ଆଙ୍କାରା: ତୁର୍କୀ ଓ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କ୍ରମାଗତ ୩ଟି ବଡ଼ଧରଣର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ବହୁ ଲୋକ ଧ୍ବଂସସ୍ତୂପ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର୍ସୋର୍ରେ ଉଦ୍ୟମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ସିରିଆ ସରକାର ଅନ୍ତଃରାଷ୍ଟ୍ରୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ଏହାସହ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ତୁର୍କୀ ସରକାର।
ଭାରତ ପକ୍ଷରୁ ମଧ୍ୟ ଭୂକମ୍ପ ପୀଡ଼ିତଙ୍କ ପାଇଁ ଦୁଃଖ ପ୍ରକାଶ କରାଯିବା ସହିତ ଏଭଳି ବିପଦ ସମୟରେ ତୁର୍କୀକୁ ସହାୟତା କରିବାକୁ ଦେଶ ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହାରି ମଧ୍ଯରେ ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଇଛି ଭାରତ । ୨ଟି NDRF ଟିମ୍ରେ ୧୦୧ ଯବାନଙ୍କୁ ତୁର୍କୀ ପଠାଇଛନ୍ତି ସରକାର । ଗାଜିଆବାଦ ଓ କୋଲକାତାରୁ ଗୋଟିଏ ଲେଖାଏଁ NDRF ଟିମ୍ ଯାଇଛନ୍ତି। ରିଲିଫ ସାମଗ୍ରୀ ଓ ଜରୁରୀକାଳୀନ ଔଷଧ ଭାରତ ପକ୍ଷରୁ ପଠାଯାଇଛି
ଗତକାଲି ପ୍ରଳୟଙ୍କରୀ ଭୂକମ୍ପରେ ଥରିଥିଲା ପଶ୍ଚିମ ଏସିଆ। ଏହି ଭୂକମ୍ପରେ ତୁର୍କୀ ଓ ସିରିଆ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲେବାନନ, ସାଇପ୍ରସ୍ ଏବଂ ଇଜିପ୍ଟ ରାଜଧାନୀ କାଇରୋରେ ମଧ୍ୟ ଭୂକମ୍ପର ଆଂଶିକ ପ୍ରଭାବ ପଡ଼ିଥିଲା। ଦକ୍ଷିଣପୂର୍ବ ତୁର୍କୀ ଏବଂ ସିରିଆର ଉତ୍ତରାଞ୍ଚଳର ସର୍ବାଧିକ ସହର ଭୂକମ୍ପ ପ୍ରକୋପରେ ଧୂଳିସାତ୍ ହୋଇଯାଇଛି। ଏହି ଅଞ୍ଚଳର ଶହ ଶହ କୋଠା ଏବଂ ଅଟ୍ଟାଳିକା ଧ୍ବସ୍ତବିଧ୍ବସ୍ତ ହେବା ସହିତ ଗତକାଲି ୨୬୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ମୃତ୍ଯୁ ସଂଖ୍ୟା ୪୦୦୦ ଟପିଯାଇଛି। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସୋମବାର ପ୍ରତ୍ୟୁଷରେ ଲୋକମାନେ ଶୋଇଥିବା ଅବସ୍ଥାରେ ଏଭଳି ଘଟିଥିବାରୁ କେହି ବାହାରକୁ ଆସିବା ସମ୍ଭବ ନ ଥିଲା। ଫଳରେ ଶୋଇବା ଅବସ୍ଥାରେ ହିଁ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ହଜାର ହଜାର ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏବେ ମଧ୍ୟ ଶହ ଶହ ଲୋକ ବିଭିନ୍ନ ଅଞ୍ଚଳରେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଲୋକଙ୍କୁ ଉଦ୍ଧାର କରିବା ଲାଗି ୟୁରୋପୀୟ ସଂଘର ବିଭିନ୍ନ ରାଷ୍ଟ୍ରଙ୍କ ପକ୍ଷରୁ ଏକାଧିକ ଟିମ୍ ତୁର୍କୀରେ ପହଞ୍ଚିଛନ୍ତି। ସେହିଭଳି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ରେଡ୍କ୍ରସ୍ର ମଧ୍ୟ ଅନେକ ଟିମ୍ ଏବେ ତୁର୍କୀ ଏବଂ ସିରିଆରେ ପହଞ୍ଚିଛନ୍ତି।
