ବିନା ଚାକିରିରେ ୩୮ ଲକ୍ଷ ଦରମା ପାଇଛନ୍ତି ପତ୍ନୀ, ସରକାରୀ ଚାକିରିଆ ସ୍ବାମୀଙ୍କ କମାଲ ...

ଜୟପୁର: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ମାମଲା ସାମନାକୁ ଆସିଛି। ଆଜିର ଦୁନିଆରେ କାମ ନ କଲେ କେହି ଟଙ୍କାଟିଏ ଦେବାକୁ କୁଣ୍ଠା ହେଉଥିବାବେଳେ ଜଣେ ମହିଳା ବିନା ଚାକିରିରରେ ୩୭.୫୪ ଲକ୍ଷ ଟଙ୍କା ଦରମା ପାଇଛନ୍ତି। ଦିନଟେ ଅଫିସ ନ ଯାଇ ଏହି ମହିଳା ଗୋଟିଏ ନୁହେଁ, ଦୁଇ ଦୁଇଟି କମ୍ପାନୀରୁ ଦରମା ପାଇଛନ୍ତି। ମାସେ କି ଦୁଇ ମାସେ ନୁହେଁ, ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ଦରମା ଆସିଛି। ଏହା କେବଳ ମହିଳାଙ୍କ ସରକାରୀ ଚାକିରିଆ ସ୍ବାମୀଙ୍କ ପାଇଁ ସମ୍ଭବ ହୋଇପାରିଛି। ଦିନେ ଅଫିସ ନ ଯାଇ ରାଜସ୍ଥାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ଦୀକ୍ଷିତଙ୍କ ପତ୍ନୀ ପୁନମ ଦୀକ୍ଷିତ ୩୭.୫୪ ଲକ୍ଷ ଟଙ୍କା ଦରମା ପାଇଛନ୍ତି। ରାଜସ୍ଥାନ ହାଇକୋର୍ଟରେ ଏ ନେଇ ଏକ ଆବେଦନ ଦାଏର ହେବା ପରେ ମାମଲା ସାମ୍‌ନାକୁ ଆସିଛି। 

ସୂଚନା ଅନୁଯାୟୀ ପ୍ରଦ୍ୟୁମ୍ନଙ୍କ ପତ୍ନୀଙ୍କୁ ବେଆଇନ ଭାବେ ଦୁଇ କମ୍ପାନୀ ଓରିଅନପ୍ରୋ ସଲ୍ୟୁସନ ଏବଂ ଟ୍ରିଗ୍ରୀନ ସଫ୍ଟୱାର ଲିମିଟେଡ ଖାଲି କାଗଜପତ୍ରରେ ପୁନମଙ୍କୁ ନିଜ କର୍ମଚାରୀ ଦେଖାଇ ଥିଲେ। ସରକାରୀ ଟେଣ୍ଡର ପାଇବାରେ ଯୁଗ୍ମ ନିର୍ଦ୍ଦେଶକ ସହାୟତା କରିଥିବାରୁ ତାଙ୍କ ପତ୍ନୀଙ୍କ ପ୍ରତି ଏହି ଦୁଇ କମ୍ପାନୀ ଏଭଳି ଅନୁକମ୍ପା ଦେଖାଇ ଥିଲେ। ତେବେ ଏ ସବୁ ଯୁଗ୍ମ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ହୋଇଥିଲା। ଗତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ରାଜସ୍ଥାନ ହାଇକୋର୍ଟ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୩ ତାରିଖରେ ଆଣ୍ଟି-କରପସନ ବ୍ୟୁରୋ (ଏସିବି) ଏହାର ତଦନ୍ତ ଆରମ୍ଭ କରିଥିଲା। 

ଯାଞ୍ଚରୁ ଜଣାପଡ଼ିଥିଲା ଯେ ଟେଣ୍ଡର ପାସ୍‌ କରିବା ବଦଳରେ ପତ୍ନୀଙ୍କୁ ମାସିକିଆ ଦରମା ପ୍ରଦାନ କରିବା ପାଇଁ ପ୍ରଦ୍ୟୁମ୍ନ ଦୁଇ କମ୍ପାନୀଙ୍କୁ କହିଥିଲେ। ୨୦୧୯ ଜାନୁଆରୀରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ପୁନମଙ୍କ ୫ଟି ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟଙ୍କୁ ୩୭, ୫୪, ୪୦୫ ଟଙ୍କା ପଠା ଯାଇଥିଲା। ଏହି ଲାଞ୍ଚକୁ ଦରମା ଭାବେ ଦେଖା ଯାଇଥିଲା। ଏହି ଅବଧିରେ ମଧ୍ୟରେ ପୁନମ ଥରଟିଏ ବି କୌଣସି ଅଫିସକୁ କାମ କରିବାକୁ ଯାଇ ନ ଥିଲେ। ପତ୍ନୀଙ୍କ ପାଇଁ ସ୍ବାମୀ ନିଜେ ଜାଲ୍‌ ଉପସ୍ଥାନ ଦେଉଥିଲେ। ପୁନମ ଏକାଥରକେ ଦୁଇ କମ୍ପାନୀରୁ ଦରମା ପାଉଥିଲେ। ଏହି ଅବଧିରେ ଉଭୟ କମ୍ପାନୀ ସରକାରୀ ଟେଣ୍ଡର ହାସଲ କରିଥିଲେ।

About The Author: Deviprasad Mohanty