ନୂଆଦିଲ୍ଲୀ : ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବନ୍ଦ ହେବା ଭଳି ଲାଗୁ ନଥିବା ବେଳେ ବହୁ ମେଡିକାଲ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଥିଲେ । ହେଲେ ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଭାରତ ଫେରିଥିବା ପ୍ରାୟ ୨୦୦୦ ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଆଶାର କିରଣ ପାଇଛନ୍ତି। ଏହି ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଉଜବେକିସ୍ତାନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଜ ପଢ଼ା ଶେଷ କରିପାରିବେ । ଏନେଇ ଉଜବେକିସ୍ତାନ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି ।
ଭାରତରେ ଅବସ୍ଥାପିତ ଉଜବେକିସ୍ଥାନର ରାଜଦୂତ ଦିଲଶୋଦ ଅଖାତୋବ ଗୁରୁବାର ହାଇଦ୍ରାବାଦ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି ସୂଚନା ଦେଇଛନ୍ତି। ଏହି ଅବସରରେ ସେ କିଛି ଛାତ୍ରଙ୍କୁ ଅସ୍ଥାୟୀ ପ୍ରବେଶ ପତ୍ର ମଧ୍ୟ ପ୍ରଦାନ କରିଥିଲେ। ଅଖାତୋବ କହିଥିଲେ, ୟୁକ୍ରେନରେ ଅଧ୍ୟୟନ କରୁଥିବା କିଛି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଜବେକିସ୍ଥାନରର ସଂସ୍ଥାନକୁ ସ୍ଥାନାନ୍ତର କରିବା ଘଟଣାର ଯାଞ୍ଚ କରିବା ପାଇଁ ଭାରତ ପକ୍ଷରୁ ଅନୁରୋଧ ଏବଂ ପ୍ରସ୍ତାବ ଆସିଥିଲା। ସେ ଆହୁରି କହିଥିଲେ, ଦେଶକୁ ଏକ ଅନ୍ତର୍ଜାତୀୟ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ଉଜବେକିସ୍ଥାନ ଲକ୍ଷ୍ୟ ରଖିଛି । ତେଣୁ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଜ୍ବେକିସ୍ତାନ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯବା ନେଇ ଆମେ ଯୋଜନା କରୁଛୁ ବୋଲି ସେ କହିଥିଲେ।
ଅନ୍ୟପକ୍ଷେ ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନା ନେଇ କୌଣସି ସୂଚନା ମିଳିନି। ଅନ୍ୟପକ୍ଷେ ପୁଟିନ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି। ପୁଟିନ କହିଛନ୍ତି, ଆମ ଦେଶର ସାର୍ବଭୌମତ୍ୱ ଯେତେବେଳେ ବିପଦରେ ପଡିବ ସେତେବେଳେ ଏହାର ରକ୍ଷା ତଥା ଲୋକଙ୍କ ସୁରକ୍ଷା ପାଇଁ ଆମ ପାଖରେ ଉପଲବ୍ଧ ସବୁ ସାଧନର ଉପଯୋଗ ଆମେ କରିବୁ। ଯାହା ବି ହେଉ, ଏପରି ପରିସ୍ଥିତିରେ ଉଜବେକିସ୍ଥାନ ରାଜଦୂତଙ୍କର ଏପରି ସୂଚନା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଙ୍କ ପାଇଁ ଆଶ୍ୱାସନା ଆଣି ଦେଇଛି।
ସୂଚନାଯୋଗ୍ୟ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଗତ ସେପ୍ଟେମ୍ବର ୧୫ରେ କହିଥିଲେ ଯେ ଜାତୀୟ ମେଡିକାଲ କମିସନ ଆଇନରେ କୌଣସି ବ୍ୟବସ୍ଥା ନଥିବାରୁ ଏହା ସମ୍ଭବ ନୁହେଁ । ଏହି ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖା ଅନୁମତି ଦେବା ଦ୍ବାରା ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ। କେନ୍ଦ୍ର ସରକାର ଆହୁରି ମଧ୍ୟ ଜଣାଇଥିଲେ ଯେ ଦୁଇଟି କାରଣରୁ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶୀ ମେଡିକାଲ କଲେଜରେ ପଢିବାକୁ ଯାଉଛନ୍ତି- ଏନଇଇଟି ପରୀକ୍ଷାରେ ଖରାପ ପ୍ରଦର୍ଶନ ଓ ୟୁକ୍ରେନ ପରି ଦେଶରେ ଶସ୍ତା ମେଡିକାଲ ପଢା ଖର୍ଚ୍ଚ । ଏନଇଇଟି ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ପିଲାମାନଙ୍କୁ ଅନୁମତି ଦେବା ଦ୍ବାରା ଅନ୍ୟ ବିବାଦ ସୃଷ୍ଟି ହେବ । ଯେଉଁମାନେ କମ ଖର୍ଚ୍ଚରେ ବିଦେଶରେ ମେଡିକାଲ ପଢୁଥିଲେ, ସେମାନେ ଭାରତର ଘରୋଇ ମେଡିକାଲ କଲେଜର ଖର୍ଚ୍ଚ ଉଠାଇପାରିବେ ନାହିଁ ।