ଷ୍ଟକହାମ୍: ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଚାଲିଥିବା ଭୟାଭୟ ଯୁଦ୍ଧର ମୂଳ କାରଣ ହେଉଛି ପରମାଣୁ ଅସ୍ତ୍ର। ଇରାନ ପରମାଣୁ ଅସ୍ତ୍ର ତିଆରୀ କରୁଛି ଏବଂ ଏହା ଇସ୍ରାଏଲ ପ୍ରତି ବିପଦ ବୋଲି କହୁଛି ଇସ୍ରାଏଲ। ଏହି କାରଣରୁ ଇରାନର ପରମାଣୁ କେନ୍ଦ୍ର ଧ୍ବଂସ ପାଇଁ ଲାଗି ପଡ଼ିଛନ୍ତି ଉଭୟ ଇସ୍ରାଏଲ ଏବଂ ଆମେରିକା। ଇରାନ ଏହା ପାଖରେ କୌଣସି ପରମାଣୁ ଅସ୍ତ୍ର ନାହିଁ କି ଏହାର ଏଭଳି କୌଣସି ଯୋଜନା ନାହିଁ ବୋଲି କହୁଛି। କିନ୍ତୁ ଆମେରିକା ଓ ଇସ୍ରାଏଲ ଏହା ମାନିବାକୁ ନାରାଜ। ଏଭଳି ସ୍ଥିତିରେ କେଉଁ ଦେଶ ପାଖରେ କେତେ ପରମାଣୁ ଅସ୍ତ୍ର ରହିଛି, ତାହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ୱାଭାବିକ।
ଏପର୍ଯ୍ୟନ୍ତ ନିଜ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ରଖିଛନ୍ତି ବୋଲି ୯ଟି ଦେଶ ଦାବି କରିଛନ୍ତି। ଏବେ ୯ଟି ଦେଶ ପାଖରେ ୯ ହଜାର ୯୦୦ରୁ ଅଧିକ ପରମାଣୁ ଅସ୍ତ୍ର ରହିଛି ବୋଲି ଷ୍ଟକହାମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଆକଳନ କରିଛି। ପ୍ରଥମେ ୫ଟି ଦେଶ ଯଥା ଆମେରିକା, ରୁଷିଆ, ଫ୍ରାନ୍ସ, ଚୀନ୍ ଓ ବ୍ରିଟେନ ପାଖରେ ପରମାଣୁ ଅସ୍ତ୍ର ରହିଥିଲା। ଏହି ୫ଟି ଦେଶ ପରମାଣୁ ଅପ୍ରସାର ସନ୍ଧି(ଏନ୍ପିଟି)ରେ ସ୍ୱାକ୍ଷର କରିଛନ୍ତି। ଏହା ଅନୁସାରେ ଯେଉଁ ଦେଶଗୁଡିକ ପାଖରେ ପରମାଣୁ ଅସ୍ତ୍ର ନାହିଁ, ସେମାନେ ପରମାଣୁ ଅସ୍ତ୍ର ତିଆରି କରିବେ ନାହିଁ ଓ ଏହାକୁ ହାସଲ କରିବେ ନାହିଁ। ପୁଣି ଯେଉଁ ଦେଶଗୁଡିକ ପାଖରେ ପରମାଣୁ ଅସ୍ତ୍ର ରହିଛି, ସେହି ଦେଶଗୁଡିକ ପରମାଣୁ ନିରସ୍ତ୍ରୀକରଣ ଉଦ୍ଦେଶ୍ୟରେ ସଦ୍ଭାବନାପୂର୍ବକ ଆଲୋଚନା ଜାରି ରଖିବେ। ଏହି ୫ଟି ଦେଶକୁ ବାଦ୍ ଦେଲେ ଦକ୍ଷିଣ ଏସିଆର ଦୁଇ ପାରମ୍ପରିକ ପ୍ରତଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସମେତ ଇସ୍ରାଏଲ ଏବଂ ଉତ୍ତରକୋରିଆ ପାଖରେ ମଧ୍ୟ ପରମାଣୁ ଅସ୍ତ୍ର ରହିଛି। ରୁଷିଆ ପାଖରେ ସର୍ବାଧିକ ୪, ୩୦୯ ଏବଂ ଉତ୍ତରକୋରିଆ ପାଖରେ ସର୍ବନିମ୍ନ ୫୦ଟି ପରମାଣୁ ଅସ୍ତ୍ର ରହିଛି। ଭାରତ ଓ ପାକିସ୍ତାନ ପାଖରେ ଯଥାକ୍ରମେ ୧୮୦ ଓ ୧୭୦ଟି ପରମାଣୁ ଅସ୍ତ ରହିଛି।
ଭାରତ ପ୍ରଥମଥର ପାଇଁ ୧୯୭୪ରେ ପୋଖରାନ୍ରେ ପରମାଣୁ ପରୀକ୍ଷଣ କରିଥିଲା। ଏହାପରେ ଭାରତ ୧୯୯୮ରେ ମଧ୍ୟ ଏହାକୁ ଦୋହରାଇଥିଲା। ଏହାର କିଛି ସପ୍ତାହ ପରେ ପାକିସ୍ତାନ ମଧ୍ୟ ପରମାଣୁ ଅସ୍ତ୍ର ପରୀକ୍ଷଣ କରିଥିଲା। ଭାରତ ଓ ପାକିସ୍ତାନ ପରମାଣୁ ପରୀକ୍ଷଣ କରିଥିଲେ ମଧ୍ୟ ଏନ୍ପିଟିରେ ସ୍ୱାକ୍ଷର କରିନାହାନ୍ତି। ଇସ୍ରାଏଲ ନିଜ ପାଖରେ ପରମାଣୁ ଅସ୍ତ୍ର ରଖିଛି ବୋଲି କେବେ ଦାବି କରିନାହିଁ। କିନ୍ତୁ ଇସ୍ରାଏଲ ଏହି ବିଧ୍ୱଂସକାରୀ ଅସ୍ତ୍ର ରଖିଛି ବୋଲି ବିଶ୍ୱାସ କରାଯାଉଛି। ଇସ୍ରାଏଲ ମଧ୍ୟ ଏନ୍ପିଟିରେ ସ୍ୱାକ୍ଷର କରିନାହିଁ। ୧୯୮୫ରେ ଉତ୍ତର କୋରିଆ ଏନ୍ପିଟିରେ ସ୍ୱାକ୍ଷର କରିଥିଲେ ମଧ୍ୟ ୨୦୦୩ରେ ସେଥିରୁ ଓହରିଯାଇଥିଲା। ଆମେରିକାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବାହାନା କରି ଉତ୍ତର କୋରିଆ ଏହି ନିଷ୍ପତ୍ତି ନେଇଥିଲା। ଏହାପରେ ୨୦୦୬ଠାରୁ ଉତ୍ତର କୋରିଆ ଏକାଧିକବାର ପରମାଣୁ ପରିକ୍ଷା କରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି।