ମହିଳା ଶିଳ୍ପୋଦ୍ୟୋଗୀଙ୍କ ବଡ଼ ହୃଦୟ: ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍, ଭାବବିହ୍ବଳ ହେଲେ ହାଉସକିପିଂ ଷ୍ଟାଫ୍

ନୂଆଦିଲ୍ଲୀ: ଜଣେ ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଆଇଫୋନ୍ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି। କେରଳ ଜନ୍ମିତ ୟୁଏଇ ବ୍ୟବସାୟୀ ହସିନା ନିଶାଦ ନିଜ କମ୍ପାନୀର ସମସ୍ତ ମହିଳା କର୍ମଚାରୀ ଏବଂ ହାଉସକିପିଂ ଷ୍ଟାଫଙ୍କୁ ନୂଆ ଆଇଫୋନ୍ (iPhone) ଉପହାର ଦେଇଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ହସିନାଙ୍କ ଏହି ମହାନତାକୁ ବେଶ୍ ପ୍ରଶଂସା କରୁଛନ୍ତି।

ହସିନା ନିଶାଦଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ସେ ନିଜ କମ୍ପାନୀର ମହିଳା କର୍ମଚାରୀମାନଙ୍କୁ ଏକ କନଫରେନ୍ସ ରୁମକୁ ଡାକୁଛନ୍ତି। ସେଠାରେ ଟେବୁଲ ତଳେ ପୂର୍ବରୁ ହିଁ ଉପହାର ବାକ୍ସଗୁଡ଼ିକ ରଖାଯାଇଥିଲା। ଯେତେବେଳେ କର୍ମଚାରୀମାନେ ବାକ୍ସଗୁଡ଼ିକୁ ଖୋଲିଲେ, ସେଥିରେ ଦାମୀ ଆଇଫୋନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଶେଷ କରି ଜଣେ ହାଉସକିପିଂ ମହିଳା କର୍ମଚାରୀ ଏହି ଉପହାର ପାଇବା ପରେ ହସିନାଙ୍କୁ କୁଣ୍ଢାଇ ପକାଇ କାନ୍ଦି ପକାଇଥିଲେ, ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛି।

https://www.instagram.com/reels/DfXCbpZINhH/

ଏହି ଉପହାର ଦେବା ପଛର ଉଦ୍ଦେଶ୍ୟ ସମ୍ପର୍କରେ ହସିନା କହିଛନ୍ତି ଯେ, ସେ ଚାହାଁନ୍ତି ପ୍ରତ୍ୟେକ ମହିଳା ଆତ୍ମବିଶ୍ୱାସୀ ହୁଅନ୍ତୁ ଏବଂ ନିଜର ସ୍ୱପ୍ନ ପୂରଣ କରନ୍ତୁ। ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ସଫଳତାରେ ଖୁସି ହେବା ଏବଂ ପରସ୍ପରକୁ ସାହାଯ୍ୟ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି। କେବଳ ଅଫିସ କର୍ମଚାରୀ ନୁହଁନ୍ତି, ବରଂ ହାଉସକିପିଂ ଷ୍ଟାଫଙ୍କ ଭଳି ପରଦା ପଛରେ କାମ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସେ ସମ୍ମାନିତ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହି କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଏଭଳି ଦାମୀ ଉପହାର ମିଳିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ସେପ୍ଟେମ୍ବର ମାସରେ ହସିନାଙ୍କ ସ୍ୱାମୀ ନିଶାଦ ହୁସେନ୍ ମଧ୍ୟ ନିଜ ଟିମ୍ ସଦସ୍ୟଙ୍କୁ ଆଇଫୋନ୍ ଉପହାର ଦେଇଥିଲେ। ବର୍ତ୍ତମାନର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ୨୦ ଲକ୍ଷରୁ ଅଧିକ ଭିୟୁ ମିଳିସାରିଛି। ପଦବୀ ନିର୍ବିଶେଷରେ ସମସ୍ତ କର୍ମଚାରୀଙ୍କୁ ସମାନ ଗୁରୁତ୍ୱ ଦେଉଥିବାରୁ ଏହି ଦମ୍ପତିଙ୍କୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଉଛି।

About The Author: Madhusudan Das