ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଏକ ହୃଦୟ ବିଦାରକ ତଥା ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ସ୍କୁଲରେ ହୋମୱାର୍କ କରିନଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦୟ ମାଡ଼ରେ ଜଣେ ୬ ବର୍ଷର କୁନି ଛାତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ୱାନ୍ ଟାଉନ୍ ଅଞ୍ଚଳରେ ଥିବା ଅଞ୍ଚଳର ଏକ ଘରୋଇ ସ୍କୁଲର ୟୁକେଜି ଛାତ୍ର ପ୍ରଣୟ ତେଜା ବୋଲି ଜଣାପଡିଛି। ଗୁରୁବାର ଦିନ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ଏହି ଅଭାବନୀୟ ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ, ଶିକ୍ଷୟିତ୍ରୀ ଜଣକ ଅନ୍ୟ ଛାତ୍ରଛାତ୍ରୀଙ୍କ ସାମ୍ନାରେ ପ୍ରଣୟ ତେଜାଙ୍କ ଡ୍ରେସ୍ ଖୋଲିବାକୁ ଚେଷ୍ଟା କରିବା ସହ ତାଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ଏତେ ଛୋଟ ପିଲାଟି ଏହି କଠୋର ଦଣ୍ଡ ସହି ନପାରି ସେଠାରେ ହିଁ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି କିଙ୍ଗ୍ ଜର୍ଜ ହସ୍ପିଟାଲ୍ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ଛାତ୍ରଙ୍କ ପରିବାର ଲୋକେ ଏବଂ ସାଧାରଣ ଜନତା ଦାବି କରିଛନ୍ତି।