ୱାସିଂଟନ: ଆଜି ବହୁପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ୫ ତାରିଖରେ ହେବାକୁ ଯାଉଥିବା ଏହି ନିର୍ବାଚନରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଳା ହାରିସଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ କିଛି ରାଜ୍ୟରେ ହାରିସଙ୍କ ପଲ୍ଲା ଭାରୀ ଥିବା ବେଳେ ଆଉ କିଛି ରାଜ୍ୟରେ ଟ୍ରମ୍ପ ଆଗୁଆ ରହିବାର ସମ୍ଭାବନା ରହିଛି । ବିଶ୍ବର ସବୁଠାରୁ ପରାକ୍ରମୀ ରାଷ୍ଟ୍ର କୁହାଯାଉଥିବା ଆମେରିକାର ଏହି ନିର୍ବାଚନ ଉପରେ ସମଗ୍ର ବିଶ୍ବର ନଜର ରହିଛି ।
ସର୍ଭେ ଅନୁଯାୟୀ ସୁଇଙ୍ଗ ରାଜ୍ୟମାନଙ୍କରେ ହାରିସଙ୍କ ଅପେକ୍ଷା ଟ୍ରମ୍ପଙ୍କ ସ୍ଥିତି ଭଲ ରହିଛି । ତେବେ ସେମାନଙ୍କ ମଧ୍ୟରେ ବ୍ୟବଧାନ ବହୁତ ଅଳ୍ପ ବୋଲି କୁହାଯାଉଛି । ଟ୍ରମ୍ପ ୪୯ ପ୍ରତିଶତ ସହ ଆଗୁଆ ଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ହାରିସ । ତାଙ୍କ ସପକ୍ଷରେ ୪୭.୨ ପ୍ରତିଶତ ଭୋଟର ମତ ଦେଇଛନ୍ତି । କିନ୍ତୁ ପ୍ରକୃତରେ କିଏ କେତେ ଭୋଟ୍ ପାଉଛନ୍ତି ତାହା ମତଦାନ ପରେ ହିଁ ଜଣାପଡ଼ିବ । ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନରେ ରାଜ୍ୟମାନଙ୍କୁ ତିନିଟି ବିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ରେଡ୍ ଷ୍ଟେଟ୍ସ, ବ୍ଲୁ ଷ୍ଟେଟ୍ସ ଏବଂ ସୁଇଙ୍ଗ୍ ଷ୍ଟେଟ୍ସ । ୧୯୮୦ ଠାରୁ ଯେଉଁ ରାଜ୍ୟମାନଙ୍କରେ ରିପବ୍ଲିକାନ ପ୍ରାର୍ଥୀ ଅଧିକ ଭୋଟ୍ ପାଉଛନ୍ତି, ତାହାକୁ ରେଡ୍ ଷ୍ଟେଟ୍ସ କୁହାଯାଉଥିବା ବେଳେ ୧୯୯୨ରୁ ଯେଉଁ ରାଜ୍ୟମାନଙ୍କରେ ଡେମୋକ୍ରାଟ୍ ପ୍ରାର୍ଥୀଙ୍କର ଦବ୍ଦବା ରହି ଆସିଛି ତାହାକୁ ବ୍ଲୁ ଷ୍ଟେଟ୍ସ ବୋଲି କୁହାଯାଉଛି । ଏହି ରାଜ୍ୟମାନଙ୍କରେ କିଏ ଅଧିକ ଭୋଟ୍ ପାଇବ, ତାହାର ଠିକ୍ ଆକଳନ କରାଯାଇ ପାରୁଛି । ତେବେ ଯେଉଁ ରାଜ୍ୟରେ ପ୍ରତ୍ୟେକ ଥର ମତଦାନ ଧାରା ବଦଳୁଛି ସେଗୁଡ଼ିକୁ ସୁଇଙ୍ଗ ଷ୍ଟେଟ୍ସ ବୋଲି କୁହାଯାଉଛି ।
ରାଷ୍ଟ୍ରପତି ନିର୍ବାଚନ କିଏ ଜିତିବ, ତାହା ଏହି ସୁଇଙ୍ଗ ରାଜ୍ୟମାନଙ୍କର ମତଦାନ ଉପରେ ନିର୍ଭର କରିବ । କିନ୍ତୁ ଏହି ରାଜ୍ୟମାନଙ୍କରେ ଫଳାଫଳକୁ ନେଇ ପୂର୍ବାନୁମାନ କରିବା ଅସମ୍ଭବ । ଏହି ରାଜ୍ୟମାନଙ୍କରେ କଡ଼ା ଟକ୍କର ହୁଏ । ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଆରିଜୋନା ଭଳି ସୁଇଙ୍ଗ ରାଜ୍ୟେରେ ଜୋ ବାଇଡେନଙ୍କୁ ଟ୍ରମ୍ପଙ୍କ ଠାରୁ ମାତ୍ର ୧୦ ହଜାର ଭୋଟ୍ ଅଧିକ ମିଳିଥିଲା। ଏଥର ମତଦାନ ପୂର୍ବରୁ ହୋଇଥିବା ସର୍ଭେ ଅନୁଯାୟୀ ହାରିସଙ୍କ ସପକ୍ଷରେ ୪୪ ଭାଗ ଏବଂ ଟ୍ରମ୍ପଙ୍କ ସପକ୍ଷରେ ୪୩ ପ୍ରତିଶତ ଲୋକେ ମତ ଦେଇଥିଲେ । ତେବେ ରାଷ୍ଟ୍ରପତି ନିର୍ବାଚନରେ ହାରିସ ପ୍ରାର୍ଥୀ ହେବା ଦିନ ତାଙ୍କର ଲୋକପ୍ରିୟତା ଟ୍ରମ୍ପଙ୍କ ତୁଳନାରେ ଅଧିକ ରହିଥିଲା । କିନ୍ତୁ ଏହା କ୍ରମେ ଖସି ଖସି ଯାଉଛି ।
ଆମେରିକାରେ ୫୦ଟି ରାଜ୍ୟ ରହିଛି । ସେଥିମଧ୍ୟରୁ ୭ଟି ରାଜ୍ୟ ହେଉଛନ୍ତି ସୁଇଙ୍ଗ୍ ଷ୍ଟେଟ୍ସ, ଯାହାର ମତଦାନ ଧାରା ନିର୍ଣ୍ଣାୟକ ପ୍ରମାଣିତ ହେଉଛି । ଏଗୁଡ଼ିକ ହେଲା ଆରିଜୋନା, ଜର୍ଜିଆ, ମିସିଗାନ, ନଭାଡା, ନର୍ଥ କାରୋଲିନା, ପେନିସିଲଭାନିଆ ଏବଂ ୱିସ୍କନସିନ୍ ।
ନିିର୍ବାଚନରେ ଆମେରିକାରେ ଭାରତୀୟ ବଂଶୋଦ୍ଭବ ନାଗରିକ କମଳା ହାରିସଙ୍କୁ ସମର୍ଥନ କରୁଥିବାରୁ ଟ୍ରମ୍ପ ତାଙ୍କ ନିର୍ବାଚନ ରଣନୀତି ବଦଳାଇଛନ୍ତି । ଭାରତୀୟଙ୍କ ସମର୍ଥନ ହାସଲ ଲାଗି ସେ ହିନ୍ଦୁ କାର୍ଡ ଖେଳିଛନ୍ତି । ବିଦେଶରେ ଏବଂ ବିଶେଷ କରି ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ ହିନ୍ଦୁମାନଙ୍କ ସପକ୍ଷରେ ଯୁକ୍ତି କରିବା ସହିତ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ବନ୍ଧୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ତାଙ୍କୁ ସମର୍ଥନ କରୁଥିବା ଅର୍ଥନୀତି ବିଶେଷଜ୍ଞ ଏବଂ ତାଙ୍କ ଦ୍ବାରା ପରିଚାଳିତ ଗଣମାଧ୍ୟମ ଆମେରିକାରେ ଚାକିରି କରୁଥିବା ଭାରତୀୟ ନାଗରିକଙ୍କ ବିରୋଧରେ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି । ଏହାକୁ ନେଇ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ରହିଛି ।
ଅନ୍ୟପକ୍ଷରେ ଏଥର ଆରବ ଏବଂ ଆମେରିକୀୟ ମୁସଲିମ ନାଗରିକ ଟ୍ରମ୍ପଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି । ସେମାନେ ଡେମୋକ୍ରାଟିକ ଦଳର ପାରମ୍ପରିକ ସମର୍ଥକ ଥିଲେ ମଧ୍ୟ ମଧ୍ୟପ୍ରାଚ୍ୟ ନୀତି ନେଇ ବାଇଡେନଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । ସେମାନେ ଟ୍ରମ୍ପଙ୍କ ସପକ୍ଷରେ ମତଦାନ କଲେ ଆରିଜୋନା, ପେନିସିଲଭାନିଆ ଏବଂ ମିସିଗାନ୍ ଭଳି ସୁଇଙ୍ଗ୍ ରାଜ୍ୟରେ ହାରିସଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ।