ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ଲଣ୍ଡନସ୍ଥିତ ଆମେରିକୀୟ ଦୂତାବାସରେ ନିଯୁକ୍ତ ଥିବା ଜଣେ କୂଟନୀତିଜ୍ଞଙ୍କ ନାମରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ରଖିଥିବା ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ଦେଖାଦେଇଛି। ନିଜର ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଆମେରିକା ତାଙ୍କୁ ଲଣ୍ଡନରୁ ଗୁପ୍ତ ଭାବରେ ସ୍ଥାନାନ୍ତର କରିଥିବା ନେଇ ବ୍ରିଟେନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଗୁପ୍ତ ଅପରେସନ ଏବଂ ପ୍ରତ୍ୟାବର୍ତ୍ତନ

ଆମେରିକୀୟ ଅଧିକାରୀମାନେ ଅଭିଯୁକ୍ତ କୂଟନୀତିଜ୍ଞଙ୍କ ଲଣ୍ଡନସ୍ଥିତ ବାସଭବନରେ ଚଢ଼ାଉ କରିବା ସହ ତାଙ୍କୁ ଗୁପ୍ତ ଭାବରେ ବ୍ରିଟେନରୁ ଆମେରିକା ନେଇଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ଅଗଷ୍ଟ ୨୫ ତାରିଖରେ ଆମେରିକୀୟ ମାରିନ୍ସ (US Marines) ଲଣ୍ଡନର ପୁଟନି (Putney) ଠାରେ ଥିବା ଉକ୍ତ କୂଟନୀତିଜ୍ଞଙ୍କ ଫ୍ଲାଟରେ ଅଚାନକ ଚଢ଼ାଉ କରିଥିଲେ। ପରେ ତାଙ୍କୁ ହେପାଜତକୁ ନେଇ ଏକ ସ୍ୱତନ୍ତ୍ର ସାମରିକ ବିମାନ ଯୋଗେ ଆମେରିକାର ଡେଲାୱେରସ୍ଥିତ ଡୋଭର ଏୟାରଫୋର୍ସ ବେସକୁ ପଠାଇ ଦିଆଯାଇଥିଲା। ବିଶେଷ କଥା ହେଉଛି, ଏହି ସମ୍ପୂର୍ଣ୍ଣ ଅପରେସନ ସମ୍ପର୍କରେ ବ୍ରିଟିଶ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପୋଲିସକୁ କୌଣସି ପୂର୍ବ ସୂଚନା ଦିଆଯାଇନଥିଲା ଏବଂ କୂଟନୀତିଜ୍ଞ ଜଣକ ଦେଶ ଛାଡିବା ପରେ ହିଁ ସେମାନଙ୍କୁ ଅବଗତ କରାଯାଇଥିଲା।

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୂଚନା ଅନୁଯାୟୀ, ଉକ୍ତ ଆମେରିକୀୟ କୂଟନୀତିଜ୍ଞଙ୍କ ଇଲେକ୍ଟ୍ରୋନିକ୍ ଡିଭାଇସରୁ ବିପୁଳ ପରିମାଣର ଶିଶୁ ଯୌନ ଶୋଷଣ ସାମଗ୍ରୀ (Child Sexual Abuse Material) ଜବତ ହୋଇଥିଲା। ସେ ଆମେରିକାରେ ଥିବା ନିଜ ଭାଇଙ୍କ ସହ ଏହିସବୁ ଆପତ୍ତିଜନକ ସାମଗ୍ରୀ ଆଦାନପ୍ରଦାନ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆମେରିକା ସରକାର ନିଜ ଦେଶରେ କୋର୍ଟରୁ ଏକ ସ୍ୱତନ୍ତ୍ର ଅନୁମତି ଆଣି ବ୍ରିଟେନରେ ଏହି ଚଢ଼ାଉ କରିଥିଲେ।

ବ୍ରିଟେନରେ ତୀବ୍ର ଅସନ୍ତୋଷ

ବ୍ରିଟେନ ମାଟିରେ ଆମେରିକା ସେନାର ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ପ୍ରଶାସନ ଓ ରାଜନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବ୍ରିଟିଶ କଞ୍ଜରଭେଟିଭ୍ ସାଂସଦ ବେନ ଓବେସେ-ଜେକ୍ଟି (Ben Obese-Jecty) ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ସରକାର ନିଜ କ୍ଷମତାର ଅପବ୍ୟବହାର କରି ଜଣେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ବିନା କ୍ଷମତା ଓ ଅନୁମତିରେ ବ୍ରିଟେନ ମାଟିରେ ପ୍ରବେଶ କରି ବିଦେଶୀ ସେନାର ଚଢ଼ାଉ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଏହି ବିବାଦୀୟ ଘଟଣାକୁ ନେଇ ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ମଧ୍ୟରେ ରାଜନୈତିକ ଏବଂ କୂଟନୈତିକ ଉତ୍ତେଜନା ପ୍ରକାଶ ପାଇଛି।

About The Author: Suryakanta