ବିଲ୍ ମଞ୍ଜୁରୀ ଉପରେ 'ସୁପ୍ରିମ' ରାୟ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା

ନୂଆଦିଲ୍ଲୀ: ବିଲ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି କୌଣସି ସମୟ ସୀମା ରହିବ ନାହିଁ ବୋଲି କହିଛନ୍ତି ଖଣ୍ଡପୀଠ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ପଠାଯାଇଥିବା ୧୪ ସାମ୍ବିଧାନିକ ପ୍ରଶ୍ନ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ସମୟ ସୀମା ନିର୍ଦ୍ଧାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମୟ ସୀମା ନିର୍ଦ୍ଧାରଣ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି କୁଠାରାଘାତ । ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଯେ କୌଣସି ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତି କିମ୍ବା ରାଜ୍ୟର ରାଜ୍ୟପାଳ ପାଇଁ ସମୟସୀମା ସ୍ଥିର କରାଯାଇପାରିବ ନାହିଁ।

ସିଜେଆଇ ଜଷ୍ଟିସ ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ରାୟ ଦେଇ କହିଛନ୍ତି ଯେ କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ନେଇପାରିବେ ନାହିଁ । ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ କାର୍ଯ୍ୟ ନ୍ୟାୟଭିତ୍ତିକ ନୁହେଁ । ଯେତେବେଳେ ଏକ ବିଲ୍ ଆଇନରେ ପରିଣତ ହୁଏ ସେତେବେଳେ ନ୍ୟାୟିକ ସମୀକ୍ଷା କରାଯାଇପାରିବ ।

ଧାରା ୨୦୦ ଏବଂ ୨୦୧ ଅନୁଯାୟୀ, ରାଜ୍ୟପାଳ ଏକ ବିଲ୍କୁ ସମ୍ମତି ଦେଇପାରିବେ। ନହେଲେ ବିଲ୍କୁ ସ୍ଥଗିତ ରଖିପାରିବେ ଏବଂ ଦରକାର ପଡିଲେ ଫେରାଇ ପାରିବେ କିମ୍ବା ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ପାରିବେ। ପ୍ରଧାନବିଚାରପତି ବି.ଆର. ଗଭାଇଙ୍କ ସହ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପି.ଏସ. ନରସିଂହ ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଧାରା ୧୪୨ ପ୍ରୟୋଗ କରି ସୁପ୍ରିମକୋର୍ଟ କୌଣସି ବିଲକୁ ଜୋରଜବରଦସ୍ତ ମଞ୍ଜୁରୀ ଦେଇପାରିବେ ନାହିଁ । ତେଣୁ ରାଜ୍ୟପାଳ ବିଲକୁ ଫେରାଇପାରିବେ ନହେଲେ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେଇପାରିବେ ।

About The Author: Deviprasad Mohanty