ୟୁକ୍ରେନ ପକ୍ଷରୁ ଋଷର ବିଭିନ୍ନ ତୈଳ ଡିପୋ ଏବଂ ସମୁଦ୍ରରେ ଥିବା ତୈଳ ଟ୍ୟାଙ୍କର ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି। ବୁଧବାର ଓ ଗୁରୁବାର ରାତିରେ ହୋଇଥିବା ଏହି ଘନଘନ ଆକ୍ରମଣରେ ଆଜୋଭ୍ ସାଗରରେ ଥିବା ୨ଟି ତୈଳ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏହି ଘଟଣା ଏବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଥିବା ଯୁଦ୍ଧ ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛି।
ବିଭିନ୍ନ ଅଞ୍ଚଳରେ ହୋଇଛି ଆକ୍ରମଣ
ଋଷର ଅନେକ ଅଞ୍ଚଳ ଯଥା ଟ୍ଭେର୍ (Tver), ଷ୍ଟାଭ୍ରୋପୋଲ୍ କ୍ରାଇ (Stavropol Krai) ଏବଂ ରୋସ୍ତୋଭ୍ (Rostov) ଅଞ୍ଚଳରେ ଏହି ଡ୍ରୋନ୍ ମାଡ଼ ହୋଇଛି। ଟ୍ଭେର୍ ଏବଂ ଷ୍ଟାଭ୍ରୋପୋଲ୍ ଠାରେ ଥିବା ତୈଳ ଗଚ୍ଛିତ କେନ୍ଦ୍ର (ଅଏଲ୍ ଡିପୋ)ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ପ୍ରଶାସନର କହିବା ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିବା ସହ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜୋଭ୍ ସାଗରରେ ଆକ୍ରମଣର ଶିକାର ହୋଇଥିବା ଦୁଇଟି ଯାକ ଟ୍ୟାଙ୍କରର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ରୋସ୍ତୋଭ୍ ଗଭର୍ଣ୍ଣର ୟୁରି ସ୍ଲ୍ୟୁସର୍ ପ୍ରକାଶ କରିଛନ୍ତି।
ଋଷର ସାମରିକ ଯୋଗାଣ କାଟିବାକୁ ଉଦ୍ୟମ
ୟୁକ୍ରେନ୍ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଋଷର ସାମରିକ ଏବଂ ଅର୍ଥନୈତିକ କ୍ଷମତାକୁ ହ୍ରାସ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜୋଭ୍ ସାଗରରେ ମୋଟ୍ ୧୨ଟି ଋଷୀୟ ଟ୍ୟାଙ୍କର, ଗୋଟିଏ ଟଗବୋଟ୍ ଏବଂ ଗୋଟିଏ କାର୍ଗୋ ଜାହାଜ ଉପରେ ୟୁକ୍ରେନ ସଫଳତାର ସହ ଟାର୍ଗେଟ୍ କରିଛି। ଏହି ସବୁ ଜାହାଜ ଗୁଡ଼ିକ ଋଷ ସେନାକୁ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ପାଇଁ ବ୍ୟବହାର ହେଉଥିଲା। ଏହି ଧାରାବାହିକ ଆକ୍ରମଣ ଫଳରେ ଋଷର ଅନେକ ଅଞ୍ଚଳରେ ଇନ୍ଧନ ଅଭାବ ଦେଖାଦେବା ସହ ଗାଡ଼ି ଚାଳକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍ ପମ୍ପରେ ଲାଇନ ଲଗାଉଥିବା ଦେଖିବାକୁ ମିଳିଛି।
୭୩ଟି ଡ୍ରୋନ୍ ଖସାଇଥିବା ଦାବି କଲା ଋଷ
ଅନ୍ୟପଟେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ସେମାନେ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ୟୁକ୍ରେନର ପ୍ରାୟ ୭୩ଟି ଡ୍ରୋନ୍ କୁ ଆକାଶ ମାର୍ଗରେ ନଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ପ୍ୟାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ ପାଇଁ ଲାଇସେନ୍ସ ଦେବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ୟୁକ୍ରେନ୍ ପକ୍ଷରୁ ଏହି ବଡ଼ ଧରଣର ଆକ୍ରମଣ କରାଯାଇଛି। ଏହା ଋଷ ପାଇଁ ଏକ ବଡ଼ ଝଟକା ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।