ପ୍ରୟାଗରାଜର ଶଙ୍କରଗଡ଼ରେ ଉତ୍କଟ ଜଳ ସଙ୍କଟ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପାଣି ପାଇଁ ୧୦ କିମି ଚାଲୁଛନ୍ତି ଲୋକେ

ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲା ଅନ୍ତର୍ଗତ ଶଙ୍କରଗଡ଼ ବ୍ଲକରେ ଏବେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ଏକାଠି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ପାନୀୟ ଜଳର ଅଭାବ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିପକାଇଛି। ପରିସ୍ଥିତି ଏପରି ହୋଇଛି ଯେ, ପ୍ରଚଣ୍ଡ ଖରାରେ ପାଣି ମୁନ୍ଦାଏ ପାଇଁ ଲୋକମାନଙ୍କୁ ପ୍ରତିଦିନ ପ୍ରାୟ ୧୦ କିଲୋମିଟର ରାସ୍ତା ଚାଲିବାକୁ ପଡ଼ୁଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ଜନଜୀବନ

ସମଗ୍ର ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଶଙ୍କରଗଡ଼ ଠାରୁ ମାତ୍ର ତିନି ଘଣ୍ଟା (ପ୍ରାୟ ୧୫୦ କିଲୋମିଟର) ଦୂରରେ ଥିବା ବାନ୍ଦା ସହର ବର୍ତ୍ତମାନ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ପାଲଟିଛି। ଗତ ମଙ୍ଗଳବାର ଦିନ ବାନ୍ଦାରେ ସର୍ବାଧିକ ତାପମାତ୍ରା ରେକର୍ଡ ସ୍ତର ୪୮.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଏହି ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଶଙ୍କରଗଡ଼ ବ୍ଲକର ହଜାର ହଜାର ଲୋକ ପିଇବା ପାଣି ପାଇଁ ଘୋର ସଂଘର୍ଷ କରୁଛନ୍ତି। ତାପମାତ୍ରା କ୍ରମାଗତ ଭାବେ ୪୦ ଡିଗ୍ରୀ ସେଲସିୟସରୁ ଉପରେ ରହୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଦ୍ୟୁତ୍ ନାହିଁ କି ପାଣି ନାହିଁ

ଏହି ସମସ୍ୟା ସମ୍ପର୍କରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଏଠାରେ ପାନୀୟ ଜଳର କୌଣସି ସୁବିଧା ନାହିଁ ଏବଂ ବିଦ୍ୟୁତ୍ ସେବା ମଧ୍ୟ ଉପଲବ୍ଧ ନାହିଁ। ଦୀର୍ଘ ବର୍ଷ ଧରି ସେମାନଙ୍କୁ ପାଣି ଆଣିବା ପାଇଁ ପ୍ରାୟ ୧୦ କିଲୋମିଟର ଦୂର ଯିବାକୁ ପଡ଼ୁଛି। ପ୍ରାୟ ୧୫୦ ଜଣ ଲୋକ ବସବାସ କରୁଥିବା ଏହି ଅଞ୍ଚଳର ସମସ୍ୟା ଶୁଣିବାକୁ କେହି ନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ପ୍ରଶାସନର ପଦକ୍ଷେପ

ଶଙ୍କରଗଡ଼ ବ୍ଲକରେ ଦେଖାଦେଇଥିବା ଜଳ ସଙ୍କଟ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଅତିରିକ୍ତ ଜିଲ୍ଲାପାଳ ବିନିତା ସିଂହ ସୂଚନା ଦେଇ କହିଛନ୍ତି ଯେ, ପରିସ୍ଥିତିର ତୁରନ୍ତ ସମୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ଜଳ ଭିତ୍ତିଭୂମିର ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଅଧିକାରୀମାନଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ଆଲୋଚନା କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପାଣି ଟ୍ୟାଙ୍କର ପଠାଇବାକୁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଗତ ୨୩ ଦିନ ଧରି ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଲୋକଙ୍କୁ ସତର୍କ କରାଇବା ପାଇଁ ଗଣମାଧ୍ୟମ ଏବଂ ସ୍ଥାନୀୟ ଗୋଷ୍ଠୀ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି।

About The Author: Suryakanta