ୱାସିଂଟନ/ମସ୍କୋ : ଦୁଇ ସୁପରପାୱାର ଆମେରିକା ଏବଂ ରୁଷ ପରମାଣୁ ଯୁଦ୍ଧ ପାଇଁ ମୁହାଁମୁହିଁ ହୋଇଛନ୍ତି। ସମୁଦ୍ରରେ ରୁଷ ସୀମା ନିକଟରେ ପରମାଣୁ ସବମେରିନ ମୁତୟନ ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବାପରେ ରୁଷ ଏହାର ମୁକାବିଲା ଲାଗି ପ୍ରସ୍ତୁତ ଥିବା ଜଣାଇଛନ୍ତି। ବିଶ୍ବ ନୋବେଲ ଶାନ୍ତି ପୁରସ୍କାର ଲାଗି ଦାବି ଜଣାଉଥିବା ଟ୍ରମ୍ପଙ୍କ ଏଭଳି ପଦକ୍ଷେପ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ରୁଷ ନିରାପତ୍ତା ପରିଷଦର ଉପାଧ୍ୟକ୍ଷ ଡିମେଟ୍ରି ମେଦଭେଦେଭ୍ଙ୍କ ଏକ ମନ୍ତବ୍ୟକୁ ନେଇ ଏଭଳି ଉେତ୍ତଜନା ଦେଖାଦେଇଛି। ରୁଷଠାରୁ ତେଲ ଓ ଅସ୍ତ୍ର କିଣୁଥିବା ଭାରତ ସମେତ କେତେକ ଦେଶମାନଙ୍କ ଉପରେ ୨୫ ପ୍ରତିଶତ ଶୁଳ୍କ କଟକଣା ଲଗାଇବା ଲାଗି ଟ୍ରମ୍ପଙ୍କ ଘୋଷଣା ପରେ କ୍ଷୁବ୍ଧ ହୋଇ ଧମକ ଦେଇଥିଲେ ଡିମେଟ୍ରି ମେଦଭେଦେଭ୍। ସେ କହିଥିଲେ ଯେ ରୁଷ କିମ୍ବା ଏହାର ନେତାମାନଙ୍କ ଉପରେ ଆକ୍ରମଣ ହେଲେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ ରୁଷ। ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଡିମେଟ୍ରି ମେଦଭେଦେଭ୍ଙ୍କୁ ସମାଲୋଚନା କରିଥିଲେ ଟ୍ରମ୍ପ। ସେ କହିଥିଲେ ଯେ ଡିମେଟ୍ରି ମେଦଭେଦେଭ୍ ପିଲାଳିଆମି ଏବଂ ଉତ୍ତେଜନାମୂକ ମନ୍ତବ୍ୟ ଦେଉଛନ୍ତି। ତାଙ୍କର ଏଭଳି ମନ୍ତବ୍ୟର ଜବାବ ଦେବାକୁ ଯାଇ ଆମେରିକାର ଦୁଇଟି ପରମାଣୁ ସବମେରିନକୁ ରୁଷ ସୀମା ନିକଟ ସମୁଦ୍ରକୁ ପଠାଇବା ଲାଗି ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ।
ଟ୍ରମ୍ପଙ୍କ ଏଭଳି ଘୋଷଣା ପରେ ରୁଷ ପକ୍ଷରୁ କୁହାଯାଇଛି ଯେ ଆମେରିକାର ପରମାଣୁ ଧମକର ମୁକାବିଲା ଲାଗି ଆମେ ପ୍ରସ୍ତୁତ ଅଛୁ। ସମୁଦ୍ର ଯୁଦ୍ଧରେ ଆମେରିକା ତୁଳନାରେ ରୁଷର ଅଧିକ ଆଧିପତ୍ୟ ରହିଛି ବୋଲି ରୁଷର ଜଣେ ସରକାରୀ ମୁଖପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଆମେରିକାର ଯେତେ ପରମାଣୁ ସବମେରିନ୍ ରହିଛି, ତାଠାରୁ ଢେର ଅଧିକ ସଂଖ୍ୟାରେ ରୁଷ ପାଖରେ ରହିଛି। ତେଣୁ ଆମେରିକାର ଏଭଳି ଧମକ ରୁଷ ପାଇଁ ବିଶେଷ ଗୁରୁତ୍ବ ବହନ କରୁନାହିଁ। ତେବେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଦାୟିତ୍ବହୀନ ମନ୍ତବ୍ୟ ନେଇ ଅଯଥାରେ ଉତ୍ତେଜନା ବଢ଼ାଉଛନ୍ତି।
ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଟ୍ରମ୍ପ ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଲାଗି ଉଦ୍ୟମ କରି ଆସୁଛନ୍ତି। କିନ୍ତୁ ଏଥିରେ ବିଶେଷ ସଫଳତା ମିଳୁନଥିବାରୁ ସେ କ୍ଷୁବ୍ଧ ହୋଇ ରୁଷକୁ ଏକଘରିକିଆ କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ରୁଷ ସହିତ ସଂପର୍କ ଚ୍ଛିନ୍ନ କରିବା ଲାଗି ବିଭିନ୍ନ ଦେଶ ଉପରେ ଚାପ ପକାଉଛନ୍ତି। ରୁଷରୁ ତେଲ ଓ ଅସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଟ୍ରମ୍ପ ବାଣିଜ୍ୟ କଟକଣା ଘୋଷଣା କରିଛନ୍ତି। ଏହିକ୍ରମରେ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ସେ ଘୋଷଣା କରିଥିବାରୁ ରୁଷ କ୍ଷୁବ୍ଧ ହୋଇ ଏଭଳି ଧମକ ଦେଇଥିଲା।