ନୂଆଦିଲ୍ଲୀ: ଜୁଲାଇ ୧ ସୁଦ୍ଧା ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ରେ ୧୦, ୧୪୫ ପଦ ଖାଲି ପଡ଼ିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗ୍ରୁପ୍ ‘ଏ’ର ୩୮୭ଟି ଗେଜେଟେଡ ଅଫିସର (ଜିଓ)ର ପଦବୀ, ଗ୍ରୁପ୍ ‘ବି’ ସବ୍ଅର୍ଡିନେଟ ଅଫିସର(ଏସଓଏସ)ର ୧, ୮୧୬ ଏବଂ ଅନ୍ୟ ରାଙ୍କର ୭, ୯୪୨ ପଦବୀ ଖାଲି ରହିଛି। ତେବେ ୨୦୨୦ରୁ ୨୦୨୪ ମଧ୍ୟରେ ୭, ୩୭୨ ନୂଆ ପଦବୀ ସୃଷ୍ଟି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗତ ୫ ବର୍ଷରେ ୫୪, ୭୬୦ ଯବାନ ନିଯୁକ୍ତ ହୋଇଛନ୍ତି। ବିଏସ୍ଏଫ୍ରେ ୨, ୬୫, ୮୦୮ ପଦବୀ ଥିବାବେଳେ ୨, ୫୫, ୬୬୩ ଜଣ ଏବେ କାର୍ଯ୍ୟ କରୁଛନ୍ତି। ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୦ରୁ ୨୦୨୨ ମଧ୍ୟରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଅନୁଯାୟୀ ୨, ୬୧୫ ମାମଲା ପଞ୍ଜିକରଣ ହୋଇଛି। ଏହି ଆଇନରେ ଡିଟେନସନ କେନ୍ଦ୍ର ପ୍ରତିଷ୍ଠାର କୌଣସି ବ୍ୟବସ୍ଥା ନାହିଁ।