ପୁଲିସ ପ୍ରଶିକ୍ଷଣ ଶିବିରରେ ବି ମହିଳା ଅସୁରକ୍ଷିତ, ଗାଧୁଆଘରେ ଲାଗିଛି କ୍ୟାମେରା…

ଗୋରଖପୁର: ସାରା ଦେଶରେ ମହିଳା ସୁରକ୍ଷା ପ୍ରସଙ୍ଗ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ହୁଲ୍‌ସ୍ତୁଲ୍‌ ହେଉଛି। ବିରୋଧୀ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଥିବା ଦାବି କରୁଛନ୍ତି। ଏପରି ସମୟରେ ଡବଲ ଇଞ୍ଜିନ୍‌ ସରକାର ଥିବା ଉତ୍ତର ପ୍ରଦେଶରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ସୁରକ୍ଷା ଦେଉଥିବା ପୁଲିସ ବାହିନୀରେ ବି ମହିଳା ଅସୁରକ୍ଷିତ ଅଛନ୍ତି। ମହିଳା କର୍ମୀଙ୍କ ଉପରେ ଗୁପ୍ତରେ ନଜର ରଖାଯାଉଛି। ଏଥିପାଇଁ ଗାଧୁଆଘରେ […]

ଗୋରଖପୁର: ସାରା ଦେଶରେ ମହିଳା ସୁରକ୍ଷା ପ୍ରସଙ୍ଗ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ହୁଲ୍‌ସ୍ତୁଲ୍‌ ହେଉଛି। ବିରୋଧୀ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଥିବା ଦାବି କରୁଛନ୍ତି। ଏପରି ସମୟରେ ଡବଲ ଇଞ୍ଜିନ୍‌ ସରକାର ଥିବା ଉତ୍ତର ପ୍ରଦେଶରୁ ବିଚଳିତ କରିବା ଭଳି ମାମଲା ସାମ୍‌ନାକୁ ଆସିଛି। ସୁରକ୍ଷା ଦେଉଥିବା ପୁଲିସ ବାହିନୀରେ ବି ମହିଳା ଅସୁରକ୍ଷିତ ଅଛନ୍ତି। ମହିଳା କର୍ମୀଙ୍କ ଉପରେ ଗୁପ୍ତରେ ନଜର ରଖାଯାଉଛି। ଏଥିପାଇଁ ଗାଧୁଆଘରେ (ବାଥ୍‌ରୁମ୍‌)କ୍ୟାମେରା ଖଞ୍ଜା ଯାଇଛି। ସବୁ କିଛି ରେକର୍ଡିଂ କରି ମହିଳା କନଷ୍ଟେବଳଙ୍କ ସମ୍ମାନ ସହ ଖେଳା ଯାଉଛି। ଗୋରଖପୁରର ବିଛିଆରେ ଥିବା ପ୍ରୋଭିନସିଆଲ ଆର୍ମ୍ଡ କନଷ୍ଟାବୁଲାରୀ (ପିଏସି) ଟ୍ରେନିଂ ସେଣ୍ଟରରେ ଏଭଳି ଘଟଣା ଘଟିଛି। ଏହାକୁ ନେଇ ବୁଧବାର ସକାଳ ୮ଟାରେ ଟ୍ରେନି ମହିଳା କନଷ୍ଟେବଳମାନେ ବିକ୍ଷୋଭ କରିଛନ୍ତି। ୬୦୦ ମହିଳା କନଷ୍ଟେବଳ କାନ୍ଦି କାନ୍ଦି ପ୍ରଶିକ୍ଷଣ କେନ୍ଦ୍ରର ବାହାରକୁ ଆସି ଯାଇଛନ୍ତି। ସେମାନେ ଏହି କେନ୍ଦ୍ରର ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଏହି ପ୍ରଶିକ୍ଷଣ କେନ୍ଦ୍ର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ଗୋରଖପୁରରେ ପହଞ୍ଚି ଯାଇଛନ୍ତି। ମାତ୍ର ଏହାର ଦିନକ ପୂର୍ବରୁ ଏଭଳି ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳା କନଷ୍ଟେବଳ କହିଛନ୍ତି ଯେ ପ୍ରଶିକ୍ଷଣ କେନ୍ଦ୍ରର ଗାଧୁଆଘରେ କ୍ୟାମେରା ଲାଗିଛି। ଆମ ଭିଡିଓ ରେକର୍ଡ କରାଯାଇଛି। ଏ ସବୁକୁ ଫେରାଇ ହେବ କି? ଏବେ କ’ଣ ହେବ? କାଲି କିଛି ଅଧିକାରୀ ଆସିଥିଲେ। ସେମାନେ ଆମକୁ ଗାଳି ଦେଇ ଚାଲିଗଲେ। କିନ୍ତୁ କିଛି ଶୁଣି ନ ଥିଲେ। ଅନ୍ୟ ଜଣେ ମହିଳା ଟ୍ରେନିଂ ସେଣ୍ଟରରେ ଥିବା ଅବ୍ୟବସ୍ଥା ବିଷୟରେ ମଧ୍ୟ ମୁହଁ ଖୋଲିଛନ୍ତି। ୩୬୦ ମହିଳା ରହିବାର ବ୍ୟବସ୍ଥା ଥିବାବେଳେ ୬୦୦ ଜଣ ରହୁଛନ୍ତି। ରାତିସାରା ବିଦ୍ୟୁତ ଆସୁ ନାହିଁ। ଜେନେରେଟରର ମଧ୍ୟ ବ୍ୟବସ୍ଥା ନାହିଁ। ସେଥିପାଇଁ ସାରା ରାତି ଅନିଦ୍ରା ହେବାକୁ ପଡୁଛି। ସକାଳେ ଗାଧୁଆଘରେ ପାଣି ମଧ୍ୟ ଆସୁନି। ପିଇବାକୁ ମାତ୍ର ଅଧ ଲିଟର ପାଣି ଦିଆଯାଉଛି। ଦିଆ ଯାଉଥିବା ଖାଦ୍ୟର ମାନ ମଧ୍ୟ ଠିକ୍‌ ରହୁ ନାହିଁ। ଏହି ସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରଶିକ୍ଷଣ କେନ୍ଦ୍ର ଭିତରକୁ ଯିବୁ ନାହିଁ ବୋଲି ବିକ୍ଷୋଭକାରୀ କହିଥିଲେ। ସେହିପରି ମହିଳାଙ୍କ ଗର୍ଭ ଯାଞ୍ଚ କରିବାକୁ ଡିଆଇଜି ରୋହନ ପି ନିର୍ଦ୍ଦେଶ ଜାରି କରିଥିଲେ। ଏଥିପାଇଁ ସିଏମଓକୁ ଚିଠି ଲେଖି ମେଡିକାଲ ଟିମ୍‌ ଡକା ଯାଇଥିଲା। ଏହି ଆଦେଶକୁ ମଧ୍ୟ ମହିଳା କନଷ୍ଟେବଳ ବିରୋଧ କରିଥିଲେ। ତେବେ ପରେ ଆଇଜି ଟ୍ରେନିଂ ଚନ୍ଦ୍ର ପ୍ରକାଶ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଗର୍ଭବତୀ ମହିଳା ସୂଚନା ଦେଇ ବ୍ୟାଚ୍‌ରୁ ଯାଇପାରିବେ ବୋଲି କହିଥିଲେ।

