ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଦ୍ବିତୀୟ ଥର ଶାନ୍ତି ଆଲୋଚନା କରୁଛନ୍ତି ୟୁକ୍ରେନ ଓ ଋଷ ପ୍ରତିନିଧି ମଣ୍ଡଳୀ । ଆଜି ବେଲାରୁଷରେ ଏହି ଶାନ୍ତି ଆଲୋଚନା କରାଯାଉଛି । ପ୍ରଥମ ଆଲୋଚନା ବିଫଳ ହେବାପରେ ରୁଷ ଆକ୍ରମଣକୁ ତୀବ୍ର କରିଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଏହା ସଫଳ ନହେଲେ ରୁଷ ଆହୁରି କେତେ କ୍ରୁର ହେବ, ସେ ଡର ଏବେ ସମସ୍ତଙ୍କ ମନରେ ରହିଛି।
ସୋମବାର ଉଭୟ ପ୍ରତିପକ୍ଷ ମଧ୍ୟରେ ପ୍ରଥମ ରାଉଣ୍ଡ ଆଲୋଚନା ହୋଇଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ଉଭୟ ପକ୍ଷର ବରିଷ୍ଠ ପ୍ରତିନିଧି ସାମିଲ ହୋଇଥିଲେ ସୁଦ୍ଦା ପ୍ରାୟ ସାଢେ ୩ ଘଣ୍ଟାରେ ଆଲୋଚନା ପରେ ମଧ୍ୟ କୌଣସି ଫଳପ୍ରଦ ସହମତି ପ୍ରକାଶ ପାଇନଥିଲା । ୟୁକ୍ରେନ ଅଞ୍ଚଳରୁ ଋଷ ତାର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବା ସହ ତୁରନ୍ତ ଆକ୍ରମଣ ବନ୍ଦ କରୁ ବୋଲି ୟୁକ୍ରେନୀୟ ପକ୍ଷ ଦାବି ରଖିଥିବା ବେଳେ ଋଷ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।