଲରେ ୧୩୮୩୪୩୪୨ ସଂକ୍ରମିତ ହୋଇଥିବାବେଳେ ୩୬୯୦୨୪ ଜଣ ପ୍ରାଣ ହରାଇଛନ୍ତି। ସେଠାରେ ଦିନକୁ ୩ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ବିଶ୍ବରେ ପ୍ରତି ୪ ଜଣରୁ ଜଣେ ମୃତକ ବ୍ରାଜିଲର। ଦେଶରେ ଏହି ସଂକ୍ରମଣ ପାଇଁ ଶୀର୍ଷ ନେତୃତ୍ବ ଦାୟୀ। ଆମେରିକାରେ ଯାହା ଟ୍ରମ୍ପ କରିଥିଲେ ତାହା ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କରିଥିଲେ। ସେ ବିପଦକୁ ଅଣଦେଖା କରି ବାରମ୍ବାର ଲକଡାଉନ ନିବେଦନକୁ ଏଡାଇ ଚାଲିଥିଲେ। କରୋନାକୁ ସେ ପ୍ରଥମେ ଫ୍ଲୁ କହୁଥିଲେ। ଜୁଲାଇ ସୁଦ୍ଧା ବ୍ରାଜିଲର କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ପାର କରିବ ବୋଲି ୱାସିଂଟନର ଏକ ଅଧ୍ୟୟନରେ କୁହାଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସରେ ୧୦୦୪୦୪, ଋଷିଆରେ ୧୦୫୧୯୩, ବ୍ରିଟେନରେ ୧୨୭୨୨୫, ତୁର୍କୀରେ ୩୫୨୨୦, ଇଟାଲୀରେ ୧୧୬୩୬୬ ସଂକ୍ରମିତ ପ୍ରାଣ ହରାଇଲେଣି।