ଏହି ହଙ୍ଗାମାର ସୂଚନା ମିଳିବା ପରେ ଅଧିକାରୀଙ୍କ ନିଦ ହଜି ଯାଇଥିଲା। ତେଣୁ ପ୍ରଶିକ୍ଷଣ କେନ୍ଦ୍ରରେ ଟ୍ରେନର ଏବଂ ଏଡିଜିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଯାଇଥିଲେ। ମହିଳା କନଷ୍ଟେବଳଙ୍କୁ ୫-୬ ଘଣ୍ଟା ପର୍ଯ୍ୟନ୍ତ ବୁଝାଇ ଭିତରକୁ ନେଇ ଯାଇଥିଲେ। ତାଙ୍କୁ ସୁରକ୍ଷାର ଭରସା ଦେଇଥିଲେ। ସେମାନେ ଗାଧୁଆଘରର ଗ୍ୟାଲେରିରେ ଲାଗିଥିବା କ୍ୟାମେରା ହଟାଇବାକୁ ଦାବି କରିଥିଲେ। ରାଜି ହେବା ପରେ ଏହି ମାମଲା ଶାନ୍ତ ହୋଇଥିଲା। ତେବେ ଏହି ମାମଲା ଲକ୍ଷ୍ନୌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଅଭଦ୍ର ଭାଷା କହିଥିବାରୁ ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର (ପିଟିଆଇଙ୍କୁ ନିଲମ୍ବନ କରିଦିଆଯାଇଛି। ସେହିପରି ଡିଜିପି ରାଜୀବ କୃଷ୍ଣ ନୋଟିସ ଦେବାର କିଛି ସମୟ ମଧ୍ୟରେ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏଥିରେ ସବୁ ପୁଲିସ ଟ୍ରେନିଂ ସେଣ୍ଟର, ପିଏସି, ଟ୍ରେନିଂ ଇନଷ୍ଟିଚ୍ୟୁଟ ଏବଂ କଲେଜର ପ୍ରମୁଖମାନେ ସାମିଲ ହୋଇଥିଲେ। ପିଏସି ଅଧିକାରୀଙ୍କୁ ଡିଜିପି ତୀବ୍ର ଭର୍ତ୍ସନା କରିଥିଲେ। ଟ୍ରେନିଂ ତାରିଖ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସତ୍ତ୍ବେ ଅବ୍ୟବସ୍ଥା କେମିତି ହେଲା ବୋଲି ପଚାରି ଥିଲେ। ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯଦି ମୁଖ୍ୟ ନଗରୀର ସ୍ଥିତି ଏପରି ତେବେ ଅନ୍ୟ କେନ୍ଦ୍ରରେ କ’ଣ ହେଉ ନ ଥିବ। ବିଜେପି ଖାଲି ସ୍ଲୋଗାନରେ ନାରୀ ବନ୍ଦନା କଥା କହୁଛି ବୋଲି ସେ ଅଭିଯୋଗ କରିଛନ୍ତି।

 

About The Author: The Sakala