ମିଳିଥିବା ସୂରନା ଅନୁସାରେ ସ୍ଥାନୀୟ ସମୟ ଭୋର ସୋମବାର ପ୍ରାୟ ୪ଟା ୩୦ ମିନିଟ୍ରେ ୭.୮ ତୀବ୍ରତାର ଭୂକମ୍ପ ଦକ୍ଷିଣପୂର୍ବ ତୁର୍କୀ ଏବଂ ଉତ୍ତର ସିରିଆରେ ପ୍ରଳୟ ସୃଷ୍ଟି କରିଥିଲା। କେବଳ ଥରେ ନୁହେଁ, ଲଗାତର ତିନି ଥର ଭୂକମ୍ପ ଆସିଥିଲା। ଏହାବ୍ୟତୀତ ପରେ ପରେ ପ୍ରାୟ ୫୦ ଥର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ତୁର୍କୀର ଗାଜିଆନତେପ୍ ସହରର ଉତ୍ତର ଭାଗର ପ୍ରାୟ ୩୩ କିମି ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିଲା ବୋଲି ଆମେରିକାର ଭୂତାତ୍ତ୍ବିକ ସର୍ଭେ ଏଜେନ୍ସି ପକ୍ଷରୁ କୁହାଯାଇଛି। ଏହାର ଗଭୀରତା ମଧ୍ୟ ପ୍ରାୟ ୧୮ କିମି ରହିଥିବା ଏହି ସଂସ୍ଥା ଉଲ୍ଲେଖ କରିଛି।
ପ୍ରଥମେ ୭.୮ ତୀବ୍ରତାର ଭୂକମ୍ପରେ ତୁର୍କୀର ଦକ୍ଷିଣ-ଦକ୍ଷିଣପୂର୍ବ ସହର ଏକିନୋଜୁସହର ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି। ସେହପିରି ଏହି ସହର ସୀମାକୁ ଲାଗି ରହିଥିବା ସିରିଆର ଅନେକ ସହର ମଧ୍ୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ତୁର୍କୀର ଦକ୍ଷିଣ ପୂର୍ବ ସୀମାକୁ ସିରିଆର ଉତ୍ତରାଞ୍ଚଳ ଲାଗି ରହିଛି। ସିରିଆରେ ବିଗତ ୧୦ ବର୍ଷ ଲାଗି ରହିଥିବା ଆତଙ୍କବାଦ କାର୍ଯ୍ୟକଳାପ ସମେତ ଏହି ଅଞ୍ଚଳରେ ବାରମ୍ବାର ରୁଷିଆର ବୋମା ମାଡ଼ ଯୋଗୁଁ ଏହି ଅଞ୍ଚଳରୁ ସର୍ବାଧିକ ଲୋକ ସୀମା ଡେଇଁ ତୁର୍କୀର ଦକ୍ଷିଣ ଅଞ୍ଚଳରେ ଶରଣାର୍ଥୀ ଭାବେ ବସବାସ କରୁଛନ୍ତି। ଏଡି ଅଞ୍ଚଳରେ ପ୍ରାୟ ୨୦ ଲକ୍ଷ ଶରଣାର୍ଥୀ ବସବାସ କରୁଥିବା କୁହାଯାଇଥିବା ବେଳେ ଏଠାରେ ବହୁ ଅଟ୍ଟାଳିକା ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ତୁର୍କୀର ଗାଜିଆନ୍ତେପ୍ ଏବଂ କାହାରାମାନମରାସ୍ ପ୍ରଦେଶରେ ହଜାରରୁ ଅଧିକ ଅଟ୍ଟାଳିକା ଭୂଶୁଡି ପଡ଼ିଛି। ସେହିପରି ସିରିଆର ଆଲେପୋ ଏବଂ ହାମା ସହର ସମେତ ସୀମାକୁ ଲାଗି ରହିଥିବା ତୁର୍କୀର ଦିଆରବକିର ସହରରେ ମଧ୍ୟ ଶହ ଶହ କୋଠା ଧୂଳିସାତ୍ ହୋଇଯାଇଛି। ତାସ୍ଘର ଭଳି ଶହ ଶହ କୋଠା ଭୂଶୁଡ଼ି ପଡ଼ୁଥିବା ଭିଡିଓ ଦୃଶ୍ୟ ଏବେ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମଳିଛି।
କେବଳ କୋଠାବାଡି ନୁହେଁ ଏହି ଅଞ୍ଚଳର ଅନେକ ହସ୍ପିଟାଲ ଏବଂ ସୁରକ୍ଷାସ୍ଥଳ ମଧ୍ୟ ଭୂଶୁଡ଼ି ଯାଇଛି। ଏହି ଭୂକମ୍ପର ପ୍ରକୋପ ଏତେ ଅଧିକ ରହିଥିଲା ଯେ, ଏହାର ପ୍ରଭାବ ତୁର୍କୀ ଠାରୁ ପ୍ରାୟ ୫୫୦୦ କିମି ଦୂର ଗ୍ରୀନଲାଣ୍ଡ ଦ୍ବୀପରେ ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ସୋମବାର ପ୍ରତ୍ୟୁଷରେ ଆମେରିକାର ନ୍ୟୁୟର୍କ ସହରରେ ମଧ୍ୟ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଯାହାକି ବିଗତ ୪୦ ବର୍ଷର ସବୁଠାରୁ ଉଚ୍ଚ ତୀବ୍ରତାର ଭୂକମ୍ପ ବୋଲି ଆମେରିକୀୟ ଭୂତତ୍ତ୍ବ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ତୁର୍କୀ ଏବଂ ସିରିଆର ସ୍ଥିତିକୁ ନେଇ ବିଭିନ୍ନ ରାଷ୍ଟ୍ରଙ୍କ ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହିତ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ରୁଷିଆ, ଫ୍ରାନ୍ସ ସମେତ ୟୁରୋପୀୟ ସଂଘର ବହୁ ସଦସ୍ୟ ରାଷ୍ଟ୍ର ତୁର୍କୀକୁ ତତ୍କାଳ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।