ନୂଆଦିଲ୍ଲୀ: ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। କିନ୍ତୁ ସ୍ବାଧୀନତାର ଏହି ଦୀର୍ଘ ମିଆଦ ମଧ୍ୟରେ ଅନେକ ବିଷୟକୁ ନେଇ ଲୋକଙ୍କ ମନରେ ଭ୍ରମ ଦୂର ହୋଇପାରି ନାହିଁ। ଏପରିକି ସମ୍ବିଧାନ ଦ୍ବାରା ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ଦାୟିତ୍ବକୁ ଏବେ ମଧ୍ୟ ଅନେକ ଅନଭିଜ୍ଞ ରହିଛନ୍ତି। ଏବେ ବି ସରକାରୀ ଦଳ ଭାବୁଛନ୍ତି ଯେ ପ୍ରତ୍ୟେକ ସରକାରୀ କାର୍ଯ୍ୟ ନ୍ୟାୟପାଳିକାର ଅନୁମୋଦନ ପାଇବାକୁ ହକଦାର। ସେପଟେ ବିରୋଧୀ ଦଳ ଭାବନ୍ତି ଯେ ସେମାନଙ୍କ ରାଜନୈତିକ କାରଣକୁ ନ୍ୟାୟପାଳିକ ସମର୍ଥନ କରିବ। କିନ୍ତୁ ନ୍ୟାୟପାଳିକା କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ ବୋଲି ସମସ୍ତେ ଭାବିବା ଉଚିତ ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି। ଆମେରିକାର ସାନ ଫ୍ରାନ୍ସିସ୍କୋ ଠାେର ଆମେରିକାର ଭାରତୀୟ ସଂଘ ପକ୍ଷରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣା ଏହି ପ୍ରସଙ୍ଗରେ କହିଥିଲା ବେଳେ ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କ ମନରେ ଏଭଳି ଧାରଣା ରହିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଛନ୍ତି।
ସେ କହିଛନ୍ତି ଯେ, ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ଅନୁଷ୍ଠାନକୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି। କେଉଁ ଅନୁଷ୍ଠାନର ଦାୟିତ୍ବ କ’ଣ ଏବଂ ଏହା କେଉଁ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇଛି। ଏହାସତ୍ତ୍ବେ କୌଣସି ଅନୁଷ୍ଠାନର ଦାୟିତ୍ବ ଏବଂ ଆଭିମୁଖ୍ୟକୁ ନେଇ ସାଧାରଣରେ ରହିଥିବା ଧାରଣା ଏବେ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଲୋକଙ୍କ ମନରେ ରହିଥିବା ଏଭଳି ଭ୍ରମାତ୍ମକ ଧାରଣା ସମ୍ବିଧାନକୁ ଠିକ୍ ଭାବେ ବୁଝିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର ପ୍ରକୃତ ଭୂମିକା ସମ୍ପର୍କରେ ଅବଗତ ହେବା ଦିଗରେ ପ୍ରତିବନ୍ଧକ ସାଜିଛି ବୋଲି ଜଷ୍ଟିସ ରମଣା କହିଛନ୍ତି। ଲୋକଙ୍କ ମନରେ ରହିଥିବା ଏଭଳି ଭୁଲ ଧାରଣା ଅନେକ ସମୟରେ ସ୍ବାଧୀନ ଏଜେନ୍ସି କିମ୍ବା ଅନୁଷ୍ଠାନ ପାଇଁ ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ନ୍ୟାୟପାଳିକା ଭଳି ଏକ ସ୍ବାଧୀନ କ୍ଷେତ୍ରକୁ ଅନେକ ଏଭଳି ଧାରଣା ନେଇ ସହାୟତା ପାଇଁ ଆସୁଛନ୍ତି। କିନ୍ତୁ ଆମେ ଅନ୍ୟ କାହା ପାଇଁ ନୁହେଁ, କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ ବୋଲି ମନେ ରଖିବାକୁ ହେବ ବୋଲି ସେ କହିଛନ୍ତି। ସମ୍ବିଧାନରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିବା ଏବଂ ବିଭିନ୍ନ ଦିଗରେ ଏହାର ଉପଯୋଗିତା ଉପରେ ତର୍ଜମା କରିବାକୁ ହେଲେ ଆମକୁ ସାମ୍ବିଧାନିକ ପରମ୍ପରାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ସାମ୍ବିଧାନିକ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନଗୁଡିକର ଭୂମିକା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ଏହାଦ୍ବାରା ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯାଇ ପାରିବ ଏବଂ ଏହା ହିଁ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ବିଶେଷ ଦିଗ ବୋଲି ଜଷ୍ଟିସ୍ ରମଣା କହିଛନ୍ତି।