ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦେଲା ଆମେରିକା, ରୁଷ୍‌ର ୩୦୦ କିମି ଭିତରକୁ କରିହେବ ଆକ୍ରମଣ

ୱାଶିଂଟନ: ଦୀର୍ଘ ଦିନ ହେଲା ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ବିପୁଳ କ୍ଷୟକ୍ଷତି ସତ୍ତ୍ବେ କୌଣସି ଦେଶ ପଛଘୁଞ୍ଚା ଦେଉନାହାନ୍ତି। ଏପରି ସମୟରେ ଆମେରିକା ଯୁଦ୍ଧର ମୋଡ଼ ବଦଳାଇବା ଭଳି ପଦକ୍ଷେପ ନେଇଛି। ଆମେରିକା ଗୋପନରେ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଦାନ କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ୟୁକ୍ରେନକୁ ଏଟିଏସିଏମଏସର ୧୨ଟି କ୍ଷେପଣାସ୍ତ୍ର […]

ୱାଶିଂଟନ: ଦୀର୍ଘ ଦିନ ହେଲା ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ବିପୁଳ କ୍ଷୟକ୍ଷତି ସତ୍ତ୍ବେ କୌଣସି ଦେଶ ପଛଘୁଞ୍ଚା ଦେଉନାହାନ୍ତି। ଏପରି ସମୟରେ ଆମେରିକା ଯୁଦ୍ଧର ମୋଡ଼ ବଦଳାଇବା ଭଳି ପଦକ୍ଷେପ ନେଇଛି। ଆମେରିକା ଗୋପନରେ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଦାନ କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ୟୁକ୍ରେନକୁ ଏଟିଏସିଏମଏସର ୧୨ଟି କ୍ଷେପଣାସ୍ତ୍ର ଦିଆଯାଇଥିଲା ବୋଲି କୁହାଯାଇଛି। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି କ୍ଷେପଣାସ୍ତ୍ର ୟୁକ୍ରେନକୁ ଦେବାକୁ ମନା କରିଦେଇଥିଲେ। ପରେ ଫେବୃଆରୀରେ ଏହାକୁ ମଞ୍ଜୁରି ଦେଇଥିଲେ। ତେବେ ସେତେବେଳେ ଏହି ସୂଚନାକୁ ସାର୍ବଜନୀନ କରାଯାଇ ନ ଥିଲା। ପେଣ୍ଟାଗନ ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଗ୍ୟାରେନ ଗାର୍ଣ୍ଣ କହିଛନ୍ତି ଯେ ୟୁକ୍ରେନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ତଥ୍ୟକୁ ସାର୍ବଜନୀନ କରାଯାଇ ନ ଥିଲା। କ୍ଷେପଣାସ୍ତ୍ର ଦେବା ପରେ ଏହି ଡେଲିଭରିକୁ ମାର୍ଚ୍ଚ ୧୨ର ସହାୟତା ପ୍ୟାକେଜରେ ସାମିଲ କରିଦିଆଯାଇଥିଲା। ଏପ୍ରିଲ ପ୍ରାରମ୍ଭରେ ଏଟିଏସିଏମଏସ କ୍ଷେପଣାସ୍ତ୍ର ୟୁକ୍ରେନରେ ପହଞ୍ଚି ଯାଇଛି। ଏହା ୩୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଅର୍ଥାତ ଯଦି ଏହାକୁ ଯୁଦ୍ଧରେ ବ୍ୟବହାର କରାଯିବ ତେବେ ରୁଷ୍‌ର ୩୦୦ କିମି ଭିତରକୁ ଆକ୍ରମଣ କରିହେବ।

ରିପୋର୍ଟ ଅନୁଯାୟୀ, ଏଟିଏସିଏମଏସ କ୍ଷେପଣାସ୍ତ୍ରକୁ ଲକ୍‌ହିଡ ମାର୍ଟିନ କମ୍ପାନୀ ନିର୍ମାଣ କରୁଛି। ବର୍ଷକରେ ୫୦୦ଟି କ୍ଷେପଣାସ୍ତ୍ର ଉତ୍ପାଦନ କରାଯାଉଛି। ୟୁକ୍ରେନକୁ ଏହା ଦେବା ପୂର୍ବରୁ ଆମେରିକା କମ୍ପାନୀଠାରୁ ଅଧିକରୁ ଅଧିକ କ୍ଷେପଣାସ୍ତ୍ର କିଣିଥିଲା। କାରଣ ୟୁକ୍ରେନକୁ ଦେବା ପରେ ନିଜ ଦେଶରେ କ୍ଷେପଣାସ୍ତ୍ର ଅଭାବ ନ ହେଉ ବୋଲି ଆମେରିକା ଚାହୁଁ ଥିଲା। ଆମେରିକା ଅଧିକାରୀଙ୍କୁ ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରାରମ୍ଭରେ ରୁଷ୍‌ ଉତ୍ତର କୋରିଆଠାରୁ ବାଲିଷ୍ଟିକ ମିସାଇଲ କିଣିଥିଲା। ମାର୍ଚ୍ଚରେ ଏହାକୁ ୟୁକ୍ରେନର ଜନବହୁଳ ଅଞ୍ଚଳରେ ମାଡ଼ କରିଥିଲା। ଏହି ଘଟଣା ପରେ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦେବା ପାଇଁ ବାଇଡେନ ରାଜି ହୋଇଥିଲେ। ଏହା କ୍ଷେପଣାସ୍ତ୍ର ଦେବା ସମୟରେ ସମସ୍ତ ନିୟମ ପାଳନ କରାଯାଇଥିଲା ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ୟୁକ୍ରେନକୁ ୫ ଲକ୍ଷ କୋଟିର ସହାୟତା ପ୍ୟାକେଜ ସମ୍ବନ୍ଧିତ ବିଲ୍‌କୁ ବାଇଡେନ ବୁଧବାର ମଞ୍ଜୁରି ଦେଇଛନ୍ତି। ଏହି ପ୍ୟାକେଜରେ ୟୁକ୍ରେନକୁ ଏଟିଏସିଏମଏସ କ୍ଷେପଣାସ୍ତ୍ର ଦେବାକୁ କୁହାଯାଇଛି। ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ ଆମେରିକା ୟୁକ୍ରେନକୁ ସ୍ବଳ୍ପ ଦୂରଗାମୀ ଏଟିଏସିଏମଏସ କ୍ଷେପଣାସ୍ତ୍ର ଦେଇଥିଲା। ଏହା ୧୬୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

About The Author: The Sakala