ସୈନ୍ୟ ମୃତ୍ୟୁର ପ୍ରତିଶୋଧ ନେଲା ଆମେରିକା: ଏୟାରଷ୍ଟ୍ରାଇକ୍‌ରେ ସିରିଆରେ ଥିବା ISISର ୭୦ଟି ଠିକଣା ଧ୍ୱଂସ

ନୂଆଦିଲ୍ଲୀ: ଆମେରିକା ନିଜର ସୈନ୍ୟଙ୍କ ମୃତ୍ୟୁର କଡ଼ା ଜବାବ ଦେଇଛି। ଆମେରିକା ସେନା ସିରିଆରେ ଥିବା ଇସଲାମିକ୍ ଷ୍ଟେଟ୍ (ISIS) ର ବିଭିନ୍ନ ଘାଟି ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ସୂଚନା ଦେଇଛି ଯେ, ମଧ୍ୟ ସିରିଆରେ ୭୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଆକ୍ରମଣରେ ଆମେରିକୀୟ କର୍ମଚାରୀଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାନୁଯାୟୀ, ସିରିଆର ପାଲମାଇରା, ରାକ୍କା ଓ ଦେର ଏଜ-ଜୋର ନିକଟରେ ଥିବା ଆତଙ୍କୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ଭଣ୍ଡାର ଓ ତାଲିମ ସେଣ୍ଟର ଉପରେ ଭୀଷଣ ଆକ୍ରମଣ ହୋଇଥିଲା । F-15 ଇଗଲ୍, A-10 ଯୁଦ୍ଧ ବିମାନ, ଆପାଚି ହେଲିକପ୍ଟର ଓ HIMARS ରକେଟ୍ ସିଷ୍ଟମ୍ ଦ୍ବାରା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏହି ଆକ୍ରମଣରେ ISISର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଆତଙ୍କବାଦୀ ଓ ଟପ୍ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । 

ଏହି ଅପରେସନର ନାମ ‘ଅପରେସନ୍ ହକଆଇ ଷ୍ଟ୍ରାଇକ୍’ ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ କହିଛନ୍ତି ଯେ, ସିରିଆ ସରକାର ଏହି ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନରେ ଜୋର୍ଡାନର ଯୁଦ୍ଧ ବିମାନ ମଧ୍ୟ ସହଯୋଗ କରିଥିଲା। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି ଯେ, "ଏହା ଯୁଦ୍ଧର ଆରମ୍ଭ ନୁହେଁ, ବରଂ ଏହା ହେଉଛି ପ୍ରତିଶୋଧର ଘୋଷଣା। ଆମେ ଆଜି ଆମର ଅନେକ ଶତ୍ରୁମାନଙ୍କୁ ଶିକାର କରି ହତ୍ୟା କରିଛୁ ଏବଂ ଏହି ଅଭିଯାନ ଜାରି ରହିବ।"

ଗତ ଶନିବାର ସିରିଆର ପାଲମିରା ସହରରେ ଏକ ଆକ୍ରମଣ ହୋଇଥିଲା, ଯେଉଁଥିରେ ଆମେରିକାର ଦୁଇ ଜଣ ଆଇୱା ନ୍ୟାସନାଲ ଗାର୍ଡ ସଦସ୍ୟ ଏବଂ ଜଣେ ସିଭିଲିଆନ୍ ଇଣ୍ଟରପ୍ରିଟର ନିହତ ହୋଇଥିଲେ। ଏହା ବ୍ୟତୀତ ଅନ୍ୟ ତିନି ଜଣ ସୈନ୍ୟ ଆହତ ହୋଇଥିଲେ। ଜଣେ ବନ୍ଧୁକଧାରୀ ଆମେରିକା ଏବଂ ସିରିଆ ସେନାର ଏକ କନଭୟ ଉପରେ ଆକ୍ରମଣ କରିଥିଲେ। ଗତବର୍ଷ ଡିସେମ୍ବରରେ ଏକଛତ୍ରବାଦୀ ଶାସକ ବସର ଅଲ-ଆସାଦଙ୍କ ପତନ ପରେ ସିରିଆରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁର ଏହା ପ୍ରଥମ ଘଟଣା ଥିଲା। ବର୍ତ୍ତମାନ ସିରିଆରେ ISISର ପୁନରୁତ୍ଥାନକୁ ରୋକିବା ପାଇଁ ପ୍ରାୟ ୧୦୦୦ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି।

ସିରିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସେମାନେ ଆଇଏସ୍ ବିରୋଧରେ ଲଢ଼ିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସିରିଆ ମାଟିରେ ଆତଙ୍କବାଦୀଙ୍କ ପାଇଁ କୌଣସି ସୁରକ୍ଷିତ ସ୍ଥାନ ରହିବ ନାହିଁ। ନିକଟରେ ରାଷ୍ଟ୍ରପତି ଟ୍ରମ୍ପ ସିରିଆ ଉପରୁ ଅନେକ ପୁରୁଣା ଅର୍ଥନୈତିକ କଟକଣା ହଟାଇବା ପାଇଁ ଏକ ଆଇନରେ ସ୍ୱାକ୍ଷର କରିଛନ୍ତି। ନୂତନ ସିରିଆ ସରକାର, ଯାହାକି ପୂର୍ବତନ ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ, ବର୍ତ୍ତମାନ ଆଇଏସ୍ ବିରୋଧୀ ଲଢ଼େଇରେ ଆମେରିକା ସହ ସହଯୋଗ କରୁଛନ୍ତି।

About The Author: Madhusudan Das