ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପୂର୍ବରୁ ଆଜି ସାରା ଦେଶ ସ୍ଚଚ୍ଛତା ହିଁ ସେବା ଅଭିଯାନ ପାଳନ କରୁଛି।ପ୍ରଧାନମନ୍ତ୍ରୀଙ୍କ ଆଦେଶ କ୍ରମେ ଆଜି ସକାଳ ୧୦ରୁ ପ୍ରାୟ ଏକ ଘଣ୍ଟା ଧରି ଏହି ଅଭିଯାନ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ଆଉ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି।
ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର ମୋଦୀ । ଏହି ସମୟରେ ଅଙ୍କିତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ । ତାଙ୍କ ଫିଟନେସ୍ ସମ୍ପର୍କରେ ମଧ୍ୟ ଅଙ୍କିତଙ୍କଠାରୁ ପଚାରି ବୁଝିଛନ୍ତି । ଫିଟନେସକୁ ପ୍ରୋତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଅଙ୍କିତଙ୍କୁ ପ୍ରଶଂସା କରିଛନ୍ତି। ଅଙ୍କିତ ରହୁଥିବା ଅଞ୍ଚଳରେ ସ୍ୱଚ୍ଛତା କିପରି ରହିଛି ବୋଲି ମଧ୍ୟ ମୋଦୀ ପଚାରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରୀତ କରୁଛି । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ କରାଯାଇଛି ।
କିଏ ଏହି ଅଙ୍କିତ ବେୟନପୁରିୟା
ହରିୟାଣାର ସୋନିପତରେ ଜନ୍ମିତ ଅଙ୍କିତ ବେୟନପୁରିୟା ଅଙ୍କିତ ସିଂ ନାମରେ ଜଣାଶୁଣା। ସେ ଦେଶୀ ବ୍ୟାୟାମ ପାଇଁ ସାରା ଦେଶରେ ଚର୍ଚ୍ଚିତ ହୋଇଛନ୍ତି। କିଛି ଦିନ ତଳେ ସେ ୭୫ ଦିନର କଠିନ ଫିଟ୍ନେସ୍ ଚ୍ୟାଲେଞ୍ଜ ସମାପ୍ତ କରି ଲୋକଲୋଚନକୁ ଆସିଯାଇଛି। ଆମେରିକୀୟ ଉଦ୍ୟୋଗୀ ଆଣ୍ଡି ଫ୍ରିସେଲାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏହି ଚ୍ୟାଲେଞ୍ଜ କରିଥିଲେ। ଅଙ୍କିତ ଏକ ନ୍ୟୁଜ୍ ଏଜେନ୍ସିକୁ କହିଥିଲେ ଯେ ଯେତେବେଳେ ସେ ଫିଟନେସରେ କିଛି ଅଲଗା କରିବାକୁ ଚିନ୍ତା କରୁଥିଲେ, ସେତେବେଳେ ସେ ଫ୍ରିସେଲାଙ୍କର ଏକ ୭୫ ଦିନର ଚ୍ୟାଲେଞ୍ଜ ସମାପ୍ତ କରିବାର ଭିଡିଓ ଦେଖିଥିଲେ। ସେତେବେଳେ ସେ ସ୍ଥିର କଲେ ଯେ ସେ ଏହି ଚ୍ୟାଲେଞ୍ଜକୁ ପୂରଣ କରିବେ। ଆଉ ତାହା ସେ କରିଦେଖାଇଛନ୍ତି।
ଅଙ୍କିତଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ଯେ ସେ ପୂର୍ବରୁ ଜଣେ ଦେଶୀ ରେସଲର ଥିଲେ। ତାଙ୍କ ପିତା ଜଣେ କୃଷକ ହୋଇଥିବାବେଳେ ମା ଜଣେ ଗୃହିଣୀ। ତେବେ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ଅଙ୍କିତ ବେୟନପୁରିୟାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ଅନୁଗାମୀମାନେ ମାତ୍ର ୨୮ ଦିନରେ ଏକ ମିଲିୟନରୁ ୪.୯ ମିଲିୟନକୁ ବୃଦ୍ଧି ପାଇଛନ୍ତି।
ଅଙ୍କିତ ଏନେଇ କହିଛନ୍ତି ମତେ ସୋସିଆଲ ମିଡିଆରେ ଏତେ ଲୋକ ଭଲ ପାଉଥିବାରୁ ମୁଁ କୃତଜ୍ଞ। ମାତ୍ର ୨୮ ଦିନରେ ଏତେ ଲୋକ ମତେ ଫଲୋ କରିବା ଦେଖି ମୁଁ ବିସ୍ମିତ ହୋଇଯାଇଛି। ମୁଁ ବହୁତ କୃତଜ୍ଞ ମୁଁ ସମସ୍ତଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି, ଏ ହେଉଛି କେବଳ ଶାରୀରିକ ଶକ୍ତି ଖୋଜ ନାହିଁ; ମାନସିକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କେବଳ ଆଧ୍ୟାତ୍ମିକତାରୁ ଆସିଥାଏ । ତେଣୁ ‘ଭାଗବତ ଗୀତା’ ପଢନ୍ତୁ ଏବଂ ଧ୍ୟାନ କରିବାକୁ ଚେଷ୍ଟା କରନ୍ତୁ।